୧୯୭୮ମସିହାରେ ନୂଆଦିଲ୍ଲୀରେ ସଙ୍ଗଠିତ ଗୀତା ଓ ସଞ୍ଜୟ ଚୋପ୍ରା ଅପହରଣ ଓ ହତ୍ୟା ଘଟଣା ‘ରଙ୍ଗା-ବିଲ୍ଲା ମାମଲା’ ନାମରେ କୁଖ୍ୟାତ। ଅର୍ଥ ଦାବି କରିବା ଆଶାରେ ଭାଇଭଉଣୀ ଗୀତା ଓ ସଞ୍ଜୟଙ୍କୁ ଅପହରଣ କରିନେଇ ପରେ ହତ୍ୟା କରିଥିଲେ କୁଲ୍ଜୀତ୍ ସିଂହ ଓରଫ୍ ରଙ୍ଗା ଖୁସ୍ ଓ ଯଶବୀର ସିଂହ ଓରଫ୍ ବିଲ୍ଲା। ଅପହରଣକାରୀ ଯେତେବେଳେ ଜାଣିଲେ ଯେ ପିଲା ଦୁହିଁଙ୍କର ବାପା ନୌସେନା ଅଧିକାରୀ, ସେମାନଙ୍କର ଅର୍ଥ ଆଦାୟ ଆଶା ମଉଳିଗଲା। ତା’ପରେ ଦୁହେଁ ଅମାନୁଷିକ ନିର୍ଯାତନା ଦେଇ ଭାଇଭଉଣୀଙ୍କୁ ହତ୍ୟା କଲେ। ଏ ଘଟଣା ସେ ସମୟରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପରେ ଦୁଇ ଅପହର୍ତ୍ତା ଧରାପଡ଼ି ଫାଶୀ ପାଇଥିଲେ।
ନୂଆଦିଲ୍ଲୀର ଧୌଲାକୁଆଁ ଅଞ୍ଚଳରେ ଥିବା ସେନା ଅଧିକାରୀଙ୍କ ଲାଗି ଉଦ୍ଦିଷ୍ଟ ଅଫିସର୍ସ ଏନ୍କ୍ଲେଭ୍ରେ ସପରିବାର ବାସ କରୁଥିଲେ ଭାରତୀୟ ନୌସେନାର କ୍ୟାପ୍ଟେନ୍ ମଦନମୋହନ ଚୋପ୍ରା। ତାଙ୍କର ଦୁଇ ସନ୍ତାନ- ସାଢ଼େ ୧୬ ବର୍ଷର ଝିଅ ଗୀତା ଏବଂ ୧୪ ବର୍ଷର ପୁଅ ସଞ୍ଜୟ। ଗୀତା ‘ଜେସସ୍ ଆଣ୍ଡ୍ ମେରି କଲେଜ’ରେ ଦ୍ବିତୀୟ ବାର୍ଷିକୀ ଛାତ୍ରୀ ଥିବାବେଳେ ସଞ୍ଜୟ ‘ମଡର୍ଣ୍ଣ ସ୍କୁଲ୍’ରେ ୧୦ମ ଶ୍ରେଣୀରେ ପଢୁଥିଲା। ୧୯୭୮ ମସିହା ଅଗଷ୍ଟ ୨୬ ସନ୍ଧ୍ୟାରେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ଗୀତା ଓ ସଞ୍ଜୟ ଅଂଶଗ୍ରହଣ କରିବାର ଥିଲା। ତେଣୁ, ସନ୍ଧ୍ୟା ୭ଟା ସୁଦ୍ଧା ବେତାର କେନ୍ଦ୍ରରେ ପହଞ୍ଚିବା ପାଇଁ ସେମାନେ ସଂଧ୍ୟା ୬.୧୫ରେ ଘରୁ ବାହାରିଗଲେ। ୯ଟା ବେଳେ ବାପା ମଦନମୋହନ ଯାଇ ତାଙ୍କୁ ସେଠାରୁ ନେଇ ଆସିବେ ବୋଲି କଥା ରହିଲା। ପିଲା ଦୁହିଁଙ୍କ କାର୍ଯ୍ୟକ୍ରମ ଶୁଣିବାକୁ ରାତି ୮ଟା ବେଳେ ବାପାମାଆ ରେଡିଓ ଖୋଲିଲେ, କିନ୍ତୁ ସେମାନଙ୍କ ସ୍ଥାନରେ ଆଉ କିଏ ଥିଲେ। ଉଦ୍ବିଗ୍ନ ହୋଇ ମଦନମୋହନ ପିଲାଦୁହିଁଙ୍କୁ ଆଣିବା ଲାଗି ସ୍କୁଟର୍ ଚଢ଼ି ରେଡିଓ ଷ୍ଟେସନ୍ରେ ପହଞ୍ଚି ଜାଣିଲେ ଯେ, ଦୁହେଁ ସେଠାକୁ ଯାଇ ନାହାନ୍ତି। ଅଗତ୍ୟା ଘରକୁ ଫେରି ସେ ପିଲାଙ୍କ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ଯୋଗାଯୋଗ କରି ଖବର ନେଲେ। କିନ୍ତୁ, କେହି ସେମାନଙ୍କୁ ଦେଖି ନ ଥିବା କଥା କହିଲେ। ଆତଙ୍କିତ ହୋଇ ମଦନମୋହନ ଥାନାରେ ଅଭିଯୋଗ କଲେ।
କାର୍ ଭିତରେ ଗୀତା ଓ ସଞ୍ଜୟଙ୍କ ସଂଘର୍ଷ
ସେପଟେ ଧୌଲାକୁଆଁ ଗୋଲେଇ ଛକରେ କୁଳ ନନ୍ଦ ବୋଲି ଜଣେ ବ୍ୟକ୍ତି ଗୀତା ଓ ସଞ୍ଜୟଙ୍କୁ ଦେଖିଥିଲେ। ସେତେବେଳେ ଝିପି ଝିପି ବର୍ଷା ହେଉଥିବାରୁ ଏମ୍. ଏସ୍. ନନ୍ଦା ନାମରେ ଜଣେ ବ୍ୟକ୍ତି ଦୁହିଁଙ୍କୁ ଧୌଲାକୁଆଁରୁ ଗୋଏଲ୍ ଡାକଖାନା ପର୍ଯ୍ୟନ୍ତ ଲିଫ୍ଟ୍ ଦେଇଥିଲେ। ସନ୍ଧ୍ୟା ୬.୩୦ରେ ଗୁରୁଦ୍ବାର ବଙ୍ଗଳା ସାହିବ୍ରୁ ସ୍କୁଟର୍ ଚଢ଼ି ଯାଉଥିବା ଭଗବାନ ଦାସ ନାମକ ଆଉ ଜଣେ ବ୍ୟକ୍ତି ଗୋଏଲ୍ ହସ୍ପିଟାଲ ନିକଟରେ ଏକ ଚଳନ୍ତା କାର୍ରୁ ଚିତ୍କାର ଶୁଭୁଥିବା ଜାଣି କାର୍ ନିକଟରେ ପହଞ୍ଚି ଦେଖିଲେ ଝିଅଟିଏ ଡ୍ରାଇଭର୍ର କେଶ ଟାଣୁଛି। ପୁଅଟିଏ ଡ୍ରାଇଭର୍ ପାଖରେ ବସିଥିବା ଯାତ୍ରୀ ସହିତ ମାଡ଼ଗୋଳ କରୁଛି। ଦାସ ସେ କାର୍ଟିକୁ ଅଟକାଇ ପାରିଲେ ନାହିଁ; ଦ୍ରୁତଗତିରେ ତାହା ୱିଲିଙ୍ଗ୍ଡନ୍ ହସ୍ପିଟାଲ୍ ଆଡ଼କୁ ଚାଲିଗଲା। ଆଉ କେତେଜଣ ବ୍ୟକ୍ତି ମଧ୍ୟ କାର୍ ଅଟକାଇବାକୁ ଉଦ୍ୟମ କଲେ। ବାବୁ ଲାଲ୍ ନାମକ ଜଣେ ଲୋକ କାର୍ର ଡୋର୍ ହ୍ୟାଣ୍ଡଲ୍ ଧରିବାକୁ ଉଦ୍ୟମ କରି ବିଫଳ ହେଲେ। ଦାସ ସ୍ଥାନୀୟ ଥାନାରେ ଏ କଥା ଜଣାଇବା ସହିତ କାର୍ ନମ୍ବର ଏଚ୍ଆର୍କେ ୮୯୩୦ ବୋଲି ଜଣାଇଲେ। ମାତ୍ର ଅପରେଟର୍ ଭୁଲବଶତଃ ‘ଏମ୍ଆର୍କେ ୮୯୩୦’ ବୋଲି ଟିପିଦେଲେ।
ନିଷ୍ଫଳ ହେଲା ଶେଷ ଉଦ୍ୟମ
ଏହି ସମୟରେ ଅଫିସ୍ରୁ ଘରକୁ ଫେରୁଥିବା ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କର ଜୁନିୟର୍ ଇଞ୍ଜିନିୟର୍ ଇନ୍ଦରଜିତ୍ ସିଂହ ବାବା ଖଡ଼କ୍ ସିଂହ ମାର୍ଗରେ ଥିବା ୱିଲିଙ୍ଗ୍ଡନ୍ ହସ୍ପିଟାଲ୍ର ଆଶୁ ଚିକିତ୍ସା ବିଭାଗ ନିକଟରେ ସେ କାର୍କୁ ଦେଖିଲେ। ପଛରେ ବସିଥିବା ଜଣେ ପୁଅ ଓ ଝିଅ କାର୍ ଡ୍ରାଇଭର୍ ଓ ଅନ୍ୟଜଣଙ୍କ ସହିତ ଟଣାଓଟାରା କରୁଥିଲେ। ସେ ଦ୍ରୁତ ବେଗରେ ଯାଇ କାର୍ ପାଖେ ପାଖେ ସ୍କୁଟର୍ ଚଳାଇଲେ। କାର୍ ଭିତରୁ ପୁଅଟି ତାଙ୍କୁ ରକ୍ତାକ୍ତ କାନ୍ଧ ଦେଖାଇବା ସହିତ ହାତ ହଲାଇ ସାହାଯ୍ୟ ପାଇଁ କହିଲା। ସେ କାର୍କୁ ଅନୁସରଣ କରି ଇନ୍ଦରଜିତ୍ ଶଙ୍କର ରୋଡ୍ ପର୍ଯ୍ୟନ୍ତ ଗଲେ, କିନ୍ତୁ ସେଠାରେ କାର୍ ଟ୍ରାଫିକ୍ ଲାଲ୍ବତି ଅମାନ୍ୟ କରି ପଳାଇଯିବାରୁ ସେ ଆଉ ପିଛା କରିପାରିଲେ ନାହିଁ। ଇନ୍ଦରଜିତ୍ ସଙ୍ଗେ ସଙ୍ଗେ ରାଜେନ୍ଦ୍ର ନଗର ଥାନାକୁ ଫୋନ୍ କରି ସେ କାର୍ ନମ୍ବର ଜଣାଇଦେଲେ। କିନ୍ତୁ, ଘଟଣା ସେ ଅଞ୍ଚଳ ଥାନା ବାହାରେ ଘଟିଥିବାରୁ ପୁଲିସ ଏତେ ଗୁରୁତ୍ବ ଦେଲାନାହିଁ।
ଜଙ୍ଗଲରୁ ମିଳିଲା ଭାଇଭଉଣୀଙ୍କ ଶବ
ଥାନାରେ ଅଭିଯୋଗ କରିବା ପରେ ମଦନମୋହନ ଗଣମାଧ୍ୟମରେ ବି ପିଲାଙ୍କ ଫଟୋ ପ୍ରକାଶ କଲେ। ତାହା ଦେଖି ପ୍ରତ୍ୟକ୍ଷଦର୍ଶୀ ଏମ୍. ଏସ୍. ନନ୍ଦା ଥାନାକୁ ଆସି ବୟାନ ଦେଲେ। ପୁଲିସ ତତ୍ପର ହୋଇ ସନ୍ଦିଗ୍ଧମାନଙ୍କୁ ଧରିବା ଲାଗି ତଦନ୍ତ ଚଳାଇଲା।୧୯୭୮ ଅଗଷ୍ଟ ୨୮ ତାରିଖ ଦିନ ଗାଈ ଜଗୁଆଳ ଧାନି ରାମ ସନ୍ଧ୍ୟା ୬ଟା ବେଳେ ଦିଲ୍ଲୀ ରିଜ୍ ଜଙ୍ଗଲରେ ଗୋଟାଏ ପୁଅ ଏବଂ ଗୋଟାଏ ଝିଅ ଶବ ଦେଖି ରୋହତାସ୍ ସିଂହ ନାମରେ ଜଣେ ପାଟ୍ରୋଲିଙ୍ଗ୍ କନେଷ୍ଟବଳଙ୍କୁ ଜଣାଇଲା। ରାତି ୧୨ଟା ବେଳେ ପୁଲିସ ସେଠାରେ ପହଞ୍ଚି ପଚି ଆସୁଥିବା ଶବ ଦୁଇଟିକୁ ଉଦ୍ଧାର କଲା। ପିଲା ନିରୁଦ୍ଦିଷ୍ଟ ବୋଲି ଅଭିଯୋଗ କରିଥିବା ଅଭିଭାବକଙ୍କୁ ଶବ ଚିହ୍ନଟ କରିବା ପାଇଁ ଡକାହେଲା। ସେ ଦୁହେଁ ଗୀତା ଓ ସଞ୍ଜୟ ବୋଲି ମଦନମୋହନ ନିଶ୍ଚିତ କଲେ। ହତ୍ୟା କରାଯିବା ପୂର୍ବରୁ ଦୁହିଁଙ୍କୁ ଭୀଷଣ ନିର୍ଯାତନା ଦିଆଯାଇଥିବା କଥା କ୍ଷତାକ୍ତ ଶବ ଦେଖି ଜଣାପଡ଼ିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଯେ ଗୀତା ସହିତ ଗଣଦୁଷ୍କର୍ମ ବି କରାଯାଇଛି।
ଠାବ ହେଲା ଅପରାଧୀଙ୍କ ବ୍ୟବହୃତ କାର୍
ଅଗଷ୍ଟ ୩୧ ତାରିଖ ଦିନ ଦିଲ୍ଲୀର ମଜ୍ଲିସ୍ ପାର୍କରେ ଡିଏଚ୍ଡି ୭୦୩୪ ନମ୍ବରବିଶିଷ୍ଟ ଗୋଟାଏ କାର୍ର ସନ୍ଧାନ ମିଳିଲା। ଜଣାପଡ଼ିଲା ସେ କାର୍ର ମାଲିକ ହେଉଛନ୍ତି ଅଶୋକ ଶର୍ମା। କିନ୍ତୁ, କିଣାଯିବାର ୬ ସପ୍ତାହ ମଧ୍ୟରେ ତାହା ଚୋରି ହୋଇଯାଇଥିଲା। ସେଣ୍ଟ୍ରାଲ୍ ଫୋରେନ୍ସିକ୍ ସାଇନ୍ସ୍ ଲାବ୍ରୋଟରିର ତଦନ୍ତକାରୀମାନେ କାର୍ଟିକୁ ଯାଞ୍ଚକଲେ। କାର୍ରୁ ସିଗାରେଟ୍ ଥୁଣ୍ଟା, କେଶ, ଜାଲ୍ ନମ୍ବର ପ୍ଲେଟ୍ (ଡିଇଏ ୧୨୨୧, ଏଚ୍ଆର୍ଏଫ୍ ୫୪୧୧ ଓ ଏଚ୍ଆର୍କେ ୮୯୩୦) ମଧ୍ୟ ମିଳିଲା। ଶବ ମିଳିଥିବା ସ୍ଥାନର ମାଟି ସହିତ ମେଳ ଖାଉଥିବା କିଛି ମାଟି ବି କାର୍ରୁ ମିଳିଲା। ଭାରତୀୟ ଗଣମାଧ୍ୟମ ଏ ଘଟଣା ବହୁଦିନଯାଏ ପ୍ରକାଶ କଲେ। ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇ ବି ବ୍ୟକ୍ତିଗତ ଭାବେ ଘଟଣା ବିଷୟରେ ଗୁରୁତ୍ବାରୋପ କଲେ।
ଟ୍ରେନ୍ରେ ଧରାପଡ଼ିଲେ ରଙ୍ଗା-ବିଲ୍ଲା
୧୯୭୮ ସେପ୍ଟେମ୍ବର ୮ ତାରିଖ ଦିନ ଆଗ୍ରା ନିକଟ ଯମୁନା ନଦୀ ସେତୁ ଉପରେ କାଲ୍କା ମେଲ୍ ଟ୍ରେନ୍ର ଗତି ମନ୍ଥର ହେବା ସମୟରେ ହଠାତ୍ ୨ଜଣ ଯାତ୍ରୀ ଚଢ଼ିଗଲେ। ସେମାନେ ଯେଉଁ କମ୍ପାର୍ଟମେଣ୍ଟ୍ରେ ପଶିଥିଲେ ତାହା ସେନା କର୍ମଚାରୀଙ୍କ ପାଇଁ ରିଜର୍ଭ କରାଯାଇଥିଲା। ଦୁହିଁଙ୍କୁ ପରିଚୟ ପତ୍ର ଦେଖାଇବାକୁ କୁହାଗଲା। କିନ୍ତୁ, ଯୁକ୍ତିତର୍କ କରି ସେମାନେ ସେନା କର୍ମଚାରୀଙ୍କ ସଙ୍ଗେ ଧସ୍ତାଧସ୍ତି କେଲା। ଶେଷରେ ଦୁହେଁ କାବୁ ହେଲେ। ଗୀତା-ସଞ୍ଜୟ ଅପହରଣ ଓ ହତ୍ୟା ସମ୍ବାଦରେ ସେ ଦୁହିଁଙ୍କ ଫଟୋ ଛାପାଯାଇଥିଲା। ତେଣୁ, ଟ୍ରେନ୍ରେ ଥିବା ସେନା କର୍ମଚାରୀ ଲାନ୍ସ୍ ନାଏକ ଏ. ଭି. ସେଟ୍ଟୀ ଦୁହିଁଙ୍କୁ ଚିହ୍ନିପକାଇଲେ। ଦୁହେଁ ଥିଲେ କୁଖ୍ୟାତ ଅପରାଧୀ ରଙ୍ଗା ଓ ବିଲ୍ଲା। ୯ ତାରିଖ ଦିନ ନୂଆଦିଲ୍ଲୀ ରେଳ ଷ୍ଟେସନ୍ରେ ଦୁହିଁଙ୍କୁ ଇନ୍ସ୍ପେକ୍ଟର୍ ଭି. ପି. ଗୁପ୍ତାଙ୍କୁ ହସ୍ତାନ୍ତର କରାଗଲା।
୪ ବର୍ଷର ବିଚାର ପରେ ଫାଶୀ
ମାମଲା ବିଚାର କରି ଅତିରିକ୍ତ ସେସନ୍ ଜଜ୍ ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଲେ। ସେମାନେ ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ୍ କଲେ। ୧୯୭୯ ନଭେମ୍ବର ୧୬ରେ ହାଇକୋର୍ଟ ଦଣ୍ଡାଦେଶ କାଏମ ରଖିଲେ। ଏଥର ଦୁହେଁ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେଲେ। ସୁପ୍ରିମ୍ କୋର୍ଟ ବି ଦଣ୍ଡାଦେଶ କାଏମ ରଖିଲେ। ତା’ପରେ ଦୁହେଁ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କଲେ। ରାଷ୍ଟ୍ରପତି ନିଲମ ସଞ୍ଜୀବ ରେଡ୍ଡୀ କୌଣସି କାରଣ ନ ଦର୍ଶାଇ ସେମାନଙ୍କ ଆବେଦନ ଖାରଜ କରିଦେଲେ। ରାଷ୍ଟ୍ରପତି ନିରପେକ୍ଷ ଭାବେ ରାଜକ୍ଷମା କ୍ଷମତା ଉପଯୋଗ କରିବା ଉଚିତ ବୋଲି ଦର୍ଶାଇ ସେମାନେ ପୁଣି ସୁପ୍ରିମ୍ କୋର୍ଟରେ ଆବେଦନ କଲେ। ୧୯୮୧ ଏପ୍ରିଲ୍ ୨୧ରେ ସୁପ୍ରିମ୍ କୋର୍ଟ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଲେ। ଏମିତି ବିଭିନ୍ନ ପିଟିସନ୍ ଦାଏର କରି ସେମାନେ ପ୍ରାୟ ୪ ବର୍ଷ ବିଚାର ଗଡ଼ାଇ ଚାଲିଲେ। ପରିଶେଷରେ ୧୯୮୨ ଜାନୁଆରି ୩୧ ତାରିଖ ଦିନ ତିହାର ଜେଲ୍ରେ ଦୁହିଁଙ୍କୁ ଫାଶୀ ଦିଆଗଲା। କିନ୍ତୁ, ଆତ୍ମୀୟମାନେ ସେମାନଙ୍କ ଶବ ନେଲେ ନାହିଁ।