ବ୍ରିଟିସ୍ ଶାସନ କାଳରେ ଉତ୍ତର ଓ ପୂର୍ବ ଭାରତରେ ପେସାଦାର ଅପରାଧୀ ଗୋଷ୍ଠୀ ଠଗମାନଙ୍କର ପ୍ରାଦୁର୍ଭାବ ଚହଳ ପକାଇଥିଲା। ଠଗମାନେ ମୁଖ୍ୟତଃ ତୀର୍ଥଯାତ୍ରୀ ଓ ବେପାରବଣିଜ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ବ୍ୟବସାୟୀଙ୍କୁ କୌଶଳରେ ହତ୍ୟା କରି ସେମାନଙ୍କ ଧନସଂପତ୍ତି ଲୁଟି ନେଉଥିଲେ। ସେମାନେ ଚମ୍ବଲ୍ ଉପତ୍ୟକା (ମଧ୍ୟପ୍ରଦେଶ ଓ ରାଜସ୍ଥାନ), ରାଜଧାନୀ ଦିଲ୍ଲୀର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଏବଂ ଅବିଭାଜିତ ବଙ୍ଗର କଲିକତା ଓ ବର୍ଣ୍ଣପୁର ଆଦି ଅଞ୍ଚଳରେ ସକ୍ରିୟ ଥିଲେ।୧୮୩୫ ମସିହାରେ ଠଗମାନଙ୍କୁ ନିପାତ କରିବା ଲାଗି ବ୍ରିଟିସ୍ ସରକାର ଜଣେ ସ୍ବତନ୍ତ୍ର ପୁଲିସ୍ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ।
ଠଗମାନଙ୍କ ଭିତରେ ସବୁଠାରୁ କୁଖ୍ୟାତ ଥିଲା ବେହରାମ୍ ଓ ତା’ ଦଳ। ତା’ ନିର୍ଦ୍ଦେଶରେ ୯୩୧ଜଣଙ୍କୁ ହତ୍ୟା କରିଥିବା କଥା ପୁଲିସ ନିକଟରେ ସ୍ବୀକାର କରିଥିଲା ଠଗ ବେହରାମ୍। ଏ ମଧ୍ୟରୁ ସେ ନିଜେ ୧୨୫ଜଣଙ୍କୁ ଶ୍ବାସରୁଦ୍ଧ କରି ମାରିଥିବା ବେଳେ ୯୫୬ଜଣଙ୍କୁ ହତ୍ୟା କରିଯାଇଥିବା ସ୍ବଚକ୍ଷୁରେ ଦେଖିଛି ବୋଲି ପ୍ରକାଶ କରିଥିଲା। ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ଲିଖିତ ‘ଦି ଡେଡ୍ଲି ଡଜନ୍: ଇଣ୍ଡିଆଜ୍ ମୋଷ୍ଟ୍ ନେେଟାରିୟସ୍ ସିରିଏଲ୍ କିଲର୍ସ’ ପୁସ୍ତକରେ ଠଗ ବେହରାମ୍ର କଳାକାରନାମା ବର୍ଣ୍ଣିତ ହୋଇଛି। ‘ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍’ର ‘ମୋଷ୍ଟ୍ େପ୍ରାଲିଫିକ୍ ମର୍ଡର୍’ ବିଭାଗରେ ପୃଥିବୀର ଅନ୍ୟତମ ନିଷ୍ଠୁର ଆତତାୟୀ ଭାବେ ଠଗ ବେହରାମ୍ର ନାମ ରହିଛି।
ବେହରାମ୍ ଜମାଦାର୍ରୁ ଠଗ ବେହରାମ୍
୧୭୬୫ରେ ମଧ୍ୟପ୍ରଦେଶର ଜବଲପୁରରେ ବେହରାମ୍ ଜମାଦାର୍ର ଜନ୍ମ। କୁହାଯାଏ, ବାଲ୍ୟକାଳରେ ସେ ଅତ୍ୟନ୍ତ ଶାନ୍ତସରଳ ଥିଲା। ତାକୁ ୨୫ ବର୍ଷ ବୟସ ହୋଇଥିବା ବେଳେ ତା’ର ପରମମିତ୍ର ଓସ୍ତାତ ସୟେଦ୍ ଅମୀର୍ ଅଲୀ ଓରଫ୍ ‘ଫିରାଙ୍ଗୀ’ ତାକୁ ଠଗୀ ଗୋଷ୍ଠୀ ସହିତ ସଂପୃକ୍ତ କରାଇଦେଲା। ଫିରାଙ୍ଗୀ ଥିଲା ବେହରାମ୍ଠାରୁ ବୟସରେ ୨୫ ବର୍ଷ ବଡ଼ ପୁଣି ସେ ସମୟର ସବୁଠୁ ବିପଜ୍ଜନକ ଓ ଭୟଙ୍କର ଠଗ। ‘ଠଗ’ ଅର୍ଥ ଦଳବଦ୍ଧ ନରହନ୍ତା ଦସ୍ୟୁ। ସେମାନେ ରୁମାଲୀ ଠଗ ଓ ତଣ୍ଟିକଟା ଭାବେ ବି ବେଶ୍ କୁଖ୍ୟାତ ଥିଲେ। ଠଗୀ ଗୋଷ୍ଠୀର ବିଶ୍ବାସଭାଜନ ହେବା ପାଇଁ ବେହରାମ୍କୁ କଠିନ ପରୀକ୍ଷା ଦେବାକୁ ପଡ଼ିଥିଲା। ଭଟ୍ଟାଚାର୍ଯ୍ୟଙ୍କ ପୁସ୍ତକରେ ବର୍ଣ୍ଣିତ ଅଛି ଯେ, ତା’ ଆଗରେ ଜଣେ ଲୋକକୁ ଆଣି ଠିଆ କରାଗଲା। ଓସ୍ତାତ ଫିରାଙ୍ଗୀ ବେହରାମ୍କୁ ଗୋଟାଏ ରୁମାଲ ଭଳି କପଡ଼ା ଦେଲା। ନ ମାରିବା ଲାଗି ବିକଳ ହୋଇ ବାରମ୍ବାର ଅନୁରୋଧ କରୁଥିବା ସେ ଲୋକଟିକୁ ହତ୍ୟା କରିବା ପାଇଁ ବେହରାମ୍କୁ କୁହାଗଲା। ପ୍ରାରମ୍ଭରେ ଦ୍ବିଧାବୋଧ କରୁଥିବା ବେହରାମ୍ ଶେଷରେ ତାକୁ ହତ୍ୟାକଲା। ୪୦ଜଣିଆ ଠଗଙ୍କ ଦଳରେ ରହି କ୍ରମେ ମଣିଷ ମାରିବା ତା’ପାଇଁ ବାଁ’ହାତର ଖେଳ ହୋଇଗଲା। ଖଣ୍ଡିଏ କନା ସାହାଯ୍ୟରେ ଜଣଙ୍କୁ ଶ୍ବାସରୁଦ୍ଧ କରି ମାରିବା କଳାରେ ସିଦ୍ଧହସ୍ତ ହୋଇଗଲା ସେ। ଆଉ ନରହତ୍ୟା ସଂଖ୍ୟା ବଢ଼ିବା ସହ ବେହରାମ୍ର କୁଖ୍ୟାତି ବି ବଢ଼ିଲା।
ବେହରାମ୍ର ଠଗଦଳର ଆତଙ୍କରାଜ
ସାଧାରଣ ଠଗରୁ ବେହରାମ୍ ପାଲଟିଗଲା ସର୍ଦ୍ଦାର। ୨୦୦ ଠଗଙ୍କୁ ନେଇ ନିଜେ ଦଳ ଗଠନକଲା। ଅତି ନିର୍ମମ ଭାବେ କାଫଲା ବା ଯାତ୍ରୀଦଳଙ୍କୁ ହତ୍ୟା କରି ସେମାନଙ୍କ ସର୍ବସ୍ବ ଲୁଟିବାକୁ ଲାଗିଲା। କେବେ କେବେ ଠଗ ବେହରାମ୍ ବି ନିଜେ ନରହତ୍ୟା କରୁଥିଲା। ସେ ଏମିତି ଉପାୟରେ ହତ୍ୟା କରେ ଯେ ସମ୍ପୂର୍ଣ୍ଣ କାଫଲା କୁଆଡ଼େ ଉଭେଇଯାଏ। ସେମାନଙ୍କର ଅସ୍ତିତ୍ବ ନିଶ୍ଚିହ୍ନ ହୋଇଯାଏ। କେବେ କେବେ ଯାତ୍ରୀ ସାଜି ବେହରାମ୍ କାଫଲା ସହିତ ମିଶି ଯାତ୍ରାକରେ। ରାତିରେ ଯାତ୍ରୀମାନେ ନିଦ୍ରାଗଲେ ବେହ୍ରମ୍ ‘ରାମୋଶି’ ଭାଷାରେ ତା’ଠଗମାନଙ୍କୁ ଡାକେ। କାଫଲାର କୌଣସି ବ୍ୟକ୍ତି ବେହରାମ୍ ଓ ତା’ ଦଳର ଅନ୍ୟ ଠଗଙ୍କ କବଳରୁ ବର୍ତ୍ତି ପାରନ୍ତିନାହିଁ। ଛୁରୀ ଅଥବା ବନ୍ଧୁକ ବ୍ୟବହାର ନ କରି କିଂବା ବୁନ୍ଦାଏ ରକ୍ତ ନ ବୁହାଇ ସେମାନେ ସମସ୍ତଙ୍କୁ ଶ୍ବାସରୁଦ୍ଧ କରି ହତ୍ୟାକରନ୍ତି। ତା’ପରେ ଗାତ ଖୋଳି ମୃତଦେହଗୁଡ଼ିକୁ ପୋତିପକାନ୍ତି। ଜଣାପଡ଼େ ସତେ ଯେମିତି ସମ୍ପୂର୍ଣ୍ଣ କାଫଲା କୁଆଡ଼େ ଉଭେଇଗଲା। ଜନଶ୍ରୁତି କହେ, ବେହରାମ୍ର ଠଗମାନେ ବାଟରେ ଜଗିଥିବା କଥା ଶୁଣିଲେ ସୈନିକମାନେ ମଧ୍ୟ ସେ ରାସ୍ତାରେ ଯିବାକୁ ଭୟ କରୁଥିଲେ।
ବେହରାମ୍କୁ ଘୋଡ଼ାଶାଳରେ ମାଡ଼ିବସିଲେ ସ୍ଲିମ୍ୟାନ୍
ବହୁ ନରହତ୍ୟା ଓ ଡକାୟତି ଅଭିଯୋଗ ପରେ ବେହରାମ୍କୁ ଧରିବାକୁ ବ୍ରିଟିସ୍ ପ୍ରଶାସନ ଲାଗିପଡ଼ିଲା। କିନ୍ତୁ ଏକାଧିକବାର ବିଫଳ ହେଲା ପୁଲିସ। ୧୮୩୫ରେ କ୍ୟାପ୍ଟେନ୍ ୱିଲିୟମ୍ ହେନେରି ସ୍ଲିମ୍ୟାନ୍ ‘ଠଗ୍ ପୋଲିସ୍’ର ସୁପରିଣ୍ଟେଣ୍ଡେଣ୍ଟ୍ ଭାବେ ନିଯୁକ୍ତି ପାଇଲେ। ବେହରାମ୍ ଗୋଷ୍ଠୀକୁ ଦମନ କରିବା ଲାଗି ସ୍ଲିମ୍ୟାନ୍ଙ୍କୁ ପ୍ରାୟ ଗୋଟାଏ ଦଶନ୍ଧି ଉଦ୍ୟମ କରିବାକୁ ପଡ଼ିଲା। ବେହରାମ୍କୁ ଧରିବା ପାଇଁ ସ୍ଲିମ୍ୟାନ୍ ଜାଲ ବିଛାଇଲେ। ତା’ର ଘନିଷ୍ଠ ଓସ୍ତାତ ଫିରାଙ୍ଗୀ ପ୍ରଥମେ ଜାଲରେ ପଡ଼ିଲା। ସ୍ଲିମ୍ୟାନ୍ ଫିରାଙ୍ଗୀକୁ ଧରିବା ପରେ ତା’ ପରିବାରକୁ ପଣବନ୍ଦୀ ରଖିଲେ। ସ୍ଲିମ୍ୟାନ୍ ଫିରାଙ୍ଗୀକୁ ଜଣାଇଦେଲେ କି ବେହରାମ୍ ବିଷୟରେ ସବୁକିଛି କହିବା ଉପରେ ହିଁ ତା’ ପରିବାରର ଭାଗ୍ୟ ନିର୍ଭର କରୁଛି। ଶେଷରେ ଫିରାଙ୍ଗୀ ପରିବାର ବଞ୍ଚାଇବା ପାଇଁ ସ୍ଲିମ୍ୟାନ୍ଙ୍କୁ ବେହରାମ୍ ବିଷୟରେ ସବୁକଥା ଜଣାଇଦେଲା।
ଗଣିକାଳୟରୁ ଧରାପଡ଼ିବା ପରେ ଫାଶୀ
ମମ୍ତାଜ୍ ନାମ୍ନୀ ଜଣେ ଗଣିକାକୁ ଭେଟିବା ଲାଗି ବେହରାମ୍ ସବୁେବଳେ ଗୋଟାଏ ଗଣିକାଳୟକୁ ଯାଉଥିବା କଥା ଫିରାଙ୍ଗୀ ସ୍ଲିମ୍ୟାନ୍ଙ୍କୁ ସୂଚନା ଦେଇଥିଲା। ୭୫ ବର୍ଷୀୟ ବେହରାମ୍ ମମ୍ତାଜ୍ ସହିତ ଥିବାବେଳେ ବ୍ରିଟିସ୍ ସିପାହୀମାନେ ସେ ଗଣିକାଳୟକୁ ଘେରିଗଲେ। ସିପାହୀଙ୍କୁ ଦେଖି ବେହରାମ୍ ତା’ର ବିଶ୍ବସ୍ତ ଘୋଡ଼ା ବନ୍ଧାଯାଇଥିବା ଘୋଡ଼ାଶାଳକୁ ଦୌଡ଼ିଲା। କିନ୍ତୁ, ସ୍ଲିମ୍ୟାନ୍ ଧାଇଁଯାଇ ତାକୁ ମାଡ଼ିବସିଲେ। ଦୁଇବର୍ଷ ଧରି ବେହରାମ୍ର ବିଚାର ଚାଲିଲା। ଶେଷରେ ତାକୁ ଗୁପ୍ତରେ ଫାଶୀ ଦିଆଗଲା, କିନ୍ତୁ କାଟ୍ନି ଜିଲ୍ଲାରେ ସର୍ବସାଧାରଣଙ୍କୁ ତା’ର ଶବ ପ୍ରଦର୍ଶନ କରାଗଲା।