କର୍ଣ୍ଣାଟକ ଲୋକସେବା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ଏସ୍. ଏମ୍. ପଞ୍ଚଗଟ୍ଟୀଙ୍କ ଇଞ୍ଜିନିୟର୍ ପୁଅବୋହୂଙ୍କୁ ମୃତାବସ୍ଥାରେ ବେଙ୍ଗାଲୁରୁରେ ଥିବା ସେମାନଙ୍କ ବଙ୍ଗଳାରୁ ଉଦ୍ଧାର କରାଯାଇଥିଲା ୨୦୦୧ ନଭେମ୍ବର ମାସରେ। ଖୁବ୍ ସରଳ, ଅମାୟିକ ତଥା ମୃଦୁଭାଷୀ ସେ ନିରୀହ ଦମ୍ପତିଙ୍କୁ କିଏ କାହିଁକି ଛୁରିମାରି ହତ୍ୟାକଲା? ୨୪ ବର୍ଷ ପରେ ବି ସିଲିକନ୍ ଉପତ୍ୟକାରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ନିର୍ମମ ହତ୍ୟାକାଣ୍ଡ ଘଟାଇଥିବା ଆତତାୟୀକୁ ଚିହ୍ନଟ କରିପାରିନାହିଁ ପୁଲିସ।
୨୦୦୧ ନଭେମ୍ବର ୨୦ ମଙ୍ଗଳବାର। ନିଶବ୍ଦ ଆଉ ନିଶ୍ଚଳ ଥିବା ବେଙ୍ଗାଲୁରୁ ଅନ୍ତର୍ଗତ ବନଶଙ୍କରୀ ତୃତୀୟ ଷ୍ଟେଜ୍ ଅଞ୍ଚଳରେ ହଠାତ୍ ଭୀତିପ୍ରଦ ବାତାବରଣ ସୃଷ୍ଟି ହୋଇଥିଲା। ସେ ଅଞ୍ଚଳ ଅନ୍ତର୍ଗତ ରିଙ୍ଗ୍ରୋଡ୍ସ୍ଥିତ ଗୋଟାଏ ବଙ୍ଗଳାରେ ଘଟିଥିଲା ଡବଲ୍ ମର୍ଡର୍। ଘଟଣା ଜଣାପଡ଼ିବା ପରେ ସତେ ଅବା ସମଗ୍ର ନଗରୀ ଦୋହଲିଗଲା! ୩୬ ବର୍ଷୀୟ ଜବାହର ପଞ୍ଚଗଟ୍ଟୀ ଓ ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଅନୁଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ଛୁରି ଭୁସି ହତ୍ୟା କରାଯାଇଥିଲା।
ଦୟାଳୁ ଦମ୍ପତି
ଜବାହର ଥିଲେ କର୍ଣ୍ଣାଟକ ଲୋକସେବା ଆୟୋଗର ଖ୍ୟାତିସମ୍ପନ୍ନ ଅଧ୍ୟକ୍ଷ ଏସ୍. ଏମ୍. ପଞ୍ଚଗଟ୍ଟୀଙ୍କ ପୁତ୍ର। ତାଙ୍କ ପରିବାରର ପ୍ରତିଷ୍ଠା ଓ ପ୍ରତିପତ୍ତି ଉକ୍ତ ମାମଲାକୁ ଆହୁରି ଚର୍ଚ୍ଚିତ କରିପକାଇଲା। ସେ ଅଞ୍ଚଳରେ ଚହଳ ପକାଇଥିବା ଏ ଜଘନ୍ୟ ହତ୍ୟାକାଣ୍ଡ ବିଷୟରେ ସ୍ଥାନୀୟରୁ ନେଇ ଜାତୀୟ ସମ୍ବାଦପତ୍ର ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ଦିଗକୁ ନେଇ ରିପୋର୍ଟମାନ ପ୍ରକାଶପାଇଲା।
କମ୍ପ୍ୟୁଟର୍ ବିଜ୍ଞାନରେ ପ୍ରବୀଣ ଇଞ୍ଜିନିୟର୍ ଜବାହର ଓ ଅନୁ ଥିଲେ ଦୟାଳୁ ଦମ୍ପତି। ଦୁହେଁ ନିଜ ବାସଭବନରେ ‘ରିଟ୍ସ୍ କଲେଜ୍ ଅଫ୍ କମ୍ପ୍ୟୁଟର୍ସ’ ନାମରେ ଗୋଟାଏ କମ୍ପ୍ୟୁଟର୍ ତାଲିମ ପ୍ରତିଷ୍ଠାନ ଓ ‘ଦୀପକ ଇମ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍’ ନାମରେ ଗୋଟାଏ ସଫ୍ଟୱେର୍ କମ୍ପାନି ଚଳାଉଥିଲେ। ଅଳ୍ପଦିନ ହେବ ଦୁହେଁ ହୋସୁର୍ସ୍ଥିତ ଗୋଟାଏ ଅନାଥାଳୟରୁ ଦୁଇ ଯାଆଁଳା ଝିଅଙ୍କୁ ପୋଷ୍ୟ ସନ୍ତତି ଭାବେ ଗ୍ରହଣ କରିଥିଲେ। ଏଥିପାଇଁ ଆବଶ୍ୟକ କାଗଜପତ୍ର କାମ ଚାଲିଥିଲା। ବନ୍ଧୁ ଓ ସହକର୍ମୀ ମହଲରେ ସେମାନେ ଦୟାବନ୍ତ, ମୃଦୁଭାଷୀ ଓ କର୍ମପ୍ରତି ବେଶ୍ ପ୍ରତିବଦ୍ଧ ଭାବେ ଜଣାଶୁଣା ଏହି ଦମ୍ପତି ଧନୀ ହେବା ସତ୍ତ୍ବେ ସରଳ ଜୀବନଯାପନ କରୁଥିଲେ। ସେମାନଙ୍କ ଅକାଳ ମୃତ୍ୟୁ ସେଠାକାର ବାସିନ୍ଦାଙ୍କୁ ହତବାକ୍ ଓ ଦୁଃଖୀ କରିପକାଇଥିଲା।
ନୃଶଂସ ହତ୍ୟା
ନଭେମ୍ବର ୨୦ ତାରିଖ ସକାଳ ୮. ୨୫ରେ କ୍ଲାସ୍ କରିବାକୁ ସେଠାରେ ପହଞ୍ଚିଥିବା ଶିକ୍ଷାର୍ଥୀମାନେ ଦେଖିଲେ ମୁଖ୍ୟ କବାଟ ମୁକୁଳା େହାଇଛି। ଭିତରେ ଭୟାନକ ଦୃଶ୍ୟ- ବୈଠକଖାନାରେ ଜବାହର ଓ ଅନୁ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛନ୍ତି। ଅନୁଙ୍କ ଦେହରେ ୪୫ରୁ ଅଧିକ ଥର ଛୁରିକା ଘାତ କରାଯାଇଥିଲା ବେଳେ ଜବାହାରଙ୍କ ଦେହରେ ଥିଲା ପ୍ରାୟ ୧୭ ଛୁରିଭୁସା କ୍ଷତ। ଉଭୟଙ୍କ ଛାତିରେ ହିଁ ସବୁଠୁ ଅଧିକ ଥର ଛୁରାମାଡ଼ ହୋଇଥିଲା। କିନ୍ତୁ, ସେମାନେ ପୋଷ୍ୟ କରିଥିବା ୧ ବର୍ଷୀୟା ଝିଅ ଦୁହେଁ ଅକ୍ଷତ ଅବସ୍ଥାରେ ସେମାନଙ୍କ କୋଠରିରେ ନିଦ୍ରାଯାଇଥିଲେ। ଘରେ କେହି ଧଷେଇ ପଶିଥିବାର କୌଣସି ସଙ୍କେତ ନ ଥିଲା। ଆତତାୟୀକୁ ଜବାହର ଓ ଅନୁ କୌଣସି ପ୍ରକାର ବାଧା ଦେଇଥିବା ଆଭାସ ବି ନ ଥିଲା। ସେମାନଙ୍କ ପୋଷା କୁକୁର ବି ଭୁକି ନ ଥିଲା। ଏଥିରୁ ଅନୁମାନ କରାଯାଏ ଯେ ଆତତାୟୀ ଜବାହର ଓ ଅନୁଙ୍କର ପରିଚିତ ହୋଇଥିବେ। ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ସବୁ ଯେମିତିକୁ ସେମିତି ଥିଲା। ଅନୁ ପିନ୍ଧିଥିବା ଅଳଙ୍କାରଗୁଡ଼ିକ ବି ଆତତାୟୀ ନେଇ ନ ଥିଲା। ତା’ ଛଡ଼ା ଜବାହର ଘରେ ନଗଦ ଟଙ୍କା ରଖୁ ନ ଥିଲେ ବୋଲି ତାଙ୍କ ବନ୍ଧୁମାନେ କହନ୍ତି। ଚୋରି କି, ଡକାୟତି ଉଦ୍ଦେଶ୍ୟରେ ସେମାନଙ୍କୁ ହତ୍ୟା କରାଯାଇ ନ ଥିବା ଏଥିରୁ ସ୍ପଷ୍ଟ ଜଣାପଡୁଥିଲା।
ବିବାଦରୁ ମିଳିଲା ନାହିଁ ଖିଅ
ଶେଷଥର ପାଇଁ ଜୀବନ୍ତ ଅବସ୍ଥାରେ ଜବାହରଙ୍କୁ ସୋମବାର ରାତି ୯ଟା ବେଳେ ପାଖ ଡିପାର୍ଟମେଣ୍ଟାଲ୍ ଷ୍ଟୋର୍ରେ ଦେଖିବାକୁ ମିଳିଥିଲା। ଏହି ହାଇପ୍ରୋଫାଇଲ୍ ହତ୍ୟା ଘଟଣା ତଦନ୍ତ ସକାଶେ ବେଙ୍ଗାଲୁରୁ ପୁଲିସ ପାଞ୍ଚଟି ତଦନ୍ତକାରୀ ଦଳ ଗଠନକରି ପ୍ରତିଷ୍ଠାନର କର୍ମଚାରୀ, ପରିବାର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସମେତ ୪୦ରୁ ଅଧିକ ଲୋକଙ୍କୁ ପଚରାଉଚରା କଲା। ବ୍ୟାବସାୟିକ ବିବାଦ, ପାରିବାରିକ ଶତ୍ରୁତା ଓ ବିବଦୀୟ ଯମଜ ସନ୍ତତି ପୋଷ୍ୟ କରାଯିବା ଭଳି ଅନେକ ଦିଗରୁ ତଦନ୍ତକାରୀମାନେ ହତ୍ୟାର ରହସ୍ୟ ଭେଦ କରିବାକୁ ପ୍ରୟାସକଲେ। ଜଣାପଡ଼ିଲା ନିଜ ନିଜ ପାରିବାରିକ ଅସମ୍ମତି ସତ୍ତ୍ବେ ଜବାହର ଓ ଅନୁ ବିବାହ କରିଥିଲେ। ଫଳତଃ ତଦନ୍ତ ପରିସରକୁ ପାରିବାରିକ ବିବାଦ ଘଟଣା ଆସିଲା। କିନ୍ତୁ, ପ୍ରାରମ୍ଭିକ ଅବସ୍ଥାରେ ଗତିଶୀଳ ହୋଇ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଗଲା। ଫୋରେନ୍ସିକ୍ ପ୍ରମାଣ ବି ଥିଲା ଖୁବ୍ ସୀମିତ। ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଆଙ୍ଗୁଠି ଛାପ ସବୁ କୌଣସି ପରିଚିତ ସନ୍ଦିଗ୍ଧଙ୍କ ଆଙ୍ଗୁଠି ଛାପ ସହିତ ମେଳ ଖାଉ ନ ଥିଲା। ତ’ଛଡ଼ା ଏ ହତ୍ୟା ଘଟଣାର କେହି ସାକ୍ଷୀ ନ ଥିଲେ କି, ସିସିଟିଭି ଫୁଟେଜ୍ ନ ଥିଲା। ଦମ୍ପତି ପୋଷ୍ୟକନ୍ୟା କରିଥିବା ସେ ପିଲା ଦୁଇଟି ଉପଯୋଗୀ ହେବାପରି କୌଣସି ପ୍ରମାଣ ଦେଇପାରିଲେ ନାହିଁ। ପୁନଶ୍ଚ ସେମାନଙ୍କୁ ଅନାଥାଳୟକୁ ଫେରାଇ ଦିଆଗଲା।
ନିରସ୍ତ୍ର ଆତତାୟୀ
ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଟି ଥିଲା ସେମାନଙ୍କ ଘରେ ଥିବା କିଚେନ୍ ନାଇଫ୍। ସେଥିରୁ ଜଣାପଡୁଥିଲା ଯେ ଆତତାୟୀ ଅସ୍ତ୍ର ଆଣି ନ ଥିଲା। ତେଣୁ, ଏହାକୁ ଯୋଜନାଦ୍ଧ ହତ୍ୟାକାଣ୍ଡ ମନେକରିବା ବି ଭୁଲ୍। ପୁଲିସ ଅନୁମାନ କଲା ସମ୍ଭବତଃ ଆତତାୟୀକୁ ସୌଜନ୍ୟମୂଳକ ପରିଦର୍ଶକ ଭାବେ ସେମାନଙ୍କ ଘରକୁ ପଠାଯାଇଥିଲା। ଏ ହତ୍ୟାକାଣ୍ଡ କ’ଣ ଆବେଗମୂଳକ, ବୃତ୍ତିଗତ ଈର୍ଷା ନା, ବ୍ୟକ୍ତିଗତ ଆକ୍ରୋଶ? କିନ୍ତୁ, ପ୍ରମାଣ ବିନା ଏସବୁ ଦିଗ କେବଳ ଆକଳନରେ ହିଁ ସୀମିତ ରହିଲା। କେତେକ ତଦନ୍ତକାରୀ ସନ୍ଦେହ କଲେ କି, ଦମ୍ପତିଙ୍କର କୌଣସି ସୁପରିଚିତ ବ୍ୟକ୍ତି ଏ ହତ୍ୟାକାଣ୍ଡ କରାଇଛି। ଭୋର୍ ୫ରୁ ୬ଟା ମଧ୍ୟରେ ହତ୍ୟାକାଣ୍ଡ ଘଟିଥିବାରୁ ଷଡ୍ଯନ୍ତ୍ରକାରୀଙ୍କୁ ଦମ୍ପତିଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ମାଲୁମ ଥିଲା। ଯମଜ କନ୍ୟା ପୋଷ୍ୟ କରିବା କଥାରେ ସନ୍ଦେହ ହୋଇଥିଲା। କୁହାଗଲା ସେମାନଙ୍କର କେତେକ ଆତ୍ମୀୟ ଏହାକୁ ବିରୋଧ କରୁଥିଲେ। କିନ୍ତୁ, ପଚରାଉଚରାରୁ ସେଭଳି କିଛି କାର୍ଯ୍ୟାନୁଷ୍ଠାନମୂଳକ ଖିଅ ବାହାରିଲା ନାହିଁ। ସେବେଠୁ ଆଜିଯାଏ ପୁଲିସ ଆତତାୟୀର ସନ୍ଧାନ ପାଉନାହିଁ। ତା’ହେଲେ ଜବାହର ଓ ଅନୁ ପଞ୍ଚଗଟ୍ଟୀଙ୍କୁ ହତ୍ୟାକଲା କିଏ?