୨୦୦୭ରେ କୋଲ୍କାତା ମହାନଗରୀରେ ଘଟିଥିବା ଏକ ଘଟଣା ଉପରୁ ଏଯାବତ୍ ରହସ୍ୟ ହଟିପାରିନାହିଁ। ଜଣେ ଧନାଢ଼୍ୟ ହିନ୍ଦୁ ପରିବାରର ଝିଅକୁ ପ୍ରେମ-ବିବାହ କରିଥିବା ମୁସଲମାନ୍ ଯୁବକ ରହମନ୍ଙ୍କ ମୃତ୍ୟୁ ହେବାର ୧୭ ବର୍ଷ ବିତିଯାଇଥିଲେ ହେଁ, ତାହା ହତ୍ୟା ନା ଆତ୍ମହତ୍ୟା ଏଯାବତ୍ ଅସମାହିତ ହୋଇରହିଛି। କୋଲ୍କାତାର ଗୋଟାଏ ବସ୍ତିରେ ବସବାସ କରୁଥିବା ରିଜ୍ୱାନୁର୍ ରହମନ୍ ଥିଲେ ଭଲ ଛାତ୍ର। ତାଙ୍କର ଇଂରାଜୀ ସାହିତ୍ୟ ଓ ପୁସ୍ତକ ପ୍ରତି ଥିଲା ବିଶେଷ ଆକର୍ଷଣ। ସେଥିପାଇଁ ସେ ଘରଲୋକଙ୍କ କଥା ଟାଳି ବିଜ୍ଞାନ ନ ପଢ଼ି ଇଂରାଜୀ ସାହିତ୍ୟ ପଢ଼ିଲେ। କିନ୍ତୁ, ଘରର ଅବସ୍ଥା ଅସ୍ବଚ୍ଛଳ ଥିବାରୁ ସେ ଇଂରାଜୀରେ ସ୍ନାତକୋତ୍ତର ନ କରିପାରି କମ୍ପ୍ୟୁଟର୍ ଗ୍ରାଫିକ୍ସ୍ ପଢ଼ିଲେ ଏବଂ ଅର୍ଥ ଉପାର୍ଜନ କରିବାକୁ ବାଧ୍ୟ ହୋଇ ଗୋଟାଏ ଘରୋଇ ଏକାଡେମିରେ ଗ୍ରାଫିକ୍ ଡିଜାଇନ୍ ପ୍ରଶିକ୍ଷକ ଚାକିରି କଲେ।
ରିଜ୍ୱାନ୍-ପ୍ରିୟଙ୍କାଙ୍କ ପ୍ରେମ ଓ ଗୁପ୍ତ ବିବାହ
ସେହି ଏକାଡେମିରେ ୨୯ ବର୍ଷୀୟ କମ୍ପ୍ୟୁଟର୍ ଗ୍ରାଫିକ୍ ପ୍ରଶିକ୍ଷକ ରିଜ୍ୱାନୁର୍ଙ୍କର ଭେଟ ହୋଇଥିଲା ପ୍ରିୟଙ୍କା ତୋଡ଼ୀଙ୍କ ସହିତ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ପରିଶେଷରେ ୨୦୦୭ ଅଗଷ୍ଟ ୧୮ ତାରିଖରେ ଦୁହେଁ ଗୁପ୍ତରେ ରେଜିଷ୍ଟ୍ରି ବିବାହ କଲେ। ଏ ଖବର ଶୁଣି ରିଜ୍ୱାନ୍ଙ୍କ ବଡ଼ଭାଇ ଓ ଘରଲୋକେ ଅସନ୍ତୁଷ୍ଟ ହେଲେ, କିନ୍ତୁ ପରେ ପ୍ରିୟଙ୍କାଙ୍କୁ ଘରକୁ ଆଣିବାକୁ ଅନୁମତି ଦେଲେ। ଅଗଷ୍ଟ ୩୧ ତାରିଖ ଦିନ ରିଜ୍ୱାନୁର୍ ପ୍ରିୟଙ୍କାଙ୍କୁ ନେଇ ଘରକୁ ଆସିଲେ। ତାଙ୍କ ଘର ବୋଇଲେ, କୋଲ୍କାତା ତଳିଆ ଅଞ୍ଚଳରେ ଶ୍ରମିକ ଶ୍ରେଣୀ ମୁସଲ୍ମାନ ପରିବାର ରହୁଥିବା ଗୋଟାଏ ଅଣଓସାରିଆ ଗଳିରେ ଥିବା ଦୁଇଟି ବଖରା। କୋଲ୍କାତା ମହାନଗରୀରେ ପ୍ରାସାଦତୁଲ୍ୟ ଅଟ୍ଟାଳିକାରେ ବଢ଼ିଥିବା ପ୍ରଖ୍ୟାତ ଅନ୍ତର୍ବାସ କମ୍ପାନି ‘ଲକ୍ସ୍ ଇଣ୍ଡଷ୍ଟ୍ରିଜ୍’ ମାଲିକଙ୍କ ଝିଅପକ୍ଷେ ଏଠାରେ ଚଳିବା ସମ୍ଭବ ନ ଥିଲା। କିନ୍ତୁ, ପ୍ରିୟଙ୍କା ସବୁ ଅସୁବିଧା ସହ ଖାପଖୁଆଇ ଚଳିଲେ।
ଶାଶୂଘରେ ସପ୍ତାହେ
କିନ୍ତୁ, ପ୍ରିୟଙ୍କାଙ୍କ ଏ ନୂଆ ଜୀବନ ଏକ ସପ୍ତାହରୁ ଅଧିକ କାଳ ତିଷ୍ଠିପାରିଲା ନାହିଁ। ଝିଅ ଜଣେ ଭିନ୍ନଧର୍ମୀ ଗରିବ ଯୁବକଙ୍କୁ ବିବାହ କରିଥିବା କଥା ପ୍ରିୟଙ୍କାଙ୍କ ଘରଲୋକେ ସହଜରେ ଗ୍ରହଣ କରିପାରିଲେନାହିଁ। ବାପା ଅଶୋକ ତୋଡ଼ୀ, ଦାଦି ପ୍ରବୀଣ ତୋଡ଼ୀ ଓ ମାଆ ଯାଇ ଝିଅକୁ ଶାଶୂଘର ଛାଡ଼ି ଚାଲିଆସିବାକୁ ପ୍ରବର୍ତ୍ତାଇଲେ। କିନ୍ତୁ ଝିଅ ବୁଝିଲା ନାହିଁ। ସେମାନେ ନିରାଶ ହୋଇ ଫେରିଲେ। ତା’ପରେ ପୁଲିସ ରିଜ୍ୱାନୁର୍ ଓ ପ୍ରିୟଙ୍କାଙ୍କୁ ଡକାଇ ପଚରାଉଚରା କଲା। ପ୍ରିୟଙ୍କାଙ୍କୁ ଛାଡ଼ପତ୍ର ନ ଦେଲେ ପରିଣାମ ବିଷମ ହେବ ବୋଲି ରିଜ୍ୱାନୁର୍ଙ୍କୁ ଧମକ ଦିଆଗଲା। କିନ୍ତୁ, ସେ ଦବିଗଲେ ନାହିଁ। ଝିଅଘର ଲୋକେ ପୁଲିସ ସହିତ ମସୁଧା କରିଥିବାରୁ ବଡ଼ ବଡ଼ ପୁଲିସ ଅଧିକାରୀ ରିଜ୍ୱାନୁର୍ ଓ ପ୍ରିୟଙ୍କାଙ୍କୁ ବହୁବାର ପୁଲିସ ମୁଖ୍ୟାଳୟକୁ ଡକାଇ ଜେରା କଲେ।
ବାପା ଅସୁସ୍ଥ, ଘରକୁ ଆସ
୨୦୦୭ ସେପ୍ଟେମ୍ବର ୮ରେ ପ୍ରିୟଙ୍କାଙ୍କ ପାଖକୁ ଖବର ଗଲା ଯେ, ତାଙ୍କ ବାପା ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରିୟଙ୍କା ବାପାଙ୍କୁ ଦେଖିବାକୁ ବାହାରିଲେ, କିନ୍ତୁ ରିଜ୍ୱାନୁର୍ ଛାଡ଼ିବାକୁ ନାରାଜ ହେଲେ। ପରିଶେଷରେ ପ୍ରିୟଙ୍କାଙ୍କ ଦାଦି ପ୍ରବୀଣ ତୋଡ଼ୀ ଅନୁରୋଧ କରିବାରୁ ରିଜ୍ୱାନୁର୍ ସାତଦିନ ପାଇଁ ପ୍ରିୟଙ୍କାଙ୍କୁ ବାପଘରକୁ ଛାଡ଼ିବା ପାଇଁ ରାଜିହେଲେ। ସାତଦିନ ଭିତରେ ସ୍ତ୍ରୀ ତାଙ୍କ ପାଖକୁ ଫେରିଆସିବ ବୋଲି ପୁଲିସ ଅଧିକାରୀଙ୍କ ସମ୍ମୁଖରେ ପ୍ରବୀଣଙ୍କଠାରୁ ରିଜ୍ୱାନୁର୍ ଗୋଟାଏ ଘୋଷଣାପତ୍ର କରାଇନେଲେ। ସେପ୍ଟେମ୍ବର ୧୧ ତାରିଖ ଦିନ ପ୍ରିୟଙ୍କାଙ୍କ ବାପଘରେ ରିଜ୍ୱାନୁର୍ ତାଙ୍କ ସହିତ କଥାବାର୍ତ୍ତା କଲେ। ପୁଣି ଚାରିଦିନ ପରେ ରିଜ୍ୱାନୁର୍ ପ୍ରିୟଙ୍କାଙ୍କ ଘରକୁ ଯାଇଥିଲେ, କିନ୍ତୁ ପ୍ରିୟଙ୍କାଙ୍କୁ ଭେଟିବା ସୁଯୋଗ ପାଇଲେନାହିଁ। ପ୍ରିୟଙ୍କାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେବା ସହିତ ବାପଘର ଲୋକେ ତାଙ୍କୁ ଗୋଟାଏ କୋଠରିରେ ବନ୍ଦିନୀ ଭଳି ରଖିଥିଲେ। ଏମିତି ଦିନ ଗଡ଼ିଚାଲିଲା।
ରେଳଧାରଣାରେ ଶବ
କିନ୍ତୁ ସେପ୍ଟେମ୍ବର ୨୧ ତାରିଖ ଦିନ ଗୋଟାଏ ଦୁଃଖଦ ଖବର ଆସିଲା। ରେଳଧାରଣା ଉପରୁ ମିଳିଲା ରିଜ୍ୱାନୁର୍ଙ୍କ ନିର୍ଜୀବ ଶରୀର। ଦୁଇହାତ ଛନ୍ଦିହୋଇ ଛାତି ଉପରେ ଥିଲା ଏବଂ ମୁଣ୍ଡ ପଛରେ ହୋଇଥିଲା ଗୋଟାଏ ଗଭୀର କ୍ଷତ। ଏହା ହତ୍ୟା କି, ଆତ୍ମହତ୍ୟା ଜଣାପଡୁ ନ ଥିଲା। ସେବେଠାରୁ ୨୩ ବର୍ଷୀୟା ପ୍ରିୟଙ୍କା ବାହାରକୁ ଆସିଲେ ନାହିଁ କି, କାହା ଆଗରେ ଏ ପ୍ରସଙ୍ଗରେ କୌଣସି କଥା କହିଲେନାହିଁ। ହଠାତ୍ ଦିନେ ପ୍ରିୟଙ୍କା ବୟାନ ଦେଲେ କି, ରିଜ୍ୱାନୁର୍ ତାଙ୍କ ପରିବାର ଯୋଗୁଁ ଚିନ୍ତିତ ଥିଲେ। ରିଜ୍ୱାନୁର୍ଙ୍କ ମୃତ୍ୟୁ ପାଇଁ ବଡ଼ଭାଇ ରୁକ୍ୱାନୁର୍ ଓ ରିଜ୍ୱାନୁର୍ଙ୍କ ବନ୍ଧୁ ମୋଇଉଦ୍ଦୀନ୍ ଓରଫ୍ ପପ୍ପୁ ଉପରେ ତାଙ୍କର ସନ୍ଦେହ ହେଉଛି।
ଆତ୍ମହତ୍ୟା କହିବାରୁ ପ୍ରତିବାଦ
କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଆଗରୁ ତତ୍କାଳୀନ ପୁଲିସ କମିସନର୍ ପ୍ରସୂନ ମୁଖାର୍ଜୀ କହିଲେ ଯେ ରିଜ୍ୱାନୁର୍ ଆତ୍ମହତ୍ୟା କରିଛନ୍ତି। କମିସନର୍ଙ୍କର ଏଭଳି ମନ୍ତବ୍ୟ ଯୋଗୁଁ ବ୍ୟାପକ ଜନଅସନ୍ତୋଷ ହେଲା। ରିଜ୍ୱାନୁର୍ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବିକରି ସେଣ୍ଟ୍ ଜାଭିୟର୍ସ କଲେଜ ଶିକ୍ଷାର୍ଥୀମାନେ ମହମବତି ଶୋଭାଯାତ୍ରା କଲେ। ପରବର୍ତ୍ତୀ ତିନି ସପ୍ତାହ ଧରି ପ୍ରତି ସନ୍ଧ୍ୟାରେ ଶିକ୍ଷାର୍ଥୀ, ପରିବାର ଓ ସବୁ ଧର୍ମର ସାଧାରଣ ଜନତା ଏକତ୍ର ହୋଇ ପ୍ରତିବାଦ ପ୍ରଦର୍ଶନ କଲେ। ଶେଷରେ ରାଜ୍ୟ ସରକାର ପୁଲିସ କମିସନର୍ଙ୍କୁ ବଦଳି କଲେ।
ଏକମାତ୍ର ସାକ୍ଷୀ ମୃତ
ଏହି ଅପମୃତ୍ୟୁ ଘଟଣାର ଏକମାତ୍ର ସାକ୍ଷୀ ଥିଲେ ରେଳବାଇ ପୁଲିସ କର୍ମଚାରୀ ଅରିନ୍ଦମ୍ ମନ୍ନା। ସେ ବୟାନ ଦେଇଥିଲେ ଯେ, ରେଳଗାଡ଼ି କାହା ଉପରେ ଧକ୍କା ଖାଇଥିବା କି, କେହି ରେଳଗାଡ଼ି ଆଗକୁ ଡେଇଁଥିବା ସେ ଦେଖିନାହାନ୍ତି। ତେଣୁ, ରିଜ୍ୱାନୁର୍ ଆତ୍ମହତ୍ୟା କରିନାହାନ୍ତି। ରିଜ୍ୱାନୁର୍ଙ୍କ ମୃତ୍ୟୁ ହେବାର ପ୍ରାୟ ଦେଢ଼ବର୍ଷ ପରେ ଅରିନ୍ଦମ୍ଙ୍କର ମୃତ୍ୟୁ ହୋଇଗଲା। ସେ ମଧ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ଘୋଷଣା କଲା।
ସିବିଆଇ ତଦନ୍ତ
ଘଟଣାର ନିରପେକ୍ଷ ତଦନ୍ତ ଲାଗି ରିଜ୍ୱାନୁର୍ଙ୍କ ମାଆ କଲିକତା ହାଇକୋର୍ଟରେ ପିଟିସନ୍ ଦାଏର କଲେ। ୨୦୧୦ରେ ହାଇକୋର୍ଟ ସିବିଆଇକୁ ଏହି ଘଟଣାରେ ନରହତ୍ୟା ମାମଲା ରୁଜୁ କରି ସାନି ଦତନ୍ତ କରିବା ନିର୍ଦ୍ଦେଶ ଦେଲେ। ଏହାପରେ ସିବିଆଇ ଅଶୋକ ତୋଡ଼ୀଙ୍କୁ ଛାଡ଼ି ତାଙ୍କ ଭାଇ ପ୍ରଦୀପ, ସମ୍ପର୍କୀୟ ଅନୀଲ ଓ ରିଜ୍ୱାନୁର୍ଙ୍କ ବନ୍ଧୁ ମୋଇଉଦ୍ଦୀନ୍ଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲେ। ସେମାନଙ୍କ ଉପରେ ହତ୍ୟା ପରିବର୍ତ୍ତେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲା ଚାଲିଲା। କିଛି ପୁଲିସ ଅଧିକାରୀଙ୍କ ନାଁ ବି ସେ ମାମଲାରେ ଥିଲା। କିନ୍ତୁ, ରିଜ୍ୱାନୁର୍ କେମିତି ମଲେ ତାହା ସ୍ପଷ୍ଟ ହୋଇପାରିଲା ନାହିଁ। ପରିଶେଷରେ ରିଜ୍ୱାନୁର୍ଙ୍କ ପରିବାର ଲୋକେ କହିଲେ କି, ସେମାନଙ୍କୁ ନ୍ୟାୟ ମିଳିଲାନାହିଁ। ଶେଷରେ ପ୍ରିୟଙ୍କା ଶାଶୂଙ୍କୁ ଚିଠି ଲେଖି ଜଣାଇଦେଲେ କି, ରିଜ୍ୱାନୁର୍ଙ୍କ ମୃତ୍ୟୁ ପାଇଁ ସେ ଦୁଃଖିତ, କିନ୍ତୁ ସେ ଆଉ ତାଙ୍କ ଘରକୁ ଯିବେନାହିଁ। ବାପଘରେ ରହିବେ। କିଛି ବର୍ଷ ପରେ ପ୍ରିୟଙ୍କା ବିଭିନ୍ନ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ। ପରବର୍ତ୍ତୀ ସମୟରେ ସେ ‘ଲକ୍ସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ର ବିଜ୍ଞାପନ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ ହେଲେ।