୧୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ- ୧୭ ବର୍ଷ ଧରି ଚାଲିଥିବା ଦେଶର ଏକ ବହୁଚର୍ଚ୍ଚିତ ଆଇନଗତ ବିବାଦ ହେଉଛି ଲାଲ୍ ବିହାରୀ ମାମଲା। ଜୀବିତ ଥିଲେ ବି ସରକାରୀ କାଗଜପତ୍ରରେ ଉତ୍ତରପ୍ରଦେଶ ଅାଜମ୍ଗଡ଼ ଜିଲ୍ଲା ଅନ୍ତର୍ଗତ ଆମିଲୋ ଗ୍ରାମର ଲାଲ୍ବିହାରୀଙ୍କୁ ମାରି ଦିଆଯାଇଥିଲା। ୧୭ ବର୍ଷ ଆଇନଗତ ଯୁଦ୍ଧ ଲଢ଼ିବା ପରେ ସେ ନିଜକୁ ଜୀବନ୍ତ ବୋଲି ପ୍ରମାଣ କରିଥିଲେ। ବର୍ଷ ବର୍ଷ ଧରି ପ୍ରଶାସନର ଧ୍ୟାନ ଆକର୍ଷଣ କରାଇବା ସହ ଅଦାଲତର ଦ୍ବାରସ୍ଥ ହୋଇ ଶେଷରେ ଜାଲ୍ ମୃତ୍ୟୁ ପ୍ରମାଣପତ୍ରକୁ ଅସିଦ୍ଧ ଘୋଷଣା କରିବାକୁ ସମର୍ଥ ହୋଇଥିଲେ।
୯୭୭ ମସିହାର କଥା। ହସ୍ତତନ୍ତ ବ୍ୟବସାୟ ଲାଗି ପୈତୃକ ସମ୍ପତ୍ତି ବନ୍ଧା ପକାଇ ଋଣ ଆଣିବାକୁ ସ୍ଥିର କଲେ ୨୨ ବର୍ଷୀୟ ଯୁବକ ଲାଲ୍ ବିହାରୀ। ଏଣୁ ବାସସ୍ଥାନ, ଆୟ ଓ ଜାତିଗତ ପ୍ରମାଣପତ୍ର ଆଣିବାକୁ ଜନ୍ମସ୍ଥାନ ଖଲିଲ୍ବାଦ୍ରେ ପହଞ୍ଚି ତହସିଲ୍ ଅଫିସ୍କୁ ଗଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସେଠାରୁ ସେ ଯାହା ଜାଣିବାକୁ ପାଇଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ, ତହସିଲ୍ କାଗଜପତ୍ର ଅନୁସାରେ ୧୯୭୬ ଜୁଲାଇ ୩୦ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବର୍ଷେରୁ ଅଧିକ ହେବ ସେ ମୃତ ଏବଂ ତାଙ୍କ ପୈତୃକ ସମ୍ପତ୍ତି ଦାଦାଙ୍କ ପରିବାର ମାଡ଼ିବସିଛନ୍ତି।
ଲାଲ୍ ବିହାରୀ ବନାରସୀ ଶାଢ଼ି ବୁଣାରେ ସିଦ୍ଧହସ୍ତ ଥିଲେ। ତେଣୁ, ଭିଟାମାଟିରେ ହସ୍ତତନ୍ତ ପକାଇବାକୁ ସେ ମନବଳାଇଥିଲେ। ଗାଁରେ ରହି ଅନୁସନ୍ଧାନ କରି ଲାଲ୍ ବିହାରୀ ଜାଣିଲେ ଯେ, ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ଦାଦା ତାଙ୍କୁ ମୃତ ବୋଲି ପଞ୍ଜିକୃତ କରାଇଛନ୍ତି। ଫଳରେ ଖଲିଲ୍ବାଦରେ ଥିବା ପ୍ରାୟ ଏକରେ ଜମିର ମାଲିକାନା ଦାଦାଙ୍କ ନାମକୁ ଚାଲିଯାଇଛି। ସତ୍ୟାସତ୍ୟ ଜାଣିବା ପରେ ଲାଲ୍ ବିହାରୀ କାଗଜପତ୍ରରେ ପୁନର୍ଜୀବନ ଲାଭ କରିବାକୁ ଉଦ୍ୟମ ଚଳାଇଲେ।
ପୁତୁରା ଅପହରଣ
ପ୍ରଥମ ଉଦ୍ୟମସ୍ବରୂପ ଲାଲ୍ ବିହାରୀ ତାଙ୍କ ପୁତୁରାକୁ ଅପହରଣ କରିନେଲେ। ଗୋଟାଏ କଂସେଇ ଦୋକାନରୁ ରକ୍ତ ଆଣି ସେଥିରେ ପୁତୁରାର ସାର୍ଟ ବୁଡ଼ାଇ ଦାଦାଘରକୁ ପଠାଇଲେ। କିନ୍ତୁ, ଦାଦାଘର ମାମଲା କଲେନାହିଁ। ବାଧ୍ୟ ହୋଇ ସେ ପୁତୁରାକୁ ଛାଡ଼ିଦେଲେ। ଯଦି ଦାଦାଘର ତାଙ୍କ ନାଁରେ ମାମଲା ରୁଜୁ କରିଥାଆନ୍ତେ ତେବେ ସେ ଜୀବିତ ବୋଲି ପ୍ରମାଣ କରିପାରିଥାଆନ୍ତେ। ସେ ଯାହାହେଉ, ଆଞ୍ଚଳିକ ସମ୍ବାଦପତ୍ର ‘ସ୍ବତନ୍ତ୍ର ଭାରତ’ରେ ଏ ଖବର ବାହାରିଲା। ଖବର ପାଠକରି ଜଣେ ବିଧାୟକ ଉତ୍ତରପ୍ରଦେଶ ବିଧାନସଭାରେ ଏ ବିଷୟରେ ପ୍ରଶ୍ନ ଉଠାଇଲେ।
ସ୍ତ୍ରୀ ପାଇଁ ବିଧବା ଭତ୍ତା
ତାଙ୍କର ଦ୍ବିତୀୟ ଉଦ୍ୟମ ହେଲା ବିବାହ। ଅପେକ୍ଷାକୃତ କମ୍ ବୟସ ହୋଇଥିଲେ ବି ଲାଲ୍ ବିହାରୀ ବାହା ହୋଇପଡ଼ିଲେ ଏବଂ ସ୍ତ୍ରୀ ନିମନ୍ତେ ବିଧବା ଭତ୍ତା ଲାଗି ଆବେଦନ କଲେ। ଆଶା ଥିଲା ତାଙ୍କୁ ଜୀବନ୍ତ ଦେଖି ସରକାର ନିଜ ତ୍ରୁଟି ସଂଶୋଧନ କରିବେ। ସରକାର ସେମିତି କଲେ ନାହିଁ। ତେଣୁ, ଏ ଉପାୟ ବି ବୃଥା ହେଲା।
ମୃତକ ସଂଘ ଗଢ଼ିଲେ
ଏହି ସମୟରେ ଶ୍ୟାମ ଲାଲ୍ ନାମରେ ଜଣେ ରାଜନେତା ତାଙ୍କୁ ପରାମର୍ଶ ଦେଲେ କି ସର୍ବସାଧାରଣରେ ସେ ମୃତ ବୋଲାନ୍ତୁ। ଏ ପରାମର୍ଶ ତାଙ୍କ ମନକୁ ବେଶ୍ ପାଇଲା। ନିଜ ଅନ୍ତ୍ୟେଷ୍ଟିକ୍ରିୟା ଆୟୋଜନ କରିବା ସହିତ ସେ ‘ସ୍ବର୍ଗତ ଲାଲ୍ ବିହାରୀ’ ବୋଲି ଦସ୍ତଖତ କଲେ। ଗାଁ ଲୋକେ ତାଙ୍କୁ ପରିହାସ କରି ଭୂତ ବୋଲି ଡାକିଲେ; ଭୟରେ ପିଲାଏ ତାଙ୍କ ପାଖ ମାଡ଼ିଲେ ନାହିଁ। ଏଥର ଲାଲ୍ ବିହାରୀ ଜୀବନ୍ତ-ମୃତବ୍ୟକ୍ତି ସଙ୍ଗଠନ ‘ମୃତକ ସଂଘ’ ବା ‘ଉତ୍ତରପ୍ରଦେଶ ଆସୋସିଏସନ୍ ଅଫ୍ ଡେଡ୍ ପିପୁଲ୍’ ସ୍ଥାପନ କଲେ। କିନ୍ତୁ, ସମସ୍ୟା ହେଲା ତାଙ୍କ ବ୍ୟତୀତ ସେତେବେଳେ ସେ ସଂଘରେ ଆଉ କେହି ସଦସ୍ୟ ନ ଥିଲେ। କାଗଜପତ୍ର ସଂଗ୍ରହ କରି ସେ ଜାଣିବାକୁ ପାଇଲେ କେବଳ ସେ ନୁହନ୍ତି, ଆହୁରି ଶତାଧିକ ଲୋକ ଏମିତି ପରିସ୍ଥିତିରେ ପଡ଼ି ସରକାରୀ କାଗଜପତ୍ରରେ ମୃତ ଘୋଷିତ ହୋଇଛନ୍ତି। କାଳକ୍ରମେ ସେମାନେ ଏହି ସଙ୍ଗଠନର ସଦସ୍ୟ ହେଲେ। ମଝିରେ ଜମି ହଡ଼ପକାରୀମାନେ ଲାଲ୍ ବିହାରୀ ଓ ଅନ୍ୟ ସଦସ୍ୟମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହେଲେ।
ବିଧାନସଭାରେ ‘ମୁଝେ ଜିନ୍ଦା କରୋ’ ସ୍ଲୋଗାନ୍
ଲାଲ୍ ବିହାରୀ ଏଥର ଲକ୍ଷ୍ନୌସ୍ଥିତ ବିଧାନସଭା ବାହାରେ ଧାରଣାଦେଲେ। ପରେ ବିଧାନସଭାରେ ପ୍ରବେଶ ନିମନ୍ତେ କୌଣସିମତେ ‘ଭିଜିଟର୍ ପାସ୍’ ପାଇଲେ। ବିଧାନସଭା ଚାଲିଥିବା ବେଳେ ସେ ବସିଥିବା ସ୍ଥାନରୁ ବୀରଦର୍ପରେ ଉଠିପଡ଼ି ‘ମୁଝେ ଜିନ୍ଦା କରୋ’ ସ୍ଲୋଗାନ୍ ଦେଲେ। ଏ କଥା ସମସ୍ତ ବିଧାୟକଙ୍କୁ ଭଲଭାବେ ଅବଗତ କରାଇବା ଲାଗି ଲିଫ୍ଲେଟ୍ ମଧ୍ୟ ଫିଙ୍ଗିଲେ। ତାଙ୍କୁ ବିଧାନସଭାରୁ ବାହାର କରିଦିଆଗଲା। ତାଙ୍କ ନାମରେ ମାମଲା ରୁଜୁ କରିବା ଲାଗି ସେ ଜଣେ ପୁଲିସ ଅଧିକାରୀଙ୍କୁ ୫୦୦ ଟଙ୍କା ଲାଞ୍ଚ ଦେଲେ, କିନ୍ତୁ ତାହା ବି ଫଳପ୍ରଦ ହେଲାନାହିଁ।
ନିର୍ବାଚନ ବି ଲଢ଼ିଲେ
ଲାଲ୍ ବିହାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ବିପକ୍ଷରେ ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଲେ। ମୃତ ଘୋଷିତ ହୋଇ ମଧ୍ୟ ୧୬୦୦ ଭୋଟ୍ ପାଇବାରୁ ବଡ଼ ବିସ୍ମିତ ହେଲେ। ପୁନଶ୍ଚ ୧୯୮୯ରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିପକ୍ଷରେ ଆମେଠିରୁ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀପତ୍ର ଦାଖଲ କଲେ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତୁରନ୍ତ ଅାବେଦନ କଲେ। ଅବଶ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହୃତ ହେଲା ଏବଂ ସେ ଏ ସମ୍ବନ୍ଧରେ ପତ୍ର ପାଇଲେ।
ଜୀବନ୍ତ ଘୋଷଣା କଲେ କୋର୍ଟ
ପରିଶେଷରେ ୧୯୯୪ରେ ଆଜମ୍ଗଡ଼ର ଜିଲ୍ଲା ମାଜିଷ୍ଟ୍ରେଟ୍ ହୌସ୍ଲାପ୍ରସାଦ ବର୍ମା ଲାଲ୍ ବିହାରୀଙ୍କୁ ଜୀବନ୍ତ ବୋଲି ଘୋଷଣା କଲେ। ଏଥର ଲାଲ୍ ବିହାରୀ ତାଙ୍କ ପରିଚୟ ଫେରି ପାଇଲେ। ପୁଣି ସେ ନିଜ ଭିଟାମାଟିକୁ ଗଲେ। କିନ୍ତୁ, ଦାଦା ଓ ଦାଦାପୁଅମାନେ ତାଙ୍କ ନାମରେ କରିନେଇଥିବା ଜମିବାଡ଼ି ଆଉ ଫେରସ୍ତ ମାଗିଲେ ନାହିଁ। ସମ୍ପ୍ରତି ତାଙ୍କ ପ୍ରତିଷ୍ଠିତ ‘ମୃତକ ସଂଘ’ ଗୋଟାଏ ଲୋକପ୍ରିୟ ସଙ୍ଗଠନ ହୋଇଯାଇଛି। ସମ୍ପତ୍ତି ଲୋଭରେ ମୃତ ଘୋଷିତ ହୋଇଥିବା ଲାଲ୍ ବିହାରୀଙ୍କ ପରି ଲୋକଙ୍କୁ ଏହି ସଙ୍ଗଠନ ସହାୟତା ଦେଉଛି। ଏବେ ଏହି ସଂଘର ସମଗ୍ର ଦେଶରେ ୨୦,୦୦୦ରୁ ଅଧିକ ସଦସ୍ୟ ଅଛନ୍ତି। ୨୦୦୪ରେ ସେମାନଙ୍କ ମଧ୍ୟରୁ ୪ଜଣ ସଦସ୍ୟ ନିଜକୁ ଜୀବିତ ଘୋଷଣା କରାଇବାକୁ ସମର୍ଥ ହୋଇଥିଲେ। ସମାଜସେବା ଲାଗି ୨୦୦୩ରେ ବିହାରୀଙ୍କୁ ‘ଇଗ୍ନୋବଲ୍ ନୋବେଲ୍’ ଶାନ୍ତି ପୁରସ୍କାର ମଧ୍ୟ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/hnK1zZrbmmSJDOkFRLq6.jpg)