ମୁହଁରେ ଲମ୍ବା ଦାଢ଼ି, ମୁଣ୍ଡରେ ଜଟାଜୁଟ, ଦେହରେ ବିଭୂତି ମାଖିଥିବା ଜଣେ ଲେଙ୍ଗୁଟିଆ ସନ୍ନ୍ୟାସୀ ପ୍ରକଟ ହୋଇ ଦାବି କଲେ ଯେ, ସେ ହେଉଛନ୍ତି ଭାୱାଲ୍ ଜମିଦାରୀର ଯୁବରାଜ କୁମାର ରମେନ୍ଦ୍ରନାରାୟଣ ରାୟ। ଭାଇ ଓ ପାରିବାରିକ ଡାକ୍ତରଙ୍କ ସହିତ ମସୁଧା କରି ସ୍ତ୍ରୀ ତାଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ସେ ବଞ୍ଚି ଯାଇଛନ୍ତି।
ଏ କ’ଣ ସେଇ ଶିକାରୀ, ସାହାନାଈ ବାଦକ ଓ ବହୁରକ୍ଷିତାଙ୍କ ପ୍ରେମିକ ରାଜକୁମାର ରମେନ୍ଦ୍ର? ମୃତ୍ୟୁ ହେବାର ଏତେ ବର୍ଷ ପରେ ପୁଣି ଆସି ହାଜର ହୋଇଛନ୍ତି! ସମସ୍ତେ ସନ୍ଦିହାନ ହୋଇପଡ଼ିଲେ।
ଦାର୍ଜିଲିଂରେ ହୋଇଥିଲା ମୃତ୍ୟୁ: ତତ୍କାଳୀନ ପୂର୍ବବଙ୍ଗ ଅନ୍ତର୍ଗତ ଢାକା ନିକଟ ସମୃଦ୍ଧ ଜମିଦାରୀର ତିନି ଶାସକ ଭ୍ରାତାଙ୍କ ମଧ୍ୟରେ ଦ୍ବିତୀୟ ଥିଲେ ରମେନ୍ଦ୍ରନାରାୟଣ ରାୟ। ୧୯୦୯ରେ ସେ ଦାର୍ଜିଲିଂ ଶୈଳନିବାସ ବୁଲି ଯାଇଥିଲେ। ସାଥିରେ ଥିଲେ ସ୍ତ୍ରୀ ବିଭାବତୀ, ଶାଳକ ସତ୍ୟେନ୍ଦ୍ରନାଥ ବାନାର୍ଜୀ, ଡାକ୍ତର ଆଶୁତୋଷ ଓ ଦଳେ ସେବାକାରୀ। ସେଠାରେ ପହଞ୍ଚିବାର ଅଳ୍ପ ଦିନ ପରେ ତାଙ୍କର ମୃତ୍ୟୁ ହୋଇଗଲା। ତାଙ୍କ ମୃତ୍ୟୁର କାରଣ ପିତ୍ତଶୂଳ ବୋଲି ସିଭିଲ୍ ସର୍ଜନ୍ କର୍ଣ୍ଣେଲ୍ ଜନ୍ କଲ୍ଭର୍ଟ ଦର୍ଶାଇଥିଲେ।
ବଞ୍ଚାଇଦେଲା ଝଡ଼: କିନ୍ତୁ, ନିଜକୁ ରାମେନ୍ଦ୍ର କହୁଥିବା ସନ୍ନ୍ୟାସୀ କହିଲେ କି, ତାଙ୍କୁ ବିଷ ଦିଆଯାଇଥିଲା। ବିଷ ଜ୍ବାଳାରେ ସେ ଅଚେତ ହୋଇପଡ଼ିଥିଲେ। ୧୯୦୯ ମେ ୮ ରାତିରେ ତାଙ୍କୁ ଦାହ କରିବା ଲାଗି ନିଆଯାଇଥିଲା। ଠିକ୍ ସେତିକି ବେଳେ ଝଡ଼ବତାସ ହେବାରୁ ଶବଦାହ ନ କରି ସେମାନେ ପଳାଇ ଆସିଥିଲେ। ଗୁରୁ ଧର୍ମଦାସ ନାଗାଙ୍କ ସହିତ ସେ ବାଟେ ଯାଉଥିବା ଦଳେ ସାଧୁ ତାଙ୍କୁ ଜୁଇରୁ ଉଦ୍ଧାର କରିଥିଲେ। ବିଷ ପ୍ରକୋପରୁ ତାଙ୍କ ସ୍ମୃତିଶକ୍ତି ଲୋପ ହୋଇଯାଇଥିଲା। ଅଗତ୍ୟା ସେ ସାଧୁମାନଙ୍କ ସହିତ ସାରା ଦେଶ ଭ୍ରମଣକଲେ। ୧୯୨୦ରେ ସ୍ମୃତିଶକ୍ତି ଫେରିବାରୁ ସେ ଢାକା ଫେରି ଆସିଛନ୍ତି। କୁମାର ରମେନ୍ଦ୍ରଙ୍କ ସହିତ ତାଙ୍କ ଚେହେରାର ସାମଞ୍ଜସ୍ୟ ଥିବା କଥା ଜମିଦାରୀର ଭାଗଚାଷୀମାନେ କହିଲେ। ସେମାନେ ବହୁସଂଖ୍ୟାରେ ଆସି ଜୟଦେବପୁର ରାଜବାଟୀରେ ଏକତ୍ର ହେଲେ। ସରକାରୀ ସ୍ବୀକୃତି ପାଇବା ଆଗରୁ ୧୯୨୧ ମେ ୧୬ ତାରିଖରେ ଜୟଦେବପୁର ନଗରୀରେ ସେମାନେ ସଭା ଆୟୋଜନ କରି ସନ୍ନ୍ୟାସୀଙ୍କୁ କୁମାର ବୋଲି ଘୋଷଣା କଲେ।
ଜୟଦେବପୁର ମନା: ଭାଗଚାଷୀମାନେ ବିଧବା ରାଣୀ ବିଭାବତୀ ଦେବୀଙ୍କୁ ଛାଡ଼ି ସନ୍ନ୍ୟାସୀ-ଯୁବରାଜଙ୍କୁ ଜମିଦାରୀ ବା ଇଷ୍ଟେଟ୍ ପାଉଣା ପ୍ରଦାନକଲେ। ରାଣୀ ବିଭାବତୀ କହିଲେ କି ସନ୍ନ୍ୟାସୀଜଣକ କପଟୀ, ସେ ଛଳନା କରୁଛନ୍ତି। ଅଦାଲତ ଏ ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରି ବିଭାବତୀ କଲିକତାସ୍ଥିତ ଇମ୍ପେରିଆଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କଲେ। ସ୍ଥାନୀୟ ଜନସମର୍ଥନ ଥିଲେ ବି ୧୯୨୧ ଜୁନ୍ରେ ଆନୁଷ୍ଠାନିକ ଭାବେ ଘୋଷଣା କରାଗଲା କି, ସନ୍ନ୍ୟାସୀ ଜଣେ ପ୍ରତାରକ। ତା’ପରେ ସରକାରୀ କର୍ତ୍ତୃପକ୍ଷ ତାଙ୍କୁ ଓକିଲ ନୋଟିସ୍ ଜାରି କରି କହିଲେ ଯେ, ସେ ଆଉ ଜୟଦେବପୁରରେ ପ୍ରବେଶ କରିପାରିବେ ନାହିଁ।
ପାରିବାରିକ ବିବାଦ: ଶୁଣାଯାଏ କୌଣସି ଜଣେ ରକ୍ଷିତାଙ୍କ ସହିତ ଶାରୀରିକ ସମ୍ପର୍କ ଯୋଗୁଁ ରମେନ୍ଦ୍ର ସିଫିଲିସ୍ ସଂକ୍ରମିତ ହୋଇଥିଲେ। ସିଫିଲିସ୍ ଆକ୍ରାନ୍ତ ଅବସ୍ଥାରେ ମଧ୍ୟ ସେ ଦାର୍ଜିଲିଂ ଯାଇଥିଲେ। ଗୁଜବ ଉଠେ କି, ସେଥିପାଇଁ ପ୍ରେମିକ ସହିତ ମିଶି ବିଭାବତୀ ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ। କିନ୍ତୁ, ତା’ର କୌଣସି ପ୍ରମାଣ ମିଳିନାହିଁ।
ସନ୍ନ୍ୟାସୀଜଣକ ତାଙ୍କ ସ୍ବାମୀ ନୁହନ୍ତି ବୋଲି ବିଭାବତୀ ଦେବୀ ସିଧାସଳଖ ମନା କରିଦେଲେ। ତାଙ୍କୁ ଭେଟିବେ ନାହିଁ ବୋଲି କହିଲେ। ସେ ଆହୁରି ମଧ୍ୟ ଦାବି କଲେ ଯେ ସମ୍ପତ୍ତି ହଡ଼ପ କରିବା ଲାଗି ତାଙ୍କ ଶାଶୂଘର ଲୋକେ ଷଡ୍ଯନ୍ତ୍ର କରିଛନ୍ତି। ପ୍ରକୃତରେ ଏ ସନ୍ନ୍ୟାସୀ-ଯୁବରାଜ ହେଉଛନ୍ତି ପଞ୍ଜାବ ଔଜ୍ଲା ଗ୍ରାମର ମଲ ସିଂହ। ଦୁଇ ବିଧବା ଯାଆ ସରଯୁବାଳା ଦେବୀ ଓ ଅନ୍ନଦାକୁମାରୀ ଦେବୀ ମଧ୍ୟ ତାଙ୍କ ପକ୍ଷ ନେଲେ। ସେପଟେ, କୋର୍ଟ ଅଫ୍ ୱାର୍ଡସ୍ ଦ୍ବାରା ରାଜମହଲରୁ ବହିଷ୍କୃତ ରମେନ୍ଦ୍ରଙ୍କ ଭଉଣୀ ଜ୍ୟୋତିର୍ମୟୀ ଦେବୀ ସନ୍ନ୍ୟାସୀଙ୍କ ଦାବିକୁ ସମର୍ଥନ କଲେ।
ଅଦାଲତରେ ବିଚାର: ଶେଷରେ ଢାକା ଜିଲ୍ଲା ଫାଷ୍ଟ୍ ସବ୍-ଜଜ୍ଙ୍କ ୍ଅଦାଲତରେ ସନ୍ନ୍ୟାସୀଙ୍କ ଓକିଲମାନେ ମାମଲା ରୁଜୁକଲେ। ପ୍ରତିପକ୍ଷଙ୍କୁ ହାଜର ହେବାକୁ ଡାକରା ଆସିଲା। ୧୯୩୩ ନଭେମ୍ବର ୩୦ରେ ବିଚାର ଆରମ୍ଭ ହେଲା। ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ କୌଣସି ଦିନ ଛୁଟି ନ ନେଇ ବିଚାରପତି ଏହି ମାମଲା ବିଚାର କଲେ। ସନ୍ନ୍ୟାସୀ-ଯୁବରାଜଙ୍କ ପକ୍ଷରୁ ୧,୦୩୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ କଲେ। ପ୍ରତିପକ୍ଷଙ୍କଠାରୁ ମଧ୍ୟ ୪୭୯ଜଣଙ୍କର ସାକ୍ଷ୍ୟ ଗ୍ରହଣ କଲେ। ସେତେବେଳେ ଡିଏନ୍ଏ ନମୁନା ପରୀକ୍ଷା ଓ ଆଧୁନିକ ଫୋରେନ୍ସିକ୍ ବ୍ୟବସ୍ଥା ନ ଥିବାରୁ ବିଚାର ବିଶେଷକରି ସାକ୍ଷୀମାନଙ୍କ ଉପରେ ନିର୍ଭର କରୁଥିଲା।
ବିଜୟୀ ହେଲେ ସନ୍ନ୍ୟାସୀ: ଏହା ବ୍ୟତିରେକେ, ସନ୍ନ୍ୟାସୀଙ୍କ ଚେହେରା ସହିତ ମେଳ ଖାଉଛି କି ନାହିଁ, ନିଶ୍ଚିତ ହେବାକୁ ଯୁବରାଜ ରମେନ୍ଦ୍ରଙ୍କର ଅନେକ ଫଟୋ ମଧ୍ୟ ଅଦାଲତରେ ଉପସ୍ଥାପନ କରାଗଲା। ଦୁହିଁଙ୍କ ହସ୍ତାକ୍ଷର ମିଳାଇବାକୁ ଦୁଇ ପକ୍ଷ ହସ୍ତଲିପି ବିଶେଷଜ୍ଞମାନଙ୍କୁ ବି ଅଣାଇଲେ। ଯୁବରାଜ ଇଂରାଜୀ ପଢୁଆ ଥିବାରୁ ସନ୍ନ୍ୟାସୀଙ୍କ ଇଂରାଜୀ ଜ୍ଞାନ ମଧ୍ୟ ପରୀକ୍ଷା କରାଗଲା। ଏସ୍. ଘୋଷାଲ୍ ନାମେର ଜଣେ ଓକିଲ କହିଲେ କି, ସେ ଅନର୍ଗଳ ଇଂରାଜୀ କହିପାରୁଛନ୍ତି। କିନ୍ତୁ, ଅନ୍ୟମାନେ ଏହା ଅସ୍ବୀକାର କରି କହିଲେ କି, ଯୁବରାଜ କେବଳ ବଙ୍ଗଳା ଓ ଇଂରାଜୀ ବର୍ଣ୍ଣମାଳା ଶିଖିଥିଲେ। ତାଙ୍କ ଦ୍ବାରା ଇଂରାଜୀ ନ ହେବାରୁ ଇଂରାଜୀ ଶିକ୍ଷକ ହତାଶ ହୋଇ ଟିଉସନ୍ ଛାଡ଼ି ପଳାଇଥିଲେ। ପରିଶେଷରେ ୧୯୩୬ରେ ସନ୍ନ୍ୟାସୀଙ୍କ ସପକ୍ଷରେ ରାୟ ଆସିଲା।
ଇଂଲଣ୍ଡରେ ପୁନର୍ବିଚାର: ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ସରକାର ୧୯୩୬ ଅକ୍ଟୋବର ୫ରେ କଲିକତା ହାଇକୋର୍ଟରେ ଆବେଦନ କଲେ। ୧୯୩୯ ଅଗଷ୍ଟ ୧୪ ତାରିଖ ଦିନ ଶୁଣାଣି ଆରମ୍ଭ ହେଲା ଏବଂ ୧୯୪୦ ନଭେମ୍ବର ୨୫ରେ କଲିକତା ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ। ତା’ପରେ ଉପନିବେଶୀୟ ସରକାର ରାଣୀ ବିଭାବତୀଙ୍କ ଓକିଲଙ୍କ ସହିତ ପରାମର୍ଶ କରି କଲିକତା ହାଇକୋର୍ଟଙ୍କ ରାୟ ବିରୋଧରେ ଲଣ୍ଡନ୍ର ପ୍ରିଭି କାଉନ୍ସିଲ୍ରେ ଫେରାଦ ହେଲେ। କିନ୍ତୁ, ଯୁଦ୍ଧ ଓ ଇଂଲଣ୍ଡ୍ରେ ଜର୍ମାନ୍ ବ୍ଲିଜ୍ (ବୋମା ବର୍ଷଣ) ଯୋଗୁଁ ଶୁଣାଣି ବିଳମ୍ବ ହୋଇ ୧୯୪୫ରେ ଆରମ୍ଭ ହେଲା। ଶେଷରେ ୧୯୪୬ ଜୁଲାଇ ୩୦ରେ କାଉନ୍ସିଲ୍ ସନ୍ନ୍ୟାସୀଙ୍କ ସପକ୍ଷରେ ରାୟ ଦେଲେ।
କାଳି ମନ୍ଦିରରେ ହୃଦ୍ଘାତ: ପରଦିନ ସନ୍ଧ୍ୟାବେଳେ ସନ୍ନ୍ୟାସୀ ଆଇନଗତ ଭାବେ ଭାୱାଲ୍ର ଦ୍ବିତୀୟ କୁମାର ଘୋଷିତ ହୋଇ ରାଜବାଟୀକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ପୂଜାର୍ଚ୍ଚନା ପାଇଁ କଲିକତାସ୍ଥିତ କାଳି ମନ୍ଦିରକୁ ଗଲେ। ସେଠାରେ ତାଙ୍କର ହୃଦ୍ଘାତ ହେଲା ଏବଂ ତାହାର ଦୁଇଦିନ ପରେ ସେ ମୃତ୍ୟୁବରଣ କଲେ। ତାଙ୍କୁ ଅସ୍ବୀକାର କରିଆସୁଥିବା ରାଣୀ ଏ ଘଟଣାକୁ ଦୈବକ୍ରୋଧ ବୋଲି କହିଲେ।