ସେଦିନ ଥିଲା ୧୯୮୪ ମସିହା ଜାନୁଆରି ୨୧। କେରଳର ଅଲାପୁଝା ଜିଲ୍ଲା ଅନ୍ତର୍ଗତ କରୁବଟ୍ଟାର ଜନାକୀର୍ଣ୍ଣ ଟିବି ହସ୍ପିଟାଲ୍ ଜଙ୍କ୍ସନ୍ ନିକଟରେ ଏପାଖ ସେପାଖ ହେଉଥାଆନ୍ତି ଚଳଚ୍ଚିତ୍ର ବିତରକଙ୍କ ପ୍ରତିନିଧି କେ.ଜେ. ଚକୋ। ଚକୋ ଅଲାପୁଝା ଯିବାଲାଗି ବସ୍ ଧରିବାକୁ ବ୍ୟଗ୍ର ଥିଲେ। ରାତି ପାହିଲେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଅନ୍ତଃସତ୍ତ୍ବା ସ୍ତ୍ରୀ ଶାନ୍ତାମ୍ମା ତାଙ୍କ ବାଟଚାହିଁ ବସିଥିବେ। ରାତି ସାଢ଼େ ୧୧ଟା ବାଜିଲା ହେଲେ ବସ୍ଟେ ପାଇଲେ ନାହିଁ। ସଙ୍ଗରେ ଥଲେ ସ୍ଥାନୀୟ ସିନେମା ହଲ୍ର ମାଲିକଙ୍କ ପୁଅ ଶ୍ରୀକୁମାର କୁଟ୍ଟପ୍ପନ୍। ତାଙ୍କୁ ଫିଲ୍ମ ରିଲ୍ ଦେବାକୁ ଆସିଥିଲେ ଚକୋ। ଶ୍ରୀକୁମାର କହିଲେ, ଆଉ ଗାଡ଼ି ମିଳିବନାହିଁ ଆଜି ରହିଯାଅ। କିନ୍ତୁ, ଚକୋ ତାଙ୍କ ନିଷ୍ପତ୍ତିରେ ଅଟଳ ରହି କୌଣସି ଗାଡ଼ିରେ ଲିଫ୍ଟ୍ ମାଗି ଯିବାକୁ ସ୍ଥିରକଲେ।
କାଳରାତ୍ରିର କଳା ଆମ୍ବାସଡର୍
ଚକୋଙ୍କୁ ଛାଡ଼ି ଶ୍ରୀକୁମାର ଘରକୁ ଫେରିଆସିଲେ। ରାତିଅଧ ପରେ ଗୋଟାଏ କଳା ଆମ୍ବାସଡର୍ ଆସି ଚକୋଙ୍କ ପାଖରେ ବ୍ରେକ୍ କଷିଲା ଓ ତାଙ୍କୁ ଲିଫ୍ଟ୍ ଦେଲା। ଗାଡ଼ିର ନମ୍ବର ଥିଲା- କେଏଲ୍କ୍ୟୁ ୭୮୩୧। ସେ କାର୍ରେ ଥିଲେ ବ୍ୟବସାୟୀ ସୁକୁମାର କୁରୁପ୍, ଭାସ୍କର ପିଲ୍ଲାଇ ଓ ଆବୁଧାବିରେ ଥିବା କୁରୁପ୍ଙ୍କ କମ୍ପାନିର କର୍ମଚାରୀ ଚିନ୍ନାକ୍କଲ୍ ସାହୁ। ଗାଡ଼ି ଚଳାଉଥିଲା କୁରୁପଙ୍କ ବିଶ୍ବସ୍ତ ଡ୍ରାଇଭର୍ ପୋନ୍ନାପ୍ପା। ପଛ ସିଟ୍ରେ ପିଲ୍ଲାଇ ଓ ସାହୁଙ୍କ ମଝିରେ ବସିଲେ ଚକୋ। ଯିବା ବାଟରେ ପିଲ୍ଲାଇ ଓ ସାହୁ ଚକୋଙ୍କୁ ଜବରଦସ୍ତି ବିଷମିଶ୍ରିତ ମଦ ପିଆଇ ହତ୍ୟା କଲେ। ତା’ପରେ ସେମାନେ ଚେରିୟାନାଡୁସ୍ଥିତ ପିଲ୍ଲାଇଙ୍କ ଘରକୁ ଗଲେ। ସେଠାରେ ସେମାନେ ଚକୋଙ୍କ ଶବରୁ ପୋଷାକପତ୍ର, ବାହାଘର ମୁଦି ଓ ଘଡ଼ି ଆଦି ଓହ୍ଲାଇ ପକାଇ କୁରୁପ୍ଙ୍କ ପୋଷାକପତ୍ର ପିନ୍ଧାଇ ତାଙ୍କ ମୁହଁକୁ ପୋଡ଼ିପକାଇଲେ। ତା’ପରେ ଗାଡ଼ିରେ ଶବ ରଖିଦେଲେ।
ଅର୍ଥ ଲୋଭରେ ହତ୍ୟା
କେରଳ ଆସିବା ଆଗରୁ କୁରୁପ୍ ଆବୁଧାବିରେ ପ୍ରାୟ ୩୦ ଲକ୍ଷ ଟଙ୍କାର ବୀମା କରିଥିଲେ। ବୀମା ଅର୍ଥ ହାସଲ କରିବାକୁ ନିଜର ମିଥ୍ୟା-ମୃତ୍ୟୁ ଲାଗି େଯାଜନା କରୁଥିଲେ ସେ। କୁରୁପ୍ଙ୍କ ପ୍ରାରମ୍ଭିକ ଯୋଜନା ଥିଲା ଶବାଗାରରୁ ତାଙ୍କ ଆକାର ସହିତ ମେଳ ଖାଉଥିବା ଶବଟିଏ ଯୋଗାଡ଼ କରିବା। ନଚେତ୍ ସ୍ଥାନୀୟ କବରସ୍ତାନରୁ ଶବଟିଏ ଚୋରାଇ ଆଣିବା। କିନ୍ତୁ ଦୁଇଟିଯାକ ଯୋଜନା ବିଫଳ ହୋଇଥିଲା। ତା’ପରେ ସେମାନେ କୁରୁପ୍ଙ୍କ ଚେହେରା ସହ ମେଳ ଖାଉଥିବା ଲୋକଟିଏ ଖୋଜୁଥିଲେ, ଯାହାକୁ ହତ୍ୟା କରି କୁରୁପ ସଜାଇବେ। ସେତିକିବେଳେ ସେମାନଙ୍କ ନଜର ପଡ଼ିଥିଲା ଲିଫ୍ଟ୍ ଆଶାୟୀ ଚକୋଙ୍କ ଉପରେ। ଚକୋଙ୍କୁ ହତ୍ୟାକରି ଦୁର୍ଘଟଣାରେ କୁରୁପଙ୍କ ମୃତ୍ୟୁ ହୋଇଛି ବୋଲି ଦର୍ଶାଇବା ଥିଲା ସେମାନଙ୍କ ଉଦ୍ଦେଶ୍ୟ। ନିକଟସ୍ଥ ଅଙ୍କୋବିଲ୍ ନଦୀ ଚତୁଃପାର୍ଶ୍ବରେ ଥିବା ଧାନବିଲକୁ ଦୁର୍ଘଟଣାସ୍ଥଳୀ ଭାବେ ଚୟନ କରାଗଲା। ଗୋଟିଏ ଗାଡ଼ିେର ଚକୋଙ୍କ ଶବ ନେଇ ଡ୍ରାଇଭର୍ ଏବଂ ଆଉ ଏକ ଗାଡ଼ିରେ କୁରୁପ, ପିଲ୍ଲାଇ ଓ ସାହୁ ସେଠାକୁ ଗଲେ। ସେଠି ଚକୋଙ୍କ ଶବକୁ ନେଇ କେଏଲ୍କ୍ୟୁ ୭୮୩୧ କାର୍ର ଡ୍ରାଇଭର୍ ସିଟ୍ରେ ବସାଇ ୧୦ ଲିଟର୍ ପେଟ୍ରୋଲ୍ ଢଳାଗଲା। ତା’ପରେ କାର୍କୁ ବିଲକୁ ଠେଲିଦେଇ ନିଆଁ ଲଗାଇଦିଆଗଲା। କିଛି ପେଟ୍ରୋଲ୍ ଢାଳି ହୋଇଯାଇଥିବାରୁ ପିଲ୍ଲାଇଙ୍କ ହାତ ବି ପୋଡ଼ିଗଲା। ତିନିହେଁ ସେଠାରୁ ଖସି ପଳାଇଗଲେ।
ଦୁର୍ଘଟଣା ନୁହେଁ ହତ୍ୟାକାଣ୍ଡ
ପରଦିନ ସକାଳୁ ସ୍ଥାନୀୟ ପୁଲିସ କାର୍ ଅଗ୍ନିକାଣ୍ଡ ସମ୍ବନ୍ଧରେ ଖବର ପାଇଲା। ଭୋର୍ ୫ଟା ବେଳେ ସର୍କଲ୍ ଇନ୍ସ୍ପେକ୍ଟର୍ ଏମ୍. ହରିଦାସ ସଦଳବଳ ସେଠାରେ ପହଞ୍ଚିଲେ। ପୋଡ଼ିଯାଇଥିବା କାର୍ରେ ଥିଲା ଗୋଟାଏ ଦଗ୍ଧଶବ। ସ୍ଥାନୀୟ ବାସିନ୍ଦାମାନେ କହିଲେ ସେ କାର୍ ପ୍ରବାସୀ ଭାରତୀୟ ସୁକୁମାର କୁରୁପ୍ଙ୍କର। ସେଠାରୁ ତାଙ୍କ ଟିମ୍ ଗ୍ଲୋଭ୍ସ୍, ଦିଆଶିଲି ଖୋଳ, ରବର ସାଣ୍ଡଲ୍ ଓ ପେଟ୍ରୋଲ୍ ଜେର୍କିନ୍ ପାଇଲେ। ମାବେଲିକ୍କାରା ଥାନାରେ ମାମଲା ଚାଲିଲା। କୁରୁପ୍ଙ୍କ ପରିବାରକୁ ମୃତ୍ୟୁ ସମ୍ବାଦ ଦିଆଗଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା କି, କୁରୁପ ପୋଡ଼ିହୋଇ ମରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି।
ଧରା ପକାଇଲା ପୂରା ସାର୍ଟ
ତଦନ୍ତ ପାଇଁ ପୁଲିସ କୁରୁପ୍ଙ୍କ ସଡୁ ପିଲ୍ଲାଇଙ୍କୁ ଥାନାକୁ ଡକାଇଲା। ସେ କହିଲେ କି, ଉପସାଗୀୟ ଅଞ୍ଚଳରେ କୁରୁପ୍ଙ୍କର ଅନେକ ଶତ୍ରୁ ଅଛନ୍ତି, ହୁଏତ କେହି ତାଙ୍କୁ ହତ୍ୟା କରିଥାଇପାରେ। ପୁଲିସ ଲକ୍ଷ୍ୟ କଲା କି, ପିଲ୍ଲାଇ ଗୋଟେ ପୂରା ହାତବାଲା ସାର୍ଟ ପିନ୍ଧିଛନ୍ତି। ସେତେବେଳେ କେରଳରେ କୌଣସି ଲୋକ ପୂରାହାତ ସାର୍ଟ ପିନ୍ଧୁ ନଥିଲେ। ଇନ୍ସ୍ପେକ୍ଟର୍ ହରିଦାସ ତାଙ୍କୁ ସାର୍ଟ ହାତ ଉପରକୁ ମୋଡ଼ିବାକୁ କହିଲେ। କୁଣ୍ଠିତ ପିଲ୍ଲାଇ ତାହା କରନ୍ତେ ପୁଲିସ ଦେଖିଲା ତାଙ୍କ କହୁଣୀରେ ସଦ୍ୟ ପୋଡ଼ା ଘା’। ଅଧିକ ଯାଞ୍ଚ କରିବାରୁ ତାଙ୍କ ଡାହାଣ ଗୋଡ଼, ଭ୍ରୂଲତା ଆଦି ପୋଡ଼ିଥିବା ଜଣାପଡ଼ିଲା। ଅଗତ୍ୟା ପିଲ୍ଲାଇ ସ୍ବୀକାର କଲେ କି, ଉପସାଗରରେ ଚାକରି ଖଣ୍ଡେ କରାଇଦେବାକୁ କୁରୁପ କଥା ଦେଇଥିଲେ, କିନ୍ତୁ ଚାକିରି କରାଇ ନ ଦେବାରୁ ତାଙ୍କୁ ସେ ହତ୍ୟା କରିଛନ୍ତି। ପୁଲିସ କିନ୍ତୁ ଏ କଥା ବିଶ୍ବାସ କଲାନି।
କୁରୁପ୍ ନୁହେଁ, ଶବ ଚକୋଙ୍କର
ଜାନୁଆରି ୨୩ରେ କରୁପ୍ଙ୍କର ଜଣେ ଦୂରସମ୍ପର୍କୀୟ ପୁଲିସକୁ ଫୋନ୍ କରି ଜଣାଇଲେ କି, ସେ ଶବ ସୁକୁମାର କୁରୁପ୍ଙ୍କର ନୁହେଁ ବୋଲି ଡ୍ରାଇଭର୍ ପୋନ୍ନପ୍ପାନଙ୍କଠାରୁ ସେ ସୂଚନା ପାଇଛନ୍ତି। ପୁନରାୟ ପୁଲିସ ପିଲ୍ଲାଇଙ୍କୁ ଜେରାକଲା। ସେ ସବୁ କଥା ମାନିଲେ। କହିଲେ ଯେ ଅଲାପୁଝାରେ ବିଶାଳ କୋଠା ତୋଳିବାକୁ କରୁପଙ୍କର ଅର୍ଥ ଆବଶ୍ୟକ ଥିଲା। କିନ୍ତୁ ନିହତ ଆଗନ୍ତୁକଙ୍କ ବିଷୟରେ ସେ କିଛି ଜାଣନ୍ତି ନାହିଁ। ଏଥର ପୁଲିସ ସାହୁ, ପୋନ୍ନପ୍ପା ଓ କୁରୁପଙ୍କୁ ଖୋଜିଲା। କୋଚି ବାଟ ଦେଇ ଖସି ଯିବାଆଗରୁ ସାହୁଙ୍କୁ ଚବକ୍କଡ଼ରୁ ଗିରଫ କରାଗଲା। ପୋନ୍ନାପ୍ପାନ୍ ବି ଗିରଫ ହେଲେ। କିନ୍ତୁ, ଖସି ପଳାଇଲେ କୁରୁପ। ବୀମା ଟଙ୍କାରୁ ଭାଗ ପାଇଲେ କୁରୁପ୍ଙ୍କୁ ସହଯୋଗ କରିବା ପାଇଁ ତିନିହେଁ ରାଜି ହୋଇଥିଲେ ବୋଲି ସେମାନେ ପୁଲିସକୁ କହିଲେ।
ଘରକୁ ଫେରି ପାରିଲେନି ଚକୋ
କିଛିଦିନ ଧରି ଫିଲ୍ମ ବିତରକଙ୍କ ପ୍ରତିନିଧି ଚକୋ ତାଙ୍କ ସିନେମା ହଲ୍କୁ ନ ଆସିବାରୁ ଚିନ୍ତିତ ଶ୍ରୀକୁମାର ଅଲାପୁଝା ସହର ଉପକଣ୍ଠରେ ଥିବା ଚକୋଙ୍କ ଘରକୁ ଗଲେ। ଚକୋ ଘରକୁ ଫେରି ନଥିବା ଜଣାପଡ଼ିଲା। ଶ୍ରୀକୁମାର ଜାନୁଆରି ୨୭ରେ ସର୍କଲ୍ ଇନ୍ସ୍ପେକ୍ଟର୍ ହରିଦାସଙ୍କୁ ଭେଟି ଚକୋ ନିରୁଦ୍ଦିଷ୍ଟ ହୋଇଯାଇଥିବା ରିପୋର୍ଟ ଲେଖାଇଲେ। ଫେବ୍ରୁଆରି ୧ ତାରିଖ ଦିନ ପୋତା ଯାଇଥିବା ଶବକୁ ଖୋଳାଯାଇ ଦ୍ବିତୀୟବାର ବ୍ୟବଚ୍ଛେଦ କରାଗଲା। ଏଥିରେ ଦେଶରେ ପ୍ରଥମଥର ପାଇଁ ‘ସୁପର୍ଇମ୍ପୋଜିସନ୍’ ପଦ୍ଧତି ଉପଯୋଗ କରାଗଲା। ଜଣାପଡ଼ିଲା ସେ ଶବ ଚକୋଙ୍କର। ସେଦିନ ପୁଲିସ୍ ଫାଇଲ୍ରେ ‘ସୁକୁମାର କୁରୁପ୍ ହତ୍ୟା ମାମଲା’କୁ ‘ଚକୋ ହତ୍ୟା ମାମଲା’ ନାମରେ ପୁନଃ ନାମିତ କରାଗଲା। ପିଲ୍ଲାଇ ଓ ପୋନ୍ନପ୍ପନଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଗଲା। ପ୍ରଥମେ ସାହୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲେ, କିନ୍ତୁ ପରେ ରାଜସାକ୍ଷୀ ହୋଇଗଲେ। ସେସନ୍ସ୍ କୋର୍ଟ ଦୁହିଁଙ୍କୁ ଯାବଜ୍ଜୀବନ ସଜ୍ଜା ଦେଲେ। କିନ୍ତୁ, କୁରୁପ୍ଙ୍କୁ ଖୋଜା ଚାଲିଥିବାରୁ ଚାର୍ଜସିଟ୍ରେ ତାଙ୍କ ନାଁ ଉଲ୍ଲେଖ କରାଯାଇ ନ ଥିଲା।
ପଳାତକ କୁରୁପ୍
କୁରୁପଙ୍କୁ ଧରିବା ଲାଗି ୮ ବର୍ଷ ଧରି ୪ଜଣ ସାଦା ପୋଷାକଧାରୀ ପୁଲିସ ତାଙ୍କ ଘର ଆଖପାଖରେ ଜଗିଲେ, କିନ୍ତୁ କିଛି ଲାଭ ହେଲାନାହିଁ। ଏହାପରେ ସରକାର ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ ନିଯୁକ୍ତ କଲେ। ବିଭିନ୍ନ ଆଡୁ ସୂଚନା ପାଇ ପୁଲିସ ଦେଶ ସାରା ତାଙ୍କୁ ଖୋଜିଲେ। ଶେଷରେ ୧୯୯୦ରେ ତାଙ୍କୁ ପଳାତକ ବୋଲି ଘୋଷଣା କରାଗଲା। ଏହି ମାମଲାରେ ପ୍ରାୟ ୧୦୦ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା। ଇଣ୍ଟର୍ପୋଲ୍ ବି କିଛି ଲୋକଙ୍କୁ ଗିରଫ କରିଥିଲା। ମାତ୍ର ପ୍ରମାଣ ଅଭାବରୁ ସମସ୍ତଙ୍କୁ ଖଲାସ କରିଦିଆଯାଇଥିଲା। ଚକୋଙ୍କ ପୁଅ ଜିତିନ୍ଙ୍କୁ ଏବେ ବୟସ ୪୦ ବର୍ଷରୁ ଅଧିକ। କିନ୍ତୁ, କୁରୁପ କାହାନ୍ତି? ସେ ଜୀବିତ ନା ମୃତ? କେହି କେହି କହନ୍ତି ସେ ବିଦେଶରେ ଅଛନ୍ତି। କିନ୍ତୁ, ଯେଉଁ ବଙ୍ଗଳା ପାଇଁ କୁରୁପ ଚକୋଙ୍କୁ ହତ୍ୟାକଲେ ଏବଂ ବହୁ ଜୀବନ ନଷ୍ଟ କଲେ ସେଇଟି ଆଜି ଦୋଷୀ ସାକ୍ଷୀଟି ପରି ପରିତ୍ୟକ୍ତ ହୋଇ ଠିଆହୋଇଛି।