୨୦୦୦ ମସିହାର କଥା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଭାରତ ଗସ୍ତରେ ଆସିଥାଆନ୍ତି। ଦେଶର ଆଇଟି ହବ୍ ହାଇଦ୍ରାବାଦରେ ତାଙ୍କର ଏକ କାର୍ଯ୍ୟକ୍ରମ ରଖାଯାଇଥାଏ। ସେହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କ୍ଲିଣ୍ଟନ୍‌ଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ବି. ରାମାଲିଙ୍ଗା ରାଜୁ। ରାଜୁ ଥିଲେ ଭାରତର ଅନ୍ୟତମ ଶ୍ରେଷ୍ଠ ଆଇଟି କମ୍ପାନି ‘ସତ୍ୟମ୍‌ କମ୍ପ୍ୟୁଟର୍ସ’ର ସଂସ୍ଥାପକ ଓ ପରିଚାଳକ। ସ୍ବଦେଶୀ କମ୍ପାନି ଭାବେ ପ୍ରଥମେ ବିଦେଶରେ ଶାଖା ଖୋଲିଥିବା ସତ୍ୟମ୍‌ କମ୍ପ୍ୟୁଟର୍ସ ୧୯୯୧ରୁ ଆମେରିକାରେ ଗ୍ରାହକମାନଙ୍କୁ ସେବା ଯୋଗାଉଥିଲା। କିନ୍ତୁ, ୨୦୧୫ରେ ରାଜୁଙ୍କୁ ସିବିଆଇର ସ୍ବତନ୍ତ୍ର ଅଦାଲତ ଅପରାଧିକ ଠକେଇ ଓ ଷଡ୍‌ଯନ୍ତ୍ର ମାମଲାରେ ୭ ବର୍ଷ ସଜ୍ଜା ଶୁଣାଇଲା। ଖ୍ୟାତନାମା ଶିଳ୍ପପତିରୁ ରାଜୁ ବନିଗଲେ କୁଖ୍ୟାତ ଅପରାଧୀ। ଆଗରୁ ୩୨ ମାସ ଜେଲ୍‌ରେ ବିତାଇ ଥିିବା ୬୦ ବର୍ଷୀୟ ରାଜୁଙ୍କୁ ପୁନଶ୍ଚ ଜେଲ୍‌ ଯିବାକୁ ପଡ଼ିଥିଲା।

Advertisment

ବିଳାସମୟ ବଙ୍ଗଳାରୁ ସଂକୀର୍ଣ୍ଣ କୋଠରି
ଏକଦା ‘ଆଇଟି ଜାର୍‌’ ଓ ‘ଆନ୍ଧ୍ରପ୍ରଦେଶର ବିଲ୍‌ ଗେଟ୍‌ସ୍‌’ କୁହାଯାଉ ଥିବା ବି. ରାମାଲିଙ୍ଗା ରାଜୁ ଏବେ ପାଲଟି ଯାଇଥିଲେ ଭାରତ ଇତିହାସରେ ସବୁଠୁ ବଡ଼ କର୍ପୋରେଟ୍‌ ଜାଲିଆତିର ସୂତ୍ରଧର। ଉଚ୍ଚାଭିଳାଷ ଓ ଅର୍ଥଲାଳସା ତାଙ୍କୁ ବିଳାସମୟ ପ୍ରାସାଦ ଓ ଅତ୍ୟାଧୁନିକ ଅଫିସ୍‌ର ଆରାମପ୍ରଦ ପରିବେଷ୍ଟନୀରୁ ନେଇଗଲା ହାଇଦ୍ରାବାଦ ଅନ୍ତର୍ଗତ ଚଞ୍ଚଳଗୁଡ଼ା ଜେଲ୍‌ର ରୁଦ୍ଧ କୋଠରି ଭିତରକୁ। କମ୍ପାନିର ଆକାଉଣ୍ଟ୍‌ରେ (ହିସାବଖାତାରେ) ଜାଲିଆତି, ଆର୍ଥିକ ଅନିୟମିତତା ଓ ମିଛରେ ଲାଭାଂଶ ବୃଦ୍ଧି ଦର୍ଶାଇବା ଭଳି ବେଆଇନ କାର୍ଯ୍ୟ କରିଥିବା ସ୍ବୀକାର କରି ୨୦୦୯ରେ ରାଜୁ ‘ସତ୍ୟମ୍‌ କମ୍ପ୍ୟୁଟର୍ସ’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ତେବେ ୨୦୦୮ ଡିସେମ୍ବରରେ ହୋଇଥିବା ଘୋଷଣାରୁ ‘ସତ୍ୟମ୍‌ କମ୍ପ୍ୟୁଟର୍ସ’ର ପ୍ରକୃତ ଅସୁବିଧା ଆରମ୍ଭ ହୋଇଥିଲା। ୭,୭୦୦ କୋଟି ଟଙ୍କାରେ ‘ମେଟାସ୍‌ ଇନ୍‌ଫ୍ରା’ ଓ ‘ମେଟାସ୍‌ ପ୍ରପର୍ଟିଜ୍‌’ ନାମକ ଦୁଇଟି ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ କମ୍ପାନି କିଣିବା ପାଇଁ ଚୁକ୍ତି କରାଯାଇଥିବା ଘୋଷଣା ହୋଇଥିଲା। ଏକଥା ପ୍ରକାଶ ପାଇବା ମାତ୍ରେ ‘ସତ୍ୟମ୍‌ କମ୍ପ୍ୟୁଟର୍ସ’ର ସେୟାର୍‌ ଦର ୩୦% ହ୍ରାସ ପାଇଲା। ସେୟାର୍‌ହୋଲ୍‌ଡର୍‌ମାନଙ୍କ ବିରୋଧ ପ୍ରବଳ ହେବାରୁ ୨୪ ଘଣ୍ଟା ମଧ୍ୟରେ ଚୁକ୍ତି ବାତିଲ କରିବାକୁ ପଡ଼ିଲା। କାରଣ ଏ ଦୁଇଟି କମ୍ପାନି ବି. ରାମାଲିଙ୍ଗା ରାଜୁଙ୍କ ପୁଅମାନଙ୍କ ମାଲିକାନାରେ ଥିଲା।

ବିବେକ ସହିଲାନି ଦୁର୍ନୀତି ବୋଝ
ଏ ଘଟଣାର ସପ୍ତାହେ ପରେ ଡାଟା ଚୋରି ଓ ବ୍ୟାଙ୍କ୍‌ ଅଧିକାରୀମାନଙ୍କୁ ଲାଞ୍ଚ ଦିଆଯାଇଥିବା ଦର୍ଶାଇ ବିଶ୍ବବ୍ୟାଙ୍କ୍‌ ସତ୍ୟମ୍‌କୁ ୮ ବର୍ଷ ପାଇଁ ବ୍ଲାକ୍‌ଲିଷ୍ଟ୍‌ କଲା। ଶେଷ ଧକ୍କା ଆସିଲା ୨୦୦୮ ଜାନୁଆରି ୬ ତାରିଖରେ। ସତ୍ୟମ୍‌ ଇନ୍‌ଭେ‌ଷ୍ଟ୍‌ମେଣ୍ଟ୍‌ର ବ୍ୟାଙ୍କର୍‌ ‘ଡିଏସ୍‌ପି ମେରିଲ୍‌ ଲିଞ୍ଚ୍‌’ ‘ସେବି’କୁ କହିଲା ଯେ, କମ୍ପାନିର ବ୍ୟାପାର ତର୍ଜମା କରିବା ପରେ ସେଥିରେ ଗୁରୁତର ତ୍ରୁଟିବିଚ୍ୟୁତି ଧରାପଡ଼ିଛି। ସେୟାର୍‌ ବଜାର ନିୟନ୍ତ୍ରଣ କରୁଥିବା ‘ସେବି’ ମଧ୍ୟ ରାଜୁ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ୧୪ ବର୍ଷ ନିଷେଧାଜ୍ଞା ଜାରି କରି ସେମାନେ ବେଆଇନ ଭାବେ ଆୟ କରିଥିବା ୧,୮୪୯ କୋଟି ଟଙ୍କା ସୁଧ ସହିତ (୩୦୦୦ କୋଟି ଟଙ୍କା) ଫେରାଇବାକୁ କହିଲା। ଏହା ପରେ ଆଉ କୌଣସି କଥା ଗୁପ୍ତ ରଖିବା ଲାଗି ରାଜୁଙ୍କର ଚାରା ନ ଥିଲା ସେ କମ୍ପାନି ବୋର୍ଡକୁ ଚିଠି ଲେଖିଲେ- ‘‘ମୋ ବିବେକ ଉପରେ ଲଦି ହୋଇଥିବା ବିରାଟ ବୋଝକୁ ସହ୍ୟ କରିପାରୁନାହିଁ। ଭୀଷଣ ଦୁଃଖରେ ଆପଣମାନଙ୍କୁ ସବୁକିଛି ଅବଗତ କରାଉଛି...।’’ ଚିଠିର ବାକି ଲେଖାରେ ସେ ସ୍ବୀକାର କରିଥିଲେ ଯେ, ମାତ୍ରାଧିକ ଲାଭ ଓ ମିଥ୍ୟା ସମ୍ପତ୍ତି ଜରିଆରେ ୭,୦୦୦ କୋଟି ଟଙ୍କାର ହିସାବ ଜାଲିଆତି କରାଯାଇଛି।
୨୦୦୯ ଜାନୁଆରି ୭ ତାରିଖରେ ଲିଖିତ ଚିଠିରେ ଏଭଳି ଚମକପ୍ରଦ ସ୍ବୀକାରୋକ୍ତି ଦ୍ବାରା ରାଜୁ ସେ ସମୟରେ ଦେଶର ସବୁଠୁ ବଡ଼ କର୍ପୋରେଟ୍‌ ଜାଲିଆତି ପ୍ରସଙ୍ଗ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ। ୫,୦୪୦ କୋଟି ଟଙ୍କା ବଢ଼ାଇ ‘ସତ୍ୟମ୍‌ କମ୍ପ୍ୟୁଟର୍ସ’ର ବାଲାନ୍‌ସ୍‌ ସିଟ୍‌ ପ୍ରସ୍ତୁତ କରାଯାଇଛି ବୋଲି ଚିଠିରେ ସେ ସୂଚନା‌ ମଧ୍ୟ ଦେଇଥିଲେ। ଏ ଦୁର୍ନୀତି ସମ୍ବାଦ ବ୍ୟାପିଯିବାକ୍ଷଣି ସେଦିନ ୧୮୮ ଟଙ୍କା ଥିବା ‘ସତ୍ୟମ୍‌’ର ସେୟାର୍‌ ୪୦ ଟଙ୍କାକୁ ଖସି ଆସିବାରୁ ସେନ୍‌ସେକ୍ସ୍‌ ମଧ୍ୟ ୭.୩% ଖସିଲା। ତହିଁଆରଦିନ ଅବସ୍ଥା ଏମିତି ଶୋଚନୀୟ ହେଲା ଯେ ‘ସତ୍ୟମ୍‌’ର ସେୟାର୍‌ ଦର ୬ ଟଙ୍କା ହୋଇଗଲା। ସେତେବେଳେ ମୂଳ କମ୍ପାନି ସମେତ ଶାଖା କମ୍ପାନି ଜରିଆରେ ପ୍ରାୟ ୬୫ଟି ଦେଶରେ ସେବା ଯୋଗାଇ ୪ର୍ଥ ବୃହତ୍‌ ଆଇଟି ଫାର୍ମ ମାନ୍ୟତା ପାଇଥିଲା ସତ୍ୟମ୍। ଜାଲିଆତି ପ୍ରଘଟ ହେବାର କିଛି ସପ୍ତାହ ପୂର୍ବରୁ ସତ୍ୟମ୍‌ର ବାର୍ଷିକ ଆୟ ଥିଲା ୨.୪ ବିଲିୟନ୍‌ ଓ କର୍ମଚାରୀଙ୍କ ସଂଖ୍ୟା ଥିଲା ୫୩,୦୦୦।

ଇଞ୍ଜିନିୟରିଂ ନ ପଢ଼ି ବି ଆଇ.ଟି. ସମ୍ରାଟ୍‌
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ୧୯୫୪ ସେପ୍ଟେମ୍ବର ୧୬ରେ ଜନ୍ମିତ ବାୟରାଜୁ ରାମାଲିଙ୍ଗା ରାଜୁ ଆମେରିକାର ଓହିଓ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ନିର୍ମାଣ, ହୋଟେଲ୍‌ ଶିଳ୍ପ ଓ ବୟନ ଶିଳ୍ପରେ ବ୍ୟବସାୟ କରିଥିଲେ। ୧୯୭୭ରେ ସେ ଆରମ୍ଭ କରିଥିଲେ ‘ଶ୍ରୀ ସତ୍ୟମ୍‌’ ନାମରେ ସୂତା ଓ କପଡ଼ା କାରଖାନା। କିନ୍ତୁ, ତାଙ୍କୁ ବାସ୍ତବ ସଫଳତା ଦେଲା ଆଇ.ଟି. ବ୍ୟବସାୟ। ସେ ଇଞ୍ଜିନିୟରିଂ ଶିକ୍ଷାଲାଭ କରି ନ ଥିଲେ କିନ୍ତୁ, ତାଙ୍କ ଭିଣୋଇ ଡି. ଭି. ଏସ୍‌. ରାଜୁ ଥିଲେ ଇଞ୍ଜିନିୟର୍‌। ୧୯୮୭ରେ ସତ୍ୟମ୍‌ କମ୍ପ୍ୟୁଟର୍‌ ସର୍ଭିସେସ୍‌ ସ୍ଥାପନା କରାଇ ‌େସ ହିଁ ତାଙ୍କୁ ଆଇ.ଟି. ସେକ୍ଟର୍‌ରେ ପ୍ରବେଶ କରିବା ଲାଗି ଉତ୍ସାହ ଦେଇଥିଲେ। ୨୦ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ‌କରାଯାଇଥିବା ‘ସତ୍ୟମ୍‌’କୁ ନିଜସ୍ବ ଔଦ୍ୟୋଗିକ ଦକ୍ଷତା ବଳରେ ରାଜୁ ଅଗ୍ରଣୀ ଆଇ.ଟି. କମ୍ପାନିରେ ପରିଣତ କରିଥିଲେ। ୨୦୦୧ରେ ‘ସତ୍ୟମ୍‌’ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଚ୍‌ରେ ତାଲିକାଭୁକ୍ତ ହେବା ପରେ ୨୦୦୬ରେ ତା’ର ଆୟ ୧ ବିଲିୟନ୍‌ ଡଲାର୍‌ ଓ ୨୦୦୮ରେ ୨ ବିଲିୟନ୍‌ ଡଲାର୍‌ ସ୍ତର ଅତିକ୍ରମ କରିଥିଲା।

ଉଚ୍ଚାକାଙ୍‌କ୍ଷା ହିଁ ପତନର କାରଣ
ବଡ଼ କମ୍ପାନି ହେବା ପରେ କର୍ପୋରେଟ୍‌ ସାମାଜିକ ଦାୟିତ୍ବ କ୍ଷେତ୍ରରେ ସଂଶ୍ଳିଷ୍ଟ ହୋଇ ରାଜୁ ଯଶ ଅର୍ଜନ କଲେ। ‘ବାୟରାଜାଜୁ ଫାଉଣ୍ଡେସନ୍‌’ ଓ ‘ସତ୍ୟମ୍‌ ଫାଉଣ୍ଡେସନ୍‌’ ବିଭିନ୍ନ ପ୍ରକଳ୍ପ, ବିଶେଷକରି ଆନ୍ଧ୍ରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରେ ୧୦୮ ମେଡିକାଲ୍‌ ଇମର୍ଜେନ୍‌ସି ସର୍ଭିସେସ୍‌ ତାଙ୍କୁ ବିଶେଷ ସୁଖ୍ୟାତି ଦେଲା।
‘ଇ ଆଣ୍ଡ୍‌ ୱାଇ ଏଣ୍ଟର୍‌ପ୍ରେନ୍ୟୁୟର୍‌ ଅଫ୍‌ ଦି ଇୟର୍‌ ସର୍ଭିସେସ୍‌ ଆୱାର୍ଡ ୧୯୯୯’, ‘ଡାଟାକ୍ବେଷ୍ଟ୍‌ ଆଇଟି ମ୍ୟାନ୍‌ ଅଫ୍‌ ଦି ଇୟର୍‌ ଆୱାର୍ଡ ୨୦୦୦’, ‘ଦି ଏସିଆ ବିଜ୍‌ନେସ୍‌ ଲିଡର୍‌ ଆୱାର୍ଡ ୨୦୦୨’, ଏବଂ ‘ଗୋଲ୍‌ଡେନ୍‌ ପିକକ୍‌ ଆୱାର୍ଡ ଫର୍ କର୍ପୋରେଟ୍‌ ଗଭର୍ଣ୍ଣାନ୍‌ସ୍‌’ ସମେତ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।
କିନ୍ତୁ, ଯେଉଁ ଉଚ୍ଚାକାଙ୍‌କ୍ଷା ତାଙ୍କୁ ଉନ୍ନତିର ଶିଖରରେ ପହଞ୍ଚାଇଥିଲା ଶେଷରେ ତାହା ହିଁ ତାଙ୍କ ପତନର କାରଣ ହେଲା। ଦୁର୍ନୀତି ଧରାପଡ଼ିବା ପରେ ସରକାର ତୁରନ୍ତ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ହିସାବପତ୍ର ସୁବ୍ୟବସ୍ଥିତ କରି କମ୍ପାନିକୁ ନିଲାମ କରିବା ଲାଗି ସରକାର ୧୦ ଜଣିଆ ସଦସ୍ୟବିଶିଷ୍ଟ ବୋର୍ଡ ନିଯୁକ୍ତ କଲେ। ୨୦୦୯ ଏପ୍ରିଲ୍‌ରେ ‘ଟେକ୍‌ ମହିନ୍ଦ୍ରା’ ନିଲାମ୍‌ ଧରି ‘ସତ୍ୟମ୍‌ କମ୍ପ୍ୟୁଟର୍ସ’କୁ କିଣି ନେଲା। ତା’ପରେ ଏହାର ନୂଆ ନାଁ ହେଲା ‘ମହିନ୍ଦ୍ରା ସତ୍ୟମ୍‌’। ପୁନଶ୍ଚ ୨୦୧୩ରେ ‘ମହିନ୍ଦ୍ରା ସତ୍ୟମ୍‌’ ‘ଟେକ୍‌ ମହିନ୍ଦ୍ରା’ ସହିତ ମିଶିଯିବା ପରେ ସତ୍ୟମ୍‌ ବ୍ରାଣ୍ଡ୍‌ ବିଲୁପ୍ତ ହୋଇଗଲା।