୧୯୯୦ରୁ ୧୯୯୬ ମଧ୍ୟରେ ଚୋରି ଓ ପକେଟମାର୍ ଭଳି ଅପରାଧ ସହ ୯ ଶିଶୁଙ୍କୁ ଅତି ନୃସଂଶ ଭାବେ ହତ୍ୟା କରିଥିବା ଦୁଇ ସାବତ ଭଉଣୀ ରେଣୁକା ଶିନ୍ଦେ ଓ ସୀମା ଗାବିତ ସୁପ୍ରିମ୍କୋର୍ଟଙ୍କ ଦ୍ବାରା ମୃତ୍ୟୁଦଣ୍ଡାଦେଶ ପାଇଥିଲେ ହେଁ ଆଇନର ଗଳାବାଟରେ ଖସି ଏବେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେମାନେ ଏସବୁ ଅପରାଧ ମା’ ଅଞ୍ଜନାବାଈଙ୍କ ତତ୍ତ୍ବାବଧାନରେ କରୁଥିଲେ।
ଆଦ୍ୟ େଯୗବନରେ ନାସିକ ବାସିନ୍ଦା ଅଞ୍ଜନାବାଈ ଜଣେ ଟ୍ରକ୍ ଡ୍ରାଇଭର୍ ସହିତ ଘରୁ ଲୁଚି ପଳାଇଗଲେ। ଝିଅ ରେଣୁକା ଜନ୍ମହେବା ପରେ ୧୯୭୩ ସେ ଟ୍ରକ୍ ଡ୍ରାଇଭର୍ ଅଞ୍ଜନାବାଈଙ୍କୁ ଛାଡ଼ିଦେଲା। ଅଗତ୍ୟା ଅଞ୍ଜନାବାଈ ଚୋରିଚପାଟି କରି ଚଳିଲେ। ତା’ପରେ ସେ ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀ ମୋହନ ଗାବିତଙ୍କୁ ଦ୍ବିତୀୟ ବିବାହ କଲେ ଏବଂ ୧୯୭୫ରେ ସେମାନଙ୍କର ଝିଅ ସୀମା ଜନ୍ମହେଲା। ସ୍ବଭାବ ନଷ୍ଟ ହୋଇଥିବାରୁ ଅଞ୍ଜନାବାଈ ଚୋରି ଓ ପକେଟମାର୍ ଭଳି ଧନ୍ଦା ଛାଡ଼ିପାରୁ ନ ଥିଲେ। ଘରକୁ ପୁଲିସ ବରାବର ଆସିବାରୁ ବ୍ୟଥିତ ହୋଇ ମୋହନ ସ୍ତ୍ରୀ ଓ କନ୍ୟାଙ୍କୁ ତେଜ୍ୟ କରି ପ୍ରତିଭା ନାମ୍ନୀ ଜଣେ ମହିଳାଙ୍କୁ ପୁନର୍ବିବାହ କଲେ। ନିରୁପାୟ ଅଞ୍ଜନାବାଈ ଦୁଇଝିଅ ରେଣୁକା ଓ ସୀମାଙ୍କୁ ଧରି ଏକ ବସ୍ତିରେ ରହିବା ସହ ମହାରାଷ୍ଟ୍ରର ପୁଣେ, କୋହ୍ଲାପୁର, ନାସିକ, କଲ୍ୟାଣ ଓ ଥାନେ ଅଞ୍ଚଳରେ ଚୋରିଚପାଟି କରି ଚଳିଲେ। ୧୯୮୯ରେ ରେଣୁକା ପୁଣେରେ ଦରଜୀ କାମ କରୁଥିବା କିରଣ ଶିନ୍ଦେଙ୍କୁ ବାହାହେଲା ଓ ପରେ ପରେ ତା’ର ପୁଅଟିଏ ହେଲା।
ପକେଟମାର୍ରୁ ସିରିଅଲ୍ କିଲର୍
ମା’ ଠାରୁ ଚୋରିବିଦ୍ୟା ଶିଖିଥିବା ରେଣୁକା ୧୯୯୦ରେ ପୁଣେସ୍ଥିତ ଏକ ମନ୍ଦିରରେ ପକେଟ୍ମାରିବା ବେଳେ ଧରାପଡ଼ି ଯେଉଁ ଛୋଟିଆ କୌଶଳ ଅବଲମ୍ବନ କଲା ତାହା ହିଁ ତାକୁ ହତ୍ୟାକାରୀ ସଜାଇ ଦେଲା। ଥରେ ପୁଅକୁ ଧରି ରେଣୁକା ତା’ ଭଉଣୀ ସୀମା ସହିତ ଚତୁଃଶୃଙ୍ଗୀ ମନ୍ଦିରକୁ ଯାଇଥିଲା। ସେଠାରେ ଜଣଙ୍କ ପର୍ସ ଚୋରି କରିବା ବେଳେ ରେଣୁକା ଧରାପଡ଼ିଗଲା। ଛୁଆକୁ ଖୋଇବା ପାଇଁ ଚୋରି କରୁଛି ବୋଲି କହି ସେ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ବର୍ତ୍ତିଗଲା। କେବଳ ଛୁଆ ମୁହଁକୁ ଚାହିଁ ଲୋକେ ତାକୁ ଛାଡ଼ିଦେଇଥିଲେ।
ସେଉଠୁ ତା’ର ହୃଦ୍ବୋଧ ହୋଇଥିଲା ଯେ, ଚୋରି କରି ଧରାପଡ଼ିଲେ ପିଲାଙ୍କୁ ଢାଲ କରି ରକ୍ଷା ପାଇହେବ। ଏହାପରେ ଅଞ୍ଜନା ଓ ଦୁଇଭଉଣୀ ପିଲାଙ୍କୁ ଅପହରଣ କରି ଚୋରିବେଳେ ସଙ୍ଗରେ ରଖିଲେ। ୧୯୯୦ ଜୁଲାଇରେ ପ୍ରଥମେ କୋହ୍ଲାପୁରରେ ଜଣେ ଭିକାରି ପିଲାକୁ ଉଠାଇ ପୁଣେ ନେଇ ଆସିଥିଲା ରେଣୁକା। ଥରେ ସୀମା ପକେଟ୍ମାର୍ କରିବା ବେଳେ ଧରାପଡ଼ିଗଲା। ତା’ ଉପରୁ ଉତ୍ତ୍ୟକ୍ତ ଜନତାଙ୍କ ଧ୍ୟାନ ହଟାଇବାକୁ ମାଆ ଅଞ୍ଜନାବାଈ ବର୍ଷକର ସନ୍ତୋଷକୁ ତଳେ କଚାଡ଼ି ଗୁରୁତର କରିପକାଇଥିଲା। ଏମିତି ସେମାନେ ପିଲାମାନଙ୍କୁ ଅପହରଣ କରି ସାଥିରେ ରଖିଲେ। ଚୋରି କରିବା ବେଳେ ଅସୁବିଧାରେ ପଡ଼ିଲେ ବା ଅପହୃତ ପିଲାମାନଙ୍କୁ ପାଳିବା କଷ୍ଟକର ହେଲେ ତାଙ୍କୁ କେଉଁଠି ଛାଡ଼ି ଦେଉଥିଲେ ନଚେତ ପାଣିରେ ବୁଡ଼ାଇ, ଉପରୁ ତଳକୁ କଚାଡ଼ି ଅତି କ୍ରୂର ଭାେବ ହତ୍ୟା କରୁଥିଲେ।
ପ୍ରତିଶୋଧ ନେବା ମହଙ୍ଗା ପଡ଼ିଲା
୧୯୯୬ରେ ଦୁଇଭଉଣୀ ପ୍ରତିଶୋଧ ପରାୟଣ ହୋଇ ଯେଉଁ ଅପହରଣ କଲେ, ତାହା ହିଁ ସମସ୍ତଙ୍କୁ ଧରାପକାଇ ଦେଲା। ସେବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ନାସିକରୁ ଅଞ୍ଜନାବାଈଙ୍କ ପୂର୍ବତନ ସ୍ବାମୀ ମୋହନ ଗାବିତଙ୍କ ଝିଅ କ୍ରାନ୍ତିକୁ ରେଣୁକା ଓ ସୀମା ସ୍କୁଲରୁ ପ୍ରଥମେ ଅପହରଣ କଲେ ଓ ପରେ ହତ୍ୟା କଲେ। ଅଞ୍ଜନାବାଈ ଓ ସୀମାକୁ ଛାଡ଼ି ମୋହନ ଅନ୍ୟ ଜଣକୁ ପୁନର୍ବିବାହ କରିଥିବାରୁ ଦୁଇ ଭଉଣୀ ପ୍ରତିଶୋଧ ପରାୟଣ ହୋଇ ଏହି କାଣ୍ଡ ଘଟାଇଥିଲେ। କ୍ରାନ୍ତି ହଜିଯାଇଛି ବୋଲି ପ୍ରଥମେ ସମସ୍ତଙ୍କର ଧାରଣା ହୋଇଥିଲା। କିନ୍ତୁ ସୀମା ଓ ରେଣୁକା ତାକୁ ନେଇଯାଇଥିବା କଥା ଜଣାପଡ଼ିବା ପରେ ଅପହରଣ ମାମଲା ରୁଜୁହେଲା। ପୁଲିସ ସେମାନଙ୍କୁ ଖୋଜାଖୋଜି କଲା। ୧୯୯୬ ଅକ୍ଟୋବର ମାସରେ ମୋହନଙ୍କ ଦ୍ବିତୀୟ ସ୍ତ୍ରୀ ପ୍ରତିଭା ନାସିକର ଗୋଟାଏ ବଜାରରେ ରେଣୁକା ଓ ସୀମାଙ୍କୁ ଦେଖି ପୁଲିସରେ ଖବର ଦେଲେ । ପରିଶେଷରେ ରେଣୁକା, ସୀମା, ଅଞ୍ଜନାବାଈ ଓ କିରଣ ଗିରଫ ହେଲେ। ପୁଲିସ ଆଗରେ ସେମାନେ କରିଥିବା ଚୋରି, ଅପହରଣ ଓ ହତ୍ୟା ଆଦି ଅପରାଧ ସ୍ବୀକାର କଲେ।
ମୃତ୍ୟୁଦଣ୍ଡାଦେଶରୁ ଆଜୀବନ କାରାବାସ
ମାଆ ଓ ଦୁଇଝିଅଙ୍କ ନାମରେ ସଙ୍ଗିନ ଅଭିଯୋଗ ହେଲା। ରାଜସାକ୍ଷୀ ହେବାରୁ ରେଣୁକାର ସ୍ବାମୀ କିରଣଙ୍କୁ କ୍ଷମା କରିଦିଆଗଲା। କିନ୍ତୁ, ଅଦାଲତରେ ବିଚାର ଆରମ୍ଭ ହେବା ଆଗରୁ ୧୯୯୮ରେ ଅସୁସ୍ଥତା କାରଣରୁ ଅଞ୍ଜନାବାଈର ମୃତ୍ୟୁହେଲା। ମାମଲା ବିଚାର କରି ୨୦୦୧ରେ କୋହ୍ଲାପୁର ସେସନ୍ କୋର୍ଟ ସୀମା ଓ ରେଣୁକାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଲେ। ଏହା ଥିଲା ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାରେ ଭାରତରେ ଦ୍ବିତୀୟ ଘଟଣା। ସମଗ୍ର ଦେଶରେ ଏ ଖବର ଚାଞ୍ଚଲ୍ୟ ସୃଷ୍ଟିକଲା। ନିମ୍ନ ଅଦାଲତଙ୍କ ରାୟକୁ ଦୁଇଭଉଣୀ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ୍ କଲେ। ୨୦୦୪ରେ ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶ ବଳବତ୍ତର ରଖିଲେ। ତା’ପରେ ସେମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେଲେ। ୨୦୦୬ରେ ସୁପ୍ରିମ୍ କୋର୍ଟ ମଧ୍ୟ ଅନୁରୂପ ରାୟ ଦେଲେ। ଏଥର ଦୁହେଁ ରାଜ୍ୟପାଳଙ୍କ ନିକଟରେ ରାଜକ୍ଷମା ଆବେଦନ କଲେ ଏବଂ ୨୦୦୮ରେ ରାଜ୍ୟପାଳ ତାହା ରଦ୍ଦକଲେ। ପୁଣି ୨୦୦୯ରେ ସେମାନେ ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କୁ ଆବେଦନ କଲେ। ୨୦୧୪ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ତାହା ରଦ୍ଦକଲେ। ସାଧାରଣତଃ ରାଜକ୍ଷମା ଆବେଦନ ୩ ମାସ ଭିତରେ ବିଚାର କରାଯାଇ ଫଇସଲା କରାଯାଇଥାଏ। ରାଜକ୍ଷମା ରଦ୍ଦ କରିବା ପାଇଁ ରାଷ୍ଟ୍ରପତି ୫ ବର୍ଷରୁ ଅଧିକ ସମୟ ନେଇଥିବାରୁ େସମାନେ ସୁପ୍ରିମ୍ କୋର୍ଟରେ ଆପତ୍ତି କଲେ। ବିଳମ୍ବିତ ରାଜକ୍ଷମା ରଦ୍ଦ କଥା ବିଚାର କରି ୨୦୨୨ରେ ସୁପ୍ରିମ୍ କୋର୍ଟ ମୃତ୍ୟୁଦଣ୍ଡ କୋହଳ କରି ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ। ସମ୍ପ୍ରତି ସୀମା ଓ ରେଣୁକା ପୁଣେସ୍ଥିତ ୟେରାୱାଡ଼ା ଜେଲ୍ରେ କଏଦୀ ହୋଇ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/03/1CDeN5sgNLoaIcJsfI4q.jpg)