୧୯୫୪ ଜାନୁଆରି ୩୦ ତାରିଖ ଭୋର୍ ସମୟ। କଲିକତା କାଳୀଘାଟ ନିକଟ କେଓରତାଲା ମଶାଣି ନିକଟ ଶୌଚାଳୟ ବାହାରେ ତିନିଟି ଖବରକାଗଜଗୁଡ଼ା ପୁଡ଼ିଆ ମିଳିଲା। ଟଲିଗଞ୍ଜ ପୁଲିସ ଖବର ପାଇ ସେଠାରେ ପହଞ୍ଚି ପୁଡ଼ିଆରୁ କହୁଣୀଗଣ୍ଠିଯାଏ ଥିବା ଦୁଇଟି ବାହୁ, ପାପୁଲି, ଆଙ୍ଗୁଳି ଓ ମଣିବନ୍ଧ ଆଦି ଟୁକୁଡ଼ା ପାଇଲା। ସେଦିନ ଅପରାହ୍ଣରେ କାଳୀଘାଟ ଉଦ୍ୟାନର ଗୋଟାଏ ଆମ୍ବଗଛ ପାଖରେ ପଡ଼ିଥିବା ଆଉ ୫ଟି ଖବରକାଗଜ ପୁଡ଼ିଆରୁ ପୁଲିସ ଆଣ୍ଠୁ ପାଖରୁ ତଳିପା ପର୍ଯ୍ୟନ୍ତ ଦୁଇଟି ଗୋଡ଼, ତିନିଖଣ୍ଡ ହୋଇଥିବା ନାରୀ ଶରୀରର ଊର୍ଦ୍ଧ୍ବାଂଶ, ପଦାକୁ ବାହାରିଥିବା ଆଖି, କଟାକାନ ଏବଂ ଓଠ ସହ ମୁଣ୍ଡରେ କେରାଏ କେଶଥିବା ଚର୍ମଛଲା ମୁହଁ, ଦୁଇଟି ଜଙ୍ଘ ଏବଂ ପୂର୍ଣ୍ଣବିକଶିତ ମୃତ ଭ୍ରୂଣଟିଏ ପାଇଲା। କଲିକତା ପୁଲିସ କମିସନର୍ ତୁରନ୍ତ ଏହି ମାମଲା ଗୁଇନ୍ଦା ବିଭାଗକୁ ହସ୍ତାନ୍ତର କଲେ। ତୀକ୍ଷ୍ଣ ଅସ୍ତ୍ର ଦ୍ବାରା ବେକ ନିକଟରେ ହୋଇଥିବା ଆଘାତରୁ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା। ଏହାପରେ ଧାରୁଆ ଅସ୍ତ୍ରରେ ଶବକୁ ଖଣ୍ଡ ଖଣ୍ଡ କରାଯାଇଥିଲା।
ପରିଚୟ ପାଇଁ ପ୍ଲାଷ୍ଟିକ୍ ସର୍ଜରି
ଚର୍ମଛଲା ମୁଖମଣ୍ଡଳରୁ ମୃତା ମହିଳାଙ୍କୁ ଚିହ୍ନିବା ଅସମ୍ଭବ ହେବାରୁ କୋଲ୍କାତାର କର୍ଣ୍ଣାନି ହସ୍ପିଟାଲ୍ର ପ୍ଲାଷ୍ଟିକ୍ ସର୍ଜରି ବିଭାଗ ମୁଖ୍ୟ ଡାକ୍ତର ମୁରାରୀମୋହନ ମୁଖାର୍ଜୀଙ୍କ ସାହାଯ୍ୟ ଲୋଡ଼ାଗଲା। କିନ୍ତୁ, ମୁଖମଣ୍ଡଳର ମାଂସପେଶୀ ଓ ଟିସ୍ୟୁ ନଷ୍ଟ େହାଇଯାଇଥିବାରୁ ଡାକ୍ତର ମୁଖାର୍ଜୀ ସନ୍ତୋଷଜନକ କାର୍ଯ୍ୟ କରିପାରିଲେ ନାହିଁ। ଏ ହେଉଛି ପୁଲିସ ପ୍ଲାଷ୍ଟିକ୍ ସର୍ଜରି କରି ମୃତବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ଭାରତରେ ପ୍ରଥମ ଘଟଣା। ତେବେ ପ୍ଲାଷ୍ଟିକ୍ ସର୍ଜରି ପରେ ମୃତା ମହିଳାଙ୍କ ମୁହଁର ଫଟୋ ସମ୍ବାଦପତ୍ରରେ ଛପାଯାଇ ତାଙ୍କର ପରିଚୟ ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଗଲା। କିନ୍ତୁ କିଛି ଜବାବ ମିଳିଲା ନାହିଁ। ୨୧ ଦିନ ପରେ ସେ ମହିଳାଙ୍କ ଶବ ସତ୍କାର କରାଗଲା। ପ୍ରାୟ ମାସେ ବିତିଗଲେ ବି ହତ୍ୟାକାଣ୍ଡର କୌଣସି ସୁରାକ୍ ମିଳିଲା ନାହିଁ।
ଔଷଧ ଦୋକାନରୁ ମିଳିଲା ସୁରାକ୍
ଫେବ୍ରୁଆରି ୨୫ ତାରିଖ ରାତିରେ ତଦନ୍ତକାରୀ ଅଫିସର୍ ସମରେନ୍ଦ୍ର ଘୋଷ ଘରକୁ ଫେରୁଥିଲେ। ତାଙ୍କର କାଶ ସିରପ୍ କିଣିବାର ଥିଲା। ବାଟରେ ପଡ଼ିଲା ସାଉଥ୍ ମେଡିକାଲ୍ ଫାର୍ମାସି। ସେ କାଶ ସିରପ୍ ମାଗିବାରୁ ତାହା ସରିଯାଇଛି ବୋଲି କହିଲା ଦୋକାନୀ। ଟିକିଏ ବିରକ୍ତ ହୋଇ ସେ କହିଲେ, ଦୋକାନ ଖୋଲିଛ କାହିଁକି? ମାଲିକ କାହାନ୍ତି? କର୍ମଚାରୀଜଣକ କହିଲେ କି, ମାଲିକ ବୀରେନ୍ ଦତ୍ତ ମାସେ ହେବ ଆସୁନାହାନ୍ତି। ଦୋକାନରୁ ଫେରି ଆସୁ ଆସୁ ସମରେନ୍ଦ୍ରଙ୍କର ସନ୍ଦେହ ହେଲା, ସେ ମାଲିକଙ୍କ ଠିକଣା ଆଣିଲେ- ୫୫/୪/୨ ଟର୍ଫ ରୋଡ୍। ତୁରନ୍ତ ସମରେନ୍ଦ୍ର ସେଠାକୁ ଗଲେ। ଘରେ ତାଲା ପଡ଼ିଥିଲା। ପଡ଼ୋଶୀମାନେ କହିଲେ, ବୀରେନ୍ ଏଠାରେ ଦୀର୍ଘବର୍ଷ ହେବ ସ୍ତ୍ରୀ ବେଲା ଓ ୬ ବର୍ଷର ପୁଅ ସହିତ ରହୁଛନ୍ତି। ଜାନୁଆରି ଶେଷଆଡ଼କୁ ଆସନ୍ନପ୍ରସବା ବେଲାଙ୍କୁ ଶିଶୁ ମଙ୍ଗଳ ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ, ଜାନୁଆରି ୩୦ରୁ ବୀରେନ୍ କି ତାଙ୍କ ପୁଅ ଏଠାକୁ ଆସିନାହାନ୍ତି। ଟର୍ଫ ରୋଡ୍ରୁ ଅନତି ଦୂର ହରିଶ ମୁଖାର୍ଜୀ ରୋଡ୍ରେ ବୀରେନ୍ଙ୍କର ଆଉ ଏକ ଘର ଥିବା ଜାଣିପାରି ପୁଲିସ ସେ ଅଞ୍ଚଳରେ ଦୃଷ୍ଟିରଖିଲା। ଫେବ୍ରୁଆରି ୨୭ ଭୋର୍ରୁ ସେଠାକାର ଏକ ଘରୁ ଜଣେ ଲୋକ ମୁହଁରେ ସାଲ୍ ଢାଙ୍କି ବାହାରିଲେ। କିଛିବାଟ ଅନୁସରଣ କରିବା ପରେ ପୁଲିସ ତାଙ୍କୁ କଲିକତା ପୁଲିସ ମୁଖ୍ୟାଳୟକୁ ନେଇଗଲା। ସେଦିନ ସଞ୍ଜରୁ ରାତି ଅଧ ପର୍ଯ୍ୟନ୍ତ ଜେରାକରି ପୁଲିସ ଜାଣିଲା ସେ ବୀରେନ୍ ଦତ୍ତ।
ବଜ୍ ବଜ୍ ଗାଁ’ର ବେଚୁ
ବୀରେନ୍ ଦତ୍ତ ଓରଫ୍ ବେଚୁ। ବୟସ ୩୪। ଘର ଉତ୍ତର ୨୪ ପ୍ରଗଣା ନିକଟ ବଜ୍ବଜ୍ ଗ୍ରାମ। କଲିକତାର ରୁସା ରୋଡ୍ରେ ଥିବା ସାଉଥ୍ କାଲ୍କାଟା ଫାର୍ମାସି ଔଷଧ ଦୋକାନଟି ବୀରେନ୍ଙ୍କ ଭିଣୋଇ ତା’ନାଁ’ରେ କରିଦେଇଥିଲେ। କଲିକତା ଆସି ବୀରେନ୍ ସାନବାପା ପୁଅ ଭାଇ ନବାନୀଙ୍କ ଘରେ ରହିଲେ। ନବାନୀଙ୍କର ୧୭ ବର୍ଷୀୟା ଝିଅ କମଳା ଓ ବୀରେନ୍ଙ୍କ ମଧ୍ୟରେ ପ୍ରେମ ହୋଇଗଲା। ଦାଦି ଓ ଝିଆରୀ ହୋଇଥିବାରୁ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କଲେନାହିଁ। ଦୁହେଁ ପଳାଇଯାଇ ବିବାହ ନ କରି ସ୍ବାମୀସ୍ତ୍ରୀ ହୋଇ ଚଳିଲେ। କମଳା ନିଜ ନାଁ ବଦଳାଇ ରଖିଲେ ବେଲାରାଣୀ। ବର୍ଷକ ପରେ ସେମାନଙ୍କର ବୋତୋନ୍ ବୋଲି ପୁଅଟିଏ ହେଲା। ଏହାର କିଛିଦିନ ପରେ ୧୯୪୮ରେ ବୀରେନ୍ ମୀରାଙ୍କୁ ରେଜିଷ୍ଟ୍ରି ବିବାହ କଲେ। ଏ ବିଷୟରେ ପ୍ରଥମ ସ୍ତ୍ରୀ ବେଲାରାଣୀଙ୍କୁ ସେ କିଛି କହି ନ ଥିଲେ। ନିଜ ଘରପାଖ ହରିଶ୍ ମୁଖାର୍ଜୀ ରୋଡ୍ରେ ଛୋଟ ଘରଖଣ୍ଡେ ଭଡ଼ା ନେଇ ମୀରାଙ୍କୁ ରଖିଲେ।
ଆଲମାରିରେ କାଗଜ ପୁଡ଼ିଆରେ ଶବ
ପିଲାଦିନେ ମଞ୍ଚ ନାଟକରେ ଅଭିନୟ କରୁଥିବା ବୀରେନ୍ ଚଳଚ୍ଚିତ୍ର ଅଭିନୟରେ ମାତିଲେ। ଫଳରେ ବ୍ୟବସାୟ ଢିଲାହେଲା। ଦୁଇ ଦୁଇଟି ପରିବାର ପ୍ରତିପୋଷଣ ପାଇଁ ଅର୍ଥାଭାବ ହେଲା। ପ୍ରଥମ ସ୍ତ୍ରୀ ବେଲା ପୁଣି ସନ୍ତାନ ପ୍ରସବ କରିବ ଜାଣି ବୀରେନ୍ ପାଗଳ ହୋଇଗଲେ। ମିଛ ରାଗ ଦେଖାଇ ବେଲାକୁ କହିଲେ, ତୋ ଗର୍ଭରେ ଥିବା ସନ୍ତାନ ମୋର ନୁହେଁ। ଦୁହେଁ ଭୀଷଣ ଝଗଡ଼ା ଲାଗିଲେ। ବୀରେନ୍ ବେଲାକୁ ମାରିଦେବାକୁ ମନସ୍ଥକଲେ। ୧୯୫୪ ଜାନୁଆରି ୨୭, ବେଲା ୯ ମାସର ଅନ୍ତଃସତ୍ତ୍ବା। ରାତି ସାଢ଼େଦଶଟା ବେଳେ ବୀରେନ୍ ଔଷଧ ଦୋକାନରୁ ଫେରି ଦେଖିଲେ ବୋତୋନ୍ େଶାଇଛି। ବେଲା ଭୋଜନ ବାଢ଼ିଦେଲେ, ବୀରେନ୍ ଚୁପ୍ଚାପ୍ ଖାଇନେଲେ। ହଠାତ୍ ବୀରେନ୍ ରୋଷେଇଘରୁ ଦାଆଟିଏ ଆଣି ତା’ ବେକରେ ଚୋଟ ପରେ ଚୋଟ ପକାଇଲେ। ବେଲା ମରିଗଲେ। ଗହଣାଗାଣ୍ଠି ସବୁ ଓହ୍ଲାଇ ବୀରେନ୍ ଗୋଟାଏ ଆଲମାରି ଖାଲିକରି ସେଥିରେ ବେଲା ଶବକୁ ପୂରାଇଦେଲେ। ତା’ପରେ ରକ୍ତ େପାଛାପୋଛି କରି ଚୁପ୍ଚାପ୍ ଶୋଇପଡ଼ିଲେ ଏବଂ ସକାଳେ ଯୋଜନା ମୁତାବକ କାମକଲେ। ତା’ପରେ ବୀରେନ୍ ଔଷଧ ଦୋକାନକୁ ଗଲେ ଏବଂ ରାତିରେ ଫେରିବା ବେଳେ ଦୋକାନରେ ଥିବା କିଛି ପୁରୁଣା ଖବରକାଗଜ ନେଇ ଘରକୁ ଫେରିଲେ। ସେଉଠୁ ଆଲମାରିରୁ ବେଲାର ଶବ କାଢ଼ି ଦାଆରେ କାଟି ଖଣ୍ଡ ଖଣ୍ଡ କଲେ। ଶବଖଣ୍ଡକୁ ଖବରକାଗଜରେ ଗୁଡ଼ାଇ ନଡ଼ିଆ କତା ରଶିରେ ବାନ୍ଧି ଆଲମାରିରେ ରଖିଦେଲେ। କଟାଶବ ସେମିତି ଦୁଇଦିନ ଆଲମାରିରେ ରହିଲା। ତା’ପର ରାତିରେ ଦୁଇଟି ବଡ଼ ନାଇଲନ୍ ବ୍ୟାଗ୍ରେ ଶବପୁଡ଼ିଆ ଭର୍ତ୍ତି କରି ବୀରେନ୍ ରିକ୍ସା ଭଡ଼ାକରି କାଳୀଘାଟ ଗଲେ। କିନ୍ତୁ, ବାଟରେ ଠାଏ ଅଟକି ରିକ୍ସାରୁ ଓହ୍ଲାଇ ଉଦ୍ୟାନ ଭିତରକୁ କିଛି ପୁଡ଼ିଆ ଫିଙ୍ଗିଦେଲେ। ବାକି ପୁଡ଼ିଆ କେଓରତାଲା ମଶାଣି ବାହାର ଶୌଚାଳୟ ନିକଟରେ ଫୋପାଡ଼ି ଘରକୁ ଫେରିଲେ।
ବୀରେନ୍ ସତ ମାନିବା ପରେ ପୁଲିସ ଅଦାଲତରେ ଚାର୍ଜସିଟ୍ ଦାଖଲ କଲା। ବିଚାର କରି ନିମ୍ନ ଅଦାଲତ ବୀରେନ୍ଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ। ପରେ କାଲ୍କାଟା ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟ ମଧ୍ୟ ସେ ରାୟ କାଏମ ରଖିଲେ। ୧୯୫୬ ଜାନୁଆରି ୨୮ ସକାଳେ ବୀରେନ୍ ଦତ୍ତଙ୍କୁ ଫାଶୀ ଦିଆଗଲା।