୨୦୧୫ ଜୁନ୍ ୧୧। ଗୋଟାଏ ଘରର ଝରକାରୁ ବହଳ ଧୂଆଁ ବାହାରୁଛି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ କେନ୍ଦ୍ରୀୟ କୋଲ୍କାତାର ରବିନ୍ସନ୍ ଷ୍ଟ୍ରିଟ୍ର ଏକ ଘର ସାମ୍ନାରେ ପହଞ୍ଚିଲା। ଦୁଆର ଭିତରପଟୁ ବନ୍ଦ ଥିଲା ଏବଂ କେହି ନ ଖୋଲିବାରୁ ପୁଲିସ କବାଟ ଭାଙ୍ଗି ଭିତରକୁ ପଶିଲା। ଭିତରର ଦୃଶ୍ୟ ଦେଖି ପୁଲିସ୍ କର୍ମଚାରୀ ଅବାକ୍ ହୋଇଗଲେ। ଘର ଭିତରେ ଗୋଟାଏ ବାଥ୍ରୁମ୍ରେ ପଡ଼ିଥିଲା ଜଣେ ୭୭ ବର୍ଷୀୟ ବ୍ୟକ୍ତିଙ୍କ ଦରପୋଡ଼ା ଶବ। ବେଡ୍ରୁମ୍ରେ ଥିଲା ପୋଷାକପରିଚ୍ଛଦ ପରିହିତା ଜଣେ ମହିଳାଙ୍କ କଙ୍କାଳ। ଆଉ ଗୋଟାଏ କକ୍ଷରୁ ମିଳିଲା ବସ୍ତାରେ ପଶିଥିବା କୁକୁରଙ୍କ ହାଡ଼। ଘରେ ଜୀବିତାବସ୍ଥାରେ ଥିଲେ ଜଣେ ମାତ୍ର ବ୍ୟକ୍ତି- ୪୪ ବର୍ଷୀୟ ପାର୍ଥ ଦେ।
ହରର୍ ହାଉସ୍: ହିଚ୍କକ୍ ହାଉସ୍
ତଦନ୍ତରୁ ଜଣାପଡ଼ିଲା ଗତବର୍ଷ ଡିସେମ୍ବର ୨୯ରେ ମୃତ୍ୟୁବରଣ କରିଥିବା ୫୦ ବର୍ଷୀୟା ଭଉଣୀ ଦେବଯାନୀ ଶବ ସହିତ ପାର୍ଥ ଦେ ରହୁଥିଲେ। ପାର୍ଥ ଥିଲେ ମାନସିକ ରୋଗାକ୍ରାନ୍ତ। ଖାଲି ସେତିକି ନୁହେଁ, ଦେ’ଙ୍କ ଭଉଣୀ ମରିବା ଆଗରୁ ସେ ବର୍ଷ ଅଗଷ୍ଟ ମାସରେ ତାଙ୍କ ଘରେ ଥିବା କୁକୁର ଦୁଇଟି ମରିଯାଇଥିଲେ। ଲାବ୍ରାଡର୍ ପ୍ରଜାତିର ସେ କୁକୁରଦୁଇଟି ମରିଯିବାରୁ ଦେବଯାନୀ ବି ଖୁବ୍ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ। ତେଣୁ ସେମାନେ ମୃତ କୁକୁରମାନଙ୍କର ଶବସତ୍କାର କଲେନାହିଁ। ଗଣମାଧ୍ୟମରେ ଏ ଘଟଣା ପ୍ରଘଟ ହେବା ପରେ ଲୋକମୁଖରେ ସେ ଘରର ନାଁ ‘ହରର୍ ହାଉସ୍’ ଓ ‘ହିଚ୍କକ୍ ହାଉସ୍’ ହୋଇଗଲା। ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ବଙ୍ଗଳା ଭାଷାରେ ‘କଙ୍କାଲ୍ ବାଡ଼ି’ କହିଲେ।
ଭଉଣୀ ଆତ୍ମା ଆସେ!
ପାର୍ଥ ଦେ ଥିଲେ ସଫ୍ଟ୍ୱେର୍ କମ୍ପାନି ‘ଟିସିଏସ୍’ର ଅନ୍ୟତମ ପ୍ରାକ୍ତନ କର୍ମଚାରୀ। କୋଲ୍କାତା ଆସିବା ଆଗରୁ ସେ ବିଦେଶରେ ରହୁଥିଲେ। ଭଉଣୀ ଦେବଯାନୀ ମଧ୍ୟ ବି. ଟେକ୍ ଇଞ୍ଜିନିୟର୍, କିନ୍ତୁ ସେ ବିଭିନ୍ନ ନାମୀଦାମୀ ସ୍କୁଲ୍ରେ ସଂଗୀତ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ପାର୍ଥ ପୁଲିସକୁ କହିଲେ ଯେ, ଭଉଣୀ ଓ କୁକୁରମାନଙ୍କ ପ୍ରତି ତାଙ୍କର ଏତେ ଶ୍ରଦ୍ଧା ଥିଲା ଯେ ସେମାନଙ୍କୁ ସେ ପର କରିବାକୁ ଚାହୁ ନ ଥିଲେ। ସେ ଆହୁରି ମଧ୍ୟ କହିଲେ କି, ଦିନେ ଦିନେ ଭଉଣୀ ଆତ୍ମା ଆସି ତାଙ୍କୁ ଦେଖାଦିଏ। ଭଉଣୀର ଶବ ପାଖରେ ସେ ଭୋଜନ ବାଢ଼ି ରଖନ୍ତି। ବାଥ୍ରୁମ୍ରୁ ଉଦ୍ଧାର କରାଯାଇଥିବା ପୋଡ଼ାଶବଟି ଥିଲା ବାଙ୍ଗାଲୋର୍ସ୍ଥିତ ଏକ ବ୍ରିଟିସ୍ କମ୍ପାନିର ପ୍ରାକ୍ତନ ନିର୍ଦ୍ଦେଶକ ୭୭ ବର୍ଷୀୟ ଅରବିନ୍ଦ ଦେ’ଙ୍କର। ସେ ପାର୍ଥଙ୍କ ବାପା। ଝିଅ ମରିଯାଇଛି ଏବଂ ଘରେ ତା’ର ଶବ ଶଢୁଛି ବୋଲି ସେ ଜାଣି ନ ଥିଲେ। ପାର୍ଥ କହିଲେ ଚଳିତବର୍ଷ ମାର୍ଚ୍ଚ/ଏପ୍ରିଲ୍ ମାସରେ ଏ କଥା ଜାଣି ସେ ବି ଅତି ବିଷାଦଗ୍ରସ୍ତ ହୋଇପଡ଼ିଲେ। ଜୁନ୍ ୧୧ ତାରିଖରେ ଆତ୍ମଦାହ କରି ଜୀବନ ହାରିଲେ।
ଅସୁମାରି ନୋଟ୍ ଓ ଡାଏରି
ଦେବଯାନୀ, ପାର୍ଥ ଓ ସେମାନଙ୍କ ବାପା ଅରବିନ୍ଦ ଡାଏରି ଓ ନୋଟ୍ ଲେଖୁଥିଲେ। ସେ ଘରୁ ପୁଲିସ୍ ବିଡ଼ା ବିଡ଼ା ନୋଟ୍ ଉଦ୍ଧାର କରିଥିଲା। ଦେବଯାନୀଙ୍କ ନୋଟ୍ ସବୁ ସୁସ୍ପଷ୍ଟ, ସଂକ୍ଷିପ୍ତ, ପ୍ରାସଙ୍ଗିକ ପୁଣି ସେଥିରେ ତାରିଖ ପଡ଼ିଥିଲା। ପାର୍ଥଙ୍କ ଡାଏରିରେ ଅଧିକାଂଶ କଥା ପୁନଃରାବୃତ୍ତି ହୋଇଥିଲା ଏବଂ ସେ ସବୁ ସାମାନ୍ୟ ଅପ୍ରାସଙ୍ଗିକ ବୋଧହେଉଥିଲା। ଅରବିନ୍ଦଙ୍କ ଲେଖାରୁ ଜଣାପଡ଼େ ଯେ ସେ ତାଙ୍କର ସମସ୍ତ ସମ୍ପତ୍ତି ଦେବଯାନୀ ଓ ପାର୍ଥଙ୍କ ମଧ୍ୟରେ ସମାନ ଦୁଇବାଣ୍ଟ କରିଦେବାକୁ ଚାହୁଥିଲେ। ଅରବିନ୍ଦଙ୍କ ଦ୍ବାରା ଲିଖିତ ଗୋଟାଏ ସୁଇସାଇଡ୍ ନୋଟ୍ ବି ପୁଲିସ ସେଠାରୁ ଉଦ୍ଧାର କଲା। ସେଥିରେ ଲେଖାଥିଲା- ନିଜ ଇଚ୍ଛାରେ ମୁଁ ସଂସାର ତ୍ୟାଗ କରୁଛି। ଏଥିପାଇଁ କେହି ଦାୟୀ ନୁହନ୍ତି।
ଦିନସାରା ବାଜୁଥିଲା ପ୍ରବଚନ
ଘଟଣା ଦିନ କବାଟ ଭାଙ୍ଗି ଘରେ ପଶି ଦ୍ବିତୀୟ ମହଲାକୁ ଯିବାରୁ ପୁଲିସ କେହି ଜଣେ ମନ୍ତ୍ରପାଠ କରୁଥିବା ପରି ଶୁଣିବାକୁ ପାଇଲା। କିନ୍ତୁ, ସେଠାରେ କୌଣସି ଲୋକ ନ ଥିଲେ। ପରେ ଜଣାପଡ଼ିଲା ସେ ତାହା ଥିଲା ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆଧ୍ୟାତ୍ମିକ ଗୁରୁ ଜୟସ୍ ମେୟର୍ଙ୍କ ‘ସ୍ପିରିଚୁଆଲ୍ ବାଇବଲ୍’ ସମ୍ବନ୍ଧୀୟ ପ୍ରବଚନ। ପାର୍ଥ ତାହାକୁ ରେକର୍ଡ କରିଆଣି ସ୍ପିକର୍ ଦ୍ବାରା ସମ୍ଭବତଃ ଦିନତମାମ ଘରେ ବଜାଉଥିଲେ।
ପାର୍ଥ ଦେବଯାନୀଙ୍କ ଯୌନ ଜୀବନ
କିଛି ନୋଟ୍ରୁ ପାର୍ଥଙ୍କ ଯୌନ ଜୀବନ ବିଷୟ ଜଣାପଡ଼ିଥିଲା। ଦୃଷ୍ଟାନ୍ତ ସ୍ବରୂପ, ପାର୍ଥଙ୍କ ଡାଏରିରୁ ଜଣାପଡ଼େ ଯେ ତାଙ୍କ ମାଆ କୁଆଡ଼େ ତାଙ୍କୁ ଅଣପୁରୁଷା ବୋଲି ସନ୍ଦେହ କରୁଥିଲେ। ସନ୍ଦେହ ସତ୍ୟ କି, ଅସତ୍ୟ ପରୀକ୍ଷା କରିବା ପାଇଁ ସେ ଘରର ଚାକରାଣୀକୁ ତାଙ୍କ କକ୍ଷକୁ ପଠାଉଥିଲେ। ଆଉ ଗୋଟାଏ ଡାଏରିରେ ଲେଖାରେ ଉଲ୍ଲେଖ ଅଛି ଯେ ଥରେ ବାହାରକୁ ବୁଲିଯାଇଥିବା ବେଳେ ଭଉଣୀ ଦେବଯାନୀ ପାର୍ଥଙ୍କ ସହିତ ଶାରୀରିକ ସମ୍ପର୍କ ପାଇଁ ଉଦ୍ୟମ କରିଥିଲେ। ସେହି କାରଣରୁ ମାଆ ଦୁହିଁଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏହାଛଡ଼ା ପୁଲିସ ଦେ’ଙ୍କ ଘରୁ ୮ଟି ଲ୍ୟାପ୍ଟପ୍ ମଧ୍ୟ ଉଦ୍ଧାର କଲା।
ଦୁର୍ଗନ୍ଧ ହେଲାନି କେମିତି?
ବ୍ୟବଚ୍ଛେଦ ପରେ ଜଣାପଡ଼ିଲା ଯେ ଶବ ସଂରକ୍ଷିତ ରଖିବାକୁ ମସଲା ବା ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ନ ଥିଲା। ବଡ଼ ଅଦ୍ଭୁତ କଥା ପଡ଼ୋଶୀମାନେ ଅଥବା କଦବାକ୍ବଚିତ୍ ଘରକୁ ଆସୁଥିବା ଅତିଥିମାନେ କେମିତି ଦୁର୍ଗନ୍ଧ ବାରିପାରିଲେ ନାହିଁ! ସେ ବର୍ଷ ଏପ୍ରିଲ୍ ମାସରେ ପାର୍ଥ ଦେ ଘରେ ନିଜ ଜନ୍ମଦିନ ଅବସରରେ ଭୋଜି ଆୟୋଜନ କରିଥିଲେ। ବହୁ ଆତ୍ମୀୟସ୍ବଜନ ଆସିଥିଲେ। କିନ୍ତୁ, ଘରେ ଶବଟିଏ ଶଢୁଥିବା କଥା କେହି ଜାଣିପାରିଲେ ନାହିଁ। ଦେ ପରିବାର ସଦସ୍ୟଙ୍କ ପାଇଁ ଦୈନିକ ତିନିବେଳା ଭୋଜନ ଆଣୁଥିବା ସିକ୍ୟୁରିଟି ଗାର୍ଡ ବି କୌଣସି ସନ୍ଦିଗ୍ଧ ଘଟଣା ଘଟିଥିବା କଥା ଜାଣିପାରିଲା ନାହିଁ।
ପାର୍ଥଙ୍କ ଚିକିତ୍ସା ଓ ରହସ୍ୟଜନକ ମୃତ୍ୟୁ
ଏହାପରେ ପୁଲିସ୍ ପାର୍ଥ ଦେଙ୍କୁ ଚିକିତ୍ସା ଲାଗି ‘ପାଭ୍ଲ୍ଭ୍ ମେଣ୍ଟାଲ୍ ହସ୍ପିଟାଲ୍’ରେ ଭର୍ତ୍ତିକଲା। ଡାକ୍ତରମାନେ କହିଲେ ଯେ ଦୀର୍ଘଦିନ ଧରି ଶବ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଯାଇଥିବା ତାଙ୍କ ଦେହରୁ ଉତ୍କଟ ଦୁର୍ଗନ୍ଧ ବାହାରୁଛି। ମଝିରେ ମଝିରେ ସେ ‘ଜେଜସ୍’, ‘ଜେଜସ୍’ ଏବଂ କେବେ କେମିତି ଡାକ୍ତର ଓ ନର୍ସମାନଙ୍କୁ ‘ମତେ ସ୍ପର୍ଶକର’ ବୋଲି ବଡ଼ ପାଟିରେ କହୁଛନ୍ତି। ଯୀଶୁ ଓ ମେରି ତାଙ୍କୁ ସ୍ପର୍ଶ କରିବାକୁ ଆସିବେ ବୋଲି ଡାକ୍ତରମାନେ କହିବା ପରେ ଯାଇ ସେ ଚୁପ୍ ହେଉଥିଲେ। ଥରେ ପାର୍ଥ ଦେ’ଙ୍କୁ କାଉନ୍ସେଲିଙ୍ଗ୍ ଦେବା ପାଇଁ ୩ଜଣ ମହିଳା ମନୋସ୍ତତ୍ତ୍ବବିତ୍ ଆସିଥିଲେ। କିନ୍ତୁ, ଦେ ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଭିତରକୁ ଆସିବା ଲାଗି ସମ୍ମତ ହେଲେ। ସେ ମହିଳା ମନୋସ୍ତତ୍ତ୍ବବିତ୍ ତାଙ୍କ କୋଠରିକୁ ପଶିବାକ୍ଷଣି ଦେ ତାଙ୍କୁ ବିବସନା ହେବାକୁ କହିଲେ। ଅତି ଭୀଷଣ ମାନସିକ ଅବସାଦ ଭୋଗିଲେ ଏଭଳି ବିକାର ଆସେ ବୋଲି ସେ ମନୋସ୍ତତ୍ତ୍ବବିତ୍ ପ୍ରକାଶ କରିଛନ୍ତି। କିଛିଦିନର ଚିକିତ୍ସା ପରେ ପାର୍ଥ ସେଠାରୁ ମୁକ୍ତ ହୋଇଥିଲେ। ୨୦୧୭ ମସିହାରେ ସେ ରହୁଥିବା ଘରୁ ରହସ୍ୟଜନକ ଭାବେ ତାଙ୍କ ଶବ ଉଦ୍ଧାର ହୋଇଥିଲା। ଏହି ଘଟଣାକୁ ନେଇ ବଙ୍ଗଳାର ଜଣାଶୁଣା ନିର୍ଦ୍ଦେଶକ କମଳେଶ୍ବର ମୁଖାର୍ଜୀ ‘ରବିନ୍ସନ୍ ଷ୍ଟ୍ରିଟ୍ ହରର୍ ଷ୍ଟୋରି’ ଶୀର୍ଷକ ଏକ ଡକ୍ୟୁଫିଚର୍ ନିର୍ମାଣ କରିଛନ୍ତି। ଗତବର୍ଷ ଏହା ବଙ୍ଗ୍ଲା ଓଟିଟି ପ୍ଲାଟ୍ଫର୍ମ ‘ହୋଇଚୋଇ’ରେ ପ୍ରସାରିତ ହୋଇଛି।