ସେଦିନ ଥିଲା ୨୦୦୭ ଜୁଲାଇ ୧୯ ତାରିଖ। ହିନ୍ଦୁରାଓ ଗୱାରେ ସନ୍ଧ୍ୟା ପ୍ରାୟ ୭ଟାରେ ଘରକୁ ଫେରିଲେ। ଘରେ ପଶୁ ପଶୁ ପତ୍ନୀ କଳ୍ପନା କହିଲେ, ସେ ପ୍ରାୟ ୬ଟା ବେଳୁ ଘରକୁ ଫେରିଲେଣି, କିନ୍ତୁ ଝିଅ ସ୍ନେହଲ୍କୁ ଖୋଜି ପାଉନାହାନ୍ତି। ତା’ ଫୋନ୍ ବି ବନ୍ଦ। ତା’ର ଚପଲ ଘରେ ଅଛି କିନ୍ତୁ ସେ ନାହିଁ। ଅପରାହ୍ଣ ୩:୨୮ରେ ସ୍ନେହଲ୍ଠାରୁ କଳ୍ପନା ଗୋଟାଏ ବ୍ଲାଙ୍କ୍ ମେସେଜ୍ ପାଇଥିଲେ, ତା’ପରେ ସେ କଲ୍ କରିନି। ତେବେ ସ୍ନେହଲ୍ ଗଲା କୁଆଡ଼େ? ରାତି ପ୍ରାୟ ୧୦:୩୫ରେ ଗୱାରେ ଦମ୍ପତି ମୁମ୍ବାଇର ଡୋମ୍ବିବଲୀ ଥାନାରେ ଝିଅ ନିରୁଦ୍ଦିଷ୍ଟ ହେବା ନେଇ ଏଫ୍ଆଇଆର୍ କଲେ। ରାତି ପ୍ରାୟ ସାଢ଼େଦୁଇଟା ପର୍ଯ୍ୟନ୍ତ ସାଙ୍ଗସାଥୀଙ୍କୁ ଧରି ବହୁତ ଖୋଜାଖୋଜି ପରେ ଦୁହେଁ ଘରକୁ ଫେରିଆସିଲେ।
ବକ୍ସ ବେଡ୍ରେ ସ୍ନେହଲ୍
ଘରର ହଲ୍ରେ ବିଶ୍ରାମ କରୁଥିବା ହିନ୍ଦୁରାଓ ଓ ତାଙ୍କ ବନ୍ଧୁମାନେ ଭୋର୍ ପ୍ରାୟ ୫:୧୫ରେ ହଠାତ୍ କଳ୍ପନାଙ୍କ ଚିତ୍କାର ଶୁଣିଲେ। ଶୋଇବା ଘରେ ପଡ଼ିଥିବା ବକ୍ସ ବେଡ୍ ଭିତରୁ ସ୍ନେହଲ୍ର ପାଦଯୋଡ଼ିକ ଦେଖି ଚିତ୍କାର କରୁଥିଲେ କଳ୍ପନା। ହିନ୍ଦୁରାଓ ଦୌଡ଼ିଆସି ମ୍ୟାଟ୍ରେସ୍ ଓ ପ୍ଲାଇ ଉଠାଇ ଦେବାରୁ ସ୍ନେହଲ୍ଙ୍କ ଶବ ଦେଖାଗଲା। ତାଙ୍କର ଦୁଇ ହାତ ପଛପଟୁ ବନ୍ଧା ହୋଇଥିଲା ଆଉ ପାଟିରେ ଗୋଟେ ଧଳାଲୁଗା ଗୁଡ଼ା ହୋଇଥିଲା। ସମସ୍ତେ ସ୍ତବ୍ଧ ହୋଇଗଲେ। ଅଭ୍ୟୁଦୟ କୋଅପରେଟିଭ୍ ବ୍ୟାଙ୍କ୍ର ଆସିଷ୍ଟାଣ୍ଟ୍ ଆକାଉଣ୍ଟାଣ୍ଟ୍ ହିନ୍ଦୁରାଓ ଗୱାରେ ଓ ସ୍କୁଲ୍ ଶିକ୍ଷୟିତ୍ରୀ କଳ୍ପନାଙ୍କ ସୁଖୀ ସଂସାରରେ ଏମିତି ନିଆଁ ଲାଗିଯିବ ବୋଲି ସେମାନେ ଭାବି ନ ଥିଲେ। ବଡ଼ଝିଅ ଶୀତଲ୍ ଲଣ୍ଡନ୍ରେ ପଢୁଥିଲା ଏବଂ ସ୍ନେହଲ୍ ଅନ୍ଧେରୀରେ ଥିବା ସର୍ଦାର୍ ବଲ୍ଲଭଭାଇ ପଟେଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଙ୍ଗ୍ରେ ପଢୁଥିଲା।
ହତ୍ୟାକାରୀ ବିକି ଦେଇଥିଲା ଫୋନ୍
ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଯେ ପାଟି ଓ ନାକ ବନ୍ଦ କରାଯାଇଥିବାରୁ ୨୧ ବର୍ଷୀୟା ସ୍ନେହଲ୍ ଅଣନିଃଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି। ପୁଲିସ ହତ୍ୟା ମାମଲା ଦାଏର କରି ତଦନ୍ତ ଆରମ୍ଭ କଲା। ଘଟଣାର ୧୩ଦିନ ପରେ ପୁଲିସ ମନ୍ସୁଖ୍ ଶିବାଜୀ ପାଟିଲ୍ ନାମରେ ଜଣେ ଦୋକାନୀଠାରୁ ସ୍ନେହଲ୍ର ମୋବାଇଲ୍ ଫୋନ୍ ଜବତ୍ କଲା। ତା’ଠାରୁ ଜଣାପଡ଼ିଲା କି ଜୁଲାଇ ୩୧ରେ ଜଣେ ଲୋକ ତାକୁ ୩,୫୦୦ ଟଙ୍କାରେ ଏ ଫୋନ୍ଟି ବିକ୍ରି କରିଥିଲା। ଦୋକାନୀର ବର୍ଣ୍ଣନା ମୁତାବକ ଉକ୍ତ ଲୋକର ସ୍କେଚ୍ ପୁଲିସ୍ ପ୍ରସ୍ତୁତ କରି ସ୍ନେହଲ୍ଙ୍କ ପରିବାର ଲୋକଙ୍କୁ ଦେଖାଇଲା। ମାତ୍ର ସେମାନେ ଚିହ୍ନଟ କରିପାରିଲେ ନାହିଁ। ପୁଲିସ ହତ୍ୟାକାରୀର ଟେର୍ ପାଉ ନ ଥିଲା।
ବୟଫ୍ରେଣ୍ଡ୍ ସହ ମନୋମାଳିନ୍ୟ
ଶେଷରେ ପୁଲିସ୍ ସ୍ନେହଲ୍ର ବୟଫ୍ରେଣ୍ଡ୍ ହିରେନ୍ ରାଠୋଡ୍କୁ ଧରିଲା। କିନ୍ତୁ ପଚରାଉଚରାରୁ କୌଣସି ତଥ୍ୟ ପାଇଲା ନାହିଁ। ଇତିମଧ୍ୟରେ ହିରେନ୍ ଆମେରିକା ଚାଲିଗଲା। ୨୦୦୮ ଜୁଲାଇ ୨ରେ ଏକ ଫୋରେନ୍ସିକ୍ ରିପୋର୍ଟରୁ ଜଣାପଡ଼ିଲା ଯେ ସ୍ନେହଲ୍ର ହିରେନ୍ ସହ ଝଗଡ଼ା ହୋଇଥିଲା। ତା’ଛଡ଼ା ହିରେନ୍କୁ ସେ ସନ୍ଦେହ କରି ତା’ ଉପରେ ନଜର ରଖିବାକୁ ତା’ ବନ୍ଧୁମାନଙ୍କୁ କହୁଥିଲା। ପୁଲିସ ହିରେନ୍କୁ ହତ୍ୟାକାରୀ ଭାବି ତଦନ୍ତ ଚଳାଇଲା। ଆମେରିକାରୁ ଫେରି ୨୦୧୦ ଏପ୍ରିଲ୍ ୯ ତାରିଖରେ ସ୍ବେଚ୍ଛାକୃତ ଭାବେ ରାଠୋଡ୍ ଅଦାଲତରେ ହାଜର ହୋଇ ତା’ର ନାର୍କୋ ଟେଷ୍ଟ୍ କରାଇବା ପାଇଁ ଆବେଦନ କଲା। ଏପ୍ରିଲ୍ ୨୦ରେ ରାଠୋଡ୍କୁ ଗିରଫ କରି ଅଦାଲତରେ ହାଜର କଲା ପୁଲିସ। ପୁଲିସ ତାକୁ ଏପ୍ରିଲ୍ ୨୭ ପର୍ଯ୍ୟନ୍ତ ରିମାଣ୍ଡ୍ରେ ନେଲା ଏବଂ ତା’ପରେ ତାକୁ ବିଚାର ବିଭାଗୀୟ ହାଜତରେ ରଖାଗଲା। ମେ ୪ ତାରିଖରେ ନାର୍କୋ ଟେଷ୍ଟ୍ ପାଇଁ ଅଦାଲତ ଅନୁମତି ମଞ୍ଜୁର କଲେ ଏବଂ ମେ୨୬ରେ ଅଦାଲତ ତାକୁ ଜାମିନ ଦେଲେ।
ରାଠୋଡ୍ ଆତତାୟୀ!
କିନ୍ତୁ, ଏହା ଆଗରୁ ୨୦୦୭ରୁ ୨୦୦୮ ଭିତରେ ହିରେନ୍ ରାଠୋଡ୍, ହିନ୍ଦୁରାଓ ଗୱାରେ ଓ କଳ୍ପନା ଗୱାରେଙ୍କର ସାଇକୋଲୋଜିକାଲ୍ ପ୍ରୋଫାଇଲିଙ୍ଗ୍ ଓ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା। ଖାଲି ଏତିକି ନୁହେଁ, ରାଠୋଡ୍ଙ୍କର ‘ବ୍ରେନ୍ ଇଲେକ୍ଟ୍ରିକାଲ୍ ଅକ୍ସିଲେସନ୍ ସିଗ୍ନେଚର୍ ପ୍ରୋଫାଇଲିଙ୍ଗ୍’ ବା ବ୍ରେନ୍ ଫିଙ୍ଗର୍ପ୍ରିଣ୍ଟିଙ୍ଗ୍ ବି କରାଯାଇଥିଲା। ସ୍ନେହଲ୍ ହତ୍ୟା ଘଟଣା ସଂକ୍ରାନ୍ତରେ କିଛି ଜାଣନ୍ତିନି ବୋଲି ରାଠୋଡ୍ କହିଥିଲେ। କିନ୍ତୁ ଏଥିରୁ ଜଣାପଡ଼ିଲା ଯେ, ସେ ସ୍ନେହଲ୍ଙ୍କ ଘରକୁ ଯାଇ, ତାକୁ ଆକ୍ରମଣ ଓ ହତ୍ୟାକରିଥିଲା। ତା’ର ଶବ ବେଡ୍ ବକ୍ସରେ ରଖି ତା’ର ଚେନ୍ ଓ ମୋବାଇଲ୍ ଫୋନ୍ ନେଇ ଆସିଥିଲା। ମାତ୍ର, କୌଣସି ଫିଙ୍ଗରପ୍ରିଣ୍ଟ୍ କିମ୍ବା ଅନ୍ୟ କିଛି ପ୍ରମାଣ ପୁଲିସ ପାଇପାରି ନ ଥିଲା।
ପ୍ରମାଣ ଅଭାବରୁ ହତ୍ୟାକାରୀ ଖସିଗଲା
ଏହାପରେ ମହାରାଷ୍ଟ୍ରର କଲ୍ୟାଣରେ ଥିବା ଅଦାଲତରେ ପୁଲିସ ‘ଏ’ ସମରି ରିପୋର୍ଟ ଫାଇଲ୍ କଲା। ‘ଏ’ ସମରି ରିପୋର୍ଟ ଅର୍ଥ ମାମଲା ସତ୍ୟ, କିନ୍ତୁ ଯଥେଷ୍ଟ ପ୍ରମାଣ ମିିଳିନାହିଁ। ତା’ପରେ ମାମଲା ଡୋମ୍ବିବଲୀ ପୁଲିସଠାରୁ କଲ୍ୟାଣ କ୍ରାଇମ୍ବ୍ରାଞ୍ଚ୍କୁ ସ୍ଥାନାନ୍ତର କରାଗଲା। ୨୦୧୧ ଜାନୁଆରି ୨୪ରେ ତଦନ୍ତକାରୀ ଅଧିକାରୀ ଧାରା ୧୬୯ ଅନୁଯାୟୀ ରିପୋର୍ଟ ଦାଖଲ କଲେ। ସେଥିରେ ଉଲ୍ଲେଖ ଥିଲା କି, ରାଠୋଡ୍, ତାଙ୍କ ବନ୍ଧୁ, ତାଙ୍କ ନିଯୁକ୍ତିଦାତା ଓ ସ୍ନେହଲ୍ଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସତ୍ତ୍ବେ ଏଥିରେ ରାଠୋଡ୍ଙ୍କ ସମ୍ପୃକ୍ତି ସମ୍ବନ୍ଧରେ କୌଣସି ଉଲ୍ଲେଖନୀୟ ପ୍ରମାଣ ମିଳିଲା ନାହିଁ। ବଳିଷ୍ଠ ପ୍ରମାଣ ନ ଥିବାରୁ ଚାର୍ଜସିଟ୍ ଦାଖଲ କରାଯାଇ ପାରିଲାନାହିଁ। ତେଣୁ ସିଆର୍ପିସି ଧାରା ୧୬୯ ଅନୁଯାୟୀ ରାଠୋଡ୍ଙ୍କୁ ମୁକ୍ତ କରାଯାଉ। କିନ୍ତୁ, କଲ୍ୟାଣ ଅଦାଲତ ଏହାକୁ ଅଗ୍ରାହ୍ୟ କରି ତଦନ୍ତ ଚାଲୁ ରଖିବାକୁ କହିଲେ।
ମାମଲା ବନ୍ଦ ହୋଇନାହିଁ
ପୁନଶ୍ଚ ୨୦୧୪ ମାର୍ଚରେ ପୁଲିସ ଅନୁରୂପ ରିପୋର୍ଟ ଦାଖଲ କରି ରାଠୋଡ୍ଙ୍କୁ ମୁକ୍ତ କରିବାକୁ କହିଲା। ଏଥର ଅଦାଲତ ସ୍ନେହଲ୍ଙ୍କ ପିତା ହିନ୍ଦୁରାଓଙ୍କୁ ଜବାବ ଦାଖଲ କରିବାକୁ କହିଲେ। କିନ୍ତୁ, ସେ ଅସଲ ଅପରାଧୀର ନାଁ ଜାଣିବାକୁ ଚାହାନ୍ତି ବୋଲି ବୟାନ ଦେଲେ। ତେଣୁ, ଅଦାଲତ ପୁଲିସକୁ ଅଧିକ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଲେ। ପୁଲିସ କହୁଛି ଅଦାଲତଙ୍କ ଆଦେଶମତେ ତଦନ୍ତ ଚାଲିଛି, କିନ୍ତୁ କିଛି ନୂଆ ସୁରାକ୍ ମିଳୁନାହିଁ, ତେଣୁ ମାମଲା ବନ୍ଦ ହୋଇନାହିଁ। ତେଣୁ ସ୍ନେହଲ୍କୁ କିଏ ବାନ୍ଧିଲା, ତା’ ପାଟିରେ କପଡ଼ା ଗୁଡ଼ାଇଲା ଓ ତାଙ୍କରି ଘରେ ତାଙ୍କୁ ହତ୍ୟାକରି ବକ୍ସ୍ ବେଡ୍ରେ ପୂରାଇ ଦେଲା-ସେ ଆତତାୟୀକୁ ଖୋଜା ଚାଲିଛି। ତେଣେ ହତ୍ୟାକାଣ୍ଡ ସଂଦିଗ୍ଧ ହିରେନ୍ ରାଠୋଡ୍ ଓ ତା’ର ନୂଆ ଗାର୍ଲଫ୍ରେଣ୍ଡ୍ ଈଶା ଚକ୍ରବର୍ତ୍ତୀ ୨୦୧୩ରେ ବିବାହ କରିଥିବା ସୂଚନା ରହିଛି।