କୋଲ୍‌କାତା: କୋଲ୍‌କାତାରୁ ପ୍ରକାଶ ପାଉଥିବା ଭାରତର ଏକମାତ୍ର ‘ମାଣ୍ଡାରିନ୍‌’ ଭାଷାର ଖବରକାଗଜ ‘ସେଓଙ୍ଗ୍‌ ପୋଓ’ର ପ୍ରକାଶନ ବନ୍ଦ ହୋଇଥିବା କଥା ‘ଚାଇନିଜ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ’ର ସଭାପତି ଚେନ୍‌ ୟାଓ ହୁଆ କହିଛନ୍ତି।

Advertisment

୧୯୬୯ରେ କୋଲ୍‌କାତାରୁ ଲି’ ୟୁନ୍‌ ଚିନ୍‌ ‘ଦି ଓଭର୍‌ ସି’ଜ୍‌ ଚାଇନିଜ୍ କମର୍ସ ଅଫ୍‌ ଇଣ୍ଡିଆ’ ବା ‘ସେଓଙ୍ଗ୍‌ ପୋଓ’ ପ୍ରକାଶନ ଆରମ୍ଭ କରିଥିଲେ। ମାର୍ଚ ୨୦୨୦ ଅର୍ଥାତ୍‌ କୋଭିଡ୍‌ ମହାମାରୀ ବ୍ୟାପିବା ପର୍ଯ୍ୟନ୍ତ ଏହାର ପ୍ରକାଶନ ଅବ୍ୟାହତ ଥିଲା।

କରୋନାଭାଇରସ୍‌ ମହାମାରୀ ଯୋଗୁଁ ଖବରକାଗଜର ସମ୍ପାଦକ କୁଓ-ସାଇ ଚାଙ୍ଗ୍‌ ପ୍ରକାଶନ ବନ୍ଦ କରିଦେଥିଲେ ଏବଂ ପରେ ୨୦୨୦ ଜୁଲାଇରେ ତାଙ୍କର ମୃତ୍ୟୁ ଘଟିଲା। ପରିଶେଷରେ ତାଙ୍କର ମୃତ୍ୟୁ ହିଁ ଖବରକାଗଜ ‘ସେଓଙ୍ଗ୍‌ ପ‌ୋଓ’ ପ୍ରକାଶନର ଅବସାନ ଘଟାଇଲା।

publive-image Image Courtesy of News 18

୪ ପୃଷ୍ଠାବିଶିଷ୍ଟ ଏହି ଖବରକାଗଜ ଭାରତରେ ଥିବା ଚୀନା ସମ୍ପ୍ରଦାୟଙ୍କ ବିଷୟରେ ଅନେକ ସମ୍ବାଦ ପରିବେଶଣ କରୁଥିଲା। କୋଭିଡ୍‌ ଲକ୍‌ଡାଉନ୍‌ ଜାରି ହେବା ପୂର୍ବରୁ ଏଥିରୁ ଦୈନିକ ପ୍ରାୟ ୨୦୦ କପି ଛାପା ହେଉଥିଲା।

‘ସେଓଙ୍ଗ୍‌ ପ‌ୋଓ’ର ଦୋଦୁଲ୍ୟମାନ ଅବସ୍ଥା ସଂକ୍ରାନ୍ତରେ ‘ଚାଇନିଜ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ’ର ସଭାପତି ଚେନ୍‌ ୟାଓ ହୁଆ କହନ୍ତି ଯେ, ‘ମାଣ୍ଡାରିନ୍‌’ ଭାଷା (ଚୀନା ଭାଷା) ଶିକ୍ଷାର ଅଭାବ ହିଁ ଏହି ସମ୍ବାଦପତ୍ର ବନ୍ଦ ହେବା ପାଇଁ ଦାୟୀ। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଏହି ଖବରକାଗଜ ପ୍ରକାଶନ ବଜାୟ ରଖିବାକୁ ସେମାନେ ଉପଯୁକ୍ତ ବ୍ୟକ୍ତିଟିଏ ପାଇବାରେ ବିଫଳ ହେଲେ। କାରଣ, ଏହି ଖବରକାଗଜର ଅଫିସ୍‌ ଥିବା ତାଙ୍ଗ୍‌ରା ଅଞ୍ଚଳରେ ଚୀନା ଭାଷାଭାଷୀଙ୍କ ସଂଖ୍ୟା ହ୍ରାସ ପାଇ ଆସିଲାଣି। ଏଠାରେ ବାସ କରୁଥିବା ଅଳ୍ପ କେତେ ‌ଜଣେ ଚୀନା ତରୁଣ ଠିକ୍‌ ଭାବେ ‘ମାଣ୍ଡାରିନ୍‌’ ଭାଷା ଲେଖି କି, ପଢ଼ି ଜାଣି ନ ଥିବାରୁ ‘ସେଓଙ୍ଗ୍‌ ପୋଓ’ ପ୍ରକାଶନ ଚାଲୁ ରଖିବା ଅସମ୍ଭବ ହୋଇପଡ଼ିଲା।