ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତ ଆମେରିକୀୟ ଫ୍ୟାସନ୍ ଡିଜାଇନର ଟୋରି ବୁର୍ଚ କାଚ ଦର୍ପଣ ଖଚିତ ମାକ୍ସି ଡ୍ରେସ୍ ପ୍ରସ୍ତୁତ କରିବା ପରେ ଏହା ଏବେ ଇନ୍ଷ୍ଟାଗ୍ରାମ୍ରୁ ଆରମ୍ଭ କରି ବିବାହ, ରୋଡ୍ କାର୍ପେଟ, ପାର୍ଟି ଭଳି ଆସରରେ ବେଶ୍ ଦେଖିବାକୁ ମିଳୁଛି। ଟୋରି ବୁର୍ଚ ଓ ଜେ. କ୍ରୁ ପରି ପାଶ୍ଚାତ୍ୟ ବ୍ରାଣ୍ଡ୍ ପୋଷାକରେ କାଚ ଏମ୍ବ୍ରୋଡୋରି କାମ ଏବେ ଏବେ ଆରମ୍ଭ କରୁଥିବାବେଳେ ଭାରତରେ ଏହାର ଶତାବ୍ଦୀ ଶତାବ୍ଦୀ ପୁରୁଣା ଇତିହାସ ରହିଛି। ବଡ଼ ବଡ଼ ପାଶ୍ଚାତ୍ୟ ବ୍ରାଣ୍ଡ୍ ଏହି ଏମ୍ବ୍ରୋଡୋରି ଡିଜାଇନକୁ ନକଲ କରି ପ୍ରଚୁର ଅର୍ଥ ଓ ପ୍ରସିଦ୍ଧି ଅର୍ଜନ କରୁଥିବାବେଳେ ଏହି ଡିଜାଇନକୁ ଆଜି ପର୍ଯ୍ୟନ୍ତ ଉଜ୍ଜୀବୀତ କରି ରଖିଥିବା ମହିଳା ବୁଣାକାରମାନେ ଅବହେଳିତ ଅଛନ୍ତି।
ଡିଜାଇନର୍ ଟୋରି ବୁର୍ଚ ଭାରତୀୟ ଫ୍ୟାସନ ଦ୍ବାରା ଅନୁପ୍ରାଣିତ ହୋଇ ଏହି ପୋଷାକ ପ୍ରସ୍ତୁତ କରିଥିବା କଥା ସ୍ବୀକାର କରିଛନ୍ତି ସତ କିନ୍ତୁ ତାହା ଯଥେଷ୍ଟ ନୁହେଁ ବୋଲି ଚର୍ଚ୍ଚା ହେଉଛି। ବାସ୍ତବରେ କାଚ ଦର୍ପଣ ଖଚିତ ପୋଷାକ ଡିଜାଇନ ପଛର ଐତିହ୍ୟ ତଥା ପାରଙ୍ଗମ ବୁଣାକାରମାନଙ୍କର ଦକ୍ଷତା ଉକ୍ତ ବ୍ରାଣ୍ଡ୍ମାନଙ୍କ ମାର୍କେଟିଂ ଓ ବ୍ୟାଖ୍ୟାନରେ ଉଲ୍ଲେଖ ରହିବା କଥା ବୋଲି ଭାରତୀୟ ଫ୍ୟାସନ ସାମ୍ବାଦିକ, ସୋସିଆଲ ମିଡିଆ କ୍ରିଏଟର୍ମାନେ ମତ ପ୍ରକାଶ କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ ଭାରତର ଗୁଜରାଟ ଓ ରାଜସ୍ଥାନରେ କାଚ ଦର୍ପଣର ଏମ୍ବ୍ରୋଡୋରି ସହ ପାରମ୍ପରିକ ପୋଷାକ ବୁଣା ହୋଇ ଆସୁଛି। ରବାରୀ ଓ ଲମ୍ବାଣୀ ଭଳି ସଂପ୍ରଦାୟର ମହିଳାମାନେ ହେଉଛନ୍ତି ଲେହେଙ୍ଗା, କୁର୍ତ୍ତା, ଓଢ଼ଣୀ, ବ୍ଲାଉଜ୍ ଆଦିରେ ଚମତ୍କାର କାଚ କାମ କରୁଥିବା ବୁଣାକାର। ଦର୍ପଣ ଦୁଷ୍ଟ ଆତ୍ମାଙ୍କୁ ଦୂରେଇ ରଖିବା ସହ ନକାରାତ୍ମକତାକୁ ପ୍ରତିଫଳିତ କରିଥାଏ ବୋଲି ବିଶ୍ବାସରୁ ପୋଷାକରେ କାଚ ଏମ୍ବ୍ରୋଡୋରି କାମ ଆରମ୍ଭ ହୋଇଥିବାର ବିଶ୍ବାସ କରାଯାଏ।