ପ୍ରାରମ୍ଭିକ ଦିନଗୁଡ଼ିକରେ, କମ୍ପ୍ୟୁଟର ଏକ ବିଶାଳ ମେସିନ୍ ଥିଲା ଯାହା ପ୍ରାୟତଃ ଗୋଟିଏ କୋଠରିକୁ ଅଧିକାର କରୁଥିଲା। ସେହି ସମୟରେ ତାହା ହଜାର ହଜାର ଭାକ୍ୟୁମ ଟ୍ୟୁବ ଦ୍ୱାରା ଚାଲୁଥିଲା ଏବଂ ‘ଅନ୍-ଅଫ୍’ ସ୍ୱିଚ୍ ପରି କାମ କରୁଥିଲା, ଯାହାକି ଟେଲିଫୋନ୍ ଏକ୍ସଚେଞ୍ଜ ପରି ଦେଖାଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଆପଣଙ୍କ ନଖଠାରୁ ଛୋଟ ଏକ ଚିପ୍ ଭିତରେ ଅଧିକ ଶକ୍ତି ରହିଛି- ଯାହା ବିଲିୟନ୍ ସଂଖ୍ୟକ ଟ୍ରାନଜିଷ୍ଟର ଦ୍ୱାରା ଚାଳିତ। ଏହି ଚିପ୍‌ଗୁଡ଼ିକ ଆପଣଙ୍କ ମୋବାଇଲ୍ ଫୋନ୍, କାର, ଟ୍ରେନ୍, ଫ୍ରିଜ୍, ଟିଭି, ସ୍କୁଟି, ଫ୍ୟାକ୍ଟ୍ରି ମେସିନ୍, ବିମାନ, ଏବଂ ମହାକାଶରେ ଥିବା ସାଟେଲାଇଟ୍‌ ଗୁଡ଼ିକୁ ଚଳାଇଥାଏ। ଏହା ଏତେ ଛୋଟ ଯେ, ଏବେ ଏହା ଏକ ସ୍ମାର୍ଟ ମୁଦି ମାଧ୍ୟମରେ ଆପଣଙ୍କ ଆଙ୍ଗୁଠିରେ ରହି ଆପଣଙ୍କ ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟବସ୍ଥାକୁ ଟ୍ରାକ୍ କରିପାରୁଛି। ଏହା ହେଉଛି ସେମିକଣ୍ଡକ୍ଟରର ଯାଦୁ।

Advertisment

ପ୍ରଗତି ପାଇଁ ସେମିକଣ୍ଡକ୍ଟର
ଏକ ରାଷ୍ଟ୍ରର ବିକାଶ ପାଇଁ, ତାହାର ବୃଦ୍ଧିକୁ ଆକାର ଦେଉଥିବା ମୁଖ୍ୟ କ୍ଷେତ୍ରଗୁଡ଼ିକରେ ଦକ୍ଷତା ହାସଲ କରିବା ଅତ୍ୟାବଶ୍ୟକ। ଏହି ମୌଳିକ କ୍ଷେତ୍ରମାନଙ୍କ ମଧ୍ୟରେ ଷ୍ଟିଲ୍, ବିଦ୍ୟୁତ୍, ଟେଲିକମ୍, ରସାୟନ, ପରିବହନ ଓ ସେମିକଣ୍ଡକ୍ଟର ରହିଛି। ସେମିକଣ୍ଡକ୍ଟର ହେଉଛି ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୌଳିକ କ୍ଷେତ୍ର। ଆମେ ବ୍ୟବହାର କରୁଥିବା ପ୍ରାୟ ସବୁଥିରେ, ଯେପରିକି ସ୍ମାର୍ଟଫୋନ୍, କାର, ଟ୍ରେନ୍, ଚିକିତ୍ସା ଉପକରଣ, ପ୍ରତିରକ୍ଷା ବ୍ୟବସ୍ଥା, ବିଦ୍ୟୁତ୍ ଗ୍ରିଡ୍, ସାଟେଲାଇଟ୍ ଓକୃତ୍ରିମ ବୁଦ୍ଧିମତ୍ତା ଆଦିରେ ଲୁଚି ରହିଥିବା ଇଞ୍ଜିନ୍ ହେଉଛନ୍ତି ସେମାନେ। 

ସେମିକଣ୍ଡକ୍ଟର ଶିଳ୍ପ ହେଉଛି ଏକ ମୌଳିକ ଓ କୌଶଳଗତ ଶିଳ୍ପ। କାରଖାନା, ପୋଲ ଓ ରେଳପଥ ନିର୍ମାଣର ଆଧାର ଯେପରି ଇସ୍ପାତ୍‌ ହୋଇଥାଏ, ସେହିପରି ସେମିକଣ୍ଡକ୍ଟର ହେଉଛି ଡିଜିଟାଲ୍ ଅର୍ଥନୀତିର ଭିତ୍ତିଭୂମି। ଚିପ୍ ବିନା ଆଧୁନିକ ଯୋଗାଯୋଗ, ଡାଟା ପ୍ରୋସେସିଂ, କୃତ୍ରିମ ବୁଦ୍ଧିମତ୍ତା, ଅକ୍ଷୟ ଶକ୍ତି ପ୍ରଣାଳୀ ଓ ସୁରକ୍ଷିତ ପ୍ରତିରକ୍ଷା ବ୍ୟବସ୍ଥା ସମ୍ଭବ ନୁହେଁ। ଯଦି ଗୋଟିଏ ରାଷ୍ଟ୍ର ସେମିକଣ୍ଡକ୍ଟର ଡିଜାଇନ୍ ଓ ଉତ୍ପାଦନ କରିପାରେ ନାହିଁ, ତେବେ ତାକୁ ସ୍ୱାସ୍ଥ୍ୟସେବା ଠାରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ମୌଳିକ ଆବଶ୍ୟକତା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ିଥାଏ। ତେଣୁ, ସେମିକଣ୍ଡକ୍ଟରରେ ଶକ୍ତିଶାଳୀ ହେବା ଏକ ଶିଳ୍ପଠାରୁ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ। ଏହା ହେଉଛି ଆମ ନିଜର ଭବିଷ୍ୟତକୁ ନିଜେ ଆକାର ଦେବାର ସଙ୍କଳ୍ପ।

ରଣନୈତିକ ଏବଂ ଭୂ-ରାଜନୈତିକ ଆବଶ୍ୟକତା
ଚିପ୍‌ର ମହତ୍ତ୍ୱ କେତେ ଅଧିକ ତାହା କୋଭିଡ୍-୧୯ ମହାମାରୀ ସ୍ପଷ୍ଟ କରିଦେଇଥିଲା। ବିଶ୍ୱ ଚିପ୍ ଯୋଗାଣ ଶୃଙ୍ଖଳ ବିଫଳ ହେବା କାରଣରୁ, ବିଭିନ୍ନ ଶିଳ୍ପର ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଥିଲା। ଏହି ବ୍ୟାଘାତ ହେତୁ ହଜାର ହଜାର କୋଟି ଟଙ୍କାର ଉତ୍ପାଦନ କ୍ଷତି ହୋଇଥିଲା। ଏହା ଫଳରେ ଅଟୋ ଶିଳ୍ପ, ନେଟୱାର୍କିଂ ଡିଭାଇସ୍, ଘରୋଇ ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ।

ସେମିକଣ୍ଡକ୍ଟର ଆଜି ବିଶ୍ୱ ଭୂ-ରାଜନୀତିର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି। ଚିପ୍ ନିର୍ମାଣ କେବଳ କିଛି ଅଞ୍ଚଳରେ କେନ୍ଦ୍ରୀଭୂତ ହେବା ହେତୁ, ଛୋଟରୁ ଛୋଟ ବ୍ୟାଘାତ ମଧ୍ୟ ବିଶ୍ୱବ୍ୟାପୀ ପ୍ରଭାବ ପକାଇପାରେ। କେଉଁଠି ବିଦ୍ୟୁତ୍ ସେବାରେ ବ୍ୟାଘାତ, କିମ୍ବା ଅନ୍ୟ କେଉଁଠି କାରଖାନାରେ ଦୁର୍ଘଟଣା ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳକୁ ବାଧାଗ୍ରସ୍ତ କରିପାରେ। ଏହା କେବଳ ଶିଳ୍ପଗୁଡ଼ିକୁ ଧୀମା କରିଦେଉନାହିଁ, ବରଂ ବିଶ୍ୱ ଅର୍ଥନୀତି ଓ ସୁରକ୍ଷାକୁ ମଧ୍ୟ ପ୍ରଭାବିତ କରୁଛି। ‘ବିରଳ ଭୂ-ଚୁମ୍ବକ’ ଉପରେ ସାମ୍ପ୍ରତିକ ଧ୍ୟାନ ଏକ କଟୁ ସତ୍ୟକୁ ମନେ ପକାଇଦିଏ ଯେ, ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଉପରେ ନିୟନ୍ତ୍ରଣ କିପରି ବିଶ୍ୱ ଶକ୍ତିକୁ ଆକାର ଦେଇପାରେ। ସେହିପରି, ସେମିକଣ୍ଡକ୍ଟର ଡିଜିଟାଲ୍ ଯୁଗର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ହୋଇପଡ଼ିଛି।

ଚାହିଦା ବୃଦ୍ଧି
ଭବିଷ୍ୟତରେ ସେମିକଣ୍ଡକ୍ଟରର ଚାହିଦା ବଢ଼ିବାକୁ ଯାଉଛି। ଆମର ନିଜସ୍ୱ ବୈଦ୍ୟୁତିକ-ଯନ୍ତ୍ର ବ୍ୟବହାର ଓ ଉତ୍ପାଦନ ଅଭୂତପୂର୍ବ ବେଗରେ ବିସ୍ତାରିତ ହେଉଛି। ଆଜି ଭାରତରେ ୬୫ କୋଟିରୁ ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଅଛନ୍ତି, ଏବଂ ଆମର ବୈଦ୍ୟୁତିକ-ଯନ୍ତ୍ର ଉତ୍ପାଦନ ବାର୍ଷିକ ୧୨ ଲକ୍ଷ କୋଟିର ସୀମା ଛୁଇଁପାରୁଛି। ଏହା ସହିତ, ଆମେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)-ଆଧାରିତ ସିଷ୍ଟମ, ଡାଟା ସେଣ୍ଟର ଏବଂ ଇଲେକ୍ଟ୍ରିକ୍ ଯାନବାହନ ବିକାଶ କରୁଛୁ ଯାହା ସେମିକଣ୍ଡକ୍ଟର ଚିପ୍ ଆବଶ୍ୟକ କରେ। ଉଭୟ ଚାହିଦା ଏବଂ ନବୋନ୍ମେଷରେ ଏହି ଉତ୍‌ଥାନ କାରଣରୁ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ନିଜର ସ୍ଥାନ ସୁରକ୍ଷିତ କରିବା ଭାରତ ପାଇଁ ଆବଶ୍ୟକ ହୋଇ ପଡ଼ିଛି।

ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ଭବିଷ୍ୟତ 
ଦଶନ୍ଧି ଦଶନ୍ଧି ଧରି ଭାରତକୁ କୁହାଯାଉଥିଲା ଯେ ଏହା ସେମିକଣ୍ଡକ୍ଟରରେ “ବସ୍ ମିସ୍ କରିଛି”। ଏହା ଆଉ ସତ୍ୟ ନୁହେଁ। ‘ଭାରତ ସେମିକଣ୍ଡକ୍ଟର ମିସନ’ ଅଧୀନରେ, ୧୦ଟି ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଅନୁମୋଦନ ମିଳିଛି, ଯାହାଫଳରେ ପ୍ଲାଣ୍ଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଆଜି ଆମେ ଆତ୍ମବିଶ୍ୱାସର ସହିତ କହିପାରିବା ଯେ, ଚଳିତ ବର୍ଷ ପ୍ରଥମ “ମେଡ୍ ଇନ୍ ଇଣ୍ଡିଆ” ଚିପ୍ ଉତ୍ପାଦନ ହେବ। ସାନନ୍ଦର ଏକ ୟୁନିଟ୍‌ରେ ପାଇଲଟ୍ ଉତ୍ପାଦନ ଲାଇନ୍ ଆରମ୍ଭ ହୋଇସାରିଛି ଏବଂ ଏକ ବର୍ଷ ମଧ୍ୟରେ ଆମେ ଆଉ ଚାରିଟି ୟୁନିଟ୍‌ରେ ଉତ୍ପାଦନ ଆରମ୍ଭ କରିବା ପାଇଁ ଆଶା ରଖିଛୁ। ଆପ୍ଲାଇଡ୍ ମେଟେରିଆଲ୍‌ସ, ଲାମ୍ ରିସର୍ଚ୍ଚ, ମର୍କ, ଏବଂ ଲିଣ୍ଡେ ଭଳି ବିଶ୍ୱ ନେତାମାନେ ସହାୟକ ଫ୍ୟାକ୍ଟ୍ରି ଓ ଯୋଗାଣ ଶୃଙ୍ଖଳାରେ ନିବେଶ କରୁଛନ୍ତି। ଏହି ଆଭିମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ଶିଳ୍ପର ଦୀର୍ଘକାଳୀନ ବୃଦ୍ଧି ଉପରେ ଧ୍ୟାନକୁ ପ୍ରତିଫଳିତ କରେ।

ଅତି କମ୍‌ ସମୟ ମଧ୍ୟରେ ଏହି ବ୍ୟାପକ ସଫଳତା ଅନେକ କାରଣରୁ ମିଳିଛି। ସେଥି ମଧ୍ୟରୁ ଆମ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଦୃଷ୍ଟିକୋଣ, କାର୍ଯ୍ୟକାରିତା ଉପରେ ତୀକ୍ଷ୍‌ଣ ଧ୍ୟାନ, ପେସାଦାରଙ୍କ ହାତରେ ନିଷ୍ପତ୍ତି ଗ୍ରହଣ କ୍ଷମତା, ଆନ୍ତର୍ଜାତିକ ସହଯୋଗ ଏବଂ ରାଜ୍ୟ ସରକାରମାନଙ୍କ ଦୃଢ଼ ସମର୍ଥନ ଅନ୍ୟତମ। ଭାରତ ଭବିଷ୍ୟତ ଆଡ଼କୁ ଦ୍ରୁତ ବେଗରେ ଅଗ୍ରସର ହୋଇଛି। ଆମର ଡିଜାଇନ୍ ଏବଂ ପ୍ରତିଭା ପୁଲ୍ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଡିଜାଇନ୍ ଏବଂ ପ୍ରତିଭା: ଭାରତର ରଣନୈତିକ ସୁବିଧା
ନୀତି ଏବଂ ନିବେଶ ଭାରତର ପ୍ରକୃତ ଶକ୍ତି- ଏହା ଲୋକମାନଙ୍କୁ ସଶକ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଭାରତରେ ବିଶ୍ୱର ୨୦%ରୁ ଅଧିକ ଡିଜାଇନ୍ କର୍ମଚାରୀ ରହିଛନ୍ତି। ଏକ ଆକଳନ ଅନୁଯାୟୀ, ଆଗାମୀ ଦଶକର ଆରମ୍ଭ ସୁଦ୍ଧା ବିଶ୍ୱରେ ଏକ ମିଲିଅନରୁ ଅଧିକ ସେମିକଣ୍ଡକ୍ଟର ପେସାଦାରଙ୍କ ଅଭାବ ଦେଖାଦେବ। ଭାରତ ଏହି ଅଭାବକୁ ପୂରଣ କରିବାକୁ ପ୍ରସ୍ତୁତ ହେଉଛି। ୩୫୦ ଅନୁଷ୍ଠାନ ଏବଂ ଷ୍ଟାର୍ଟଅପ୍‌ରେ ୬୦,୦୦୦ରୁ ଅଧିକ ବ୍ୟବହାରକାରୀ ଭାରତ ସରକାରଙ୍କ ଦ୍ୱାରା ମାଗଣାରେ ପ୍ରଦାନ କରାଯାଇଥିବା ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ ଡିଜାଇନ୍ ଅଟୋମେସନ୍ (ଇଡିଏ) ଟୁଲ୍‌ସ ବ୍ୟବହାର କରୁଛନ୍ତି। କେବଳ ୨୦୨୫ରେ, ଏହାର ବ୍ୟବହାର ୧.୨ କୋଟି ଘଣ୍ଟା ଅତିକ୍ରମ କରିଛି।

ସରକାରଙ୍କ ଦୃଢ଼ ସମର୍ଥନ ସହିତ ଷ୍ଟାର୍ଟଅପ୍‌ଗୁଡ଼ିକ ଭାରତର ଚିପ୍ ଡିଜାଇନ୍ ଇକୋସିଷ୍ଟମକୁ ଶକ୍ତି ଯୋଗାଉଛନ୍ତି। ମାଇଣ୍ଡଗ୍ରୋଭ ଟେକ୍ନୋଲୋଜିସ୍, ଆଇଆଇଟି ମାଡ୍ରାସରୁ ଉଦ୍ଭାବିତ ସ୍ୱଦେଶୀ ‘ଶକ୍ତି’ ପ୍ରୋସେସର ଉପରେ ଆଧାରିତ ଆଇଓଟି ଚିପ୍ ବିକାଶ କରୁଛି। ନେଟ୍ରାସେମି ନାମକ ଏକ ଷ୍ଟାର୍ଟଅପ୍, ସାମ୍ପ୍ରତିକ ୧୦୭ କୋଟି ଟଙ୍କାର ରେକର୍ଡ ଫଣ୍ଡିଂ ହାସଲ କରିଛି। ଏହା ଭାରତର ସେମିକଣ୍ଡକ୍ଟର ଡିଜାଇନ୍ କ୍ଷେତ୍ରରେ ସବୁଠାରୁ ବଡ଼ ଭିସି ନିବେଶ ମଧ୍ୟରୁ ଗୋଟିଏ, ଯାହା ଏହି କ୍ଷେତ୍ରରେ ନିବେଶକମାନଙ୍କ ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି। ଭାରତ ସରକାରଙ୍କ ଡିଜାଇନ୍ ଲିଙ୍କଡ୍ ଇନସେଣ୍ଟିଭ୍ (ଡିଏଲ୍ଆଇ) ଯୋଜନା ଅଧୀନରେ ଏହିପରି ଅନେକ ଷ୍ଟାର୍ଟଅପ୍‌କୁ ବିକଶିତ କରାଯାଉଛି।

କ୍ଲାସରୁମ୍‌ରୁ କ୍ଲିନରୁମ୍‌କୁ ଯାତ୍ରା
ମୋହାଲିରେ ଥିବା ସେମିକଣ୍ଡକ୍ଟର ଲାବୋରେଟୋରି (ଏସ୍‌ସିଏଲ)ରେ ୧୭ଟି ଅନୁଷ୍ଠାନର କଲେଜ ଛାତ୍ରଛାତ୍ରୀ ଇତି ମଧ୍ୟରେ ୨୦ଟି ଚିପ୍ ଉତ୍ପାଦନ କରିଛନ୍ତି। ଆଗାମୀ ମାସମାନଙ୍କରେ ଆହୁରି ଅନେକ ଚିପ୍ ଉତ୍ପାଦନ ହେବ। ଏହି ପ୍ରକାରର ପ୍ରତିଭା ବିକାଶ ଭାରତକୁ ସେମିକଣ୍ଡକ୍ଟର ଶିଳ୍ପରେ ଦୃଢ଼ ସ୍ଥାନରେ ପହଞ୍ଚାଇବ। ଭାରତର ଯୁବ ପ୍ରତିଭା ଯେମିତି କ୍ଲାସରୁମ୍‌ରୁ କ୍ଲିନରୁମ୍‌କୁ ଯାତ୍ରା କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏସସିଏଲ୍‌ର ମଧ୍ୟ ଆଧୁନିକୀକରଣ କରାଯାଉଛି।
ପ୍ରସିଦ୍ଧ ବୈଶ୍ୱିକ କମ୍ପାନିମାନେ ମଧ୍ୟ ଭାରତୀୟ ପ୍ରତିଭାଙ୍କ ଉପରେ ନିବେଶ କରୁଛନ୍ତି। ଲାମ୍ ରିସର୍ଚ୍ଚ ଭାରତରେ ୬୦,୦୦୦ ଇଞ୍ଜିନିଅରଙ୍କୁ ତାଲିମ ଦେବାକୁ ଯାଉଛି। ଆପ୍ଲାଇଡ୍ ମେଟେରିଆଲ୍‌ସ, ଏଏମଡି ଓ ମାଇକ୍ରୋଚିପ୍ ଆରଏଣ୍ଡଡି ପାଇଁ ୧.୧ ବିଲିଅନ ଡଲାର ନିବେଶର ପ୍ରତିଶ୍ରୁତି ଦେଇଛନ୍ତି। ଆଇଆଇଏସସି, ଆଇଆଇଟି ଓ ଅନ୍ୟମାନଙ୍କ ସହିତ ଭାଗୀଦାରି ଲ୍ୟାବ୍‌-ଟୁ-ଫ୍ୟାବ୍ କର୍ମଚାରୀ ପୁଲ ତିଆରିକୁ ନିଶ୍ଚିତ କରୁଛି।

ଭାରତ ମଧ୍ୟ ଆମେରିକା, ଜାପାନ, ୟୁରୋପୀୟ ସଂଘ ଓ ସିଙ୍ଗାପୁର ସହିତ ମିଳିତ ଭାବେ ‘ଭବିଷ୍ୟତ ପାଇଁ ପ୍ରସ୍ତୁତ’ ପ୍ରତିଭା ଗଢ଼ିବା ପାଇଁ କାମ କରୁଛି। ସ୍ଥାନୀୟ ପ୍ରତିଭା ଏବଂ ବିଶ୍ୱ ସହଯୋଗର ଏହି ମିଶ୍ରଣ ନିଶ୍ଚିତ କରୁଛି ଯେ ଭାରତ କେବଳ ନିଜ ପାଇଁ ନୁହେଁ, ବରଂ ବିଶ୍ୱ ପାଇଁ ମଧ୍ୟ ନିର୍ମାଣ କରୁଛି।

ଡିଜିଟାଲ୍ ଇଣ୍ଡିଆରୁ ସେମିକନ୍ ଇଣ୍ଡିଆ
ଭାରତର ସେମିକଣ୍ଡକ୍ଟର ଯାତ୍ରା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବୃହତ୍‌ ଦୃଷ୍ଟିକୋଣର ଏକ ଅଂଶ ଅଟେ। ଏହା ଡିଜିଟାଲ୍ ଇଣ୍ଡିଆ ମିସନରୁ ଆରମ୍ଭ ହୋଇ, ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ ସହିତ ନାଗରିକମାନଙ୍କୁ ସଶକ୍ତ କରିଛି। ଇଣ୍ଡିଆ ଷ୍ଟାକ୍, ୟୁପିଆଇ, ଆଧାର ଓ ଆମର ଟେଲିକମ୍ ନେଟୱାର୍କ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଯୁକ୍ତିର ଶକ୍ତି ପ୍ରଦାନ କରିଛି।

ଏହା ସହିତ, ଆମେ ଆମର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ମଜଭୁତ କରିଛୁ। ଏବେ ଆମେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ ଉପାଦାନ ଓ ଉପକରଣ ପାଇଁ ଉତ୍ପାଦନ ଇକୋସିଷ୍ଟମ ବିକାଶ କରୁଛୁ। ଆଜିଠୁ ଆରମ୍ଭ ହେଉଥିବା ସେମିକନ୍ ଇଣ୍ଡିଆ ସମ୍ମିଳନୀ ୨୦୨୫, ଏହି ଯାତ୍ରାର ନିରନ୍ତରତାକୁ ସୂଚିତ କରୁଛି। ପ୍ରଧାନମନ୍ତ୍ରୀ ଆଜି ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଏହି ବର୍ଷ ପ୍ରାୟ ୪୮ଟି ଦେଶରୁ ୫୦୦ରୁ ଅଧିକ ବିଶ୍ୱସ୍ତରୀୟ ଶିଳ୍ପ ନେତାମାନେ ଅଂଶଗ୍ରହଣ କରୁଛନ୍ତି, ଯାହା ଗତ ବର୍ଷ ପ୍ରାୟ ୧୦୦ ଥିଲା। ଅନିଶ୍ଚିତତା ସହ ସଂଘର୍ଷ କରୁଥିବା ବିଶ୍ୱ ପାଇଁ ସ୍ଥିର ଭାରତ ଏକ ଆଶାର କିରଣ। ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ମାଲେସିଆର ସମର୍ପିତ ପ୍ୟାଭିଲିଅନ୍‌ଗୁଡ଼ିକ ଅର୍ଥପୂର୍ଣ୍ଣ ସହଯୋଗକୁ ଆଗେଇ ନେବେ। ଆମେ ବିଶ୍ୱର ଶିଳ୍ପ ଜଗତ ଓ ଯୁବ ପ୍ରତିଭାଙ୍କ ମଧ୍ୟରେ ବି-ଟୁ-ବି ଆଲୋଚନା, ବୁଝାମଣା ଓ ଭାଗୀଦାରି ମଧ୍ୟ କରିବୁ।

‘‘ଉତ୍ପାଦ ରାଷ୍ଟ୍ର’’
ଆମର ଲକ୍ଷ୍ୟ ହେଉଛି ଭାରତକୁ ଏକ “ଉତ୍ପାଦନଭିତ୍ତିକ ରାଷ୍ଟ୍ର”ରେ ପରିଣତ କରିବା। ଆମ ସେମିକଣ୍ଡକ୍ଟର କାରଖାନାର ଉତ୍ପାଦ ଟେଲିକମ୍, ଆଟୋମୋଟିଭ୍, ଡାଟା ସେଣ୍ଟର, ଗ୍ରାହକ ଇଲେକ୍ଟ୍ରୋନିକ୍ସ ଓ ଶିଳ୍ପ ଇଲେକ୍ଟ୍ରୋନିକ୍ସ ପରି ଜରୁରୀ କ୍ଷେତ୍ରଗୁଡ଼ିକୁ ସେବା ଯୋଗାଇବ। କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ। ଆଗାମୀ ଦଶକ ମଧ୍ୟରେ, ଆମର ସେମିକଣ୍ଡକ୍ଟର ୟୁନିଟ୍‌ଗୁଡ଼ିକ ପରିପକ୍ୱତା ଓ ବିସ୍ତାର ହାସଲ କରିବେ। ଭାରତ ସମଗ୍ର ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳା ପାଇଁ ଏକ ପ୍ରତିଯୋଗୀ କେନ୍ଦ୍ର ଭାବେ ଉଭା ହେବାକୁ ପ୍ରସ୍ତୁତ।