ଦିନ ଥିଲା ଯେବେ ପୃଥିବୀ ପରିକ୍ରମା କରିବାକୁ ବର୍ଷ ବର୍ଷ ସମୟ ଲାଗୁଥିଲା। ମାତ୍ର ଏବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ପୃଥିବୀ ପରିସର ସଂକୁଚିତ ହୋଇଗଲା ପରି ମନେ ହେଉଛି। ଜଣେ ଏପରିକି ପୃଥିବୀର ଯେ କୌଣସି ସ୍ଥାନରେ କେଇ ଘଣ୍ଟା ମଧ୍ୟରେ ପହଞ୍ଚି ଯାଇ ପାରୁଛି। ତେଣୁ ଆମେରିକା ଓ ୟୁରୋପୀୟ ଦେଶମାନେ ଏଣିକି ପୃଥିବୀ ବାହାରେ ପରିଭ୍ରମଣ କ୍ଷେତ୍ର ପ୍ରସ୍ତୁତ କରିବା ଉପରେ ଆଲୋକପାତ କରୁଛନ୍ତି। ଯାନରେ ପୃଥିବୀବାସୀଙ୍କୁ ମହାକାଶ ବୁଲାଇ ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଗବେଷଣା ଜାରି ରହିଛି। ଏହାର ପ୍ରଥମ ପର୍ଯ୍ୟଟନସ୍ଥଳୀ ଭାବେ ଚନ୍ଦ୍ରକୁ ଲକ୍ଷ୍ୟ ରଖାଯାଇଛି। ଅତ୍ୟନ୍ତ ବ୍ୟୟସାପେକ୍ଷ ହେଲେ ମଧ୍ୟ ଅନେକଙ୍କ ପାଇଁ ଅନ୍ତରୀକ୍ଷ ପରିଭ୍ରମଣ ବର୍ତ୍ତମାନ ପାଇଁ ଈପ୍‌ସିତ ବିଳାସ ପାଲଟିଛି। ଏହି ଉଦ୍ଦେଶ୍ୟରେ ଆମେରିକୀୟ ଉଦ୍ୟୋଗୀ ଅରବପତି ଏଲନ୍‌ ମସ୍କ ତାଙ୍କର ‘ସ୍ପେସ୍‌ଏକ୍ସ’ ନାମକ ସଂସ୍ଥା ସ୍ଥାପନ କରି ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଏପରିକି ତାଙ୍କର ଶୂନ ମାଧ୍ୟାକର୍ଷଣ ବଳ ସଂପନ୍ନ ଡ୍ରାଗନ ନାମକ ମହାକାଶଯାନରେ ପୃଥିବୀବାସୀଙ୍କୁ ଅନ୍ତରୀକ୍ଷ ବୁଲାଇନେବାର ଯୋଜନା ଆରମ୍ଭ କରିଛନ୍ତି।

Advertisment

ସେହିପରି ଅନ୍ୟତମ ଉଦ୍ୟୋଗୀ ଜେଫ୍‌ ବେଜୋସ୍‌ ମଧ୍ୟ ତାଙ୍କର ‘ବ୍ଲୁ ଓରିଜିନ୍‌’ ଯୋଜନା ମାଧ୍ୟମରେ ଲୋକଙ୍କୁ ଅନୁରୂପ ମହାକାଶ ପର୍ଯ୍ୟଟନର ମଜା ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଧ୍ୟ ନିଜସ୍ବ ଜ୍ଞାନକୌଶଳରେ କିପରି ଲୋକଙ୍କୁ ନିମ୍ନ ପୃଥିବୀ କକ୍ଷପଥରେ ମହାକାଶ ଭ୍ରମଣର ସୁବିଧା ଦେଇପାରିବ, ସେ ସମ୍ପର୍କରେ ଗବେଷଣା ଆରମ୍ଭ କରିଛି। ଏମିତି ଅନେକ ମହାକାଶଯାନ ଅନ୍ତରୀକ୍ଷକୁ ନିକ୍ଷେପ ହୋଇଥିବା ବେଳେ ଅସଲ କଥାଟି ହେଉଛି ସୁରକ୍ଷିତ ଅବସ୍ଥାରେ ଏହା ଭୂପୃଷ୍ଠକୁ ଫେରି ଆସିବା। ଏଥି ପାଇଁ ଇସ୍ରୋ ଅନ୍ୟ ୬୧ଟି ଦେଶ ସହ ଜ୍ଞାନକୌଶଳର ଆଦାନପ୍ରଦାନ ଜାରି ରଖିଛି। ଚଳିତ ବର୍ଷ ଶେଷ ଭାଗ ଆଡ଼କୁ ପ୍ରଥମେ ଭାରତୀୟ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ନେଇ ପୁଣି ପୃଥିବୀପୃଷ୍ଠକୁ ଫେରାଇ ଆଣିବା ଲାଗି ‘ହିନ୍ଦୁସ୍ଥାନ ଏରୋନେଟିକ୍‌ସ’ ଦ୍ବାରା ମହାକାଶଯାନ ‘ଗଗନଯାନ’ର ବିକାଶ ଜାରି ରହିଛି। ଏହା ସଫଳ ହେବା ପରେ ନିୟମିତ ମହାକାଶ ପରିଭ୍ରମଣ ଉପରେ ଗୁରୁତ୍ବାରୋପ କରାଯିବ ବୋଲି ଜଣାଯାଇଛି।