ଗବେଷକଙ୍କ ଦାବି: କୋଭିଡ୍-୧୯ ଲକ୍ଷଣ ଚିକିତ୍ସା ପାଇଁ ସହାୟକ ହୋଇପାରେ ଗ୍ୟାଷ୍ଟ୍ରିକ୍ ଔଷଧ!

ନୂଆଦିଲ୍ଲୀ: ଗ୍ୟାଷ୍ଟ୍ରିକ୍ ସମସ୍ୟା ପାଇଁ ବ୍ୟବହୃତ ଔଷଧ କୋଭିଡ୍-୧୯ର ଲକ୍ଷଣ ହ୍ରାସ କରିପାରୁଛି ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି।

କାଶ ଏବଂ ପୂର୍ଣ୍ଣ ଭାବେ ନିଶ୍ବାସ ପ୍ରଶ୍ବାସ ନେଇ ପାରୁ ନ ଥିବା କେତେକ ରୋଗୀଙ୍କୁ ‘ଫାମୋଟିଡିନ୍’ ଦିଆଯିବା ପରେ ସେମାନେ ଆରାମ ଅନୁଭବ କରୁଥିବା ଜଣାପଡ଼ିଛି। ଗ୍ୟାଷ୍ଟ୍ରିକ୍ ଏସିଡ୍ ଉଦ୍‌ଗୀରଣ ଚପାଇ ରଖିବା ନିମନ୍ତେ ‘ଫାମୋଟିଡିନ୍’ ବହୁଳ ନିରାପଦ ବ୍ୟବହାର ଚଳିଆସୁଛି ବୋଲି ଗବେଷକମାନେ କହିଛନ୍ତି।

ଡାକ୍ତରୀ ପତ୍ରିକା ‘ଗଟ୍’ରେ ଏହି ଗବେଷଣା ଆଲେଖ୍ୟ ପ୍ରକାଶ ପାଇଛି। ବୈଜ୍ଞାନିମାନେ ବିଶ୍ବାସ କରୁଛନ୍ତି ଯେ, ହୋମ୍‌କ୍ବାରେଣ୍ଟିନ୍‌ରେ ଥିବା ରୋଗୀମାନଙ୍କ ପାଇଁ ‘ଫାମୋଟିଡିନ୍’ ସହାୟକ ହୋଇପାରେ।

Image Courtesy of Daily Mail

ଯୁକ୍ତରାଷ୍ଟ୍ର ଆମେରିକାର ‘କୋଲ୍‌ଡ୍ ସ୍ପ୍ରିଙ୍ଗ୍ ହାର୍ବର ଲାବ‌ୋରେଟରି କ୍ୟାନ୍ସର୍ ସେଣ୍ଟର୍’ର ଗବେଷକମାନେ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ହୋଇଥିବା ଛଅଜଣ ପୁରୁଷ ଓ ଚାରିଜଣ ନାରୀଙ୍କ ଉପରେ ‘ଫାମୋଟିଡିନ୍’ ପ୍ରୟୋଗ କରିଥିଲେ।

କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ଖୁବ୍ ଅସ୍ବସ୍ଥି ଅନୁଭବ କରୁଥିବା ଏହି ୧୦ଜଣଙ୍କୁ ‘ଫାମୋଟିଡିନ୍’ ଖାଇବାକୁ ଦିଆଗଲା। ୧୧ ଦିନ ଧରି ସେମାନଙ୍କୁ ଦୈନିକ ତିନିଥର ୮୦ ମିଲିଗ୍ରାମ୍ ପରିମାଣର ‘ଫାମୋଟିଡିନ୍’ ଦିଆଗଲା। ଦେଖାଗଲା, ‘ଫାମୋଟିଡିନ୍’ ଖାଇବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହି ୧୦ ଜଣ ରୋଗୀଙ୍କର ଲକ୍ଷଣ ଅନେକାଂଶରେ ହ୍ରାସ ପାଇଥିଲା। ବୈଜ୍ଞାନିକମାନେ କହୁଛନ୍ତି, ‘ଫାମୋଟିଡିନ୍’ ପାକସ୍ଥଳୀରେ ଏସିଡ୍ ସ୍ତର ହ୍ରାସ କରାଇ ଦେଉଥିବାରୁ ରୋଗୀମାନଙ୍କ ଠାରେ ଲକ୍ଷଣ ହ୍ରାସ ପାଇଯାଉଛି।

କିନ୍ତୁ, ଏହା କୋଭିଡ୍-୧୯ ରୋଗୀମାନଙ୍କ ପାଇଁ ପ୍ରକୃତରେ ସହାୟକ କି, ନୁହେଁ, ସେ ବିଷୟରେ ଅଧିକ ଡାକ୍ତରୀ ଗବେଷଣା ଆବଶ୍ୟକ ବୋଲି ଗବେଷକମାନେ କହିଛନ୍ତି।

ବଦହଜମି ହେଉଥିବା ଲୋକମାନଙ୍କୁ ମଧ୍ୟ ସର୍ବଦା ‘ଫାମୋଟିଡିନ୍’ ଦିଆଯାଇଥାଏ। ଏସିଡ୍ ଉଦ୍ଗୀରଣ ଏବଂ ଛାତିପୋଡ଼ା ଚିକିତ୍ସା ନିମନ୍ତେ ଏହି ଔଷଧ ୨୦ ରୁ ୧୬୦ ମିଲିଗ୍ରାମ୍ ଯାଏଁ ଦିନକୁ ଚାରି ଥର ଖିଆଯାଇଥାଏ।

ସମ୍ବନ୍ଧିତ ଖବର