କ୍ରୀଡ଼ା ସଂସାର: କ୍ରୀଡ଼ା ଆକାଶର ଇନ୍ଦ୍ରଧନୁ ରେନ୍‌ବୋ ହଡି

ସୁରେଶ ସ୍ବାଇଁ

ଆଉ ମାତ୍ର ୪ ସପ୍ତାହ ପରେ ପ୍ୟାରିସ୍‌ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ବିଶ୍ବର ସର୍ବଶ୍ରେଷ୍ଠ କ୍ରୀଡ଼ା ମହୋତ୍ସବର ଆନନ୍ଦ ଉଠାଇବାକୁ ପ୍ରଶଂସକ ପ୍ରସ୍ତୁତ ହେଉଛନ୍ତି।‌ କୌଣସି ନିର୍ଦ୍ଦିଷ୍ଟ ଖେଳର ବିଶ୍ବକପ୍‌ ସେହି ଖେଳର ସୀମିତ ପ୍ରଶଂସକଙ୍କୁ ଖୁସି କରୁଥିବା ବେଳେ ଅଲିମ୍ପିକ୍ସ ଭଳି ବିବିଧ‌ ଖେଳ ମହାକୁମ୍ଭର ଉତ୍କଣ୍ଠା ଓ ଆକର୍ଷଣ ଅନନ୍ୟ। ପ୍ରତି ୪ ବର୍ଷରେ ଆସୁଥିବାରୁ ସବୁବର୍ଗର ପ୍ରଶଂସକ ଚାତକ ଭଳି ଅଲିମ୍ପିକ୍ସକୁ ଅପେକ୍ଷା କରିଥାନ୍ତି। କେବଳ ପ୍ରଶଂସକ ନୁହନ୍ତି, ‌ଖେଳାଳିମାନେ ମଧ୍ୟ ସେମାନଙ୍କ ସ୍ବପ୍ନ ସାକାର କରିବାକୁ ୪ ବର୍ଷ ଅପେକ୍ଷା କରିଥାନ୍ତି। ପ୍ୟାରିସ୍‌ କ୍ରୀଡ଼ା ମହାକୁମ୍ଭ ଆଗମନର ଅବ୍ୟବହିତ ପୂର୍ବରୁ ଏମିତି ଜଣେ ପ୍ରଥମ ଭାରତୀୟ ଅଲିମ୍ପିଆନ୍‌ଙ୍କ କଥା ମନେପଡ଼େ, ଯାହାଙ୍କୁ ‘ଇନ୍ଦ୍ରଧନୁ ଖେଳାଳି’ କୁହାଯାଏ। ସେହି ମହାନ୍‌ କ୍ରୀଡ଼ାବିତ୍‌ ହେଉଛନ୍ତି ସ୍ବର୍ଗତ ସୟଦ ମହମ୍ମଦ ହଡି। କ୍ରୀଡ଼ା ପରିସରରେ ‘ରେନ୍‌ବୋ ହଡି’ ନାମରେ ପରିଚିତ ହଡି ୭ଟି ଖେଳରେ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।

ଭାରତୀୟ ଖେଳ ଜଗତର ଅଗ୍ରଗଣ୍ୟ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଅନ୍ୟତମ ସ୍ମରଣୀୟ କ୍ରୀଡ଼ାବିତ୍‌ ‘ରେନ୍‌ବୋ ହଡି’ ଓରଫ୍‌ ସୟଦ ମହମ୍ମଦ ହଡି। ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ୧୮୯୯ ମସିହା ଅଗଷ୍ଟ ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ଖେଳାଳିଙ୍କୁ ଦେଶର ସବୁଠୁ ପ୍ରତିଭାଧାରୀ ଖେଳାଳିର ମାନ୍ୟତା ବି ଦିଆଯାଇଥାଏ। ଦେଶରେ ଯେଉଁ ସମୟରେ ‌ଖେଳକୁ ଏତେ ଗୁରୁତ୍ବ ମିଳୁ ନଥିଲା କି ପ୍ରୋତ୍ସାହନ ନଥିଲା, ସେ ସମୟରେ ‌ସେ ଥିଲେ ଜଣେ ଅସାଧାରଣ ଖେଳାଳି। ପୁଣି ଗୋଟିଏ ଦୁଇଟି ନୁହେଁ, ଏକସଙ୍ଗରେ ସେ ୭ଟି ପ୍ରମୁଖ‌ ଖେଳରେ ଉତ୍କର୍ଷ ଅର୍ଜନ କରିଥିବାରୁ ଯଥାର୍ଥରେ ତାଙ୍କୁ ‘ଇନ୍ଦ୍ରଧନୁ ଖେଳାଳି’ କୁହାଯାଉଥିଲା। ଭାରତ ପାଇଁ ସେ କ୍ରିକେଟ୍‌ ଓ ‌ଟେନିସ୍‌ରେ ପ୍ରତିନିଧିତ୍ବ କରିଥିଲେ। ଫିଲ୍ଡ ହକି, ଫୁଟ୍‌ବଲ୍‌, ଟେବୁଲ୍‌ ଟେନିସ୍‌, ଚେସ୍‌, ପୋଲୋ, ଅଶ୍ବଚାଳନା ଆଦି ‌ଖେଳରେ ମଧ୍ୟ ସେ ଢେର୍‌ ସଫଳତା ଅର୍ଜନ କରିଥିଲେ।
ତେବେ ଟେନିସ୍‌ରେ ହଡି ଅଧିକ ସଫଳ ଥିଲେ। ସାତ ଥର ୱିମ୍ବଲଡନ୍ (୧୯୨୨-୨୫, ୧୯୨୯, ୧୯୩୧, ୧୯୩୩)‌ ଖେଳିବା ସହ ସିଙ୍ଗଲ୍ସରେ ତୃତୀୟ ରାଉଣ୍ଡ୍ ଯିବା ତାଙ୍କର ଶ୍ରେଷ୍ଠ ସଫଳତା ଥିଲା। ଯୁଗଳ ବର୍ଗରେ ସେ କ୍ବାର୍ଟର୍‌ଫାଇନାଲ୍‌ରେ ମଧ୍ୟ ପହଞ୍ଚିଥିଲେ। ଭାରତ ପାଇଁ ମଧ୍ୟ ମର୍ଯ୍ୟାଦାଜନକ ଡେଭିସ୍ କପ୍ (୧୯୨୪-୨୫)ରେ ପ୍ରତିନିଧିତ୍ବ କରିଥିଲେ। ୧୯୨୪ ମସିହାରେ ସେ ଭାରତ ପକ୍ଷରୁ ଟେନିସ୍‌ ଖେଳରେ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ। ୧୯୪୧ ମସିହା ପର୍ଯ୍ୟନ୍ତ ରଣଜୀ ଟ୍ରଫି ଖେଳିଥିବା ସୟଦ ମହମ୍ମଦ ହଡ‌ି ହାଇଦ୍ରାବାଦ ପାଇଁ ମୋଟ୍‌ ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ପ୍ରଥମ ଖେଳାଳି ଭାବେ ରଣଜୀ ଟ୍ରଫିରେ ଶତକ (୧୩୨*) ମଧ୍ୟ ଅର୍ଜନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏକ ଅଣଆନୁଷ୍ଠାନିକ ଟେଷ୍ଟ୍ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ତାଙ୍କ ଭାଇ ହୁସେନ୍‌ ମହମ୍ମଦ ଓ ଅସଗର ଅଲୀ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ସିକେ ନାୟୁଡୁ, କୋଟା ରାମସ୍ବାମୀ, ଏଜି ରାମ ସିଂହ, ମୁସ୍ତାକ ଅଲୀ ପ୍ରମୁଖ କିଂବଦନ୍ତିଙ୍କ ସହ ସେ ଖେଳିଥିଲେ। ନିଜାମ କଲେଜ ଏବଂ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ପାଇଁ ରେନ୍‌ବୋ ହଡି ମଧ୍ୟ କ୍ରିକେଟ୍‌, ହକି, ଫୁଟ୍‌ବଲ୍‌, ଟିଟି, ଚେସ୍‌, ପୋଲୋ ଖେଳିଥିଲେ। ଖେଳରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏକାଧିକ ଥର ‘କେମ୍ବ୍ରିଜ୍ ବ୍ଲୁ‌’ ଗୌରବ ମଧ୍ୟ ଅର୍ଜନ କରିଥ‌ିଲେ।
ସୟଦଙ୍କ ବାଲ୍ୟଜୀବନ ବଡ଼ ସଂଘର୍ଷରୁ ଆରମ୍ଭ ହୋଇଥିଲା। ତାଙ୍କ ପିତା କ୍ୟାପ୍‌ଟେନ୍‌ ସୟଦ ମହମ୍ମଦ ହାଇଦ୍ରାବାଦର ପୈଗା ଆର୍ମିରେ ଅଫିସର ଥିଲେ। କିନ୍ତୁ ହଡିଙ୍କ ବୟସ ମାତ୍ର ୨ ବର୍ଷ ହୋଇଥିବା ବେଳେ ସେ ପିତାଙ୍କୁ ହରାଇଥିଲେ। ହାଇଦ୍ରାବାଦର ପ୍ରଧାନମନ୍ତ୍ରୀ ସାର୍‌ ଆସ୍‌ମାନ୍‌ ଜାହଁାଙ୍କ ପରିବାର ତାଙ୍କୁ ଲାଳନପାଳନ କରି ବଡ଼ କରିଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ କ୍ରୀଡ଼ାର ପ୍ରମୁଖ ବ୍ୟକ୍ତିତ୍ବ ପାଲଟିଥିବା ନବାବ ମୋଇନ୍-ଉଦ୍‌-ଦୌଲାଙ୍କ ସଂସ୍ପର୍ଶରେ ଆସି ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ଇଂଲଣ୍ଡରେ ପଢୁଥିବା ବେଳେ ସେ ପିଟର୍‌ହାଉସ୍ ପାଇଁ ଏକାଧିକ ଖେଳରେ ପ୍ରତିନିଧିତ୍ବ କରିଥିଲେ।
ଖେଳ ଜୀବନ ପରେ ବି ହଡି ଖେଳକୁ ଛାଡ଼ି ପାରିନଥିଲେ। ୧୯୫୯ରେ ପ୍ରତିଷ୍ଠିତ ସର୍ବଭାରତୀୟ କ୍ରୀଡ଼ା ପରିଷଦର ସେ ପ୍ରଥମ ସମ୍ପାଦକ ଥିଲେ। ସେହିଭଳି ହାଇଦ୍ରାବାଦ କ୍ରିକେଟ୍ ସଂଘ ଏବଂ ହାଇଦ୍ରାବାଦ ଫୁଟ୍‌ବଲ୍ ସଂଘର ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ। କେମ୍ବ୍ରିଜ୍‌ରେ ସେ ସ୍ନାତକ କରିବା ସହ ପେନ୍‌ସିଲ୍‌ଭାନିଆ ବିଶ୍ବବିଦ୍ୟାଳୟରୁ ମାଷ୍ଟର୍ସ ଡିଗ୍ରି ପାଇଥିଲେ। ଭାରତ ସରକାରଙ୍କ ଶିକ୍ଷା ବିଭାଗରେ ଯୁଗ୍ମ ସଚିବ, ହାଇଦ୍ରାବାଦରେ ଶାରୀରିକ ଶିକ୍ଷାର ନିର୍ଦେଶକ, ଭାରତରେ ବଏଜ୍ ସ୍କାଉଟ୍‌ର ଜାତୀୟ ଆୟୋଗ ନିଯୁକ୍ତ ବି ହୋଇଥିଲେ। ଦେଶରେ ସ୍କାଉଟ୍ ଆନ୍ଦୋଳନର ସେ ଅନ୍ୟତମ ବଡ଼ ପ୍ରବକ୍ତା ଥିଲେ। କର୍କଟ ସହ ସଂଗ୍ରାମ କରି ୧୯୭୧ ମସିହାରେ ସେ ୭୨ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଭାରତୀୟ ହୋଇଥିବାରୁ ତାଙ୍କୁ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର କ୍ୟାପ୍‌ଟେନ୍ କରାନଯିବା ସତ୍ତ୍ବେ ସେ ବ୍ରିଟିସ୍ ଗଣମାଧ୍ୟମରେ ଉଚ୍ଚ ପ୍ରଶଂସିତ ହୋଇଥିଲେ। କ୍ରିକେଟ୍‌, ଟେନିସ୍‌ ଓ ଫୁଟ୍‌ବଲ୍‌ର ପ୍ରଚାରପ୍ରସାର କରିଥିବାରୁ ହଡିଙ୍କୁ ଏବେ ବି ମନେପକାନ୍ତି ହାଇଦ୍ରାବାଦବାସୀ।

ସମ୍ବନ୍ଧିତ ଖବର