ଆମର ପଡ଼ୋଶୀ ଗ୍ରହ ମଙ୍ଗଳରେ ମାନବଜାତିର ଏକ ଉପନିବେଶ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରୟାସ ଆଗକୁ ବଢ଼ିବା ସହ ମଙ୍ଗଳ ସଂକ୍ରାନ୍ତ ଅଧିକରୁ ଅଧିକ ଚିତ୍ତାକର୍ଷକ ସୂଚନାମାନ ମଧ୍ୟ ଆସିବାରେ ଲାଗିଛି। ନୂତନ ତଥ୍ୟାନୁଯାୟୀ, ସହସ୍ର ସହସ୍ର ବର୍ଷ ଧରି ମଙ୍ଗଳ ଗ୍ରହ ଗୋପନରେ ପୃଥିବୀର ମହାସାଗରଗୁଡ଼ିକ ଉପରେ ପ୍ରଭାବ ପକାଇ ଆସିଛି।
ସାମୁଦ୍ରିକ ଜୁଆର ଓ ଭଟ୍ଟା ପଛରେ ପୃଥିବୀର ଏକମାତ୍ର ତଥା ନିକଟତମ ଉପଗ୍ରହ ଚନ୍ଦ୍ରର ଭୂମିକା ରହିଛି ବୋଲି ଆମେ ପୂର୍ବରୁ ଜାଣିଛେ। ତେବେ ଲୋହିତ ଗ୍ରହ ଭାବେ ପରିଚିତ ମଙ୍ଗଳ ଗ୍ରହ ପୃଥିବୀର ମହାସାଗରୀୟ ସ୍ରୋତ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇ ଆସିଛି ବୋଲି ‘ନେଚର କମ୍ୟୁନିକେସନ୍’ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି। ପ୍ରତି ୨୪ ଲକ୍ଷ ବର୍ଷରେ ଥରେ ଏକଶହ ବର୍ଷ ଧରି ପୃଥିବୀର ମହାସାଗରଗୁଡ଼ିକ ଉପରେ ମଙ୍ଗଳର ଗଭୀର ପ୍ରଭାବ ପଡ଼ିଥାଏ। ସେହି ସମୟରେ ସୌରଶକ୍ତି ବୃଦ୍ଧି ପାଇବା ସହିତ ଜଳବାୟୁ ମଧ୍ୟ ଉଷ୍ମ ହୋଇଯାଏ। ପୃଥିବୀ ଓ ମଙ୍ଗଳ ମଧ୍ୟରେ ଥିବା ମାଧ୍ୟାକର୍ଷଣ ବଳର ପାରସ୍ପରିକ ବିଭ୍ରାଟ ଯୋଗୁଁ ଏପରି ଘଟୁଥିବା ଜଣାଯାଇଛି। ଏହା ଫଳରେ ଗଭୀର ସମୁଦ୍ରର ଜଳ ସ୍ରୋତ ଅଧିକ ପ୍ରଖର ହେଉଥିବାର ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ପାଣିପାଗ ପରିବର୍ତ୍ତନକୁ ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ଧରିନିଆଯାଇଥିବା ବେଳେ ଏହି ନୂତନ ଅଧ୍ୟୟନ ସେ ଦିଗରେ ଭିନ୍ନ ଧାରଣା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।