ଅସୁସ୍ଥ ମାଙ୍କଡ଼ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ନିଜେ ପହଞ୍ଚିଲା: ଭିଡିଓ ଦେଖନ୍ତୁ

ବେଙ୍ଗାଲୁରୁ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଏକ ଅସୁସ୍ଥ ମାଙ୍କଡ଼ ନିଜର ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ପହଞ୍ଚିଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ସେଠାରେ ଥିବା ଅନ୍ୟ ରୋଗୀଙ୍କ ଭଳି ସେ ବି ଧାଡ଼ିରେ ବସି ନିଜ ପାଳି କେତେବେଳେ ଆସିବା ତାହାକୁ ଅପେକ୍ଷା କରି ରହିଛି। ଏହି ଭିଡିଓଟି କର୍ଣ୍ଣାଟକର ଏକ ହସ୍‌ପିଟାଲର ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଭିଡିଓ ଦାନ୍ଦେଲିସ୍ଥିତ ପାଟିଲ ହସ୍‌ପିଟାଲର। ଏଠାରେ ଷ୍ଟାଫ୍‌ ଅସୁସ୍ଥ ମାଙ୍କଡ଼କୁ ହସ୍‌ପିଟାଲ୍‌ରେ ଦେଖି ତାର ଚିକିତ୍ସା ବି କରିଥିଲେ।

ଫେସ୍‌ବୁକ୍‌ରେ ସେୟାର କରାଯାଇଥିବା ଭିଡିଓରେ ମାଙ୍କଡ଼ ହସ୍‌ପିଟାଲର ଶିଢ଼ିରେ ବସି ନିଜ ପାଳିର ଅପେକ୍ଷା କରୁଛି। କାରଣ ଏହି ସମୟରେ ତାର ଆଗରେ ଅନେକ ରୋଗୀ ବି ଚିକିତ୍ସା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ମାଙ୍କଡକୁ ଏଭଳି ବସିଥିବାର ଦେଖି ଜଣେ ବ୍ୟକ୍ତି ହସ୍‌ପିଟାଲ୍‌ର ଷ୍ଟାଫ୍‌ଙ୍କୁ ଜଣାଇଥିଲେ। ଏହାପରେ ଷ୍ଟାଫ୍‌ ମାଙ୍କଡ଼ ପାଖକୁ ଆସି ତାର ଚିକିତ୍ସା କରିଥିଲେ। ଏଥିସହିତ ଭିଡିଓରେ ଜଣେ ବ୍ୟକ୍ତି ମାଙ୍କଡ଼ ଅଣ୍ଟାରେ ଆଘାତ ଲାଗିଥିବା ଦେଖାଉଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି କହୁଛନ୍ତି, ଇଏ ଡାକ୍ତର ପାଟିଲ ହସ୍‌ପିଟାଲକୁ ଚିକିତ୍ସା ପାଇଁ ଆସିଛି। ତେବେ ଏଠାରେ କଥା ଉଠୁଛି ମାଙ୍କଡ଼ ଏକ ପଶୁ ହୋଇ କିଭଳି ଜାଣି ପାରିଲା ଯେ ଏହି ଠାରେ ହିଁ ତାର ଚିକିତ୍ସା ହୋଇପାରିବ। ତେଣୁ ସେ ସେଠାରେ ଅପେକ୍ଷା କରି ରହିଥିଲା।

 

ଭିଡିଓରେ ଦୁଇଜଣ ହସ୍‌ପିଟାଲ୍‌ ଷ୍ଟାଫ୍‌ ମାଙ୍କଡ଼ର ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡଓକୁ ଟୁଇଟରରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ଅଧିକାରୀ ସନ୍ଦୀପ ତ୍ରିପାଠୀ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରିବା ପରେ ସେ ମାଙ୍କଡ଼କୁ ସାହାଯ୍ୟ କରିଥିବା ହସ୍‌ପିଟାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଥିଲେ। ଭିଡିଓ ସେୟାର କରି ସନ୍ଦୀପ ତ୍ରିପାଠୀ ଲେଖିଛନ୍ତି, ‘ଅଦ୍ଭୁତ, ଏକ ଅସୁସ୍ଥ ମାଙ୍କଡ଼ ନିଜର ଚିକିତ୍ସା ପାଇଁ ଦାନ୍ଦେଲିର ପାଟିଲ ହସ୍‌ପିଟାଲ ଆସିଛି।’

ସମ୍ବନ୍ଧିତ ଖବର