ଏକ ନେତୃତ୍ୱର ନବୀନତ୍ୱ

ଅଭିରାମ ବିଶ୍ବାଳ

ପଚାଶ ବର୍ଷ ବୟସରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ ୧୯୯୭ ମସିହାରେ। ସେବେଠାରୁ ଅଦ୍ୟାବଧି ପ୍ରାୟ ପଚିଶ ବର୍ଷ କାଳ ସିଏ ଭାରତୀୟ ରାଜନୀତିର ଜାତୀୟ, ସ˚ଘୀୟ ଓ ପ୍ରାଦେଶିକ ସ˚ସ୍କରଣରେ ସକ୍ରିୟ ରହି ଅାସିଛନ୍ତି ଭିନ୍ନ ଭିନ୍ନ ଭୂମିକାରେ- ପ୍ରଥମେ ସା˚ସଦ ଭାବେ, ତା’ପରେ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ବରେ ଓ ୨୦୦୦ ମସିହାରୁ ଏଯାବତ୍‌ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ। ସିକ୍କିମ୍‌ର ପଵନ ଚାମଲିଙ୍ଗ ଓ ପଶ୍ଚିମବଙ୍ଗର ଜ୍ୟୋତିବସୁଙ୍କୁ ଛାଡ଼ିଦେଲେ ଆଉ କେହି ଏକାଦିକ୍ରମେ ଏକୋଇଶ ବର୍ଷରୁ ଅଧିକ ସମୟ ଧରି ଆମ ଦେଶର କୌଣସି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିନାହାନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ରାଜନୀତିକ ଗ୍ରହଣୀୟତା, ଜନପ୍ରିୟତା, ସଫଳତା, ପ୍ରଭାବ ଓ ପ୍ରତିଷ୍ଠା ଚର୍ଚ୍ଚା କଲାବେଳେ ଯେଉଁ କାରଣ ସବୁ ଉଲ୍ଲେଖ କରାଯାଏ ସେଥିରେ ଅନ୍ତର୍ଭୁକ୍ତ ତାଙ୍କ ଭାବମୂର୍ତ୍ତି, ନେତୃତ୍ବ, ବ୍ୟବସ୍ଥିତ ଶାସନ-ପ୍ରଶାସନ ଏବ˚ ଜନମଙ୍ଗଳକାରୀ ଉନ୍ନୟନମୂଳକ କାର୍ଯ୍ୟକ୍ରମ। ବିଶାରଦମାନେ କହନ୍ତି ଜନମାନସରେ ସିଏ ଜଣେ ସ୍ବଚ୍ଛ, ନିର୍ମଳ, ସରଳ, ନିଷ୍କଳଙ୍କ ଓ ନିରାଡ଼ମ୍ବର ବ୍ୟକ୍ତିତ୍ବ ଯିଏ କି ଦୁର୍ନୀତି ବିରୋଧରେ ଏବ˚ ଲୋକଙ୍କ ହିତ ପକ୍ଷରେ ଠିଆହୋଇ ଆସିଛନ୍ତି। ୨୦୧୭ ମସିହାରେ ଓଡ଼ିଶା ଆସିଥିଲାବେଳେ ନୋବେଲ୍‌ ବିଜେତା ଓ ତିବ୍ବତୀୟ ଆଧ୍ୟାତ୍ମିକ ଜନନାୟକ ଦଲାଇ ଲାମା ନବୀନ ବାବୁଙ୍କୁ ପ୍ରଶ˚ସା କରି କହିଥିଲେ- ଶ୍ରୀଯୁକ୍ତ ପଟ୍ଟନାୟକ ଗଣତାନ୍ତ୍ରିକ ଉପାୟ ଓ ପ୍ରକ୍ରିୟାରେ ଲୋକଙ୍କ ଆସ୍ଥା ତଥା ସମ୍ମାନ ଅର୍ଜନ କରିଥାନ୍ତି ଯାହା କି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ଶାଶ୍ବତ ସାଧୁତାର ରଙ୍ଗ ଧଳା। ଅତି କମ୍‌ ଖର୍ଚ୍ଚର ଧଳା କୁର୍ତ୍ତା ପାଇଜାମା ପରିଧାନ ନବୀନ ବାବୁଙ୍କ ନିତିଦିନିଆ ଅଭ୍ୟାସ। ଓଡ଼ିଶାରେ ସେଇ ପୋଷାକ, ଦିଲ୍ଲୀ ଗଲେ ସେଇ ପୋଷାକ ଓ ମେକ୍‌ ଇନ୍‌ ସମାବେଶରେ ମଧ୍ୟ ଏକା ପୋଷାକ। ପୋଷାକ ଯେତେବେଳେ ଦିନିକିଆ ପ୍ରତୀକ ନ ହୋଇ ଦୈନନ୍ଦିନ ପ୍ରୟୋଗରେ ପରିଣତ ହୋଇଯାଏ ସେତେବେଳେ ପୋଷାକ ପରିଧାନକାରୀ ଲୋକଙ୍କ ବିଶ୍ବାସର ପାତ୍ର ହୁଅନ୍ତି। କାରଣ ସେତେବେଳେ ପୋଷାକ ପାଲଟିଯାଇଥାଏ ପରିଭାଷା। ନବୀନ ବାବୁଙ୍କ ସାଦାସିଧା ଚାଲିଚଳଣି ଓ ଜୀବନଶୈଳୀ ଲୋକଙ୍କ ଦୃଷ୍ଟିରେ ତାଙ୍କ ବ୍ୟକ୍ତିତ୍ବର ଉଚ୍ଚତାକୁ ଯଥେଷ୍ଟ ବଢ଼େଇଦିଏ। ବିଶିଷ୍ଟ ପତ୍ରକାର ବୀର‌୍‌ ସାଙ୍ଗ୍‌ଭି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ତାଙ୍କର ଏକ ଆଳାପ କଥା ଠାଏ ଉଲ୍ଲେଖ କରିଥିଲେ ଯାହା ବେଶ୍‌ ମହତ୍ତ୍ବପୂର୍ଣ୍ଣ। ସେ ଆଳାପ କାଳରେ ନବୀନ ବାବୁ ତାଙ୍କୁ ଯାହା କହିଥିଲେ ତା’ର ନିର୍ଯ୍ୟାସ ଥିଲା ମୋଟାମୋଟି ଏଇଆ- ଜୀବନରେ ଜଣେ କେତେ ନା କେତେ ଭଲ ଓ ସୁନ୍ଦର ଜିନିଷ ଦେଖିଥାଏ। ଯାହା ଭଲ ଓ ସୁନ୍ଦର ବସ୍ତୁ ତା’ ଉପରେ ମାଲିକାନା ଜାହିର୍‌ ନ କରି ତା’ର ତାରିଫ୍‌ କରି ଶିଖିଲେ କମ୍‌ରୁ କମ୍‌ରେ ବଞ୍ଚିହୁଏ ଏବ˚ ସେଭଳି ଜୀବନ ଭଳି ଭଲ ତଥା ସୁନ୍ଦର ଜୀବନ ଆଉ କିଛି ନ ଥାଏ।

ରାଜନୀତିକୁ ଆସିବା ଆଗରୁ ନବୀନ ବାବୁଙ୍କର କଳା, ସ˚ସ୍କୃତି, ଐତିହ୍ୟ, ସାହିତ୍ୟ, ସ୍ଥାପତ୍ୟ, ସଙ୍ଗୀତ ଓ ସୂକ୍ଷ୍ମ ହସ୍ତଶିଳ୍ପ ଭଳି କୋମଳ ଜଗତ (ସଫ୍‌ଟ୍‌ ଵାର୍ଲଡ୍‌) ସହ ସ˚ପୃକ୍ତି ତାଙ୍କ ଜୀବନାନୁରାଗ ନିର୍ମାଣରେ ସହାୟକ ହୋଇଥିଲା ବୋଲି ଅନେକଙ୍କ ମତ। ୧୯୮୪ ମସିହାରେ ପ୍ରତିଷ୍ଠିତ ପ୍ରଖ୍ୟାତ ‘ଇନ୍‌ଟାକ୍‌’ (ଇଣ୍ତିଆନ୍‌ ନ୍ୟାସ୍‌ନାଲ୍‌ ଟ୍ରଷ୍ଟ୍ ଫର‌୍‌ ଆର୍ଟ ଆଣ୍ତ୍‌ କଲ୍‌ଚରାଲ୍‌ ହେରିଟେଜ୍‌) ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ନବୀନ ବାବୁ। ସେ ସ˚ସ୍ଥାନର ଅନ୍ୟ ଅତି ବିଶିଷ୍ଟ ପ୍ରତିଷ୍ଠାତା ସଦସ୍ୟ ହେଉଛନ୍ତି କରଣ ସି˚ହ, କପିଳା ବାତ୍ସ୍ୟାୟନ, ଯାମିନୀ କୃଷ୍ଣାମୂର୍ତ୍ତି ଓ ଏମ୍‌.ଏସ୍‌. ସ୍ବାମୀନାଥନ୍‌ ପ୍ରମୁଖ। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ନଗରୀ କରିବା ନିମନ୍ତେ ଯେଉଁ ଯେଉଁ ପଦକ୍ଷେପ ନିଆଗଲାଣି ସେଥିରେ ନବୀନ ବାବୁଙ୍କ ଜଗନ୍ନାଥ ପ୍ରୀତି, ପରିବେଶ ଭାବନା, ପର୍ଯ୍ୟଟନ-ତୀର୍ଥଯାତ୍ରା ଅବବୋଧ, ଐତିହ୍ୟ ଚିନ୍ତା ଓ କଳାନୁରାଗ ପ୍ରତିଫଳିତ ବୋଲି ଉଭୟ ଶିଷ୍ଟ ତଥା ସାଧାରଣ ମହଲର ଧାରଣା ଆଉ ବିଶ୍ବାସ।

ଚଉଦ ବର୍ଷ ତଳର କଥା। ୨୦୦୭ ମସିହାର କନ୍ଧମାଳ ସମସ୍ୟା ପୃଷ୍ଠଭୂମିରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ- ମୋର ଶରୀରର ପ୍ରତିଟି ଅସ୍ଥି ଧର୍ମନିରପେକ୍ଷ। ବକ୍ତବ୍ୟଟି ଲୋକଙ୍କୁ ବେଶ୍‌ ଛୁଇଁଥିଲା। ତାହା ଓଡ଼ିଶାର ସମାଜ, ସ˚ସ୍କୃତି ଓ ରାଜନୀତିର ଐତିହାସିକ ଧର୍ମନିରପେକ୍ଷ ଅସ୍ଥି ସମ୍ବନ୍ଧରେ ମଧ୍ୟ ସନ୍ଦେଶ ଦିଏ। ଜଗନ୍ନାଥଙ୍କ ତିନି ପରମଭକ୍ତ ଗୋପବନ୍ଧୁ, ସାଲବେଗ ଓ ମଧୁବାବୁ ତିନିଟି ଅଲଗା ଅଲଗା ଧର୍ମର। କିନ୍ତୁ ତିନିହେଁ ଓଡ଼ିଆ। ଓଡ଼ିଶା ଏକ ସା˚ସ୍କୃତିକ ସମାଜ; ସା˚ପ୍ରଦାୟିକ ସମାଜ ନୁହେଁ। ମୌଳିକ ଅନ୍ତର୍ଦୃଷ୍ଟି ସ˚ପନ୍ନ ରାଜନୀତି ବିଜ୍ଞାନୀ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ଡ. ଅରୁଣ ପଟ୍ଟନାୟକ କହନ୍ତି- ମୁଖ୍ୟତଃ କଥାବାର୍ତ୍ତା ଜରିଆରେ କନ୍ଧମାଳ ପ୍ରସଙ୍ଗର ସମାଧାନ ସମ୍ଭବ କରାଇ ନବୀନ ବାବୁ ନିଜ ପରିପକ୍ବ ରାଜନୀତିକ ପ୍ରଜ୍ଞାର ପରିଚୟ ଦେଇଥିଲେ ଯାହାକି ଧର୍ମନିରପେକ୍ଷ ଓ ବହୁବାଦୀ ଗଣତନ୍ତ୍ରର ଅବିଚ୍ଛେଦ୍ୟ ଓ ଜୈବିକ ଅଙ୍ଗ।

ଆମ ଦେଶରେ ଅନେକ ସମୟରେ ଜାଣିବାକୁ, ଦେଖିବାକୁ ମିଳେ ଯେ ବେଳେବେଳେ ସରକାରକୁ ଆସୁଥିବା ଦଳଟିଏ ତା’ ନିଜ ମୂଳ ସଙ୍ଗଠନକୁ ଶୀଘ୍ର ଭୁଲିଯାଏ। ପରିଣାମ ସ୍ବରୂପ ଦଳ ନାମକ ରାଜନୀତିକ ଅନୁଷ୍ଠାନଟି ମଉଳି ମଉଳି ମିଳେଇଯାଏ। ଏତାଦୃଶ ଉଦାସୀନତା, ଅବହେଳା ଓ ବିସ୍ମରଣ ଯେ କୌଣସି ସୁସ୍ଥ, ଚଳଚଞ୍ଚଳ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନିହାତି କ୍ଷତିକାରକ ତଥା ବିପଦଜନକ। ମାତ୍ର ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ସରକାର-ସଙ୍ଗଠନ ତାଳମେଳ ଏବ˚ ନେତାନେତ୍ରୀ-କର୍ମୀ ଭାବ ବିନିମୟକୁ କାର୍ଯ୍ୟକ୍ଷମ କରାଇପାରୁଥିବାରୁ ଓଡ଼ିଶାରେ ଦଳଟିଏ ଥରକୁ ଥର ନିର୍ବାଚନୀ ବିଜୟ ହାସଲ କରିପାରୁଛି। ସେମାନେ ସେଭଳି ଧାରାବାହିକ ସଫଳତାର ନିର୍ଣ୍ଣାୟକ କାରଣ ଭାବେ ଉପସ୍ଥାପନ କରନ୍ତି ନବୀନ ବାବୁଙ୍କୁ ଯିଏ କି ଉଭୟ ସରକାର ଓ ସଙ୍ଗଠନର ମୁଖ୍ୟ। ପୁଣି ତାଙ୍କ ନେତୃତ୍ବର ଅସାଧାରଣ ଚୁମ୍ବକୀୟ ଯାଦୁ ବା କରିସ୍ମାକୁ। ଦିଲ୍ଲୀ, ଜବାହରଲାଲ ନେହରୁ ଓ ଅକ୍ସଫୋର୍ଡ ଭଳି ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା ସାମାଜିକ ବିଜ୍ଞାନୀ, ଲେଖକ ଓ ପ୍ରଫେସର ଡ. ବିଷ୍ଣୁ ମହାପାତ୍ର ଥରେ ନିଜର ଏକ ଅନୁଶୀଳନରେ ବ୍ୟକ୍ତ କରିଥିଲେ ଯେ ସମଗ୍ର ଓଡ଼ିଶାରେ ଉପସ୍ଥିତି ଆଉ ପ୍ରଭାବ ଦୃଷ୍ଟିରୁ ଜନତା ପାର୍ଟି ହିଁ ଓଡ଼ିଶା ପାଇଁ, ଓଡ଼ିଶା ଭିତରେ ପ୍ରଥମ ପ୍ରକୃତ ଜାତୀୟ ଦଳ (ପଞ୍ଜୀକରଣ ବିଚାରରେ ନୁହେଁ) ଭାବେ ଉଭା ହୋଇପାରିଥିଲା। ତାଙ୍କର ସେ ପୁରୁଣା ମନ୍ତବ୍ୟଟିକୁ ସ୍ମରଣ କରି ସିଏ ନିକଟରେ କହୁଥିଲେ- ଅତିରିକ୍ତ କାରଣ ଭାବେ ନବୀନ ବାବୁଙ୍କ ନେତୃତ୍ବର ନିଆରାପଣ ପାଇଁ ମନ୍ତବ୍ୟଟି ମଧ୍ୟ ରାଜନୀତି ବିଜ୍ଞାନ ଦୃଷ୍ଟିରୁ ନବୀନ ବାବୁ ସଭାପତି ଥିବା ଦଳଟିକୁ ଦୃଷ୍ଟାନ୍ତ ରୂପେ ନେଇପାରିବ। ଏହି ଆଞ୍ଚଳିକ ଦଳଟି ବାରମ୍ବାର ଦୁଇ ପ୍ରମୁଖ ଜାତୀୟ ଦଳକୁ ବହୁତ ପଛରେ ପକାଇ ଜିଣିପାରୁଛି।

ଦଳର ସମଦୂରତା ସୂତ୍ର କଥା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଉଲ୍ଲେଖ କରିଥାନ୍ତି। ତା’ ସହିତ ଓଡ଼ିଶାର ସ୍ବାର୍ଥ ଓ ହିତ ପୂରଣ ନିମନ୍ତେ କେନ୍ଦ୍ର ସହ ଗଠନମୂଳକ ସହଯୋଗ କଥା। ଦଳର ସଫଳତାର ଶ୍ରେୟ ଦଳ ନବୀନ ବାବୁଙ୍କୁ ଦିଏ। ନବୀନ ବାବୁ ଦିଅନ୍ତି ଓଡ଼ିଶାବାସୀଙ୍କୁ- ସେମାନଙ୍କ ଭରସା ଓ ଆଶୀର୍ବାଦକୁ। ସେମାନଙ୍କୁ ସିଏ ତାଙ୍କ ପରିବାରର ସଦସ୍ୟ ସଦସ୍ୟା ବୋଲି କହନ୍ତି। ଗଲାକାଲିର ଜନ୍ମଦିବସ ପାଳନ ନ କରିବା ବାବଦରେ ସିଏ କହିଥିଲେ- ଏବେ ସେଲିବ୍ରେସନ୍‌ର ନୁହେଁ, ସେବାର ସମୟ। ସିଏ ସବୁବେଳେ କହିଥାନ୍ତି ଲୋକେ ହିଁ ଗଣତନ୍ତ୍ରରେ ମାଲିକ, ସର୍ବେସର୍ବା।

ରାଜନୀତିକ ଶିଷ୍ଟାଚାର ଓ ସୌଜନ୍ୟକୁ ସମ୍ମାନ ଜଣାଉଥିବା ନବୀନ ବାବୁ ଅତି କମ୍‌ କଥା କହନ୍ତି ସୁଶୀଳ ଓ ବିନମ୍ର ଢଙ୍ଗରେ। ରାଜନୀତିରେ ତାହା ସମସ୍ତଙ୍କର ଅବଶ୍ୟ ଶିକ୍ଷଣୀୟ ବୋଲି ଥରେ ଜୟରାମ ରମେଶ କହିଥିଲେ। ସତର ବର୍ଷ ବୟସରେ ଗୁନ୍ନାର ମିର‌୍‌ଦାଲ୍‌ଙ୍କ ବହୁଚର୍ଚ୍ଚିତ ‘ଏସିଆନ୍‌ ଡ୍ରାମା’ ପୁସ୍ତକ ପଢ଼ି ମିର‌୍‌ଦାଲ୍‌ଙ୍କୁ ଚିଠି ଲେଖିଥିବା ଓ ଆଇ.ଆଇ.ଟି.ରୁ ଶିକ୍ଷାଲାଭ କରିଥିବା ଜୟରାମ ରମେଶ ଜଣେ ଏମିତି ସେମିତି ରାଜନେତା ନୁହନ୍ତି। ବହୁଚର୍ଚ୍ଚିତ ସାମ୍ବାଦିକ ରାଜଦୀପ ସରଦେଶାଇ ଥରେ ନବୀନ ବାବୁଙ୍କୁ ପ୍ରଶ୍ନ କରିଥିଲେ- ଆପଣ ଅତି କମ୍‌, ଏତେ କମ୍‌ କହନ୍ତି କାହିଁକି? ତତ୍‌କ୍ଷଣାତ୍‌ ନବୀନ ବାବୁ ଉତ୍ତର ଅତି ସ˚କ୍ଷେପରେ ଦେଇ କହିଥିଲେ- ତାହା ମୋ ସ୍ବଭାବ, ମୋ ମିଜାଜ୍‌। ମୁଁ ସବୁବେଳେ ହିଁ ସେମିତିଆ। ସାପ୍ତାହିକୀ ‘ଇଣ୍ତିଆ ଟୁଡେ’କୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ- ‘କାମ କଥା କହେ’ (୦୩ ଜୁଲାଇ, ୨୦୧୭)। ପୋଖତ ଓ ପ୍ରଭାବଶାଳୀ ପତ୍ରକାର ପ୍ରଭୁ ଚାଵଲାଙ୍କ ଭାଷାରେ ନବୀନ ବାବୁଙ୍କ ନେତୃତ୍ବଶୈଳୀ ହେଉଛି ସର୍ବନିମ୍ନ କଥା (ମିନିମମ୍‌ ୱାର୍ଡସ୍) ଓ ସର୍ବାଧିକ କାମ (ମାକ୍ସିମମ୍ ୱାର୍କ)ର ସମନ୍ବୟ ସମ୍ଭବକାରୀ ବିରଳ ନମୁନା। ୨୦୦୯ ମସିହାର ଲୋକସଭା ଓ ଓଡ଼ିଶା ବିଧାନସଭା ଫଳାଫଳ ନେଇ ଏକ ପ୍ରମୁଖ ଜାତୀୟ ଇ‌ଲେକ୍‌ଟ୍ରୋନିକ୍ ଗଣମାଧ୍ୟମରେ ଚର୍ଚ୍ଚା ହେଉଥାଏ। ପ୍ରାବନ୍ଧିକ, ଐତିହାସିକ ଓ ବିଦ୍ବାନ ଡ. ରାମଚନ୍ଦ୍ର ଗୁହାଙ୍କ ଏକ ଶାଣିତ ପ୍ରଶ୍ନର ଉତ୍ତରରେ ନବୀନ ବାବୁ କହିଥିଲେ- ଆପଣ ଲେଖିଥିବା ‘ଇଣ୍ଡିଅା ଆଫ୍‌ଟର୍ ଗାନ୍ଧୀ’ ବହିଟି ମୁଁ ଏବେ ଆଉ ଥରେ ପଢୁଛି। ଗୁହାଙ୍କର ଆଉ କିଛି ପଚାରିବାର ନ ଥିଲା। କହିବା ବାହୁଲ୍ୟ ଡୁନ୍ ସ୍କୁଲ୍‌ରୁ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପଢ଼ିଥିବା ନବୀନ ବାବୁ ଜଣେ ଲେଖକ, ତୈଳ ଚିତ୍ରଶିଳ୍ପୀ ଓ ଆସକ୍ତ ପାଠକ। ତାଙ୍କ ରଚିତ ତିନିଟି ପୁସ୍ତକ ହେଲା- ଏ ସେକେଣ୍ଡ୍ ପାରାଡାଇଜ୍, ଏ ଡେଜର୍ଟ କିଙ୍ଗ୍‌ଡମ୍ ଓ ଦି ଗାର୍ଡେନ୍ ଅଫ୍ ଲାଇଫ୍।

ଗଲା କେଇ ବର୍ଷ ଭିତରେ ନବୀନ ବାବୁଙ୍କ କେତୋଟି ପ୍ରୟାସ ତାଙ୍କୁ ଜାତୀୟ ସ୍ତରରେ ଓ ଦେଶ ବାହାରେ ବେଶ୍ ପରିଚିତ କରିପାରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଏବେ ଜାତୀୟ ପୁରୁ‌ଷ ଓ ମହିଳା ହକିର ପ୍ରାୟୋଜନ ତଥା ପୃଷ୍ଠପୋଷକତା ଭାର ଗ୍ରହଣ କରିଛି ଆଉ ଦଶ ବର୍ଷ ପାଇଁ- ଯାହା ଓଡ଼ିଶା କରି ଆସୁଥିଲା ୨୦୧୮ଠାରୁ। ଟୋକିଓ ଅଲିମ୍ପିକ୍ ନିମନ୍ତେ ଗଠିତ ସଂସଦୀୟ କମିଟି ସେଥିପାଇଁ ଓଡ଼ିଶା ଓ ନବୀନ ବାବୁଙ୍କ ଅବଦାନ ସ୍ବୀକାର କରି ପ୍ରଶଂସା କରିଛି। ନବୀନ ବାବୁ କହନ୍ତି- ଖେଳରେ ବିନିଯୋଗ ମାନେ ଯୁବବର୍ଗ ପାଇଁ ବିନିଯୋଗ ଓ ଯୁବବର୍ଗ ପାଇଁ ବିନିଯୋଗ ମାନେ ଭବିଷ୍ୟତରେ ବିନିଯୋଗ। ଯଥାର୍ଥରେ କୁହାଯାଉଛି ଏକଦା ଡୁନ୍ ସ୍କୁଲ୍‌ର ଗୋଲ୍ ରକ୍ଷକ ଥିବା ନବୀନ ବାବୁ ଓ ତାଙ୍କ ଓଡ଼ିଶା ଦେଶର ହକିର ତ୍ରାଣକର୍ତ୍ତା। ସାଂପ୍ରତିକ କରୋନା ମହାମାରୀ ଜନିତ ଜୀବନ-ଜୀବିକା ସମସ୍ୟାର ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ସଫଳ ରାଜ୍ୟ ଯିଏ କି ଅସୁବିଧାରେ ଥିବା ଅନେକ କରୋନା ପ୍ରପୀଡ଼ିତ ରାଜ୍ୟକୁ ସହାୟତାର ହାତ ବଢ଼େଇଥିଲା। ନବୀନ ବାବୁ ବାରମ୍ବାର କହିଆସୁଛନ୍ତି ଗାନ୍ଧୀଙ୍କ ଅହିଂସା ମନ୍ତ୍ର ଭାରତର ସମ୍ବିଧାନର ପ୍ରାକ୍‌କଥନ (ପ୍ରିଏମ୍ବଲ୍‌ରେ) ସ୍ଥାନ ପାଉ ବୋଲି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମଡେଲ୍ କଥା ଦେଶର ବିଭିନ୍ନ ଭାଗ ଅନୁପ୍ରେରଣା ସ୍ବରୂପ ସ୍ବୀକାର ଓ ପ୍ରୟୋଗ କରୁଛନ୍ତି। ୨୦୧୩ ମସିହାର ଫାଇଲିନ୍‌ର ମୁକାବିଲା ସକାଶେ ଜାତିସଂଘ ତରଫରୁ ନବୀନ ବାବୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେଇ ଜାତିସଂଘ ପୁଣି ୨୦୧୯ ମସିହାରେ ଓଡ଼ିଶା ସଂସଦୀୟ ଆସନ ନିମନ୍ତେ ଟିକେଟ୍‌ ଦେବାରେ ୩୩ ପ୍ରତିଶତ ସୂତ୍ର ମହିଳାଙ୍କ ପାଇଁ ଅବଲମ୍ବନ କରିଥିବାରୁ ନବୀନ ବାବୁଙ୍କୁ ଅଭିନନ୍ଦନ ଜଣାଇଛି। ମିସନ ଶକ୍ତି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବାଟେ ଲକ୍ଷ ଲକ୍ଷ ମହିଳାଙ୍କ ସଶକ୍ତିକରଣ ନବୀନ ବାବୁଙ୍କ ନେତୃତ୍ବର ଏକ ବଡ଼ ଉପଲବ୍ଧି ବୋଲି ସମୀକ୍ଷକମାନେ ମତ ଦିଅନ୍ତି। ବିନା ସାହସରେ ଏସବୁ ହୁଏନି। ବଡ଼ ଭଉଣୀ ଓ ଲେଖିକା ଗୀତା ମେହେଟ୍ଟାଙ୍କ ମତରେ- ମୋ ବାପା ବିଜୁ ବାବୁଙ୍କ ଭଳି ମୋ ଭାଇ ନବୀନ ବିନା ଅସ୍ତ୍ରରେ ସିଂହର ଗୁମ୍ଫା ଭିତରକୁ ପ୍ରବେଶ କରିବାର ସାହସର ଅଧିକାରୀ।

ଏବେକାର ଯୁଗକୁ ଜଗତାୟନର ଯୁଗ କୁହାଯାଉଛି। ଏ ଜଗତାୟନର ଯୁଗରେ ଜନମଙ୍ଗଳକାରୀ ନୀତି, ନିଷ୍ପତ୍ତି, କାର୍ଯ୍ୟକ୍ରମ ଓ ଯୋଜନା ଲୋକପକ୍ଷଭୁକ୍ତ ରାଜନୀତିର ଗୁରୁତ୍ବ ତଥା ଆବଶ୍ୟକତା ମନେ ପକାଇଦିଏ। ସେଭଳି ଆଭିମୁଖ୍ୟ ଭଲ ଅର୍ଥନୀତିକୁ ଭଲ ରାଜନୀତିରେ ପରିଣତ କରିବାର ସାମର୍ଥ୍ୟ ରଖେ। ‘୫-ଟି’ କଥା ନବୀନ ବାବୁ କହନ୍ତି- ଟିମ୍ ୱାର୍କ (ସମୂହ ଉଦ୍ୟମ), ଟ୍ରାନ୍ସପାରେନ୍ସି (ସ୍ବଚ୍ଛତା), ଟେକ୍ନୋଲୋଜି (ପ୍ରଯୁକ୍ତି), ଟାଇମ୍ ଲିମିଟ୍ (ସମୟସୀମା) ଓ ଟ୍ରାନ୍ସଫ‌ର୍‌ମେସନ୍ (ରୂପାନ୍ତର)ର କଥା ଯାହା କାମରେ ବିଶ୍ବାସ କରେ। ‘୫-ଟି’ ସାଙ୍ଗକୁ କେତେକ ‘ଇ’ କଥା – ଇରିଗେସନ୍ (ଜଳସେଚନ), ଇନ୍‌ଫ୍ରାଷ୍ଟ୍ରକ୍‌ଚର (ଭିତ୍ତିଭୂମି) ଓ ଇନ୍‌କ୍ଲୁଜନ୍ (ସଭିଁଙ୍କୁ ସାମିଲ୍ କରିବା)। ଏକ ସର୍ବଗ୍ରାହୀ ରାଜନୀତି ସବୁବେଳେ ଏକ ସର୍ବତ୍ରବ୍ୟାପ୍ତ ଜନାଧାର ସୃଷ୍ଟି କରାଏ ଯାହାକି ରାଜନୀତିକ ସଫଳତା, ନିର୍ବାଚନୀ ବିଜୟ ଓ ସାମାଜିକ ସମୃଦ୍ଧି ପାଇଁ ପଥ ସୁଗମ କରିଦିଏ। ନେତୃତ୍ବର ଅସାଧାରଣତ୍ବ ଓ ନିଆରାପଣ ବିନା ସେମିତିଆ ସର୍ବେ ସାମିଲ୍‌ ରାଜନୀତି ତଥା ଲୋକନୀତି ସମ୍ଭବ ହୋଇପାରେନି।

(ମତାମତ ବ୍ୟକ୍ତିଗତ)

(ଲେଖକ ଜଣେ ବରିଷ୍ଠ ଅଧ୍ୟାପକ)
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର