ଅନେକ ସମୟରେ ଆଦିବାସୀଙ୍କ ଖାଦ୍ୟ ଖବରର ଶିରୋନାମା ପାଲଟିଥାଏ। କେତେବେଳେ ଆମ୍ବଟାକୁଆ ତ କେତେବେଳେ ବଣକନ୍ଦା, ଚେରମୂଳ, ବିଷାକ୍ତ ଛତୁ ଖାଇ ଆଦିବାସୀ ମୃତ୍ୟୁମୁଖରେ ପଡ଼େ। ଏହାଛଡ଼ା ଆଦିବାସୀ କେତେକ ଜଙ୍ଗଲୀ ପୋକଜୋକ ଓ କୀଟପତଙ୍ଗକୁ ତା’ ଖାଦ୍ୟର ମେନୁରେ ସାମିଲ୍ କରିଥାଏ। ନାଲିଜନ୍ଦା (କାଇ)ଠାରୁ ଆରମ୍ଭ କରି ବର୍ଷାଦିନେ ଝଡ଼ିପୋକ (କଲେଇ), ଉଈ, ଏମିତିକି ଚୁଟିଆ ମୂଷାକୁ ନେଇ ଆଦିବାସୀମାନେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି। ଆଦିବାସୀଙ୍କର ଏଭଳି କିଛି ଖାଦ୍ୟକୁ ନେଇ ଏକ ସ୍ବତନ୍ତ୍ର ରିପୋର୍ଟ।

Advertisment

ରଂଜନ ପ୍ରଧାନ

ଓଡ଼ିଶାରେ ବସବାସ କରୁଥିବା ବିଭିନ୍ନ ଜନଜାତିର ଲୋକେ ବଣ ଜଙ୍ଗଲରୁ ମିଳୁଥିବା କେତେକ କୀଟପତଙ୍ଗକୁ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି। ଆଦିବାସୀ ନାଲିଜନ୍ଦା (କାଇ), ଝଡ଼ିପୋକ (କଲେଇ), ଉଈ ଏବଂ ମୂଷାରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି କରିଥାନ୍ତି। ଏସବୁ କୀଟପତଙ୍ଗ ଆଦିବାସୀର କ୍ଷୁଧା ମେଣ୍ଟେଇବାରେ ସମର୍ଥ ହୋଇଥାଏ।

କାଇ (ନାଲିଜନ୍ଦା)ରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ
ନିକଟରେ ମୟୂରଭଞ୍ଜର ଆଦିବାସୀମାନେ ଖାଉଥିବା କାଇ ଚଟଣି (ନାଲିଜନ୍ଦାରୁ ପ୍ରସ୍ତୁତ ଖାଦ୍ୟକୁ ଜିଆଇ ଟ୍ୟାଗ୍ ମିଳିପାରିଛି। କେବଳ ମୟୂରଭଞ୍ଜ କାହିଁକି କେନ୍ଦୁଝର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଆଦି ଜିଲ୍ଲାର ଆଦିବାସୀମାନେ କାଇକୁ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି। ନାଲି ଜନ୍ଦାକୁ ଆଦିବାସୀମାନେ ସ୍ଥାନ ଭିତ୍ତିରେ କାଇ ଏବଂ କୁରୁକୁଟି କହିଥାନ୍ତି। ଆଦିବାସୀମାନେ ପଖାଳ କିମ୍ବା ହାଣ୍ଡିଆ ସହିତ କାଇ ଚଟଣି, କାଇ ଆଚାର, କାଇ ପତୁଆ (ପତ୍ରପୋଡ଼ା) ଓ କାଇଭଜା (ରେଡ୍ ଆଣ୍ଟ୍ ଫ୍ରାଏ), କାଇ ତରକାରି ଖାଇଥାନ୍ତି।
କାଇ ଚଟଣି: ବୁଢ଼ାକାଇକୁ ଆଦିବାସୀ ମହିଳାମାନେ ପଥର ଶିଳରେ ବାଟି କାଇ ଚଟଣି ପ୍ରସ୍ତୁତ କରିଥାନ୍ତି। କାଇ ଚଟଣି ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟରେ ରହିଛି ବୁଢ଼ାକାଇ, ଜଙ୍ଗଲୀ ଧଣିଆପତ୍ର, ତେନ୍ତୁଳି, କଞ୍ଚାଲଙ୍କା, ରସୁଣ, ଅଦା ଓ ଲୁଣ। ବୁଢ଼ାକାଇର ପରିମାଣ ଅନୁସାରେ ଆବଶ୍ୟକ ମାତ୍ରାରେ ଅନ୍ୟ ସାମଗ୍ରୀକୁ ସେଥିରେ ସାମିଲ କରାଯାଏ। କେତେକ ସ୍ଥଳରେ ଆଦିବାସୀମାନେ କାଇ ଚଟଣିରେ ତେଲ ବ୍ୟବହାର କରିଥାନ୍ତି। ଆଦିବାସୀମାନେ କାଇ ଚଟଣିକୁ ହାଣ୍ଡିଆ, ସଲପ କିମ୍ବା ମହୁଲି ମଦ ସହିତ ଚାଖଣା ଭାବେ ବ୍ୟବହାର କରିଥାନ୍ତି। ଏହା ସହିତ ପଖାଳ କିମ୍ବା ମାଣ୍ଡିଆ ପେଜ ସହ କାଇ ଚଟଣି ଲଗେଇ ଖାଇଥାନ୍ତି।

କାଇ ଆଚାର: ଆମ୍ବ, ସପୁରି, କାଗଜି ଲେମ୍ବୁ, ରସୁଣ, ଅଁଳା, ଅଦା ଓ କଞ୍ଚାଲଙ୍କା ଆଚାର ଭଳି ଆଦିବାସୀମାନେ କାଇରୁ ଏକ ସ୍ବତନ୍ତ୍ର ପ୍ରକାର ଅଚାର ପ୍ରସ୍ତୁତ କରିଥାନ୍ତି। ବଣରୁ ସଂଗୃହୀତ ବୁଢ଼ାକାଇକୁ ଆଦିବାସୀମାନେ ମାଟିପାତ୍ର କିମ୍ବା କାଚ ଜାର୍‌ରେ ସୋରିଷ ତେଲ ସହିତ କଞ୍ଚାଲଙ୍କା, ସୋରିଷ ବଟା, ହଳଦୀ ବଟା, ଲୁଣ ଦେଇ ଖରାରେ ଶୁଖାନ୍ତି। କିଛିଦିନ ଖରାରେ ଶୁଖିଯିବା ଦ୍ବାରା ବୁଢ଼ାକାଇ ସମ୍ପୃକ୍ତ ପାତ୍ର ମଧ୍ୟରେ ତେଲ ଓ ଲୁଣ ସହ ଭଲ ଭାବେ ଜରିଯାଏ। କିଛିଦିନ ପରେ ଏହା ଆଚାରରେ ପରିଣତ ହୁଏ। 

କାଇ ପତୁଆ (ପତ୍ରପୋଡ଼ା): ଏହା ମୁଖ୍ୟତଃ କାଇ ଅଣ୍ଡାରୁ ପ୍ରସ୍ତୁତ ହୋଇଥାଏ। ସଂଗୃହୀତ କାଇ ଅଣ୍ଡା (କାଇ ଭାତ) ସହିତ ଆଦିବାସୀମାନେ ଶିଳରେ ବଟା ଯାଇଥିବା ଲଙ୍କା, ହଳଦୀ, ଜିରା, ସୋରିଷ, ଧଣିଆ ଓ ସାମାନ୍ୟ ସୋରିଷ ତେଲ ମିଶାଇ ଶାଳପତ୍ର, ହଳଦୀ ପତ୍ର, କଦଳୀ ପତ୍ର କିମ୍ବା ଶିଆଳି ପତ୍ରରେ ବାନ୍ଧି ନିଆଁରେ ପୋଡ଼ନ୍ତି। ବେଳେ ବେଳେ କଞ୍ଚା ବାଉଁଶ ନଳାରେ ଏହାକୁ ଭର୍ତ୍ତି କରି ନିଆଁରେ ପୋଡ଼ି ଖାଆନ୍ତି। ଭଲ ଭାବେ ପୋଡ଼ିଯିବା ପରେ ଆଦିବାସୀମାନେ ପତ୍ର ଖୋଲି ସେଥିରୁ ପତୁଆ ବାହାର କରିଥା’ନ୍ତି। ପଖାଳ ଭାତ ସହିତ ପତୁଆର ମଜା ନିଆରା ବୋଲି ଆଦିବାସୀ ମନେ କରିଥାଏ।

କାଇ ଭଜା: କାଇ ଅଣ୍ଡା ଓ ବୁଢ଼ାକାଇକୁ ଆଦିବାସୀମାନେ ମହୁଲ ମଞ୍ଜିରୁ ପ୍ରସ୍ତୁତ ଟୋଲ ତେଲରେ ଭାଜି ଖାଇଥାନ୍ତି। ପ୍ରଥମେ କଡ଼େଇରେ ତେଲ ପକେଇ କଡ଼େଇକୁ ତତେଇ ଦିଅନ୍ତି। ତେଲ ତାତିଗଲେ ସେଥିରେ ଫୁଟଣ ଓ ଶୁଖିଲାଲଙ୍କା ପକେଇ ଫୁଟାଇବା ପରେ କାଇ ଅଣ୍ଡା ଏବଂ ବୁଢ଼ାକାଇକୁ କଡ଼େଇରେ ପକେଇ କିଛି ସମୟ ଭାଜନ୍ତି। ଏଥିରେ ସ୍ବାଦ ଅନୁସାରେ ଲୁଣ ଏବଂ ହଳଦୀଗୁଣ୍ଡ ପକାଯାଏ।
କାଇ ତରକାରି: ଆଦିବାସୀମାନେ କାଇକୁ ତେଲ ଓ ଲୁଣ ଦେଇ ଭାଜି ସାରିବା ପରେ କାଇଭଜାକୁ କଡ଼େଇରୁ ବାହାର କରି ଆଣନ୍ତି। ଏହାପରେ କଡ଼େଇରେ ତେଲ ପକେଇ ସେଥିରେ ବଟା ଅଦା, ରସୁଣ, ଲଙ୍କା, ଲୁଣ, ହଳଦୀ ଦେଇ କଷନ୍ତି। ସେଥିରେ ଆଳୁ, ସାରୁ, ବଣଆଳୁ କିମ୍ବା ବଣକନ୍ଦା ପକାଇ ଘାଣ୍ଟିବା ପରେ ଭଜା ଯାଇଥିବା କାଇକୁ ମିଶେଇ କିଛି ସମୟ ସିଝାନ୍ତି। ପରେ କାଇକଷାରେ ପାଣି ଦେଇ ତରକାରି ପ୍ରସ୍ତୁତ କରନ୍ତି। 

କଲେଇ (ଝଡ଼ିପୋକ): ଆଦିବାସୀମାନେ ବର୍ଷାଦିନେ ପାଖଆଖ ଜଙ୍ଗଲରୁ ଝଡ଼ିପୋକ ସଂଗ୍ରହ କରି ସେଗୁଡ଼ିକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ବର୍ଷାଦିନେ ଆଦିବାସୀମାନେ ଖାଦ୍ୟ ସଂକଟ ସାମ୍ନା କରିଥା’ନ୍ତି। ଏହି ସମୟରେ କଲେଇ ସେମାନଙ୍କ ପାଇଁ ବରଦାନ ପାଲଟିଥାଏ। କାଇ ଭଳି କଲେଇରୁ ମଧ୍ୟ କଲେଇ ଚଟଣି, କଲେଇ ଆଚାର, କଲେଇ ପତୁଆ, କଲେଇ ଭଜା ପ୍ରସ୍ତୁତ କରାଯାଇଥାଏ।
ଉଈ: ଉଈ ମଧ୍ୟ ଆଦିବାସୀଙ୍କର ଅନ୍ୟତମ ପାରମ୍ପରିକ ଖାଦ୍ୟ। ଆଦିବାସୀମାନେ ଉଈ ଚଟଣି, ଉଈ ଭଜା, ଉଈ ପତୁଆ (ପତ୍ରପୋଡ଼ା) ଆଦି କରି ଖାଆନ୍ତି। ଆଦିବାସୀ ମହିଳାମାନେ ପାଖଆଖ ଜଙ୍ଗଲରୁ ଉଈ ହୁଙ୍କା କିମ୍ବା ବଡ଼ ବଡ଼ ଗଛରେ ଲାଗିଥିବା ଉଈ ସଂଗ୍ରହ କରି ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି।

ଚୁଟିଆ ପୁଡ୍‌ଗା: ଅବିଭକ୍ତ କୋରାପୁଟ, କଳାହାଣ୍ଡି, ଗଜପତି ଏବଂ କନ୍ଧମାଳ ଜିଲ୍ଲାର କେତେକ ଆଦିବାସୀ ମୂଷାକୁ ପୋଡ଼ି ଏକ ବିଶେଷ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଏହାକୁ ଚୁଟିଆ ପୁଡ୍‌ଗା କହନ୍ତି। ପରଜା ଓ କନ୍ଧମାନେ ବଣ ଜଙ୍ଗଲରୁ ଚୁଟିଆ ମୂଷା ଧରି ଆଣି ତାକୁ ପୋଡ଼ି ଖାଆନ୍ତି। ଲନ୍ଦା କିମ୍ବା ପେଣ୍ଡମ୍ ସଙ୍ଗକୁ ଚୁଟିଆ ପୁଡ୍‌ଗା ଚାଖଣାର କାମ କରିଥାଏ। ପୁଷ୍ ପୂନେଇ ବେଳକୁ କନ୍ଧ ଓ ପରଜାମାନେ ‘ପୁଷ୍ ପୂନେଇଁ ଭୋଗି’ (କାଠନିଆଁ)ରେ ଚୁଟିଆ ମୂଷାକୁ ପୋଡ଼ି ଖାଇଥା’ନ୍ତି। ଆଦିବାସୀମାନେ ଛତାକାଠି କିମ୍ବା ସାଇକେଲ୍ ସ୍ପୋକ୍‌ରେ ମୂଷାକୁ ଆଳୁ କି ବାଇଗଣ ଗୁନ୍ଥିଲା ଭଳି ନିଆଁରେ ପକେଇ ଦିଅନ୍ତି। ମୂଷା ପୋଡ଼ି ହୋଇଗଲେ ତାହାକୁ ନିଆଁରୁ ବାହାର କରି ସେଥିରେ ଲୁଣ, ଲଙ୍କା, ରସୁଣ ଛେଚା ମିଶେଇ ଲନ୍ଦା କିମ୍ବା ପେଣ୍ଡମ୍ ସହ ଖାଆନ୍ତି। ଏହାସହ ସେମାନେ ଶାଳପତ୍ର ଠୋଲାରେ ମୂଷାମାଂସ, ଲୁଣ, ଲଙ୍କା, ହଳଦୀ, ସୋରିଷ ବେସର ଓ ତେଲ ଦେଇ ବାନ୍ଧି ଦିଅନ୍ତି ଏବଂ ପତ୍ର ପୁଡ଼ିଆକୁ ନିଆଁରେ ପକେଇ ଦିଅନ୍ତି। କିଛି ସମୟ ନିଆଁରେ ପୋଡ଼ିଗଲା ପରେ ସେମାନେ ଏହାକୁ ବାହାର କରି ଆଣନ୍ତି।