ସଫଳତାର ଦୁଇ କାହାଣୀ
ରୁପା ଚାମଚ ପାଟିରେ ଧରି ସେମାନେ ଜନ୍ମ ହୋଇନଥିଲେ। ସୀମିତ ସମ୍ବଳ ଭିତରେ ସଫଳତାର ସ୍ବପ୍ନ ଦେଖିଥିଲେ ଏବଂ ସଂଘର୍ଷ କରି ନିଜର ପରିଚୟ ସୃଷ୍ଟି କରିଥିଲେ। ସେଥିପାଇଁ ଆଜି ତାଙ୍କ ପାଖରେ ଅର୍ଥ, ଖ୍ୟାତି, ଜନପ୍ରିୟତା। ଆସନ୍ତୁ ପଢ଼ିବା ସଫଳତାର ଦୁଇ କାହାଣୀ...
ସୋସିଆଲ୍ ମିଡିଆର ପ୍ରଭାବଶାଳୀ ଅଭିନେତ୍ରୀ ନ୍ୟାନ୍ସି ତ୍ୟାଗୀଙ୍କ ଖ୍ୟାତି ମେ’ ୨୦୨୪ରେ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ତାଙ୍କର ଚମତ୍କାର ଉପସ୍ଥିତି ସହିତ ଶୀର୍ଷରେ ପହଞ୍ଚିଥିଲା। ନିଜ ହାତ ସିଲାଇ ପୋଷାକଗୁଡ଼ିକ ଭିତରୁ ପ୍ରଥମ ଦିନରେ ଏକ ପେଷ୍ଟାଲ୍ ରଙ୍ଗର ପୋଷାକ ପିନ୍ଧିଥିଲେ, ଯେଉଁଥିରେ ୧୦୦୦ ମିଟରରୁ ଅଧିକ କପଡ଼ା ଲାଗିଥିଲା ଏବଂ ତାହାର ଓଜନ ରହିଥିଲା ୨୦ କିଲୋଗ୍ରାମ୍। ଦ୍ୱିତୀୟ ଦିନରେ ଏକ ଆଧୁନିକ ଡିଜାଇନ୍ର ଶାଢ଼ି ପିନ୍ଧିଥିଲେ ଯାହାକୁ ନେଇ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ। ଏହି କୃତିତ୍ୱ ତାଙ୍କୁ କେବଳ ଏକ ଫ୍ୟାସନ୍ ଆଇକନ୍ ଭାବେ ପ୍ରତିଷ୍ଠା କରାଇ ନଥିଲା, ବରଂ ତାଙ୍କର ସୃଜନଶୀଳତା ସହିତ ତାଙ୍କର ବ୍ୟବହାର ସମସ୍ତଙ୍କୁ ଆକର୍ଷିତ କରିଥିଲା।
୨୩ ବର୍ଷୀୟା ନ୍ୟାନ୍ସି ଉତ୍ତରପ୍ରଦେଶର ବର୍ଣ୍ଣାବା ଗ୍ରାମରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ବାଗପତ ଜିଲ୍ଲାର ସ୍ଥାନୀୟ ବିଦ୍ୟାଳୟରେ ତାଙ୍କର ଶିକ୍ଷା। ଡିଜାଇନ୍ରେ ପ୍ରାରମ୍ଭିକ ଆଗ୍ରହ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ସେ ତାଙ୍କର ଦ୍ୱାଦଶ ଶ୍ରେଣୀ ଶିକ୍ଷା ଶେଷ କରିବା ପରେ ଫ୍ୟାସନ ପ୍ରତି ଆକୃଷ୍ଟ ହୋଇଥିଲେ। ତେବେ ନ୍ୟାନ୍ସିଙ୍କ ଉଚ୍ଚାଭିଳାଷ ତାଙ୍କୁ ବ୍ୟସ୍ତବହୁଳ ସହର ଦିଲ୍ଲୀକୁ ନେଇଥିଲା, ଯେଉଁଠାରେ ସେ ୟୁପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଲକ୍ଷ୍ୟ ରଖିଥିଲେ। ତେବେ ୨୦୨୦ରେ ମହାମାରୀ ହେବାପରେ ସେ ନିଜ ରାସ୍ତା ବଦଳାଇ ପୁଣିଥରେ ଫ୍ୟାସନ୍ ଆଡ଼କୁ ଫେରିଥିଲେ।
ସେଲିବ୍ରିଟି ଫ୍ୟାସନ୍କୁ ବଜେଟ୍ରେ ରିକ୍ରିଏଟ୍ କରିବାର ତାଙ୍କର ଅନନ୍ୟ ଦକ୍ଷତା ଦର୍ଶକଙ୍କ ମନକୁ ଛୁଇଁଥିଲା, ଯାହା ତାଙ୍କୁ ପ୍ରସିଦ୍ଧି ଆଡ଼କୁ ଟାଣି ଆଣିଥିଲା। ତାଙ୍କର ଡିଜିଟାଲ୍ ଉପସ୍ଥିତି ଆଶାତୀତ ଭାବେ ବୃଦ୍ଧି ପାଇଥିଲା, ତାଙ୍କର ଡିଜାଇନ୍ ଓ ଟ୍ୟୁଟୋରିଆଲ୍ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା। ବର୍ତ୍ତମାନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୨ ମିଲିୟନ ଅନୁଗାମୀ ଥିବାବେଳେ ୟୁଟ୍ୟୁବରେ ତାଙ୍କର ୧.୪୮ ମିଲିୟନ୍ ସବ୍ସ୍କ୍ରାଇବର୍ ଅଛନ୍ତି। ନ୍ୟାନ୍ସିଙ୍କ ପ୍ରଭାବ ତାଙ୍କ ବ୍ୟକ୍ତିଗତ ସଫଳତାଠାରୁ ବହୁ ଦୂରରେ ରହିଛି। ଏକ ଛୋଟ ଗାଁରୁ କାନ୍ର ବିଶ୍ୱସ୍ତରୀୟ ମଞ୍ଚକୁ ତାଙ୍କର ଯାତ୍ରା ଅଗଣିତ ବ୍ୟକ୍ତିବିଶେଷଙ୍କୁ ପ୍ରେରଣା ଯୋଗାଇଛି, ପ୍ରତିଭା ଓ ଦୃଢ଼ ମନୋବଳର ଅସୀମ ସାମର୍ଥ୍ୟକୁ ପ୍ରଦର୍ଶିତ କରିଛି। ତାଙ୍କ କାହାଣୀ ଆଶାର ଆଲୋକବର୍ତ୍ତିକା ଏବଂ ଭାରତର ଯୁବପିଢ଼ିଙ୍କ ବଦଳୁଥିବା ଚେହେରାର ପ୍ରତୀକ ପାଲଟିଛି।
ଫିଲ୍ମ ଫେଷ୍ଟିଭାଲ୍ର ୭୭ତମ ସଂସ୍କରଣରେ ସେ ନିଜେ ତିଆରି କରିଥିବା ପୋଷାକ ପିନ୍ଧି ରେଡ୍ କାର୍ପେଟ୍ରେ ଚାଲି ସଭିଁଙ୍କୁ ଚକିତ କରି ଦେଇଥିଲେ। ହେଲେ ପିଲାଦିନରୁ ତାଙ୍କ ଜୀବନ ଥିଲା ଖୁବ୍ ସଂଘର୍ଷମୟ। ଭାରତ ଫେରିବା ପରେ ସେ ନିଜ ଜୀବନର ସେହି ସଂଘର୍ଷମୟ ଦିନଗୁଡ଼ିକୁ ଏକ ସାକ୍ଷାତ୍କାରରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି କି ଏମିତି ଏକ ସମୟ ଥିଲା, ଯେତେବେଳେ ଦାରିଦ୍ର୍ୟ ତାଙ୍କୁ ମୃତ୍ୟୁର ରାସ୍ତାରେ ନେଇ ଯାଇଥିଲା। ମାଆଙ୍କ ସ୍ବଳ୍ପ ଆୟରେ ମାସକ ଚଳିବା ଖୁବ୍ କଷ୍ଟକର ହୋଇ ପଡୁଥିଲା। ସେଥିପାଇଁ ତାଙ୍କ ମନକୁ ଆତ୍ମହତ୍ୟାର ବିଚାର ବି ଆସିଥିଲା। ତାଙ୍କ ମାଆ ପ୍ରଥମରୁ ଏକ ସ୍କୁଲ୍ରେ ଶିକ୍ଷୟିତ୍ରୀ ଥିଲେ। କିନ୍ତୁ ଖୁବ୍ କମ୍ ପାରିଶ୍ରମିକ ମିଳୁଥିବାରୁ ପରବର୍ତ୍ତୀ ସମୟରେ ଅଳ୍ପ ଅଧିକ ଦରମାରେ ଏକ କାରଖାନାରେ ଚାକିରି କଲେ। ସେ ସମୟରେ ଦିନଯାକ ସେ ଅପେକ୍ଷା କରି ରହୁଥିଲେ ମାଆ କେତେବେଳେ ଘରକୁ ଫେରିବେ। କିନ୍ତୁ ମାଆ ଫେରିବା ବେଳକୁ ତାଙ୍କ କପଡ଼ା ଧୂଳି ଓ କୋଇଲା ଗୁଣ୍ଡରେ କଳା ପଡ଼ିଯାଇଥାଏ। ତାଙ୍କ ଜୀବନର ସଂଘର୍ଷ କାହାଣୀକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ନ୍ୟାନ୍ସି କହନ୍ତି, ‘‘୬-୭ ହଜାର ଟଙ୍କାେର କ’ଣ ହୁଏ? ବିଷ ମିଳିଯାଏ।’’
ତାଙ୍କ ଯାତ୍ରାକୁ ନେଇ ସେ କହନ୍ତି ଯେ ତାଙ୍କ ଭାଇ ମନୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ଭିଡିଓ ନିର୍ମାଣରେ ସହାୟତା କରନ୍ତି ଏବଂ କାନ୍ରେ ସେ ପିନ୍ଧିଥିବା ଆକର୍ଷଣୀୟ ଗାଉନ୍ ପାଇଁ ସେ ହିଁ ପରାମର୍ଶ ଦେଇଥିଲେ। ସେମାନେ ମିଳିତ ଭାବେ ସିଲମପୁର ଓ ସରୋଜିନି ମାର୍କେଟ୍ରୁ କପଡ଼ା ସଂଗ୍ରହ କରନ୍ତି ଏବଂ ପାରମ୍ପରିକ ଓ ଆଧୁନିକ ଉପାଦାନକୁ ମିଶାଇ ଅନ୍ତର୍ଜାତୀୟ ଡିଜାଇନ୍ ପ୍ରସ୍ତୁତ କରିଥାନ୍ତି। ଦିନେ ଜୀବନ ପ୍ରତି ବୀତସ୍ପୃହ ଥିବା ଉତ୍ତରପ୍ରଦେଶର ସେହି ଅପରିଚିତ ଝିଅ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି। ନିକଟରେ ସୋନମ କପୁର ନିଜେ ନ୍ୟାନ୍ସିଙ୍କୁ ତାଙ୍କ ପାଇଁ କିଛି ଡିଜାଇନ୍ କରିବା ପାଇଁ ଅନୁରୋଧ କରିଛନ୍ତି।
ରାଜସ୍ଥାନ ଅଞ୍ଚଳର ଅଧିବାସୀ ଘମୁ ସାରନ୍ ଅନ୍ୟ ମହିଳାଙ୍କ ପାଇଁ ଏକ ଉଦାହାରଣ ସାଜି ଠିଆ ହୋଇଛନ୍ତି। ନିର୍ଯାତନା, ଘରୋଇ ଅତ୍ୟାଚାରରୁ ମୁକୁଳି ଆଜି ସେ ସ୍ବାବଲମ୍ବୀ ହୋଇପାରିଛନ୍ତି। ବିବାହ ପରଠାରୁ ସ୍ବାମୀଙ୍କ ଦ୍ବାରା ଅତ୍ୟାଚାର ପାଉଥିଲେ। ସ୍ବାମୀ ନିଶାସକ୍ତ ହୋଇ ପ୍ରତିଦିନ ମାରପିଟ୍ କରୁଥିଲେ। ତାଙ୍କର ଗୋଟେ ପୁଅ ଓ ଝିଅକୁ ନେଇ ସଂସାର। ସେ ଲୁଚିକରି ତାଙ୍କ ସ୍ବାମୀ କରୁଥିବା ଅତ୍ୟାଚାରର ଭିଡିଓ କରିଥିଲେ ଏବଂ ସେଗୁଡ଼ିକୁ ୟୁଟ୍ୟୁବ୍ରେ ଛାଡ଼ିଥିଲେ। କିନ୍ତୁ ଏବେ ସେ ତାଙ୍କ ସ୍ବାମୀଙ୍କ ନାମରେ ଏତଲା ରୁଜୁ କରିଛନ୍ତି। ଏହାପରେ ପ୍ରତିଦିନ ଛୋଟ ଛୋଟ ଘଟଣାକୁ ନେଇ କରୁଥିବା ଭିଡିଓକୁ ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ୍ ଓ ୟୁଟ୍ୟୁବ୍ ଜରିଆରେ ଛାଡ଼ି ରୋଜଗାରକ୍ଷମ ହୋଇପାରିଛନ୍ତି।
ୟୁଟ୍ୟୁବର୍ ଘମୁ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇ ଦୁଇ ପିଲାଙ୍କୁ ଖୁବ୍ ସୁନ୍ଦର ଭାବେ ଲାଳନପାଳନ କରୁଛନ୍ତି। ତାଙ୍କର ପ୍ରତିଟି ଯାତ୍ରାକୁ ସେ ଇନ୍ଷ୍ଟାରେ ପୋଷ୍ଟ କରନ୍ତି। ତାଙ୍କ ସ୍ବାମୀଙ୍କଠାରୁ ଦୂରକୁ ଆସି ଘର ନେଇ, ପିଲାଙ୍କୁ ପାଠ ପଢ଼େଇ, ନୂଆ ନୂଆ କାମ ହାତକୁ ନେଇ ସେଥିରୁ ବେଶ୍ କିଛି ପଇସା ରୋଜଗାର କରୁଛନ୍ତି। କେତେବେଳେ ମାଳିରେ ବ୍ରେସ୍ଲେଟ୍, ନେକ୍ଲେସ୍ କରୁଛନ୍ତି ତ କେତେବେଳେ ଖଟ ବୁଣୁଛନ୍ତି। ଉଲ୍ ସାହାଯ୍ୟରେ ସ୍ବେଟର୍, ଟୋପି ବୁଣିବା, ଗ୍ଲାସ୍ ପେଣ୍ଟିଂ କରିବା, କାଗଜରେ କ୍ରାଫ୍ଟ କରିବା, ମକାର ପତ୍ରକୁ କାଟି କଣ୍ଢେଇ ତିଆରି କରିବା, କେଶ ସାମଗ୍ରୀ ତିଆରି କରିବା ପରି ବିଭିନ୍ନ ପ୍ରକାର ହାତବୁଣା ଜିନିଷ ତିଆରି କରି ୟୁଟ୍ୟୁବ୍ରେ ଛାଡୁଛନ୍ତି ଏବଂ ଯେଉଁ ପଇସା ଆସୁଛି ସେଥିରେ ଘର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି। ଧୀରେ ଧୀରେ ତାଙ୍କର ଯାତ୍ରାକୁ ସମସ୍ତେ ପସନ୍ଦ ମଧ୍ୟ କଲେଣି। ଏବେ ପର୍ଯ୍ୟନ୍ତ ତାଙ୍କର ୫ ମିଲିୟନ୍ ସବ୍ସ୍କ୍ରାଇବର୍ ହେଲେଣି। ଲୋକମାନଙ୍କର କମେଣ୍ଟ୍ ଓ ପ୍ରଶ୍ନରେ ଅତିଷ୍ଠ ହୋଇ ଥରେ ଗୋଟେ ସାକ୍ଷାତାକାରରେ ତାଙ୍କର ଜୀବନଯାତ୍ରାକୁ ବର୍ଣ୍ଣନା କରିବାକୁ ଯାଇ କହିଥିଲେ କି ଆଜି ଶେଷଥର ପାଇଁ ମଁୁ ମୋର ସଂଘର୍ଷର କାହାଣୀ କହୁଛି ଏବଂ ଏହାପରେ କୌଣସି ଉତ୍ତର ଦେବିନାହିଁ। କାରଣ ଏହା ବହୁତ କଷ୍ଟ ଦେଉଛି ଏବଂ ମଁୁ ଅତୀତକୁ ମନେ ପକାଇବାକୁ ଚାହଁୁନାହିଁ। ଏବେ ସେ ତାଙ୍କ ଦୁଇ ପିଲାଙ୍କ ସହିତ ବହୁତ ଖୁସି ଅଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି।