ଓଡ଼ିଶାର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟର ହିନ୍ଦୀ ବିଭାଗ ମୁଖ୍ୟ ଡ. ଅଞ୍ଜୁମନ ଆରା। ଛାତ୍ରଛାତ୍ରୀଙ୍କ ଗହଣରେ ଯେତିକି ଦକ୍ଷ ଅଧ୍ୟାପିକା, କାଗଜକଲମରେ କବିତା ଲେଖିଲାବେଳେ ସେତିକି ସଫଳ କବି ଓ ଅନୁବାଦିକା। ତିନି ଦଶନ୍ଧି ହେଲାଣି ସେ ଲେଖାଲେଖି କରୁଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା ସହିତ ପରିବାର ମଧ୍ୟ ସମ୍ଭାଳୁଛନ୍ତି। ସବୁଠି ତାଙ୍କର କୁଶଳୀ ହାତର ସ୍ପର୍ଶ। ଜୀବନ ଓ ସାହିତ୍ୟକୁ ନେଇ ସେ କହନ୍ତି, ତାଙ୍କୁ ଲେଖାଲେଖି କରିବାକୁ ଖୁବ୍ ଭଲ ଲାଗେ। ବିଭିନ୍ନ କବିତା ଓ ଗଳ୍ପକୁ ନାନା ଭାଷାରେ ଅନୁବାଦ କରିଥାନ୍ତି। ସେଥିମଧ୍ୟରୁ ପେଡ଼୍ କି ପୋଷାକ (ହିନ୍ଦୀ କାବ୍ୟ ସଙ୍କଳନ), ମହାଦେବୀ ବର୍ମା ତଥା କୁନ୍ତଳାକୁମାରୀ ସାବତ କା କାବ୍ୟ ଏକ ତୁଳନାତ୍ମକ ଅଧ୍ୟୟନ, ମା’ ଓ ଶଙ୍ଖଚିଲ-ଓଡ଼ିଆରୁ ହିନ୍ଦୀ ଅନୁବାଦ ଇତ୍ୟାଦି। ଏହାସହିତ ଓଡ଼ିଆ ଓ ହିନ୍ଦୀ ଅନୁବାଦ (କବିତା ଓ ଗଳ୍ପ) ଭଳି ଗବେଷଣାତ୍ମକ ଲେଖା ମଧ୍ୟ ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ସେ କୁହନ୍ତି, େମାତେ କବିତା ରଚନା କରିବାକୁ ଭଲ ଲାଗେ କିନ୍ତୁ କବିତା ସବୁବେଳେ ଲେଖି ହୁଏନା। ଏହା ସ୍ବତଃସ୍ଫୂର୍ତ୍ତ ଭାବେ ଆସିଥାଏ। ଅନୁବାଦ ପୁନଃସୃଜନ ହୋଇଥିବାରୁ ଏଥିରୁ ଆଉ ଏକ ଆନନ୍ଦ ଅନୁଭବ ହୁଏ। କାରଣ ଅନୁବାଦ କରିବା ସମୟରେ ଅନେକ କିଛି ନୂଆ ଜାଣିବାକୁ ଓ ଶିଖିବାକୁ ମିଳିଥାଏ। ଅନୁବାଦରେ ମନୋନିବେଶ କରିପାରିଲେ ଏହା ସନ୍ତୁଷ୍ଟି ପ୍ରଦାନ କରେ। ତେଣୁ ସର୍ଜନାର ଉଭୟ ଦିଗ ଭଲ ଲାଗେ।
ଯେକୌଣସି ବିଭାଗର ମୁଖ୍ୟଭାବେ କାମ କରିବା ନିଶ୍ଚୟ ଏକ ବଡ଼ ଆହ୍ବାନ। ବିଭାଗରେ ଶୃଙ୍ଖଳା ରକ୍ଷା କରିବା ସହିତ ସବୁଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼େ। ନିତିଦିନ ନୂଆ ନୂଆ କାମ ଆସି ପହଞ୍ଚେ। କ୍ଲାସ୍ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହଜ। ଅଥଚ ଅଧ୍ୟାପନା ବ୍ୟତିରେେକ ଏହି କାମସବୁକୁ ସୀମିତ ସମୟ ଭିତରେ ସାରିବାକୁ ପଡ଼ିଥାଏ। ଭିନ୍ନ ଭିନ୍ନ ଦାୟିତ୍ବ ବିଶେଷକରି କାଗଜପତ୍ର କାମ କରିବା ଗୁରୁଦାୟିତ୍ବ ନିର୍ବାହ କରିବାପରି ଲାଗେ।
ପରିବାର, ଚାକିରି ଓ ଲେଖାଲେଖି ଭିତରେ ତାଳମେଳ ରକ୍ଷା କରିବା ନିଶ୍ଚିତ ରୂପେ ଏକ କଳା। ପ୍ରତ୍ୟେକ ମହିଳା ଏ କ୍ଷେତ୍ରରେ ଦକ୍ଷ ହୋଇଥାନ୍ତି। ମୋ ଜୀବନ ପରିବାର, ଚାକିରି ଓ ଲେଖାଲେଖି ଭିତର ଦେଇ ଗତି କରେ। ଏ ତିନୋଟି ଭିତରେ ସବୁଠାରୁ ଗୁରୁଦାୟିତ୍ବ ହେଉଛି ମୋ ଚାକିରି। ମୋ ନିର୍ଦ୍ଦେଶନାରେ ଯେଉଁ ଛାତ୍ରଛାତ୍ରୀମାନେ ଗବେଷଣା କରୁଛନ୍ତି ସେମାନଙ୍କ ଗବେଷଣାତ୍ମକ ନିବନ୍ଧ ପଢ଼ି ସେମାନଙ୍କୁ ମାର୍ଗଦର୍ଶନ ଦେବା ବାସ୍ତବରେ ସମୟ ସାପେକ୍ଷ। ପ୍ରତିଦିନ ଅଧଘଣ୍ଟା ସମେସ୍ତ ଲେଖାଲେଖିରେ ମନୋନିବେଶ କଲେ ସାହିତ୍ୟ ସାଧନା ବଳବତ୍ତର ରହେ ବୋଲି ସେ କହିଛନ୍ତି।