ପ୍ରେରଣାଦାୟୀ ଆଇଏଏସ୍‌-ଓକିଲ ଭଉଣୀ

ସାମାଜିକ ଗଣମାଧ୍ୟମରେ ଦୁଇ ସଫଳ ଭଉଣୀଙ୍କ କାହାଣୀ ଏବେ ଖୁବ୍ ଚର୍ଚ୍ଚିତ ହେଉଛି। ଏ ଦୁଇ ଭଉଣୀ ହେଉଛନ୍ତି ପରୀ ବିଶ୍ନୋଈ ଓ ପଲକ ବିଶ୍ନୋଈ। ରୋଚକ ବିଷୟ ହେଲା ଅଙ୍କିତ କୁମାର ନାମକ ଜଣେ ଫଟୋଗ୍ରାଫର୍‌ (ଯିଏ କେବଳ ରାସ୍ତାଘାଟରେ ଅଜଣା ଲୋକଙ୍କ ଚିତ୍ର ଉତ୍ତୋଳନ କରନ୍ତି) ଦିଲ୍ଲୀରେ ବିଶ୍ନୋଇ ଭଉଣୀଙ୍କୁ ଆକସ୍ମିକ ଭେଟି ସେମାନଙ୍କର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିବା ପରେ ଦୁଇ ଭଉଣୀଙ୍କ ପ୍ରେରଣାଦାୟୀ କାହାଣୀ ଭାଇରାଲ୍‌ ହୋଇଯାଇଛି।

ପରୀ ଏବେ ସିକ୍କିମ୍‌ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ କଳାରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବା ପରେ ୨୦୨୦ରେ ସେ ୟୁପିଏସ୍‌ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୦ତମ ସ୍ଥାନ ହାସଲ କରିଥିଲେ। ଏଥିସହିତ ପରୀ ରାଜସ୍ଥାନରେ ତାଙ୍କ ସମ୍ପ୍ରଦାୟର ପ୍ରଥମ ୟୁପିଏସ୍‌ସି ଉତ୍ତୀର୍ଣ୍ଣ ବ୍ୟକ୍ତି ପାଲଟିଯାଇଥିଲେ। ରାଜସ୍ଥାନ ପୁଲିସରେ କାର୍ଯ୍ୟରତ ମାଆଙ୍କ ପ୍ରେରଣା ପାଇ ସେ ଲୋକଙ୍କ ସେବା ପ୍ରତି ଛୋଟ ବେଳୁ ଉତ୍ସର୍ଗୀକୃତ ହୋଇଥିଲେ ବୋଲି ଉକ୍ତ ଭିଡିଓରେ ପ୍ରକାଶ କରିଛନ୍ତି। ସେହିପରି ପରୀଙ୍କ ଭଉଣୀ ପଲକ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟରେ କାର୍ଯ୍ୟରତ ଜଣେ ଆଇନଜୀବୀ। କ୍ରିମିନାଲ୍‌ ଓକିଲ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି।

ଏମାନଙ୍କ ପ୍ରଶଂସାରେ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ ଏହା ହିଁ ନାରୀବାଦର ଅସଲ ଉଦାହରଣ। ଏମାନଙ୍କୁ ଲକ୍ଷ୍ୟ କରି ଆଉ ଜଣେ ମହିଳା ଲେଖିଛନ୍ତି, ‘କାହିଁକି ଜାଣି ନାହିଁ କିନ୍ତୁ ଏହି ସଫଳ ମହିଳାମାନଙ୍କୁ ଦେଖି ଖୁବ୍ ଗର୍ବ ଅନୁଭବ ହେଉଛି।’ ବାସ୍ତବରେ, ଏହି ଦୁଇ ଭଉଣୀଙ୍କ କାହାଣୀ ଦର୍ଶାଉଛି ଯେ ଭାରତର ମହିଳାମାନେ ଶିକ୍ଷା, କ୍ୟାରିଅର୍ ଓ ବ୍ୟକ୍ତି ସ୍ବାଧୀନତା କ୍ଷେତ୍ରରେ କେତେ ଉଲ୍ଲେଖନୀୟ ପ୍ରଗତି ହାସଲ କଲେଣି।

ସମ୍ବନ୍ଧିତ ଖବର