ପିଲାଦିନେ ଭୂତକୁ ଡରୁଥିଲେ ମହାତ୍ମା ଗାନ୍ଧି, ଘରୋଇ ସହାୟିକାଙ୍କ ଏହି କଥା ଶୁଣି ସବୁଦିନ ପାଇଁ ଦୂର ହୋଇଥିଲା ତାଙ୍କ ଭୟ

ବ୍ରିଟିଶ ଶାସନରୁ ଏବଂ ଅତ୍ୟାଚାରରୁ ଭାରତକୁ ସ୍ୱାଧୀନତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧି ଛୋଟ ବେଳେ ଭୂତକୁ ଡ଼ରୁଥିଲେ ବୋଲି ଜଣା ପଡ଼ିଛି । ସାହସର ସହ ଶତ୍ରୁ ସହ ଲଢ଼ି ଦେଶକୁ ମୁକ୍ତ କରିଥିବା ଗାନ୍ଧିଜୀ ଭୂତକୁ ଡ଼ରୁଥିବା ଖବର ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କିନ୍ତୁ ଏ ବିଷୟରେ ସଂପୂର୍ଣ୍ଣ ଭାବରେ ଜାଣିବା ପରେ ଗାନ୍ଧି ଏତେ ଶକ୍ତ ଏବଂ ନିର୍ଭୟ କେମିତି ଥିଲେ ତାହା ଜାଣି ପାରିବେ ।

ଥରେ ସେ ଘରେ ଏକା ଥିବା ବେଳେ ହଠାତ୍‌ ଅନ୍ଧାର ହୋଇଯିବାରୁ ତାଙ୍କ ଡ଼ର ଲାଗିବା ଆରମ୍ଭ ହୋଇଥିଲା । ପୂର୍ବରୁ ଅନେକ ଭୂତ କାହାଣୀ ଶୁଣିଥିବା ବେଳେ ତାହା ସେ ସମୟରେ ଗୋଟି ଗୋଟି ହୋଇ ମନେ ପଡ଼ିବାକୁ ଲାଗିଲା । ଭୂତ କାହାଣୀ କଥା ଭାବି ସେ ବସିଥିବା ଘରୁ ଅନ୍ୟ ଘରକୁ ଯାଇ ପାରି ନଥିଲେ । ତାଙ୍କ ଗୋଡ଼ ଥରିବାକୁ ଲାଗିଥିଲା । କିନ୍ତୁ ସେ ସାହସ କରି ଅନ୍ଧାର ଘରୁ ଅନ୍ୟ ଘରକୁ ଯିବା ପାଇଁ ବାହାରିଥିଲେ । ଏହି ସମୟରେ ତାଙ୍କ ଘରେ କାମ କରୁଥିବା ରମ୍ଭା ଗାନ୍ଧିଙ୍କ ମୁହଁରେ ଡ଼ର ଦେଖି ସବୁ ବୁଝି ଯାଇଥିଲା। କ’ଣ ହେଲା ବୋଲି ପଚାରିବା ପରେ ମୋତେ ଡ଼ର ଲାଗୁଛି ବୋଲି ଉତ୍ତର ଦେଇଥିଲେ ଗାନ୍ଧିଜୀ । କେଉଁ ଜିନିଷକୁ ଡ଼ର ବୋଲି ପଚାରିବାରୁ ଏତେ ଅନ୍ଧାର ହୋଇଛି ମୋତେ ଭୂତକୁ ଡର ଲାଗୁଛି ବୋଲି ଗାନ୍ଧିଜୀ ଉତ୍ତର ରଖିଥିଲେ ।

Zee News

ଗାନ୍ଧିଜୀଙ୍କ ଉତ୍ତର ଶୁଣି ରମ୍ଭା ଜୋରରେ ହସିବା ସହ କହିଥିଲେ ଯେତେବେଳେ ତୁମକୁ ଭୂତ କଥା ଭାବି ଡ଼ର ଲାଗୁଛି ସେ ସମୟରେ ପ୍ରଭୁ ଶ୍ରୀରାମଙ୍କ ନାମ ସ୍ମରଣ କର । କେଉଁ ଭୂତ ତୁମ ପାଖକୁ ଆସି ପାରିବ ନାହିଁ । ଶ୍ରୀରାମ ତୁମର ରକ୍ଷା କରିବେ । ରମ୍ଭାଙ୍କଠାରୁ ଏ କଥା ଶୁଣି ଗାନ୍ଧିଜୀଙ୍କୁ ସାହସ ମିଳିଥିଲା ଏବଂ ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ସେ ଏକା ସେଦିନ ଅନ୍ଧାରରେ ଘରୁ ବାହାରିଥିଲେ । ଏହି ଘଟଣା ପରେ ତାଙ୍କ ମନରେ ଭୂତକୁ ନେଇ ଥିବା ଡ଼ର ସବୁଦିନ ପାଇଁ ଦୂର ହୋଇ ଯାଇଥିଲା । ଏହି ବିଶ୍ୱାସ ସାରା ଜୀବନ ମହାତ୍ମା ଗାନ୍ଧିଙ୍କୁ ଶକ୍ତି ଦେଇଥିଲା ଏବଂ ପ୍ରାଣ ତ୍ୟାଗ କରିବା ସମୟରେ ମଧ୍ୟ ତାଙ୍କ ପାଟିରୁ ରାମ ନାମ ବାହାରିଥିଲା ।

ସମ୍ବନ୍ଧିତ ଖବର