ମଧୁମେହ ଏକ ନିୟନ୍ତ୍ରଣସାପେକ୍ଷ ରୋଗ। ତେବେ ଏହାର ସଂପୂର୍ଣ୍ଣ ନିରାକରଣ ହୋଇପାରିନଥିବାରୁ ସମଗ୍ର ବିଶ୍ବରେ ଏହା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ମଧୁମେହର ମୂଳ କାରଣ ହେଉଛି ଶରୀରରେ ଇନ୍‌ସୁଲିନ୍‌ ହରମୋନ୍‌ କ୍ଷରଣ କମିଯିବା ବା ବନ୍ଦ ହୋଇଯିବା। ଇନ୍‌ସୁଲିନ୍‌ର ବାହ୍ୟଯୋଗାଣ ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ। ମାତ୍ର ବିଶ୍ବରେ ଦିନକୁ ଦିନ ଯେତେ ସଂଖ୍ୟାରେ ମଧୁମେହ ପୀଡ଼ିତ ଦେଖାଯାଉଛନ୍ତି, ସମସ୍ତଙ୍କ ପାଇଁ ଇନ୍‌ସୁଲିନ୍‌ ଉପଲବ୍‌ଧ ହୋଇପାରୁନାହିଁ। ଆଶ୍ବସ୍ତିର କଥା, ବୈଜ୍ଞାନିକମାନେ ଗାଈମାନଙ୍କ ଜିନ୍‌ରେ ଗୁଣସୂତ୍ରୀୟ ପରିବର୍ତ୍ତନ ଘଟାଇ ଏକ ସ୍ବତନ୍ତ୍ର ପ୍ରଜାତିର ଗାଈ ସୃଷ୍ଟି କରିଛନ୍ତି, ଯାହାର କ୍ଷୀରରୁ ସିଧାସଳଖ ଇନ୍‌ସୁଲିନ୍‌ ମିଳିପାରିବ। ଏହିଭଳି ଗାଈମାନେ ବିଶ୍ବର ଇନ୍‌ସୁଲିନ୍‌ ଯୋଗାଣ ସମସ୍ୟା ଦୂର କରିପାରିବେ।

Advertisment

ଉଲ୍ଲେଖଯୋଗ୍ୟ, ୧୯୨୧ ମସିହାରେ ମଧୁମେହ ପଛରେ ଇନ୍‌ସୁଲିନ୍‌ର ଭୂମିକା ବାବଦରେ ଜଣାପଡ଼ିଥିଲା। ଏହା ପରେ ଅନେକ ବର୍ଷ ଧରି ଗାଈ ଓ ଘୁଷୁରି ଅଗ୍ନ୍ୟାଶୟରୁ ଇନ୍‌ସୁଲିନ୍‌ ସଂଗ୍ରହ କରି ମଧୁମେହ ଚିକିତ୍ସା କରାଯାଉଥିଲା। ୧୯୭୮ ମସିହାରେ ‘ଇ. କୋଲି’ ବୀଜାଣୁରୁ ମାନବ ଇନ୍‌ସୁଲିନ୍‌ ସୃଷ୍ଟି ସଫ​ଳ ହେବା ପରେ ଏବେ ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ଓ ଇଷ୍ଟ୍‌ ଜରିଆରେ କୃତ୍ରିମ ଇନ୍‌ସୁଲିନ୍ ଉତ୍ପାଦନ କରାଯାଉଛି। ନିକଟରେ ଇଲିନଏସ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଗୁଣସୂତ୍ରୀୟ ପରିବର୍ତ୍ତନ ଦ୍ବାରା ଏକ ସ୍ବତନ୍ତ୍ର ଧରଣର ଗାଈ ସୃଷ୍ଟି କରି ତାହାକୁ କୃତ୍ରିମ ପ୍ରଜନନକ୍ଷମ କରାଇପାରିଛନ୍ତି। ଏହା ଗର୍ଭବତୀ ଥିବା ସମୟରେ କ୍ଷୀର ବହନ କରିବାର କ୍ଷମତା ରଖିଥିବାରୁ, ଉକ୍ତ କ୍ଷୀରକୁ ସେମାନେ ସଂଗ୍ରହ କରି ପରୀକ୍ଷା କରିଥିଲେ। ସେହି କ୍ଷୀରରେ ‘ସି-ପେପ୍‌ଟାଇଡ୍‌’ ନାମକ ଅବିକଳ ମାନବ ଇନ୍‌ସୁଲିନ୍‌ ସୃଷ୍ଟିକାରୀ ପ୍ରୋଟିନ୍‌ ରହିଥିବା ଜଣାପଡ଼ିଛି। ୨୦୧୪ ମସିହାରେ ମୂଷାଠାରେ ଅନୁରୂପ ଗୁଣସୂତ୍ରୀୟ ପରିବର୍ତ୍ତନ କରାଯାଇ ଏ ପ୍ରକାର ଫଳାଫଳ ମିଳିଥିଲା। ସେ ମୂଷା କ୍ଷୀରରେ ଲିଟର ପିଛା ୮.୧ ଗ୍ରାମ୍‌ ମାନବ ଇନ୍‌ସୁଲିନ୍‌ ସୃଷ୍ଟିକାରୀ ପ୍ରୋଟିନ୍‌ ରହିଥିଲା। ଇଲିନଏସ୍‌ ବିଶ୍ବବିଦ୍ୟାଳୟ ଗବେଷଣାରୁ ଉପଲବ୍‌ଧ ପ୍ରୋଟିନ୍‌ର ପରିମାଣକୁ ତୁଳନା କରାଯାଇନାହିଁ, ତେବେ ଏହାର ଫଳାଫଳ ସୁଦୂରପ୍ରସାରୀ ହେବ ବୋଲି ଗବେଷକମାନେ ଆଶା ରଖିଛନ୍ତି।

ଆକଳନ ଅନୁଯାୟୀ, ଯଦି ଏହି ନୂଆ ଧରଣର ଗାଈ କ୍ଷୀରରୁ ଲିଟର ପିଛା ଏକ ଗ୍ରାମ୍‌ ଇନ୍‌ସୁଲିନ୍‌ ମିଳେ, ତେବେ ତାହା ୨୮,୮୧୮ ୟୁନିଟ୍‌ ଇନ୍‌ସୁଲିନ୍‌ ସହ ସମାନ ହୋଇପାରିବ (ଗୋଟିଏ ୟୁନିଟ୍‌ରେ ୦.୦୩୪୭ ମିଲିଗ୍ରାମ୍‌ ଇନ୍‌ସୁଲିନ୍‌ ଥାଏ)। ସୁତରାଂ ସେଭଳି ଶହେଟି ଗାଈ ବର୍ଷକ ଭିତରେ ବିଶ୍ବର ଇନ୍‌ସୁଲିନ୍‌ ଚାହିଦା ପୂରଣ କରିପାରିବେ ବୋଲି ସେମାନେ ଆଶା ରଖିଛନ୍ତି।