ରାଷ୍ଟ୍ରପତି ଭବନର ଜଣାଅଜଣା କଥା : ୧୭ ବର୍ଷ, ୭୦୦ ନିୟୁତ ଇଟା ଓ ୨୯ ହଜାର ଶ୍ରମିକ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଜଣେ ନୂଆ ରାଷ୍ଟ୍ରପତି ପାଇବାକୁ ଯାଉଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ସମ୍ଭବତଃ ଏହି ଶୀର୍ଷ ପଦବି‌ରେ ବସିବାକୁ ଯାଉଛନ୍ତି। ଆଉ ସେ ଦିଲ୍ଲୀର ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନରେ ଅବସ୍ଥାନ କରିବାକୁ ଯାଉଛନ୍ତି। ଭାରତର ରାଷ୍ଟ୍ରପତି ଭବନ ବା ରାଷ୍ଟ୍ରପତି ନିବାସ ‌ଦେଖିବାକୁ ବେଶ୍ ଆକର୍ଷଣୀୟ। ରୋମର କ୍ୟୁରେନାଲ ପ୍ୟାଲେସ ପରେ ଏହା ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ନିବାସ । ଆସନ୍ତୁ ଏହି ରାଷ୍ଟ୍ରପତି ଭବନ ବିଷୟରେ ଅବଗତ ହେବା କିଛି ଜଣା-ଅଜଣା କଥା।

– ରାଷ୍ଟ୍ରପତି ଭବନ ନିର୍ମାଣ ପାଇଁ ଲାଗିଥିଲା ୧୭ ବର୍ଷ । ୧୯୧୨ ମସିହାରେ ଏହାର ନିର୍ମାଣ କାମ ଆରମ୍ଭ ହୋଇ ୧୯୨୯ ମସିହାରେ ଶେଷ ହୋଇଥିଲା । ଏହାକୁ ତିଆରି କରିବା ପାଇଁ ୨୯ ହଜାର ଶ୍ରମିକ ନିୟୋଜିତ ହୋଇଥିଲେ ।
-ଏହାକୁ ନିର୍ମାଣ କରିବା ପାଇଁ ୭୦୦ ନିୟୁତ ଇଟା, ୩ ନିୟୁତ ଘନଫୁଟର ପଥର ବ୍ୟବହାର କରାଯାଇଥିଲା ।
-ରାଇସିନା ହିଲ୍ ଉପରେ ନିର୍ମାଣ ହୋଇଛି ରାଷ୍ଟ୍ରପତି ଭବନ । ପୂର୍ବରୁ ଏଠାରେ ରାଇସିନା ଓ ମାଲ୍‌ବା ନାଁରେ ଦୁଇଟି ଗାଁ ରହିଥିଲା । ଏହି ମହଲ ତିଆରି ପାଇଁ ଦୁଇ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଇଥିଲା ।
– ଦେଶ ସ୍ୱାଧୀନ ହେବା ଆଗରୁ ଏଠାରେ ଭାଇସରାୟ ରହୁଥିବାରୁ ଏହା ଭାଇସରାୟ ହାଉସ୍ ନାଁରେ ପରିଚିତ ଥିଲା ।
– ଏଥିରେ ରାଷ୍ଟ୍ରପତି କାର୍ଯ୍ୟାଳୟ, ଅତିଥି କକ୍ଷ, ସମାରୋହ କକ୍ଷ ସହ ୩୦୦ରୁ ଅଧିକ ଗୃହ ରହିଛି । ଏହାସହ ବିଭିନ୍ନ ଆକାରର ଉଦ୍ୟାନ ମଧ୍ୟ ରହିଛି ।
-ରାଷ୍ଟ୍ରପତି ଭବନର ଦରବାର ହଲରେ ରହିଛି ଗୌତମ ବୁଦ୍ଧଙ୍କ ପ୍ରତିମା । ସେହିପରି ଉପହାର ସଂଗ୍ରହାଳୟରେ ରହିଛି ରାଜା ପଂଚମ ଜର୍ଜଙ୍କ ୬୪୦ କେଜିର ରୁପାର ସିଂହାସନ । ୧୯୧୧ ମସିହାରେ ଦିଲ୍ଲୀ ଦରବାର ସମୟରେ ସେ ଏହି ସିଂହାସନରେ ବସିଥିଲେ ।
-ରାଷ୍ଟ୍ରପତି ଭବନର ମାର୍ବଲ ହାଉସରେ ରହିଛି ଭାଇସରାୟ ଏବଂ ବ୍ରିଟିସ ରାଜପରିବାର ସଦସ୍ୟଙ୍କ ମାର୍ବଲ ପ୍ରତିମୂର୍ତି ଓ ଚିତ୍ର ।
– ରାଷ୍ଟ୍ରପତି ଭବନର ଅଶୋକା ହଲ୍ ବେଶ୍ ପ୍ରସିଦ୍ଧ। ଏହି ହଲ୍‌ରେ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
– ରାଷ୍ଟ୍ରପତି ଭବନରେ ମୋଟ୍ ୭୫୦ କର୍ମଚାରୀ କାମ କରନ୍ତି । ଏମାନଙ୍କ ମଧ୍ୟରେ ୨୩୫ ଜଣ କାର୍ଯ୍ୟ କରନ୍ତି ରାଷ୍ଟ୍ରପତିଙ୍କ ଅଫିସରେ ।
-ପ୍ରତି ଶନିବାର ଦିନ ୧୦ଟା ବେଳେ ରାଷ୍ଟ୍ରପତି ଭବନରେ ୩୦ ମିନିଟ ପାଇଁ ଚେଞ୍ଜ୍ ଅଫ୍ ଗାର୍ଡ ସମାରୋହ ଅନୁଷ୍ଠିତ ହୋଇଥାଏ । ସାଧାରଣ ଦର୍ଶକ ଏହି ସମାରୋହ ଦେଖିବାର ସୁଯୋଗ ପାଇଥାନ୍ତି ।

ସମ୍ବନ୍ଧିତ ଖବର