ଆଜି ହେଉଛି ଆନ୍ତର୍ଜାତିକ କ୍ରୀତଦାସ ପ୍ରଥା ଉଚ୍ଛେଦର ସ୍ମରଣ ଦିବସ। ମିଳିତ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଦ୍ବାରା ଆରମ୍ଭ ହୋଇଥିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରୀତଦାସ ପ୍ରଥାର ଧ୍ବଂସକାରୀ ପ୍ରକୃତି ଏବଂ ତାହାର ବିପର୍ଯ୍ୟୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ଅତୀତର କ୍ରୀତଦାସ ବ୍ୟବସାୟ ବାବଦରେ ଆଲୋକପାତ କରିବା। ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଏହି ପ୍ରଥାର ଭୟାବହତା ଦେଖିବାକୁ ମିଳିଥିଲା। ଆଫ୍ରିକୀୟ ବ୍ୟବସାୟୀଙ୍କ ଦ୍ବାରା ଫସି ରହିଥିବା ଲୋକଙ୍କୁ ୟୁରୋପରୁ ଜାହାଜରେ ଆସୁଥିବା ପଣ୍ୟ ବଦଳରେ ବିକ୍ରି କରାଯାଉଥିଲା। ଆଫ୍ରିକାରୁ ଚାଲାଣ ହୋଇଥିବା ଶିଶୁ ସମେତ ପ୍ରାୟ ୪.୮ ଲକ୍ଷ ଲୋକଙ୍କୁ ବ୍ରିଟିସ ଉପନିବେଶମାନଙ୍କରେ କ୍ରୀତଦାସ ଭାବେ ଖଟିବାକୁ ବାଧ୍ୟ କରାଯାଇଥିଲା।

Advertisment

ନାନାଦି ନିର୍ଯାତନା ଓ ଶୋଷଣରେ ଅତିଷ୍ଠ ହୋଇ ବିଭିନ୍ନ କ୍ରୀତଦାସ ଗୋଷ୍ଠୀ ଆରମ୍ଭ କରୁଥିବା ବିଦ୍ରୋହକୁ ଦମନ କରିଦିଆଯାଉଥିଲା। ଶେଷରେ ବହୁ ସଂଘର୍ଷ ପରେ ସେମାନେ ୧୭୯୧ ଅଗଷ୍ଟ ୨୩ରେ ହାଇତି ଠାରେ ଏହି ପ୍ରଥାର ଉଚ୍ଛେଦ ପାଇଁ ସଂଘବଦ୍ଧ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ପରେ ଗୋଟିଏ ପରେ ଗୋଟିଏ ଦେଶ ଏହି ପ୍ରଥାକୁ ନିଷିଦ୍ଧ ଘୋଷଣା କରିଥିଲେ। ଏହି ଦିବସ ଆମକୁ ଅତୀତରେ ଦାସତ୍ବର ଶିକାର ହୋଇଥିବା ଶିଶୁ ସମେତ ପ୍ରାୟ ଦେଢ଼ କୋଟି ଲୋକଙ୍କ ପରାଧୀନତାର ଅଭିଶପ୍ତ ଶୋଷଣକୁ ପଛରେ ଛାଡ଼ି ଏକ ସୁସ୍ଥ ତଥା ସୁରକ୍ଷିତ ବିଶ୍ବ ଗଠନର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପଗୁଡ଼ିକୁ ମନେ ପକାଇ ଦେଇଥାଏ। ଚଳିତବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି ‘ପରିବର୍ତ୍ତନକାରୀ ଶିକ୍ଷା ମାଧ୍ୟମରେ ବର୍ଣ୍ଣବୈଷମ୍ୟର ଦାସତ୍ବ ବିରୋଧରେ ଲଢ଼େଇ’। ଅର୍ଥାତ୍‌ ଶିକ୍ଷା ଦ୍ବାରା ଜାତିଆଣ ବିଚାରଧାରାର ପ୍ରତିବନ୍ଧକୁ ନଷ୍ଟ କରିବା ପାଇଁ ସଂକଳ୍ପ ନେବା।