ଆଜି ଆନ୍ତର୍ଜାତିକ ଦୁର୍ନୀତି ନିବାରଣ ଦିବସ। ଦୁର୍ନୀତି ବିରୋଧରେ ସାର୍ବଜନୀନ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ଦୁର୍ନୀତିକୁ ରୋକିବା ଓ ଏହାର ସମାଧାନ ଦିଗରେ ସାମୂହିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହା ପ୍ରୋତ୍ସାହିତ କରୁଛି। ମିଳିତ ଜାତିସଂଘ ଅନୁଯାୟୀ, ଦୁର୍ନୀତି ଏକ ଗୁରୁତର ଅପରାଧ ଯାହା ସମସ୍ତ ସମାଜରେ ସାମାଜିକ ଓ ଅର୍ଥନୈତିକ ବିକାଶକୁ ଦୁର୍ବଳ କରିଦିଏ। ପୃଥିବୀର କୌଣସି ଦେଶ, ପ୍ରଦେଶ ଓ ସମ୍ପ୍ରଦାୟ ଦୁର୍ନୀତିମୁକ୍ତ ନୁହନ୍ତି। ଏହା ବିଶ୍ବର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଆଦି ସମସ୍ତ ଭାଗରେ ଦେଖାଯାଏ, ଯାହା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ବିପନ୍ନ ଓ ଦୁର୍ବଳ କରିପକାଏ, ସରକାରୀ ଅସ୍ଥିରତା ବୃଦ୍ଧି କରେ ଏବଂ ଆର୍ଥିକ ବିକାଶକୁ ମନ୍ଥର କରିଦେଇଥାଏ। ସରଳ ଭାଷାରେ କହିଲେ, ଦୁର୍ନୀତି ହେଉଛି କ୍ଷମତାରେ ଥିବା ଲୋକଙ୍କ ଦ୍ବାରା ଅସତ୍‌ କିମ୍ବା ଠକେଇ ଆଚରଣ। ବ୍ୟକ୍ତିଗତ ଲାଭ ପାଇଁ କ୍ଷମତାର ଅପବ୍ୟବହାର ହେଉଛି ଦୁର୍ନୀତିର ସବୁଠାରୁ ସାଧାରଣ ରୂପ। ତେବେ ଏହା ନାନା ରୂପରେ ଘଟିପାରେ। ଦୁର୍ନୀତି ସମାଜର ମେରୁଦଣ୍ଡକୁ ଦେହଲାଇ ଦେଇଥାଏ।

Advertisment

ଏଥିରେ ଲୋକଙ୍କ ସ୍ବାଧୀନତା, ସ୍ବାସ୍ଥ୍ୟ, ଅର୍ଥ ଓ କେବେ କେବେ ଜୀବନ ମଧ୍ୟ ଚାଲିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ୨୦୦୩ ଡିସେମ୍ବର ୯ ତାରିଖରେ ମିଳିତ ଜାତିସଂଘ ଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ‘ଦୁର୍ନୀତି ବିରୋଧରେ ମିଳିତ ଜାତିସଂଘ ସମାବେଶ’ (ୟୁଏନ୍‌ସିଏସି) ସନ୍ଧି ସ୍ବାକ୍ଷରିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଦୁର୍ନୀତି ହ୍ରାସ ଲାଗି ଆଇନତଃ କାର୍ଯ୍ୟ କରିବା ଓ ଆଇନଶୃଙ୍ଖଳା ଲାଗୁ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କ ଉପରେ ଚାପ ପକାଇବା। ତାହାକୁ ସ୍ମରଣୀୟ କରିବା ପାଇଁ ପ୍ରତି ବର୍ଷ ଏହି ଦିବସ ପାଳିତ ହୋଇ ଆସୁଛି। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି- ‘କୋଡ଼ିଏ ବର୍ଷରେ ୟୁଏନ୍‌ସିଏସି: ବିଶ୍ବକୁ ଦୁର୍ନୀତି ବିରୋଧରେ ଏକଜୁଟ କରିବା’।