କୋରାପୁଟ ଓ କଫି- ସତେ ଯେମିତି କେହି କାହାଠାରୁ ଅଲଗା ନୁହନ୍ତି। କୋରାପୁଟରେ କଫି ପ୍ରକ୍ରିୟାକରଣ ୟୁନିଟ୍‌ ହେବାପରେ ଖୋଲାବଜାରରେ ଏବେ ମିଳୁଛି ‘କୋରାପୁଟ କଫି’। ବିକ୍ରି ହେବା ଆରମ୍ଭରୁ ହିଁ ଏହା ଲୋକପ୍ରିୟତା ହାସଲ କରିପାରିଛି। କୋରାପୁଟ, ଭୁବନେଶ୍ବର, ପୁରୀ ଓ ଅନ୍ୟ ବଡ଼ ସହରରେ ଆଉଟ୍‌ଲେଟ୍, ଅନ୍‌ଲାଇନ୍‌ ବଜାର ସହ ନିଜସ୍ବ ୱେବ୍‌ସାଇଟ୍‌ ଓ ବଜାର ସୃଷ୍ଟି ଯୋଗୁ ‘କୋରାପୁଟ କଫି’ ଲୋକଙ୍କ ମନ କିଣିପାରିଛି। ଏଥିସହିତ, ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ବିଶ୍ବବଜାରରେ ପ୍ରବେଶ କରିପାରିଛି।

Advertisment

କୋରାପୁଟରେ କଫି ଚାଷ ଆଜିକାଲିର କଥା ନୁହେଁ। ପ୍ରାକ୍‌-ସ୍ବାଧୀନତା କାଳରୁ ଏହି କଫିଚାଷ ହୋଇ ଆସୁଥିବା ସ୍ଥାନୀୟ ଲୋକେ ମତଦିଅନ୍ତି। ସେମାନଙ୍କ କହିବ‌ା କଥା, ୧୯୩୦ ମସିହାରେ ଜୟପୁର ରାଜା କଫି ଆଣି ଜୟପୁର ନିକଟସ୍ଥ ବିଚଲକୋଟା ନିକଟରେ ଚାଷ କରାଇଥିଲେ। ଏଠ‌ାରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଛି ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ଚାଷର ମଧ୍ୟ ଗୁରୁତ୍ବ ରହିଛି। ସେଇଥିପାଇଁ ୧୯୫୮ ମସିହ‌ାରେ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗ କଫିଚାଷକୁ ପ୍ରାଧାନ୍ୟ ଦେଇଥିଲେ। ସେତେବେଳେ ସରକାରଙ୍କ ସହଯୋଗରେ ମାଛକୁଣ୍ତ ଜଳଭଣ୍ତାରର ତଳିଆ ଅଞ୍ଚଳରେ କଫି ଚାଷ କରାଯାଇଥିଲା। ମୃତ୍ତିକା ସ˚ରକ୍ଷଣ ଦିଗରେ ଏହା ବେଶ୍‌ ସହାୟକ ହୋଇଥିଲା। କଫିଚାଷ ସହ ସମ୍ପୃକ୍ତ ଜଣେ ବ୍ୟକ୍ତିବିଶେଷଙ୍କ ମତରେ, ୭୦ ଦଶକ ବେଳକୁ ପୋଡୁଚାଷ ରୋକିବା ପାଇଁ ପ୍ରଶାସନ କଫିଚାଷକୁ ଗୁରୁତ୍ବ ଦେଇଥିଲା। ସେତେବେଳେ ଖରାଦିନ ଆସୁଆସୁ ଜଙ୍ଗଲରେ ଆଦିବାସୀ ଲୋକମାନେ ନିଆଁ ଲଗାଇ ଦେଉଥିଲେ। ସେଇ ଜାଗାରେ ଚାଷ କରୁଥିଲେ। ଏହି ପୋଡୁଚାଷରେ ବହୁ ଜଙ୍ଗଲ ଜଳିପୋଡ଼ି ନଷ୍ଟ ହୋଇଯାଉଥିଲା। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଜଙ୍ଗଲର ସେହି ସ୍ଥାନରେ କଫି ଗଛ ଲଗାଯାଇଥିଲା। ଲୋକମାନେ ଯେତେବେଳେ କଫି ଏକ ଲାଭଜନକ ଫସଲ ବୋଲି ଜାଣିଲେ, ତା’ପରେ ଆଉ ଜଙ୍ଗଲ ନଜାଳି କଫିଗଛର ଯତ୍ନ ନେଲେ। ଜଙ୍ଗଲରେ ବଡ଼ ବଡ଼ ଗଛ ଥିବାରୁ ସେଇ ଗଛ ଛାଇରେ କଫି ବି ଭଲ ବଢ଼ିଲା। ସରକାରଙ୍କ ଏହି କୌଶଳ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ ଆଦିବାସୀ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିବାରେ ସଫଳ ହୋଇପାରିଲା।

କୋରାପୁଟର ଥଣ୍ତା ଜଳବାୟୁ ମଧ୍ୟ ପ୍ରଚୁର ପରିମାଣରେ ବର୍ଷା କଫି ଚାଷକୁ ବେଶ୍‌ ସୁହାଇଲା। ସାଧାରଣତଃ ୨୩ ଡିଗ୍ରୀ ସେଲସିୟସରୁ ୨୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ମଧ୍ୟରେ କଫି ଗଛ ଭଲ ବଢ଼ିପାରେ। ଓଡ଼ିଶାର କୋରାପୁଟ ପରି ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ଅଳ୍ପ ରହୁଥିବାରୁ ଏବ˚ ଅପେକ୍ଷାକୃତ ଅଧିକ ବର୍ଷା ହେଉଥିବାରୁ ଏଠାରେ କଫି ଚାଷ ସମ୍ଭବ ହୋଇ ପାରୁଛି। ପୁଣି ଜଙ୍ଗଲ ଭିତରେ ଛାଇ ମିଳୁଥିବାରୁ କଫି ଗଛ ବଢ଼ିବାରେ ସହାୟକ ହେଉଛି। କୋରାପୁଟ ଜିଲ୍ଲାର ତାପମାତ୍ରା ୧୨ ଡିଗ୍ରୀରୁ ୩୮ ଡିଗ୍ରୀ ଭିତରେ ରହୁଥିଲାବେଳେ ଏଠାରେ ବର୍ଷକୁ ହାରାହାରି ୧୫୦୫.୮ ମିମି ବର୍ଷା ହୋଇଥାଏ। ସମୁଦ୍ରପତ୍ତନଠାରୁ ୨୯୦୦ ଫୁଟ୍‌ ଉଚ୍ଚତାରେ ଥିବା କୋରାପୁଟ ଜୁନ୍‌ରୁ ଅକ୍‌ଟୋବର ପର୍ଯ୍ୟନ୍ତ ବର୍ଷା ଲାଗି ରହେ। ଜିଲ୍ଲାର ବିଭିନ୍ନ ଜଙ୍ଗଲିଆ ଅଞ୍ଚଳରେ ଏମିତି କଫି ଚାଷ କରି ସଫଳ ହେବାପରେ ମୃତ୍ତିକା ସ˚ରକ୍ଷଣ, କଫି ବୋର୍ଡ ଓ କେନ୍ଦ୍ରୀୟ କଫି ବୋର୍ଡ ଏହି ଚାଷକୁ ଆହୁରି ଅଧିକ ଗୁରୁତ୍ବ ଦେଲା। ପ୍ରଥମେ ପ୍ରଥମେ ମୃତ୍ତିକା ସ˚ରକ୍ଷଣ ପାଇଁ ଆରମ୍ଭ ହୋଇଥିବା କଫି ଚାଷକୁ ପରେ ଏକ ଲାଭଜନକ ବ୍ୟବସାୟରେ ପରିଣତ କରାଗଲା। ଏଥିରୁ ଭଲ ଲାଭ ମିଳୁଥିବାରୁ ଘରୋଇ ଭାବେ ମଧୢ କଫି ଚାଷ କରିବାକୁ ଉଦ୍ୟୋଗୀ ଆଗେଇ ଆସିଲେ। ଜଣେ ସଫଳ ଉଦ୍ୟୋଗୀ ଭାବେ ଜଣାଶୁଣା ସୁଜୟ ପ୍ରଧାନ ୧୯୯୪ ମସିହାରୁ ସେ କଫିଚାଷ କରି ଆସୁଛନ୍ତି। ନିଜେ ଜଣେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ କଫିଚାଷର ବ୍ୟବସାୟିକ ଦିଗକୁ ବିଶ୍ବ ବଜାର ଯାଏ ନେଇପାରିଛନ୍ତି। ତାଙ୍କ ଭଳି ଆହୁରି କେତେଜଣ ଏବେ କଫିଚାଷକୁ ନେଇ ନୂଆନୂଆ ପରିକଳ୍ପନା କରୁଥିବା ଦେଖିବାକୁ ମିଳୁଛି। ଯେଉଁଥିପାଇଁ ସେଦିନ କୋରାପୁଟରେ କଫି ଚାଷ ପାଇଁ ଯେଉଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଥିଲା, ତାହା ଏବେ ଏକ ବିରାଟ ବଜାରରେ ପରିଣତ ହୋଇସାରିଲାଣି।

ତଥ୍ୟ ଅନୁସାରେ, ଏବେ ଜିଲ୍ଲାରେ ପାଖାପାଖି ୩ ହଜାର ୬୧ ହେକ୍ଟର ଜମିରେ କଫି ଚାଷ ଚାଲିଛି। ସରକାରୀ ଓ ଘରୋଇଙ୍କୁ ମିଶାଇ ଜିଲ୍ଲାରେ ଏବେ ୩୧୬୧ ଜଣ ଚାଷୀ ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଚାଷୀମାନଙ୍କୁ ସହାୟକ ହେଉଛି ଏଠାରେ ଥିବା କଫି ପ୍ରକ୍ରିୟାକରଣ ୟୁନିଟ୍‌। ଯେଉଁଥିପାଇଁ ‘କୋରାପୁଟ କଫି’ ନାମରେ ଭଳିକିଭଳି ଉତ୍ପାଦ ମିଳିବା ସହିତ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଏହା ସାରା ଓଡ଼ିଶାର ପ୍ରମୁଖ ସ୍ଥାନରେ ଉପଲବ୍ଧ ହେଉଛି। ପୂର୍ବରୁ ଏଠାରୁ ମୁଖ୍ୟତଃ ଆନ୍ଧ୍ର ଓ କର୍ଣ୍ଣାଟକକୁ କଫି ବିକ୍ରି କରାଯାଉଥିଲା ବେଳେ ସେମାନେ ଏବେ ଚାଷୀ ନିଜ ନାମରେ ବ୍ରାଣ୍ଡିଂ କରି କଫି ବିକ୍ରି କରୁଛନ୍ତି। ଏଇଥିପାଇଁ କୋରାପୁଟ କଫି ସ୍ବତନ୍ତ୍ର ମର୍ଯ୍ୟାଦା ଫେରିପାଇଛି।

ଭୁବନେଶ୍ବରରେ ଏହି କଫିର ଆଦର ମଧ୍ୟ ଢେର୍‌ ଅଧିକ। ତେବେ କେବଳ ଓଡ଼ିଶା ଭିତରେ ଏହା ଅଟକିଯାଇନି, କୋରାପୁଟ କଫିକୁ ଆନ୍ତର୍ଜାତିକ ବଜାରରେ ପହଞ୍ଚାଇବା ପାଇଁ ଆମାଜନ୍‌ ପରି ଇ-କମର୍ସ ୱେବ୍‌ସାଇଟ୍‌ରେ ଏହାକୁ ଉପଲବ୍ଧ କରାଯାଇଛି। ଆରମ୍ଭରୁ ଏହା ଲୋକଙ୍କ ପସନ୍ଦର ବ୍ରାଣ୍ଡ୍‌ ପାଲଟି ଯାଇଛି। ଏହି କଫିର ଚାହିଦା ଏତେ ଅଧିକ ରହିଛି ଯେ, ଏହି ଅନୁପାତରେ ଯୋଗାଇବା ସମ୍ଭବ ହେଉନି। ଅବଶ୍ୟ କୋରାପୁଟ କଫି ପ୍ରକ୍ରିୟାକରଣ ୟୁନିଟ୍‌ ଆରମ୍ଭ ହେଲା ବେଳକୁ ଏହାର ଭବିଷ୍ୟତ ନେଇ ସାମାନ୍ୟ ଆଶଙ୍କା ମଧ୍ୟ ରହିଥିଲା। ନାମୀଦାମୀ ବ୍ରାଣ୍ଡ୍‌ର କଫିକୁ ନେଇ ସମୃଦ୍ଧ କଫି ବଜାରର ଭିଡ଼ ଭିତରେ ଏହା କେମିତି ପ୍ରତିନ୍ଦ୍ବନ୍ଦ୍ବିତା କରି ପାରିବ ତାକୁ ନେଇ ମଧ୍ୟ କିଛି ସନ୍ଦେହ ପ୍ରକାଶ କରିଥିଲେ। କିନ୍ତୁ, କିଛିଦିନ ଭିତରେ ସବୁ ଆଶଙ୍କା ଦୂରୀଭୂତ ‌ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୫୦ ଗ୍ରାମ୍‌, ୫୦୦ ଗ୍ରାମ୍‌ ଓ ୧୦୦ ଗ୍ରାମ୍‌ ପ୍ୟାକେଟ୍‌ କରାଯାଇ ଏହା ବିକ୍ରି କରାଯାଉଛି। ଏହାର ଦର ୨୯୯ ଟଙ୍କା ରହିଥିଲାବେଳେ ଆମାଜନ୍‌ରେ ୪୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହି ନୂତନ ବ୍ରାଣ୍ଡ୍‌ର କଫି କୋରାପୁଟ ମାଟିର ମହକ ବାଣ୍ଟୁଥିଲାବେଳେ ଏହାକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ପ୍ରଶାସନ ଓ କଫି ଚାଷୀ।

 ‘କୋରାପୁଟ ହେବ କଫିର ହବ’

ଜିଲ୍ଲାରେ ହେଉଥିବା କଫି ଚାଷ ପାଇଁ ବଜାର ଯୋଗାଇଦେବା ଲକ୍ଷ୍ୟରେ ଚଳିତବର୍ଷ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଚାଷୀଙ୍କ ପାଖରୁ ଏଥର ପ୍ରଶାସନ ସହଯୋଗରେ ଟିଡିସିସି କଫି ମଞ୍ଜି କିଣି ବଜାର ପ୍ରବେଶ କରାଇବ। ଆଗରୁ ମଧ୍ୟସ୍ଥିମାନେ ଏହା କିଣୁଥିବାରୁ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁ ନ ଥିଲା। ଏବେ ଟିଡିସିସି ଚାଷୀଙ୍କୁ ଉଚିତ ଦର ଦେଇ କଫି ମଞ୍ଜି କିଣିବାପରେ ଏହାକୁ ପ୍ରକ୍ରିୟାକରଣ କରି କୋରାପୁଟ କଫି ନାମରେ ବିକ୍ରି କରାଯିବ। ଫଳରେ ଜିଲ୍ଲାର ନାମ ବଢ଼ିବ। କୋରାପୁଟ କଫିକୁ ନେଇ କିଛିଦିନ ହେଲା ଚାହିଦା ବୃଦ୍ଧି ପାଇଥିବାବେଳେ ଆସନ୍ତାବର୍ଷରୁ ଏହି ଚାହିଦାକୁ ମେଣ୍ଟା ଯାଇପାରିବ। ଏହା ସହିତ କୋରାପୁଟ କଫିକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ କେମିତି ପ୍ରତିଷ୍ଠିତ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି। କୋରାପୁଟକୁ ‘କଫିର ହବ୍‌’ କରିବା ପାଇଁ ଜିଲ୍ଲା ପ୍ରଶାସନ ସବୁପ୍ରକାର ଉଦ୍ୟମ ଜାରି ରଖିଛି।

- ଅବଦ୍ଦାଲ ଏମ୍‌.ଅଖତର, ଜିଲ୍ଲାପାଳ, କୋରାପୁଟ

‘ଯୁବଚାଷୀ ଆଗକୁ ଆସିବା ଆବଶ୍ୟକ’

ଯଦିଓ କଫି ଚାଷରେ ଏବେ ଲାଭ କମିଛି, ତଥାପି ଏହା ଏକ ଲାଭଜନକ ଫସଲ। ପୁଣି ଏବେ କୋରାପୁଟ କଫିକୁ ବ୍ରାଣ୍ଡ ମିଳିଯିବା ପରେ ଚାଷୀଙ୍କୁ ସୁବିଧା ହୋଇଛି। ଏଠାରେ କଫି ପ୍ରକ୍ରିୟାକରଣ ୟୁନିଟ୍‌ ହେବାଦ୍ବାରା ବାହାର ଲୋକେ କୋରାପୁଟ କଫି ବିଷୟରେ ଜାଣି ପାରିବା ସହ ଏହି କଫିକୁ ପସନ୍ଦ କରିଛନ୍ତି। ତେଣୁ ଭବିଷ୍ୟତରେ କୋରାପୁଟ କଫିର ଭବିଷ୍ୟତ ନିଶ୍ଚୟ ଭଲ ବୋଲି କହିହେବ। ଚାଷୀମାନେ ମଧ୍ୟ ନିଜ ବ୍ରାଣ୍ଡରେ କଫି ପ୍ରସ୍ତୁତ କରିବା ପାଇଁ ଏହି ୟୁନିଟ୍‌ ସହାୟକ ହୋଇପାରିବ। ଅପରପକ୍ଷରେ କୋରାପୁଟରେ କଫି ଚାଷ ପାଇଁ ପ୍ରକୃତି ଏକ ସୁନ୍ଦର ପରିବେଶ ଦେଇଥିବାରୁ ଯୁବଚାଷୀମାନେ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ଦରକାର। ଅଧିକରୁ ଅଧିକ ଚାଷୀ କଫି କ୍ଷେତ୍ରକୁ ପ୍ରବେଶ କଲେ କୋରାପୁଟ କଫିର ବ୍ରାଣ୍ଡ୍‌ ଆହୁରି ବ୍ୟାପକ ହୋଇପାରିବ।

- ସୁଜୟ ପ୍ରଧାନ, ଚାଷୀ ଓ ଉଦ୍ୟୋଗୀ