ଆଜି ସମଗ୍ର ବିଶ୍ବରେ ‘ଆନ୍ତର୍ଜାତିକ ବେଆଇନ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ’ ପାଳନ କରାଯାଉଛି। ନିଶା ଦ୍ରବ୍ୟ ବା ଡ୍ରଗ୍ ସେବନ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ଦୂର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଚୀନ୍ର ଗୁଆଂଡଙ୍ଗରେ ଅଫିମ କାରବାରକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଲିନ୍ ଜେକ୍ସୁଙ୍କ ସ୍ମୃତିରେ ମିଳିତ ଜାତିସଂଘ ୧୯୮୭ ମସିହା ଡିସେମ୍ବର ୭ ତାରିଖରେ ଏକ ସଂକଳ୍ପ ଗ୍ରହଣ କରି ଏହି ଦିବସକୁ ସ୍ବୀକୃତି ଦେଇଥିଲା। ତଦନୁଯାୟୀ, ନିଶା ସେବନର ବିପତ୍ତି ବାବଦରେ ସଚେତନତା ବିସ୍ତାର ପାଇଁ ୧୯୮୯ ମସିହାରୁ ପ୍ରତି ବର୍ଷ ଜୁନ୍ ୨୬ ତାରିଖରେ ବିଶ୍ବର ଲକ୍ଷ ଲକ୍ଷ ଲୋକ ଓ ସଂଗଠନ ଅଂଶ ଗ୍ରହଣ କରି ଏହି ଦିବସର ପ୍ରଚାର ଓ ପ୍ରସାର କରି ଆସୁଛନ୍ତି। ଏଥି ସହିତ ନିଶା ଦ୍ରବ୍ୟ ସେବନ ତ୍ୟାଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କର କଲ୍ୟାଣକୁ ପ୍ରୋତ୍ସାହିତ କରାଯାଉଛି।
ସେମାନଙ୍କର ଚିକିତ୍ସା ଓ ପରାମର୍ଶ ପାଇଁ କିଛି ଅର୍ଥରାଶି ପ୍ରଦାନ ସହିତ ଅଧିକ ପ୍ରଭାବଶାଳୀ ନିଶା ମୁକ୍ତି କେନ୍ଦ୍ରର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସର୍ବୋପରି ବିଶ୍ବରୁ ନିଶା ଦ୍ରବ୍ୟର ମୂଳୋତ୍ପାଟନ ନିମିତ୍ତ ସମସ୍ତଙ୍କୁ ଏହାଠି ହେବା ପାଇଁ ଏହି ଦିବସ ପାଳନ ପ୍ରେରଣା ଯୋଗାଇଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଜନତା ପ୍ରଥମେ: କଳଙ୍କ ଓ ଭେଦଭାବ ବନ୍ଦ ହେଉ, ପ୍ରତିରୋଧ ଦୃଢ଼ ହେଉ’।