ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ଅନୁଚିନ୍ତା

ରାଜକିଶୋର ସାମନ୍ତରାୟ

ଷାଠିଏ ବର୍ଷ ପୂରିଗଲେ ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ ସୂଚକ ସମ୍ବୋଧନ “ବରିଷ୍ଠ ନାଗରିକ” ମନରେ ଆତ୍ମ ସନ୍ତୋଷ ଭରିଦିଏ | ସିନିୟର ସିଟିଜେନ୍ ପରିଚୟରେ ଖୁବ ଗୌରବ ବୋଧ ଅନୁଭବ ହୁଏ | ଜ୍ୟେଷ୍ଠତ୍ବ ବୟସରେ ନୁହେଁ , ସମାଜ ପ୍ରତି ଅବଦାନ, ଜୀବନର ଅନୁଭୂତି ତାଙ୍କୁ ଶ୍ରେଷ୍ଠତ୍ବ ପ୍ରଦାନ କରିଛି ; ଏପରି ଭାବନା ମନରେ ଆସିବା ସ୍ୱାଭାବିକ | କାରଣ, ସବୁକିଛି ତ୍ୟାଗ କରିଛନ୍ତି ପରିବାର ସୁଖ, ସମ୍ମାନ ତଥା ପିଲାମାନଙ୍କୁ ମଣିଷକରି ଗଢ଼ି ତୋଳିବାରେ | ସେ ଦିନମଜୁରିଆ, କୃଷକ, ଶିକ୍ଷକ ଅଥବା ସୈନିକ- ଯାହାବି ହୁଅନ୍ତୁ, ସମାଜ ତଥା ଦେଶପାଇଁ ଅବଦାନ ଅତୁଳନୀୟ | ମାତ୍ର, ସ୍ୱାଭିମାନୀ ମଣିଷଟି ଜୀବନର ଅପରାହ୍ନରେ ଯେବେ ବାସ୍ତବତାକୁ ସାମ୍ନାକରେ; ବୁଝିପାରେ, ସତରେ କେତେ ଅଲୋଡ଼ା ଆଉ ମୂଲ୍ୟହୀନ | ନିଜର ବୋଲି କାହାକୁ କହିବ; ତା’ ପାଇଁ ଏକ ବିରାଟ ପ୍ରଶ୍ନବାଚୀ !!

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ କ୍ଷିପ୍ର ଗତିରେ ଯେଭଳି ବରିଷ୍ଠଙ୍କ ସଂଖ୍ୟା ବୃଦ୍ଧି ପାଉଛି,ଆକଳନ କରାଯାଉଛି ୨୦୫୦ ମସିହା ବେଳକୁ ସମୁଦାୟ ଜନ ସଂଖ୍ୟାର ଏମାନେ ଥିବେ ଅଧାରୁ ଅଧିକ | ଏବେ ଏଇ ସଂଖ୍ୟା ୧୦ ପ୍ରତିଶତ ରହିଛି | ଯଦି ଏ ସମୟରେ ଆମ ସମାଜ ତଥା ସରକାର ବରିଷ୍ଠଙ୍କୁ ନ୍ୟୁନତମ ସୁଖ ଓ ସୁବିଧା ଯୋଗାଇବାରେ ବିଫଳ ହେଉଛନ୍ତି ; ଚିନ୍ତା ଲାଗୁଛି , ବରିଷ୍ଠଗଣ କି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ଯେବେ ଏଇ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହେବ ?

ଏ ପରିପ୍ରେକ୍ଷୀରେ ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ପାଳନ ହେଉଥିବା ” ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ” ଖୁବ ମହତ୍ୱପୂର୍ଣ୍ଣ | ଏ ବର୍ଷ ପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘର ମୁଖ୍ୟ ପ୍ରସଙ୍ଗ ହେଉଛି -“ସବୁ ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ-ପ୍ରଯୁକ୍ତି ବିଦ୍ୟାର ଉପଲବ୍ଧି” (Digital equity for all ages) | ବୟସ୍କଙ୍କ ପାଇଁ ଏହାର ଉପଯୋଗ ବହୁତ ଜରୁରୀ | ମାତ୍ର ବରିଷ୍ଠଙ୍କ ମୌଳିକ ସମସ୍ୟାର ଅନୁଶୀଳନ, ଭବିଷ୍ୟତ କର୍ମପନ୍ଥା, ସମାଜ ତଥା ପ୍ରଶାସନ ଦାୟିତ୍ୱକୁ ଗୁରୁତ୍ୱ ଦେଇ ଆଲୋଚନାକୁ ତା’ ମଧ୍ୟରେ ସୀମିତ ରଖାଯାଇଛି | ପ୍ରଶାସନିକ ଦାୟିତ୍ୱ କେତେ ଗୁରୁତ୍ୱ, ତା ସୂଚାଇ ଦେଉଛି ଆଜିର ଏହି ଆଲେଖ୍ୟ |

ଆଜିର ସମାଜରେ ବରିଷ୍ଠଙ୍କ ଦୁର୍ଦ୍ଦଶାର କାରଣ କ’ଣ ସବୁ ହୋଇପାରେ ?

୧ . ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ସହିତ ମଣିଷର ସ୍ଵଭାବ , ରୀତିନୀତି , ଜୀବନ ଶୈଳୀ ସବୁଥିରେ ଆସିଯାଇଛି ବିରାଟ ପରିବର୍ତ୍ତନ | ବିବର୍ତ୍ତନବାଦର ଏହା ଏକ ସ୍ୱାଭାବିକ ପ୍ରକ୍ରିୟା | ଶାନ୍ତ ସ୍ଵଭାଵ, ସରଳ ମଣିଷଟି ଶୀର୍ଷରେ ପହଞ୍ଚିବା ପାଇଁ ପ୍ରତିଦ୍ଵନ୍ଦିତା ଦୌଡ଼ରେ ଆଜି ହରାଇ ବସିଛି ସମସ୍ତ ମାନବୀୟ ମୂଲ୍ୟବୋଧ |

୨ . ପାରମ୍ପରିକ ଯୌଥ ପରିବାର ବିଲୋପ ସହିତ କ୍ଷୁଦ୍ର ଅଥବା ଅଣୁ ପରିବାରକୁ ଆପଣେଇବା | ଯୌଥ ପରିବାରରେ ଶିଶୁଟିଏ ଖାଲି ଅମାପ ସ୍ନେହ ଆଉ ଶ୍ରଦ୍ଧାର ହକଦାର ହୋଇ ନ ଥାଏ , ପ୍ରତ୍ୟକ୍ଷ ଅନୁଭୂତି ଲାଭ କରେ କେମିତି ବରିଷ୍ଠଙ୍କୁ ସମ୍ମାନ ଦିଅନ୍ତି ଆଉ ତାଙ୍କ କଥା ମାନି ଚଳନ୍ତି | ଅଣୁ ପରିବାରରେ ଶିଶୁଟିଏ ସବୁବେଳେ ବ୍ୟସ୍ତ ବିବ୍ରତ ବାପା-ମା’ଙ୍କ ବ୍ୟତୀତ କାହାକୁ ଦେଖିଲା ନାହିଁ ; ବରିଷ୍ଠଙ୍କ ପ୍ରତି ପରିବାରର ଶ୍ରଦ୍ଧା ଆଉ ସମର୍ପଣ ଭାବ ଶିଖିଵ କେମିତି ?

୩ . ଏବର ପିଢ଼ି ରୋଜଗାରକ୍ଷମ ହେଲା ମାତ୍ରକେ ତାଙ୍କର ଗାଡ଼ି , ଘର ଆଉ ସମସ୍ତ ସୌଖିନ ଦ୍ରବ୍ୟ ଆଗ ଦରକାର | ଏ ସବୁ ଏବେ ସଂଭ୍ରାନ୍ତ ବ୍ୟକ୍ତିର ସଂକେତ (status symbol), ସହଜ ଋଣରେ ମଧ୍ୟ ଉପଲବ୍ଧ | ସ୍ୱାମୀ , ସ୍ତ୍ରୀ ଏବଂ ଛୋଟ ପୁଅ-ଝିଅଙ୍କୁ ନେଇ ଏବର ପରିବାର | ଆଉ ଦରକାର ସାଙ୍ଗ ସାଥି , ଗାଡ଼ି ଆଉ ବୈଦୁତିକ ଉପକରଣ | ପଇସା ବଳିବ କେଉଠୁଁ ଯେ ଚିନ୍ତା କରିବେ ବୁଢା ବାପ-ମା ତଥା ପରିବାର ଦାୟିତ୍ୱ କଥା ?

୪. ଆଧୁନିକତାର ନାଁରେ ଗଣମାଧ୍ୟମ ଯେଉଁ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ଏବଂ ସମାଜକୁ ଯେଉଁ ବାର୍ତ୍ତା ଦେଉଛନ୍ତି, ତାର କୁପ୍ରଭାଵ କାହାକୁ ଅଛପା ନାହିଁ |

୫. ପରିବାରରେ ପିତାମାତାଙ୍କ ଦାୟିତ୍ୱ ନେବାରେ ପିଲାମାନଙ୍କର ବିମୁଖତା | ଏହାକୁ ସେମାନେ ବୋଝ ବୋଲି ମନେ କରୁଛନ୍ତି | ପୁଅବୋହୂଙ୍କ ପାଖରେ ସେତିକି ତ୍ୟାଗ ଆଉ ସମର୍ପଣ ଭାବ ଦେଖିବାକୁ ମିଳୁ ନାହିଁ | ପରିବାର ଦାୟିତ୍ବରୁ ମୁକ୍ତ ରହି ସ୍ୱାଧୀନ ଜୀବନ ସହିତ ନିଜସ୍ୱ ସଂପତ୍ତି ଏବଂ ମାଲିକନାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବର ପିଢ଼ି |

୬. ଭରଣ ପୋଷଣ ପାଇଁ ସ୍ୱତନ୍ତ୍ର ନିୟମ ରହିଛି “The Maintenance and Welfare of Parents and Senior Citizens Act,2007” | ଏଥିପାଇଁ ଅସହାୟ ଓ ବୃଦ୍ଧ ପିତା ମାତାଙ୍କୁ କୋର୍ଟ କଚେରୀ ଦୌଡ଼ିବାର ଝମେଲା ଆଉ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଯୋଗୁଁ ପିଲାମାନେ ଏ ଦାୟିତ୍ୱରୁ ଏଡ଼େଇ ଯିବା ସହଜ ହେଉଛି | ଏପରି ଏକ ସମ୍ବେଦନଶୀଳ ସାମାଜିକ ସମସ୍ୟା ପାଇଁ ପ୍ରଚଳିତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ନିହାତି ଜରୁରୀ |

ଏଭଳି ଅନେକ କଥା, ଯାହାକି ବରିଷ୍ଠଙ୍କ ଦୁର୍ଦ୍ଦଶାର କାରଣ ପାଲଟି ଯାଇଛି | ଯେତେବେଳେ ନିଜର ରକ୍ତ ଦୂରେଇ ଯାଆନ୍ତି, କାହାଠୁ ନା କାହାଠୁ ସାହାଯ୍ୟ ପାଇଁ ହାତ ପତାଇଵା ସ୍ୱାଭାବିକ | ଏ କ୍ଷେତ୍ରରେ ସରକାର ହିଁ ଏକ ମାତ୍ର ସାହା ଆଉ ଭରସା | ଆଇନତଃ ସୁରକ୍ଷା ଦେବା ଏବଂ ଆତ୍ମସମ୍ମାନର ସହ ବଞ୍ଚିବା ପାଇଁ ବ୍ୟବସ୍ଥା କରିବା ସରକାରଙ୍କ ମୌଳିକ ଦାୟିତ୍ୱ | ଏ ସମସ୍ତ ସେବା ଏବଂ ସାହାଯ୍ୟ ପାଇବା ବରିଷ୍ଠଙ୍କ ସାମ୍ବିଧାନିକ ଅଧିକାର ମଧ୍ୟ | ଏଥିପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ନାମରେ ଏକ ବିଭାଗ ବି ସୃଷ୍ଟି ହୋଇଛି | ବରିଷ୍ଠଗଣ ଅଧିକ ଚାହୁଁ ନାହାଁନ୍ତି, ଦୁଇଟି ସାଧାରଣ ଦାୟିତ୍ୱ ତୁଲାଇବା ପାଇଁ ସରକାରଙ୍କ ପାଖରେ ଦାବି ରଖୁଛନ୍ତି | ଗୋଟିଏ ହେଲା ଅର୍ଥନୈତିକ ସ୍ତରରେ ଦୁର୍ବଳଥିବା ବରିଷ୍ଠଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ଏବଂ ଆର୍ଥିକ ସାମର୍ଥ୍ୟଙ୍କ ପାଇଁ ସହାନୁଭୂତି ସ୍ୱରୂପ କିଛି ପଦକ୍ଷେପ | ସରକାର କେବେ ମନା କରନ୍ତି ନାହିଁ , ମାତ୍ର ସବୁର ରୂପାୟନ କେବଳ କାଗଜ ପତ୍ରରେ, ବାସ୍ତବ ରୂପ ନେବାରେ ଦୃଢ଼ ସଂକଳ୍ପର ଘୋର ଅଭାବ |

ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠଙ୍କୁ ଏଇ କେତୋଟି ନ୍ୟୁନତମ ସୁବିଧା ସୁଯୋଗ ଯୋଗାଇ ଦେଲେ ସେମାନେ ଶାନ୍ତିରେ ବଞ୍ଚି ପାରନ୍ତେ:

୧ . ଗରିବ ବୃଦ୍ଧ-ବୃଦ୍ଧାଙ୍କ ପାଇଁ ପେନସନର ବ୍ୟବସ୍ଥା ସରକାରଙ୍କ ଏକ ସାମ୍ବିଧାନିକ କର୍ତ୍ତବ୍ୟ | ଏବର ମାସିକ ଭତ୍ତା ଏତେ କମ ଯେ, ସୁଷମ ଖାଦ୍ୟ ଚିନ୍ତା କରିବା ଦୂରେ ଥାଉ, ଢୋକେ ପିଇ ଦଣ୍ଡେ ଜିଇବା ନୀତିରେ ବଞ୍ଚି ରହିଛନ୍ତି | ଏହାର ପରିମାଣ ଏମିତି କିଛି ନିର୍ଦ୍ଧାରିତ ହେବା ଦରକାର , ଯାହା ତାଙ୍କୁ ଦୁଇ ଓଳି ଅନ୍ନ ପାଇଁ ଯଥେଷ୍ଟ ହେବ |

୨ . ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବରିଷ୍ଠଙ୍କ ମାର୍ଫତରେ ଏକକ କାର୍ଡ଼ ମାଧ୍ୟମରେ ସମସ୍ତ ପ୍ରକାର ସରକାରୀ ସୁବିଧା, ରାସନ ଉପଲବ୍ଧ ହେବାର ବ୍ୟବସ୍ଥା ହେବା ଉଚିତ | ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ଼ – ଏକ ସମୟୋପଚିତ ପଦକ୍ଷେପ |

୩ . ବୃଦ୍ଧ , ଅସହାୟ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟେକ ବ୍ଲକସ୍ତରରେ ସରକାରଙ୍କ ଦ୍ୱାରା ପରିଚାଳିତ ଅନ୍ୟୁନ ଗୋଟିଏ ଜରା ନିବାସ ରହିବା ଜରୁରୀ ମନେହୁଏ | ପରିବାର ଅବହେଳା ପାଇଁ ମୃତ୍ୟୁ ବରଣ ଅପେକ୍ଷା ସେମାନେ ନିଶ୍ଚୟ ପସନ୍ଦ କରିବେ ଶେଷ ଜୀବନ ଏଇଠି କଟାଇବ ପାଇଁ | ହୁଏତ ତାଙ୍କର ପେନସନ , ରାସନ କାର୍ଡ ହେଉ ଅବା ନିଜର ସଞ୍ଚୟକୁ ଏଇ ଜରା ନିବାସରେ ଖର୍ଚ୍ଚ କରି ପାରିବେ |

୪ . ସ୍ୱାସ୍ଥ୍ୟ ବୀମାରେ ସୁଧାର ଅଣାଯାଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନିଜସ୍ୱ ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି | ମାତ୍ର ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ କିଛି କରିବାର ଅଛି | ସ୍ମାର୍ଟ କାର୍ଡ ପ୍ରଚଳନ ଯଥେଷ୍ଠ ନୁହେଁ ; ଦେଖିବାକୁ ପଡ଼ିବ କେମିତି ଗରିବ ଲୋକଟିଏ ଏଥିରେ ସାମିଲ ହୋଇ ପାରିବ ଏବଂ ଏହାକୁ ବ୍ୟବହାର କରି ନିର୍ଦ୍ଧାରିତ ହସ୍ପିଟାଲରେ ଚିକିତ୍ସାର ସେବା ପାଇ ପାରିବ |

ଏବେ ଦେଖିବା ମଧ୍ୟବିତ୍ତ ଶ୍ରେଣୀର ବୟସ୍କ ବ୍ୟକ୍ତିଗଣ କଣ ଚାହାନ୍ତି :

୧ . ବରିଷ୍ଠଙ୍କ ସଞ୍ଚୟ ଜମା ରାଶିରେ ନ୍ୟାୟ ସଙ୍ଗତ ସୁଧର ବ୍ୟବସ୍ଥା | ସ୍ୱଚ୍ଛଳ ଥିବା ବରିଷ୍ଠ ନାଗରିକ ତାଙ୍କର ପେନସନ ଏବଂ କଷ୍ଟୋପାର୍ଜିତ ସଞ୍ଚିତ ଧନ ରାଶିର ସୁଧ ଉପରେ ତାଙ୍କର ଗୁଜରାଣ ନିର୍ଭର କରେ | ସୁବିଧା ଦୃଷ୍ଟିରୁ ବ୍ୟାଙ୍କରେ ହିଁ ଟଙ୍କା ରଖିଥାନ୍ତି | କମ ସୁଧରେ ଋଣ ଦେବା ପାଇଁ ସରକାର ବ୍ୟାଙ୍କ Fixed Deposit ସୁଧ ଏପରି କମାଇ ଦେଲେଣି , ବରିଷ୍ଠଙ୍କ ବଞ୍ଚିବା ଦୁର୍ବିସହ | ଜୀବନ ବୀମା , ଡାକଘର ଯୋଜନା ଏବଂ ପ୍ରୋଭିଡେଣ୍ଟ ଫଣ୍ଡ ପାଣ୍ଠିର ସୁଧ ଟିକେ ଅଧିକ |ମାତ୍ର ଏଇ କିଛି ବର୍ଷ ମଧ୍ୟରେ ସୁଧ ହାର ୨% ଅଧିକ କମାଇ ଦିଅ ଗଲାଣି | ଏ ସବୁ ଜମା ପାଇଁ ଏକ ଯଥାର୍ଥ ସୁଧ ହାର ନିର୍ଦ୍ଧାରଣ କରାଯାଉ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଟଙ୍କା ଉଠାଣର ନିୟମକୁ କୋହଳ କରାଯାଉ |

୨ . ବରିଷ୍ଠଙ୍କ ପାଇଁ ଜାତୀୟ ନୀତି,୧୯୯୯ ଅନୁସାରେ ଆୟକର ପାଇଁ ସ୍ୱତନ୍ତ୍ର ରିହାତିର ପ୍ରାବଧାନ ରହିଛି | ଆୟ ନ ଥାଇ କେବଳ ପେନସନ ଉପରେ ଶୂନ୍ୟ ଆୟକର ସୀମାକୁ ୫ ଲକ୍ଷକୁ ବୃଦ୍ଧି କରାଯାଉ | ୭୫ ବର୍ଷ ପରେ ବରିଷ୍ଠଙ୍କୁ ସମ୍ପୂର୍ଣ୍ଣ କରମୁକ୍ତ କରାଯାଉ; ଯେଉଁମାନେ କେବଳ ପେନସନ ଏବଂ ସଞ୍ଚିତ ରାଶିର ସୁଧ ପାଉଛନ୍ତି |

୩ . ସମୟର ଉପଯୋଗ |ଏବେ ପଇସା ପାଇଁ ନୁହେଁ ବରଂ ସେମାନଙ୍କ ସମୟର ଉପଯୋଗ ଏବଂ ନିଜକୁ କାର୍ଯ୍ୟକ୍ଷମ ରଖିବା ଅଭିପ୍ରାୟରେ କର୍ମ ଯୋଜନା ସନ୍ଧାନରେ ରହୁଛନ୍ତି | ଆମ ଦେଶରେ ଏମିତି କିଛି ସଂସ୍ଥା ନାହିଁ, ଯାହା ବରିଷ୍ଠଙ୍କୁ କିଛି ଗଠନ ମୂଳକ କାମରେ ନିୟୋଜିତ ରଖି ପାରିବ | ଖୁସିର କଥା , ସରକାର ସକ୍ଷମ ବରିଷ୍ଠଙ୍କୁ କର୍ମସଂସ୍ଥାନ ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ( Employment Exchange) କରିବାକୁ ଯାଉଛନ୍ତି |

୪ . ଵୃଦ୍ଧାଶ୍ରମ ଏବେ କି ଗରିବ କି ଧନୀ ସମସ୍ତଙ୍କପାଇଁ ଦରକାର | ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଉନ୍ନତମାନର ଵୃଦ୍ଧାଶ୍ରମ ନିର୍ମାଣ ଆଉ ପରିଚାଳନା ପାଇଁ ସରକାରଙ୍କ ପ୍ରୋତ୍ସାହନ ନିହାତି ଜରୁରୀ | ଯେଉଁମାନଙ୍କ ପିଲାମାନେ ପାଖରେ ନାହାଁନ୍ତି ଅଥବା ପରିବାରରୁ ଦୁର୍ବ୍ୟବହାର ପାଉଛନ୍ତି, ସ୍ୱଚ୍ଛଳ ବରିଷ୍ଠଗଣ ପଇସା ଦେଇ ସମସ୍ତ ସୁବିଧା ଥିବା ବୃଦ୍ଧାଶ୍ରମରେ ରହି ପାରିବେ |

୫. ମନୋରଞ୍ଜନର ବ୍ୟବସ୍ଥା | ବରିଷ୍ଠଙ୍କ ସମୟ ବିତାଇବା ପାଇଁ କମ୍ୟୁନିଟି ହଲର ବ୍ୟବସ୍ଥା ପ୍ରାୟତଃ ନ ଥିଲା | ଖୁସିର କଥା ସରକାର ଏ ବିଷୟରେ ଚିନ୍ତା କରୁଛନ୍ତି | ମାତ୍ର ଏ ପର୍ଯ୍ୟନ୍ତ କୌଣସି ଅଗ୍ରଗତି ହୋଇ ନାହିଁ | ଗାଁ , ସହର ସବୁଠି ଏହାର ଆବଶ୍ୟକତା ରହିଛି ; କାର୍ଯ୍ୟକାରୀ ହେବା ଖୁବ ଜରୁରୀ |

୬ . ବରିଷ୍ଠଙ୍କ ସୁରକ୍ଷା ଦିଗରେ କଠୋର ଆଇନ ପ୍ରଣୟନ ଏକ ଜରୁରୀ ଆବଶ୍ୟକତା | ପରିବାର ଅଥବା ସାମାଜିକ ଜୀବନ ଯାପନରେ କେଉଁଠି ବି ସେମାନେ ଶୋଷଣ କିମ୍ବା ଅତ୍ୟାଚାରର ସମୁଖୀନ ହେବା ଉଚିତ ନୁହେଁ | ବରିଷ୍ଠଙ୍କୁ ନ୍ୟୁନତମ ସୁଖ ସୁବିଧା ପ୍ରଦାନ କରିବାକୁ ହେଲେ ଅନେକ କିଛି କରିବାର ଅଛି | ସମାଜ ମଙ୍ଗଳ ରାଷ୍ଟ୍ରରେ ସରକାର ତାଙ୍କ ଦାୟିତ୍ବରୁ ଏଡ଼େଇ ଯିବା ଠିକ ହେଉନାହିଁ |

ଆମର ସୁଖ ଶାନ୍ତି ସବୁ କିଛି ନିର୍ଭର କରୁଛି ପରିବାର , ସମାଜ ଏବଂ ସରକାରଙ୍କ ଉପରେ | “ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ” ରେ ଏତିକି ଆଶା ରଖିବା; ଆଜିର ପିଢ଼ି ବରିଷ୍ଠଙ୍କ ତ୍ୟାଗ,ଅବଦାନକୁ ହୃଦୟରେ ସାଇତି ରଖନ୍ତୁ , ନିଷ୍ଠୁର ଆଚରଣରୁ ନିବୃତ୍ତ ପୂର୍ବକ ଏମାନଙ୍କୁ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନର ସହିତ ବଞ୍ଚିବାରେ ସହାୟ ହୁଅନ୍ତୁ | ଓଡ଼ିଶା ସରକାର ୨୦୧୮ ମସିହାରେ ସ୍ୱତନ୍ତ୍ର “ବରିଷ୍ଠ ନାଗରିକ ଯୋଜନା” ପ୍ରଣୟନ ଅବସରରେ ଘୋଷଣା କରିଥିବା ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ; ଏତିକି ଆଶା କରିବା |

ତା’ ସହିତ ବରିଷ୍ଠଙ୍କ ପାଇଁ ପଦେ | ସୁଖ ଆଉ ଶାନ୍ତି ପାଇବା ହେଉଛି ଏକ ଦେଣନେଣ କାରବାର | ଏଥିପାଇଁ ବରିଷ୍ଠଙ୍କୁ ସେ ଦାୟିତ୍ୱ ଠିକ ଭାବେ ତୁଲାଇବାର ଅଛି | ଅଧିକ ଲୋଭ , ହିଂସା , ଦ୍ୱେଷ ଏବଂ ପକ୍ଷପାତିତା ପରିତ୍ୟାଗ ପୂର୍ବକ ଈଶ୍ୱରଙ୍କ ପାଖରେ ଭକ୍ତି ରଖି ଶେଷ ଜୀବନ ଶାନ୍ତିରେ ବଞ୍ଚିବାର କଳାକୁ ଆପଣେଇବା ଦରକାର | ଏବେ ବି ସମାଜ ପାଇଁ ଆମର ଅବଦାନର ଆବଶ୍ୟକତା ରହିଛି, କେମିତି ନୂତନ ପିଢ଼ିକୁ ଜୀବନର ମୂଲ୍ୟବୋଧ ବିଷୟରେ ଜ୍ଞାତ କରାଯିବ ସେ ଦାୟିତ୍ୱ ହେଉଛି ଆମ୍ଭମାନଙ୍କର | ଏହା ମଧ୍ୟରେ ରହିଛି ସୁଖ ଶାନ୍ତିର ଚାବିକାଠି |

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ସମସ୍ତ ବରିଷ୍ଠଙ୍କ ପାଇଁ ଶୁଭ କାମନା !

-ରାଜକିଶୋର ସାମନ୍ତରାୟ,

ଯୁଗ୍ମ ସମ୍ପାଦକ, ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ

ସମ୍ବନ୍ଧିତ ଖବର