ମିଳିତ ଜାତିସଂଘ ଦ୍ବାରା ସ୍ବୀକୃତ ‘ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରୀକରଣ ଦିବସ’ର ଲକ୍ଷ୍ୟ ହେଉଛି ଦାରିଦ୍ର୍ୟ ଦୂରୀକରଣ ପାଇଁ ସବୁ ଦିଗରୁ ସମସ୍ତ ପ୍ରକାର ସଚେତନତା ସୃଷ୍ଟି କରିବା। ଦାରିଦ୍ର୍ୟ ଓ ଅସମାନତାର ମୂଳ କାରଣକୁ ଦୂର କରିବା ପାଇଁ ଏହା ଆଲୋଚନା ଓ କାର୍ଯ୍ୟାନୁଷ୍ଠାନକୁ ପ୍ରୋତ୍ସାହିତ କରିବାର ଅବସର ଆଣିଥାଏ। ୧୯୮୭ ମସିହା ଅକ୍‌ଟୋବର ୧୭ ତାରିଖରେ ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ର ଟ୍ରୋକାଡରୋ ଠାରେ ଲକ୍ଷେରୁ ଅଧିକ ଲୋକ ସମବେତ ହୋଇ ପ୍ରଥମ ଥର ପାଇଁ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରିଥିଲେ। ଚରମ ଦାରିଦ୍ର୍ୟ, କ୍ଷୁଧା ଓ ହିଂସାର ଶିକାର ହୋଇଥିବା ଲୋକଙ୍କୁ ସମ୍ମାନିତ କରିବା ଲାଗି ଏହି ସମାବେଶରେ ମାନବାଧିକାରର ସାର୍ବଜନୀନ ଘୋଷଣାନାମା ସ୍ବାକ୍ଷରିତ ହୋଇଥିଲା।

Advertisment

ଦାରିଦ୍ର୍ୟ ହେଉଛି ମୌଳିକ ମାନବାଧିକାରର ଉଲ୍ଲଂଘନ ବୋଲି ସମାବେଶରେ ନିଷ୍ପତ୍ତି ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଅକ୍‌ଟୋବର ୧୭ ତାରିଖରେ ବିଭିନ୍ନ ପୃଷ୍ଠଭୂମିର ଲୋକ ଏକାଠି ହୋଇ ନିଜର ପ୍ରତିବଦ୍ଧତା ଜାରି ରଖିବା ସହ ଗରିବ ଲୋକଙ୍କ ପ୍ରତି ସମ୍ମାନ ଓ ସଂହତି ପ୍ରଦର୍ଶନ କରି ଆସୁଛନ୍ତି। ତେବେ ୧୯୯୨ରେ ଜାତିସଂଘର ସାଧାରଣ ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ‘ଉତ୍କୃଷ୍ଟ ନିଯୁକ୍ତି ଓ ସାମାଜିକ ସୁରକ୍ଷା: ବାସ୍ତବରେ ସମସ୍ତଙ୍କ ପାଇଁ ଆତ୍ମସମ୍ମାନ’। ଏପରି ପ୍ରସଙ୍ଗ ଚୟନର ଉଦ୍ଦେଶ୍ୟ ହେଉଛି, ସାରା ବିଶ୍ବରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସଂଖ୍ୟା ସହିତ ସମଗ୍ର ସମାଜର ଆଲୋଚନା ଓ ବୁଝାମଣା ବୃଦ୍ଧି କରିବା।

ଏତି ସହିତ ସମସ୍ତଙ୍କର ମାନବିକ ଆତ୍ମସମ୍ମାନକୁ ଉଜ୍ଜୀବିତ ରଖିବା, ନ୍ୟାୟୋଚିତ ଦରମା ଓ ସୁରକ୍ଷିତ କାର୍ଯ୍ୟ ପରିବେଶ ଯୋଗାଇବା, ପ୍ରତ୍ୟେକ ଶ୍ରମିକଙ୍କ ମୌଳିକ ମୂଲ୍ୟବୋଧ ଓ ମାନବିକତାକୁ ସ୍ବୀକୃତି ଦେବା ଲାଗି ଉତ୍କୃଷ୍ଟ ଧରଣର ନିଯୁକ୍ତି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯିବା ଅପରିହାର୍ଯ୍ୟ। ରାଜନେତା ଓ ନୀତି ନିର୍ଦ୍ଧାରକମାନେ ସବୁ ପ୍ରକାର ନିଷ୍ପତ୍ତି ଗ୍ରହଣ ସମୟରେ ମାନବୀୟ ଆତ୍ମସମ୍ମାନକୁ ପଥପ୍ରଦର୍ଶକ ରୂପେ ଗ୍ରହଣ କରି, କର୍ପୋରେଟ୍ ଲାଭ ଅନ୍ବେଷଣ ପୂର୍ବରୁ ମାନବାଧିକାର ଓ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ଏ ବର୍ଷର ‘ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରୀକରଣ ଦିବସ ଆହ୍ବାନ କରୁଛି।