ପ୍ରତି ବର୍ଷ ଆଜିର ଦିନକୁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ଅଜାତ ଶିଶୁ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ବେଆଇନ ତଥା ଅନିଚ୍ଛାକୃତ ଗର୍ଭପାତକୁ ରୋକିବା ଏବଂ ଦୁନିଆର ଆଲୋକ ଦେଖିବା ଲାଗି ମାତୃଗର୍ଭରେ ଜନ୍ମ ହେବାକୁ ଅପେକ୍ଷା କରିଥିବା ଶିଶୁର ସୁରକ୍ଷା କରିବା। ଏଥି ସହିତ ଜଣେ ମହିଳା ଗର୍ଭଧାରଣ କରିବା ଦିନରୁ ହିଁ ମନୁଷ୍ୟ ଜୀବନର ମର୍ଯ୍ୟାଦାକୁ ହୃଦୟଙ୍ଗମ କରି ଭ୍ରୂଣ ରୂପରେ ତାହାର ଅସ୍ଥିତ୍ବକୁ ପ୍ରଥମରୁ ହିଁ ସମ୍ମାନ ଦେବାର ବିଚାରକୁ ଏହା ପ୍ରସାର କରିଥାଏ।
ଲିଙ୍ଗଗତ ଭେଦଭାବ ଓ ଅନ୍ୟାନ୍ୟ ସ୍ବାର୍ଥଗତ କାରଣ ପାଇଁ ଗର୍ଭପାତ କରାଇବା ହେଉଛି ମାନବିକ ଅଧିକାରର ଉଲ୍ଲଂଘନ। ତେଣୁ ଗର୍ଭପାତ ଜନିତ ବିପଦ ସମ୍ପର୍କରେ ସମସ୍ତେ ସଚେତନ ହେବା ଜରୁରୀ। ଏପରି ଦିବସ ପାଳନ ଦ୍ବାରା ଲୋକମାନଙ୍କୁ ଅନ୍ତତଃ ଅବଗତ କରାଯାଇପାରିବ କି ମନୁଷ୍ୟ ଅସ୍ଥିତ୍ବର ପ୍ରତିଟି ସ୍ତରରେ ତାହାର ଜୀବନ ହେଉଛି ଅମୂଲ୍ୟ ସମ୍ପଦ। ଉଲ୍ଲେଖଯୋଗ୍ୟ, ଖ୍ରୀଷ୍ଟଧର୍ମରେ ‘ଆନୁନ୍ସିଏସନ୍ ଡେ’ ଭାବେ ପରିଚିତ ଉକ୍ତ ଦିନ କୁଆଁରୀ ମାତା ମେରି (ଯୀଶୁଖ୍ରୀଷ୍ଟଙ୍କ ଜନନୀ) ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ଗର୍ଭରେ ଧାରଣ କଲେ ବୋଲି ଦେବଦୂତ ଗାବ୍ରିଏଲ୍ ଘୋଷଣା କରିଥିବାର ପ୍ରବାଦ ରହିଛି।
ତେବେ କୃତ୍ରିମ ଗର୍ଭପାତକୁ ବିରୋଧ କରୁଥିବା କାଥୋଲିକ୍ ଚର୍ଚ୍ଚ ତଥା ଭାଟିକାନ୍ ସହରର ମୁଖ୍ୟ ପୋପ୍ ଜନ୍ ପଲ (ଦ୍ବିତୀୟ) ୧୯୯୯ରେ ଉକ୍ତ ଦିବସକୁ ଅଜାତ ଶିଶୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ତଦନୁସାରେ ଆର୍ଜେଣ୍ଟିନା ରାଷ୍ଟ୍ରପତି କାର୍ଲସ ମେନେମ ୧୯୯୯ ମାର୍ଚ୍ଚ ୨୫ରେ ଆନୁଷ୍ଠାନିକ ଭାବେ ଏହି ଦିନକୁ ‘ଅଜାତ ଶିଶୁ ଦିବସ’ ଭାବେ ଘୋଷଣା କରିଥିଲେ। ଅବଶ୍ୟ ପୂର୍ବରୁ ପ୍ରଥମେ ୧୯୯୩ରେ ଏଲ୍ ସାଲଭାଡୋରରେ ଏହା ‘ଜନ୍ମ ହେବାର ଅଧିକାର ଦିବସ’ ଭାବେ ପାଳିତ ହେଉଥିଲା। ପରେ ଗ୍ବାଟେମାଲା, ଚିଲି ଓ କୋଷ୍ଟା ରିକା ପରି ଦେଶ ଏହାକୁ ‘ଗର୍ଭବତୀ ଓ ଅଜାତ ଶିଶୁ ଦିବସ’ ଭାବେ ପାଳିଥିଲେ। ତେବେ ନିକାରାଗୁଆ ହେଉଛି ପ୍ରଥମ ରାଷ୍ଟ୍ର ଯିଏ ୨୦୦୦ରେ ଏହାକୁ ସ୍ବତନ୍ତ୍ର ଭାବରେ ‘ଅଜାତ ଶିଶୁ ଦିବସ’ର ମାନ୍ୟତା ଦେଇଥିଲା।