ଆଜି ହେଉଛି ‘ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ’। ବିଶ୍ବସ୍ତରରେ ଗଣତନ୍ତ୍ରର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ଏବଂ ଗଣତାନ୍ତ୍ରିକ ସମାଜର ବୈଶିଷ୍ଟ୍ୟ ଓ ନୀତିକୁ ପ୍ରଭାବୀ ଢଙ୍ଗରେ ପ୍ରଚାର କରିବାର ଆବଶ୍ୟକତାକୁ ଉତ୍ଥାପନ କରିବା ଲାଗ ଏହା ଏକ ଉତ୍କୃଷ୍ଟ ଅବସର। ବିଶ୍ବର ସାମୂହିକ ସହଯୋଗ ଦ୍ବାରା ଗଣତନ୍ତ୍ରକୁ ସମୃଦ୍ଧ କରିବା ଲକ୍ଷ୍ୟରେ ସମସ୍ତେ ଅନୁଭବ କରିବା ଉଚିତ ଯେ ଗଣତନ୍ତ୍ର କେବଳ ଏକ ଶବ୍ଦ ନୁହେଁ; ଏହା ଏକ ସଂପୂର୍ଣ୍ଣ ପ୍ରକ୍ରିୟା ଯାହା ସ୍ଥାନୀୟ ସରକାର, ବ୍ୟକ୍ତିବିଶେଷ, ନାଗରିକ ସମାଜ, ସଂଗଠନ ଓ ଅନ୍ୟାନ୍ୟ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣକୁ ଅନ୍ତର୍ଭୁକ୍ତ କରିଥାଏ। ଗଣତନ୍ତ୍ର ଦିବସର ପରିକଳ୍ପନା ପଛରେ କାତାରର ପ୍ରମୁଖ ଅବଦାନ ରହିଛି। ୨୦୦୭ ମସିହା ନଭେମ୍ବରରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ‘ଏକ ନୂତନ ବା ପୁନଃସ୍ଥାପିତ ଗଣତନ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ସରକାରମାନଙ୍କ ଉଦ୍ୟମକୁ ମିଳିତ ଜାତିସଂଘ ବ୍ୟବସ୍ଥାର ସମର୍ଥନ’ ଶୀର୍ଷକ ଏକ ସଂକଳ୍ପ ପାରିତ ହୋଇଥିଲା। ଉକ୍ତ ସଂକଳ୍ପ ଗଣତନ୍ତ୍ରକୁ ମଜଭୁତ ଓ ସଂପ୍ରସାରିତ କରିବା ପାଇଁ ସମସ୍ତ ଦେଶର ସରକାରଙ୍କୁ ଆହ୍ବାନ କରିଥିଲା।
୨୦୦୮ ସେପ୍ଟେମ୍ବର ୧୫ ତାରିଖରେ ବିଶ୍ବବ୍ୟାପୀ ବହୁସଂଖ୍ୟାରେ ବ୍ୟବସ୍ଥାପିକା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ତାହା ପ୍ରଥମ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବରେ ବିବେଚିତ ହୋଇଥିଲା। ତହିଁ ପରଠାରୁ ପ୍ରତି ବର୍ଷ ସେପ୍ଟେମ୍ବର ୧୫ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହି ଅବସରରେ ପ୍ରତ୍ୟେକଙ୍କୁ ମାନବାଧିକାର, ସ୍ବାଧୀନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସର୍ବୋଚ୍ଚତାକୁ ସ୍ବୀକାର କରିବା ହିଁ ଉକ୍ତ ଦିବସ ପାଳନର ମର୍ଯ୍ୟାଦା ରଖିବ। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ‘ପରବର୍ତ୍ତୀ ପିଢ଼ିର ସଶକ୍ତୀକରଣ’।