ଆଜି ଆନ୍ତର୍ଜାତିକ ଜନଜାତି ଦିବସ। ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଏହି ଦିବସ ପାଳନ ନେଇ ଘୋଷଣା ଅନୁଯାୟୀ ୧୯୯୪ରୁ ପ୍ରତି ବର୍ଷ ଅଗଷ୍ଟ ୯ରେ ଏହି ଦିବସ ପାଳନ କରାଯାଇ ଆସୁଛି। ବିଭିନ୍ନ ଦେଶରେ ବସବାସ କରୁଥିବା ଜନଜାତି ସଂପ୍ରଦାୟର ଲୋକଙ୍କ ଅଧିକାରର ସୁରକ୍ଷା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ଲକ୍ଷ୍ୟ। ପରିବେଶ ସୁରକ୍ଷା ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ଏବଂ ଭୂମିକାକୁ ମଧ୍ୟ ଏହି ଦିନରେ ସମ୍ମାନିତ କରାଯାଇଥାଏ। ଆଦିବାସୀମାନେ ହେଉଛନ୍ତି ବିବିଧ ସଂସ୍କୃତି, ପରମ୍ପରା, ଭାଷା ଓ ଜ୍ଞାନର ଗନ୍ତାଘର। ବିଶ୍ବର ୯୦ଟି ଦେଶରେ ପ୍ରାୟ ୪୭.୬ କୋଟି ଆଦିବାସୀ ଲୋକ ବସବାସ କରନ୍ତି, ଯାହା ବିଶ୍ବ ଜନସଂଖ୍ୟାର ୬.୨%। ୨୦୧୧ ଜନଗଣନା ଅନୁଯାୟୀ ଭାରତୀୟ ଜନସଂଖ୍ୟାର ୮.୬% ହେଉଛନ୍ତି ଜନଜାତି ସଂପ୍ରଦାୟର ଲୋକ।
ଭାରତରେ ୭୦୦ଟି ଆଦିବାସୀ ସମ୍ପ୍ରଦାୟ ଥିବା ବେଳେ ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ବସବାସ କରନ୍ତି ଓ ସେମାେନ ୭୪ ପ୍ରକାର ଭାଷା ବ୍ୟବହାର କରିଥାନ୍ତି। ଏ ବର୍ଷ ଆଦିବାସୀ ଦିବସ ପାଳନରେ କେନ୍ଦ୍ରରେ ରହିଛି ‘ପରିବର୍ତ୍ତନର ଦୂତ ଭାବେ ଆଦିବାସୀ ଯୁବପିଢ଼ିଙ୍କ ଭୂମିକା’। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ଅନେକ ଦେଶରେ ଆଦିବାସୀମାନଙ୍କୁ ନିଜର ଭୂମି, ସଂସ୍କୃତି ଓ ଭାଷା ଠାରୁ ଦୂରେଇ ଦିଆଯିବା ସହିତ ରାଜନୈତିକ ଓ ଆର୍ଥିକ କାର୍ଯ୍ୟକଳାପରୁ ବଞ୍ଚିତ ରଖାଯାଉଛି। ଫଳତଃ ଅନେକ ଆଦିବାସୀ ସମ୍ପ୍ରଦାୟର ଭାଷା, ସଂସ୍କୃତି ଓ ଅସ୍ତିତ୍ବ ଆଜି ବିପଦରେ। ତେଣୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଆଦିବାସୀ ଯୁବପିଢ଼ି ସ୍ଥାନ ଅଧିକାର କରିବା ଜରୁରୀ। ଏହା ଦ୍ବାରା ସେମାନେ ନିଜ ସମ୍ପ୍ରଦାୟର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ନିଜ ସଂସ୍କୃତି, ପରମ୍ପରା ଓ ଅବଦାନକୁ ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ବାରୋପ କରିପାରିବେ।