ଶ୍ରମଜୀବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସହ ସମାଜ ପ୍ରତି ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ଆଜି ସର୍ବତ୍ର ‘ଆନ୍ତର୍ଜାତିକ ଶ୍ରମିକ ଦିବସ’ ପାଳନ କରାଯାଉଛି। ଏଥି ସହିତ ଶ୍ରମିକମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ମଧ୍ୟ ଏହା ଏକ ବିଶେଷ ଅବସର ଆଣିଛି। ଊନବିଂଶ ଶତାବ୍ଦୀରେ ଆମେରିକାରେ ପ୍ରଚଳିତ ନିଷ୍ଠୁର ଶ୍ରମିକ ଆଇନ ବିରୋଧରେ ଶ୍ରମିକମାନେ ସଂଗଠିତ ହେବାକୁ ଲାଗିଲେ। ବିଶେଷ କରି ଦୈନିକ ୧୬ ଘଣ୍ଟାର କାର୍ଯ୍ୟ କରିବା ପରିବର୍ତ୍ତେ ୮ ଘଣ୍ଟାର ସମୟ ଧାର୍ଯ୍ୟ କରିବାକୁ ଚିକାଗୋ ସହରର ହେ’ମାର୍କେଟ ଛକରେ ହଜାର ହଜାର ଶ୍ରମଜୀବୀ ୧୮୮୬ ମେ ୧ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ମାତ୍ର ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ପୁଲିସ ଗୁଳି ଚଳାଇବାରୁ ଅନେକଙ୍କର ମୃତ୍ୟୁ ଘଟିଥିଲା। ସହିଦ ଶ୍ରମିକମାନଙ୍କର ସେହି ବିପ୍ଳବୀ ଦିବସକୁ ସ୍ମରଣ କରିବା ସହ ସେମାନଙ୍କ ଦାବିକୁ ଜୋରଦାର ଉପସ୍ଥାପନ ପାଇଁ ୧୮୮୯ ମସିହାରୁ ଆମେରିକାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ତେବେ ବାରମ୍ବାର ବିଦ୍ରୋହ ଓ ବିକ୍ଷୋଭ ପରେ ୧୯୧୬ ମସିହାରେ ଆମେରିକା ସରକାର ସେମାନଙ୍କ ଆଠଘଣ୍ଟିଆ ଶ୍ରମଦିବସ ଦାବିକୁ ଗ୍ରହଣ କରିଥିଲେ। ଆମ ଦେଶରେ ୧୯୨୩ ମସିହାରୁ ଏହି ଦିବସ ପାଳନର ଧାରା ବଳବତ୍ତର ରହିଥିବା ବେଳେ ଏବେ ବିଶ୍ବର ପ୍ରାୟ ୧୬୦ରୁ ଅଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି।