ଆଜି ହେଉଛି ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’। ଲୋକଙ୍କ ଭିତରେ ସାକ୍ଷରତାର ଗୁରୁତ୍ବ ବାବଦରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ବ୍ୟକ୍ତିଗତ ସ୍ତରରେ ଜଣଙ୍କର ଜୀବନ ଓ ସାମୂହିକ ଭାବରେ ଦେଶର ଅର୍ଥନୀତିର ପ୍ରମୁଖ ଉପାଦାନ ହେଉଛି ସାକ୍ଷରତା। ଏହା ଜଣେ ବ୍ୟକ୍ତିର ଚିନ୍ତାଧାରା, ଭାବନା ଓ ଅନୁଭବକୁ ଲେଖିବା ଓ ବ୍ୟକ୍ତ କରିବା ପାଇଁ ମୌଳିକ ଦକ୍ଷତା ଯୋଗାଇଥାଏ। ଏହା ପ୍ରତ୍ୟେକ ବ୍ୟକ୍ତିର ଆତ୍ମମର୍ଯ୍ୟାଦା ଓ ଶିକ୍ଷା ଅଧିକାର ହାସଲ ପାଇଁ ଅପରିହାର୍ଯ୍ୟ। ୧୯୬୫ରେ ତେହରାନଠାରେ ଅନୁଷ୍ଠିତ ୟୁନେସ୍କୋର ଚତୁର୍ଦ୍ଦଶ ଅଧିବେଶନରେ ଏପରି ଏକ ଦିବସ ପାଳନର ପରିକଳ୍ପନା କରାଯାଇଥିଲା ଏବଂ ୧୯୬୬ ଅକ୍‌ଟୋବର ୨୬ରେ ଏ ସଂକ୍ରାନ୍ତ ଏକ ସଂକଳ୍ପ ପାରିତ ହୋଇଥିଲା। ତଦନୁସାରେ ୧୯୬୭ ମସିହାରୁ ପ୍ରତି ବର୍ଷ ସେପ୍‌ଟେମ୍ବର ୮ ତାରିଖରେ ହିଁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଆସୁଛି।

Advertisment

ଉଦ୍ଦେଶ୍ୟ ହେଉଛି, ନିରକ୍ଷରତାର ମୁକାବିଲା କରିବା ଏବଂ ବ୍ୟକ୍ତି ଓ ସମୁଦାୟକୁ ସଶକ୍ତ କରିବା ପାଇଁ ସାକ୍ଷରତାକୁ ଏକ ଉପକରଣ ଭାବେ ପ୍ରୋତ୍ସାହନ କରିବା। ଭାରତୀୟ ଜାତୀୟ ସର୍ବେକ୍ଷଣର ତଥ୍ୟ ମୁତାବକ, ୨୦୧୧ ମସିହାରେ ଦେଶର ସାକ୍ଷରତା ହାର ୭୩ ପ୍ରତିଶତ ଥିବା ବେଳେ ୨୦୨୨ରେ ତାହା ୭୭.୭ ପ୍ରତିଶତ ହୋଇଛି। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି, ‘ଏକ ପରିବର୍ତ୍ତନଶୀଳ ବିଶ୍ବ ପାଇଁ ସାକ୍ଷରତାକୁ ପ୍ରୋତ୍ସାହନ କରିବା: ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଜ ପାଇଁ ମୂଳଦୁଆ ନିର୍ମାଣ କରିବା।’