୧୮୯୪ ମସିହା ଜୁନ୍ ୨୩ ତାରିଖରେ ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି ଗଠନ ହୋଇଥିଲା। ଏହାର ସ୍ମୃତି ରକ୍ଷା ପାଇଁ ୧୯୪୮ ମସିହାରୁ ପ୍ରତି ବର୍ଷ ଜୁନ୍ ୨୩ ତାରିଖକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‍ ଦିବସ ରୂପେ ପାଳନ କରାଯାଉଛି। ଏହା କ୍ରୀଡ଼ା ଓ ସ୍ବାସ୍ଥ୍ୟ ପାଇଁ ସମର୍ପିତ। ଏହି ଦିବସ ସୃଷ୍ଟି କରିବାର ମୂଳ ଲକ୍ଷ୍ୟ ହେଲା ବୟସ, ଲିଙ୍ଗ ଓ ଯୋଗ୍ୟତା ନିର୍ବିଶେଷରେ ଖେଳରେ ଭାଗ ନେବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ଦୈନନ୍ଦିନ ଜୀବନରେ ଖେଳ ଓ ସ୍ବାସ୍ଥ୍ୟର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏହି ଦିନ ପ୍ରାୟ ୨୦୫ ଦେଶରେ ଅଲିମ୍ପିକ୍‌ ଦିବସ ଦୌଡ଼ ଆୟୋଜିତ ହୋଇଥାଏ। ତା ସାଙ୍ଗକୁ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ସଂଗୀତ ଓ ଶିକ୍ଷା ସମ୍ପର୍କିତ ଆଲୋଚନାଚକ୍ର ଆଦି ମଧ୍ୟ ଆୟୋଜନ କରାଯାଉଛି। ଏ ବର୍ଷ ଅଲିମ୍ପିକ୍ ଦିବସର ସ୍ଲୋଗାନ୍ ହେଉଛି- ‘ଚାଲ ଚଳମାନ ହେବା।’ ତଥ୍ୟ ଅନୁଯାୟୀ, ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ଲାଗି ଦୈନିକ ଯେତିକି ଶାରୀରିକ କ୍ରିୟା କରିବା ଉଚିତ, ୮୦% ଯୁବକଯୁବତୀ ସେତିକି କରୁନାହାନ୍ତି। ଏଥିପାଇଁ ଆଜି ଦିନରୁ ସମସ୍ତେ ଚଳପ୍ରଚଳ ହେବା ଲାଗି ସମୟ କାଢ଼ିବା ପାଇଁ ଆହ୍ବାନ କରାଯାଇଛି।

Advertisment