ଦିନ ମଜୁରିଆରୁ ଆନ୍ତର୍ଜାତିକ ଚିତ୍ରଶିଳ୍ପୀ

ସାମାଜିକ କଟକଣା ଓ ପାରିବାରିକ ପ୍ରତିବନ୍ଧକ ପାଇଁ ଅନେକ ପ୍ରତିଭା ବଣର ମଲ୍ଲୀ ପରି ଅଲକ୍ଷ୍ୟରେ ଝଡ଼ିପଡ଼ିଥାନ୍ତି। ତେବେ କୌଣସି ଦେବଦୂତ ଦ୍ବାରା ଲୋକଲୋଚନକୁ ଆସିଥିବା ସେଭଳି ଏକ ପ୍ରତିଭାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶର ପିତୋଲ ଅନ୍ତର୍ଗତ ଝାବୁଆ ଗାଁର ପଦ୍ମଶ୍ରୀ ଭୁରି ବାଈ। ନିଜ ଭିଲ୍‌ ସମ୍ପ୍ରଦାୟରୁ ଶିଖିଥିବା ପାରମ୍ପରିକ ଚିତ୍ରକଳା ପାଇଁ ଜଣେ ଦିନମଜୁରିଆରୁ ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ପାଲଟିଛନ୍ତି।

ବିଭିନ୍ନ ପ୍ରକାର ପତ୍ର ଓ ଫୁଲରସରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ସମେତ ମକାମଞ୍ଜିକୁ ବିନ୍ଦୁ ଭାବେ ବ୍ୟବହାର କରି ଚିତ୍ରରେ ବିଭିନ୍ନ ଚରିତ୍ରକୁ ପୃଥକ୍‌ କରିବା ହେଉଛି ଭିଲ୍‌ ଚିତ୍ରକଳାର ଅନ୍ୟତମ ବିଶେଷତ୍ବ। ଏଥିରେ ରୋମାଞ୍ଚିତ ହୋଇ ଭୁରି ସମସ୍ତଙ୍କ ଅଲକ୍ଷ୍ୟରେ, ବଣଜଙ୍ଗଲ ଓ ଗାଁ ଦାଣ୍ଡର ଦୃଶ୍ୟ ପରିକଳ୍ପନା କରି ପ୍ରାକୃତିକ ରଙ୍ଗ ଦ୍ବାରା ଚିତ୍ରରେ ସଜାଇଥାନ୍ତି। ମାତ୍ର ତାଙ୍କର ଏହି ଅନ୍ତର୍ନିହିତ କଳାକୁ କେହି ବିନିଯୋଗ କରୁନଥିବାରୁ ସେ ମନଦୁଃଖ କରୁଥାନ୍ତି। ତେବେ ୧୨ ବର୍ଷ ବୟସରେ ବାଲ୍ୟବିବାହ ହିଁ ତାଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିଥିଲା।

Open Magazine

ଶାଶୂଘରକୁ ଆସିଲା ପରେ ତାଙ୍କ ସ୍ବାମୀ ତାଙ୍କୁ ଦୈନିକ ଛଅ ଟଙ୍କା ପାଉଣାର ଜଣେ ଦିନ ମଜୁରିଆ ଭାବେ ଖଟାଇବା ଲାଗି ଭୋପାଳ ନେଇଥିଲେ। ସେଠାରେ ନିର୍ମାଣାଧୀନ ଭାରତ ଭବନରେ ଭୁରି ଅନ୍ୟମାନଙ୍କ ସହ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ଅବସର ସମୟରେ ଭୁରି ବଡ଼ ବଡ଼ ପଥର ଉପରେ କି ଚଟାଣରେ ଚିତ୍ର ଆଙ୍କିବା ଜାରି ରଖିଥିଲେ। ଦିନେ ଉକ୍ତ ଭବନର ସହପ୍ରତିଷ୍ଠାତା ତଥା ଚିତ୍ରଶିଳ୍ପୀ ଜେ. ସ୍ବାମୀନାଥନ୍‌ ଏହା ଦେଖି ମୁଗ୍ଧ ହେବା ସହ କାଗଜରେ ସେଗୁଡ଼ିକ ଆଙ୍କିବା ପାଇଁ କହିଥିଲେ। ସେ କାଗଜରେ ଚିତ୍ରଟିଏ ଆଙ୍କିଥିଲେ ଯାହା ସ୍ବାମୀନାଥନଙ୍କୁ ଅଭିଭୂତ କରିଦେଇଥିଲା। ଦୁଇ ବର୍ଷ ପରେ ଭୁରିଙ୍କୁ ରାଜ୍ୟ ସଂଗ୍ରହାଳୟରେ ଜଣେ ଚିତ୍ରଶିଳ୍ପୀ ଭାବରେ ନିଯୁକ୍ତି ମିଳିବା ପରଠାରୁ ଭୁରି ଆଉ ପଛକୁ ଫେରିନାହାନ୍ତି। ତାଙ୍କର ଚିତ୍ରକଳାଗୁଡ଼ିକ ଭାରତର ପ୍ରାୟ ସମସ୍ତ ବଡ଼ ବଡ଼ ସହରରେ ପ୍ରଦର୍ଶିତ ହେବା ସହ ଫ୍ରାନ୍ସ, ଜର୍ମାନୀ, ୟୁକେ, ସ୍ବିଜରଲାଣ୍ଡ, ସ୍ବିଡେନ୍‌ ଓ ଆମେରିକାରେ ଆୟୋଜିତ ପ୍ରଦର୍ଶନୀରେ ଭୁରି ଭାଗ ନେଇଛନ୍ତି। ଚଳିତବର୍ଷ ତାଙ୍କୁ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର