ଡକ୍ଟର ଦେବୀଲାଲ ମିଶ୍ର

Advertisment

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ବିଶ୍ବବ୍ୟାପି ମହିଳା ଦିବସ ପାଳନ ହୋଇଥାଏ। ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ସଫଳତା, ଉପଲବ୍ଧି ତଥା ଅବଦାନକୁ ସମ୍ମାନ ଜଣାଇବା ସହ ନାରୀକୈନ୍ଦ୍ରିକ ସାଂସ୍କୃତିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପ୍ରଗତିକୁ ସ୍ମରଣ କରିବା ହେଉଛି ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଏହି ଦିବସ ମଧ୍ୟ ଲିଂଗଗତ ସମାନତା ଆଧାରିତ ତଥା ଭେଦଭାବ ମୁକ୍ତ ଏବଂ ବହୁବିଧ, ସମାବେଶୀ ଓ ନିଷ୍ପକ୍ଷ ପୃଥିବୀକୁ ଅଗ୍ରାଧିକାର ଦିଏ, ଯେଉଁଠି ପାରସ୍ପରିକ ଭିନ୍ନତାର ସମ୍ମାନ ଓ ପାରସ୍ପରିକ ସହଯୋଗର ଆଶା ସଂଚାର ହୋଇପାରିବ।

ସଂଯୁକ୍ତ ରାଷ୍ଟ୍ର ଅନୁସାରେ ଆନ୍ତର୍ଜାତିକ ମହିଳା ଦିବସର ଆରମ୍ଭ ମହିଳାମାନଙ୍କ ଦ୍ବାରା କରାଯାଇଥିବା ବିକ୍ଷୋଭ ଓ ଆନ୍ଦୋଳନରୁ ହିଁ ଜନ୍ମ ନେଇଥିଲା। ଏଥିରୁ ଆମ ସମାଜରେ ମହିଳାମାନଙ୍କର ଗୁରୁତ୍ବ ଓ ପ୍ରଭାବ ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରେ। ୧୯୦୯ ମସିହା ଫେବୃଆରୀ ୨୮ ତାରିଖରେ ପ୍ରଥମ ଜାତୀୟ ମହିଳା ଦିବସ ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ ହୋଇଥିଲା, ଯାହାକୁ ଆମେରିକାର ସୋସିଆଲିଷ୍ଟ ପାର୍ଟି ୧୯୦୮ ମସିହାରେ ନ୍ୟୁୟର୍କ ସହରରେ ମହିଳା ଶ୍ରମିକମାନଙ୍କ ଦ୍ବାରା କରାଯାଇଥିବା ବିକ୍ଷୋଭର ସମ୍ମାନ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲା। ୧୯୧୭ ମସିହାରେ ଋଷିଆରେ ମହିଳାମାନେ ‘ରୁଟି ଏବଂ ଶାନ୍ତି (ବ୍ରେଡ୍ ଆଣ୍ଡ୍ ପିସ୍)’ର ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ମାର୍ଚ୍ଚ ୮ ତାରିଖ ଥିଲା। ସେଇ ଆନ୍ଦୋଳନ ଏତେ ପ୍ରଭାବୀ ଥିଲା ଯେ ପରିଶେଷରେ ତାହା ମହିଳାମାନଙ୍କୁ ଋଷିଆରେ ମତଦାନ ଅଧିକାର ପ୍ରଦାନ କରିଥିଲା।

୧୯୪୫ ମସିହାରେ ସଂଯୁକ୍ତ ରାଷ୍ଟ୍ର ଚାର୍ଟରରେ ପ୍ରଥମ କରି ମହିଳା–ପୁରୁଷଙ୍କ ଲିଂଗଗତ ସମାନତାର କଥା କୁହାଗଲା। ୧୯୭୫ ମସିହା ମାର୍ଚ୍ଚ ୮ ତାରିଖରେ ସଂଯୁକ୍ତ ରାଷ୍ଟ୍ର ପ୍ରଥମ ଥର ଆନୁଷ୍ଠାନିକ ଭାବେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଥିଲା। ୧୯୭୭ ମସିହାରେ ସଂଯୁକ୍ତରାଷ୍ଟ୍ର ମହାସଭାର ନିଷ୍ପତ୍ତିକ୍ରମେ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଥିଲା। ଏହି ବର୍ଷ ମହିଳା ଦିବସର ବି ଥିଲା ‘ଏମବ୍ରାସ ଇକ୍ବିଟି’। ଏହାର ଅର୍ଥ ହେଉଛି ସମାଜରୁ ଲିଂଗଗତ ଭେଦଭାବ ଦୂର କରିବା ସହ ସମସ୍ତଙ୍କ ପାଇଁ ସମାନ ତଥା ନିଷ୍ପକ୍ଷ ପରିବେଶ ସୃଷ୍ଟି କରିବା।

ଆମ ସଂସ୍କୃତିରେ ନାରୀର ସ୍ଥାନ ସ୍ବତନ୍ତ୍ର। ଏଠାରେ ନାରୀର ମହନୀୟତାକୁ ସମ୍ମାନ ଜଣାଯାଏ ଓ ନାରୀକୁ ସକଳ ଶକ୍ତିର ଉତ୍ସ ଭାବେ ପୂଜା କରାଯାଏ। ନାରୀର ଉନ୍ନତି ବିନା ସମାଜ ବା ରାଷ୍ଟ୍ରର ବିକାଶ ଅସମ୍ଭବ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ, ଯେଉଁ ପର୍ଯ୍ୟନ୍ତ ନାରୀର ଅବସ୍ଥାରେ ଉନ୍ନତି ଆସିନାହିଁ, ସେ ପର୍ଯ୍ୟନ୍ତ ବିଶ୍ବର ମଂଗଳ ସମ୍ଭବ ନୁହେଁ। ଯେମିତି ଗୋଟିଏ ଡେଣା ଦ୍ବାରା ପକ୍ଷୀଟିଏ ଉଡ଼ିପାରେ ନାହିଁ, ସେମିତି ନାରୀର ଉନ୍ନତି ଓ ସହଯୋଗ ବିନା ଏକ ସମାଜ ଅଗ୍ରଗତି କରିପାରେ ନାହିଁ। ଆମ ସଂସ୍କୃତିରେ ନାରୀ ଶକ୍ତି ସ୍ବରୂପିଣୀ, ପରମେଶ୍ବରୀ ଏବଂ ଚିର ବନ୍ଦନୀୟା। ସ୍ବାମୀଜୀ ଆହୁରି ମଧ୍ୟ କହିଥିଲେ ଯେ, ଏକ ରାଷ୍ଟ୍ରର ସମୃଦ୍ଧିର ପ୍ରକୃତ ପରିମାପକ ହେଉଛି ଏହାର ନାରୀମାନଙ୍କ ପ୍ରତି ଆଚରଣ। ନାରୀର ସହଭାଗିତା ବିନା ରାଷ୍ଟ୍ରର ବିକାଶ ସର୍ବଦା ଅସମ୍ପୂର୍ଣ୍ଣ। ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନାରୀ ପ୍ରତି ସମ୍ମାନ, ସମ୍ବେଦନଶୀଳତା ଓ ସହଯୋଗ ସମସ୍ତଙ୍କର ଧ୍ୟେୟ ହେବା ଜରୁରୀ। ଏଇଠି ମୁଁ କାଲି ମୋର ଜଣେ ଛାତ୍ରୀର ସଫଳତାରେ ତାକୁ ପଠାଇଥିବା ଶୁଭେଚ୍ଛା ବାର୍ତ୍ତା ସବୁ ନାରୀମାନଙ୍କୁ ସମ୍ମାନ ଜଣାଇ ପ୍ରକାଶିତ କରୁଛି:

‘ ଆକାଶ ଅଟେ ଯାହାର ସୀମା, ସଂକଳ୍ପ ପଥେ ଅଟଳମନା,

ଦୃଢ଼ ନିଶ୍ଚୟ ଯା’ କର୍ମ ସରିତା, ସେହି ନାରୀ ଜଗତଜିତା ।।’

[email protected]