ଆଜି ଅନ୍ତର୍ଜାତୀୟ ଯୋଗ ଦିବସ : ଜୀବନଶକ୍ତି ସହ ମନ ଓ ଦେହର ମିଳନ

ବିଶ୍ବକୁ ଭାରତର ଏକ ସୁନ୍ଦର ଉପହାର ‘ଯୋଗ’। ପ୍ରାୟ ୫ ହଜାର ବର୍ଷ ତଳେ ଭାରତରେ ଯୋଗର ଜନ୍ମ ହୋଇଥିଲା। ଯୋଗର ଅର୍ଥ ମିଶାଣ ବା ସଂଯୋଗ। ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ଆଉ ଆଗ ଭଳି ସାଧୁସନ୍ଥ, ବ୍ରାହ୍ମଣ ବା ସଂଭ୍ରାନ୍ତ ‌ଶ୍ରେଣୀ ମଧ୍ୟରେ ସୀମିତ ନାହିଁ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସାରା ବିଶ୍ବରେ ଛାଇ ହୋଇଯାଇଛି। ସୁସ୍ଥ ଶରୀର ହେଉ କି ସୁନ୍ଦର ତ୍ବଚା, ଚିନ୍ତା ସହ ଚେତନାର ମିଳନ ହେଉକି ଅବସାଦ ମନକୁ ସତେଜ କରିବାକୁ, ‘ଯୋଗ’ ପ୍ରଧାନ ମାଧ୍ୟମ ପାଲଟିଛି। ଖାଲି ସେତିକି ନୁହେଁ, କ୍ୟାନସର୍‌ ଭଳି ମାରାତ୍ମକ ରୋଗକୁ ମଧ୍ୟ ଭଲ କରିବାରେ ଯୋଗର ଭୂମିକା ରହିଛି। ଜୁନ୍‌ ୨୧, ‘ଅନ୍ତର୍ଜ‌ାତୀୟ ଯୋଗ ଦିବସ’ରେ ଯୋଗକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ଏଥର ‘ଘରେ ଓ ପରିବାର ସହ ଯୋଗ’
୨୦୧୫ ଜୁନ୍‌ ୨୧ ତାରିଖଠାରୁ ପ୍ରତିବର୍ଷ ସାରା ବିଶ୍ବରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ ହୋଇଆସୁଛି। ଉତ୍ତର ଗୋଲାର୍ଦ୍ଧରେ ଜୁନ୍‌ ୨୧ ବର୍ଷର ସବୁଠାରୁ ଲମ୍ବା ଦିନ ଓ ବିଶ୍ବର ଅଧିଂକାଶ ସ୍ଥାନରେ ଏହି ଦିନଟି ବେଶ୍‌ ଗୁରୁତ୍ବ ବହନ କରୁଥିବାରୁ ‘ଯୋଗ ଦିବସ’ ପାଇଁ ଏହି ଦିନଟି ଠିକ୍‌ ରହିବ ବୋଲି ସେ କହିଥିଲେ। ଏହାପରେ ୨୦୧୫ ଜୁନ୍‌ ୨୧ ତାରିଖକୁ ବିଶ୍ବରେ ‘ପ୍ରଥମ ଯୋଗ ଦିବସ’ ଭା‌ବେ ପାଳନ କରାଗଲା। ଏହି ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ଦୁଇ ଦୁଇଟି ରେକର୍ଡ କଲା। ଏହି ଦିନ ସାରା ବିଶ୍ବରେ ସର୍ବାଧିକ ଯୋଗ କ୍ଲାସ୍‌ କରାଯାଇଥିବା ବେଳେ ବିଶ୍ବସ୍ତରରେ ସର୍ବାଧିକ ଅଂଶଗ୍ରହଣକାରୀ ଏହି ଦିନ ଯୋଗ କରି ଅନ୍ୟ ଏକ ରେକର୍ଡ ସୃଷ୍ଟି କରିଥିଲେ। ପ୍ରତିବର୍ଷ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ବେଶ୍‌ ଉତ୍ସାହର ସହ ସାରା ବିଶ୍ବରେ ପାଳନ କରାଯାଉଥିବା‌ ବେଳେ ଚଳିତ ବର୍ଷ କରୋନା ଏଥିରେ ଲଗାମ ଲଗାଇଛି। ଚଳିତ ବର୍ଷ ‘ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ରହିଛି ‘ଘରେ ଓ ପରିବାର ସହ ଯୋଗ’।

ମିଳିତ ଜାତିସଂଘରେ ମୋଦୀ କ’ଣ କହିଥିଲେ?
‘ଯୋଗ ଦିବସ’ର ପରିକଳ୍ପନା ଥିଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର। ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ମିଳିତ ଜାତିସଂଘରେ ନିଜ ଅଭିଭାଷଣ ରଖି ଯୋଗ ଦିବସକୁ ବିଶ୍ବସ୍ତରରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ରଖିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ, ‘ଭାରତୀୟ ପ୍ରାଚୀନ ପରମ୍ପରାର ଯୋଗ ହେଉଛି ଏକ ଅମୂଲ୍ୟ ଅବଦାନ। ଏହା ଶରୀର ଓ ହୃଦୟ, ଭାବନା ଓ କାର୍ଯ୍ୟ, ପରିପୂର୍ଣ୍ଣତା ଓ ସଂଯମତାର ଏକତାର ପ୍ରତୀକ। ଏହା କେବଳ ଏକ ବ୍ୟାୟାମ ନୁହେଁ, ଏହା ନିଜ ସହ ବିଶ୍ବ ଓ ପ୍ରକୃତିର ମିଳନର ପ୍ରତୀକ। ଆମର ଜୀବନଶୈଳୀ ବଦଳାଇବା ସହ ଚେତନାର ଜାଗ୍ରତ ହୋଇପାରିବ। ଏହା ଆମକୁ ଏକ ଭଲ ମଣିଷ ହେବାରେ ସାହାଯ୍ୟ କରିବ। ଏଥିପାଇଁ ଚାଲନ୍ତୁ ଆମେ ସମସ୍ତେ ‘ଅନ୍ତର୍ଜାତୀୟ ଯୋଗ ଦିବସ’କୁ ଆପଣେଇ ଏ ଦିଗରେ କାର୍ଯ୍ୟ କରିବା।’

ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ
ଯୋଗ ଶବ୍ଦର ଅର୍ଥ ମିଳନ ବା ସଂଯୋଗ। ଯୋଗର ଅର୍ଥ ବ୍ୟାୟାମ ବା କୌଣସି ନିର୍ଦ୍ଦିଷ୍ଟ ଆସନର ଅଭ୍ୟାସ ନୁହେଁ। ଏହା ଜୀବନୀଶକ୍ତି ସହ ମନ ଓ ଦେହର ମିଳନ। ଯୋଗ କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ବିଧିବ୍ୟବସ୍ଥା ନୁହେଁ। ସମସ୍ତ ଧର୍ମାବଲମ୍ବୀ ବ୍ୟକ୍ତି ଯୋଗାଭ୍ୟାସ କରିପାରିବେ। ଆମ ଶରୀର, ମନ, ପ୍ରାଣ ଓ ଆତ୍ମାର ସର୍ବାଙ୍ଗୀନ ବିକାଶ ପାଇଁ ଦିନର ୨୪ ଘଣ୍ଟାରୁ ୨୪ ମିନିଟ୍‌ ନିୟମିତ ଯୋଗ କରିବାର ଅଭ୍ୟାସ କରିବା ଉଚିତ। ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ବର ଚିନ୍ତାର କାରଣ ହୋଇଥିବା ‌ବେଳେ ଏହାର କୌଣସି ଟିକା କିମ୍ବା ଔଷଧ ଏଯାଏ ବାହାରି ପାରିନାହିଁ। ଏପରି ସ୍ଥଳେ ପ୍ରତିଦିନ ଯୋଗ କରି ଆମେ ଆମ ଅନ୍ତର୍ନିହିତ ରୋଗ ପ୍ରତିରୋଧକ ଶକ୍ତିକୁ ଜାଗ୍ରତ କରି ଏହା ସହ ଲଢ଼ି ପାରିବା। ଯୋଗ ଦ୍ବାରା କର୍କଟ ଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ମିଳିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ଆତ୍ମନିୟନ୍ତ୍ରଣ, ଆତ୍ମ-ଶୃଙ୍ଖଳା ଓ ଆତ୍ମଜ୍ଞାନ ପ୍ରଦାନ କରିବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦୈନନ୍ଦିନ ଯୋଗାଭ୍ୟାସ ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ।
ଡ. ବିଜୟ ମହାରଣା, ଯୋଗ ଗୁରୁ

କରୋନା ଯୁଦ୍ଧରେ ଅସ୍ତ୍ର ‘ଯୋଗ’ ଓ ‘ପ୍ରାଣାୟାମ’
ଯୋଗ ମଣିଷ ଜୀବନ ପାଇଁ ଯେତିକି ଦରକାରୀ, ସେତିକି ଉପକାରୀ ମଧ୍ୟ। ଆଜି ବିଶ୍ବ କୋଭିଡ୍‌-୧୯ ବିରୁଦ୍ଧରେ ଲଢ଼ୁଥିବା ଲଢ଼େଇରେ ଯୋଗ ଓ ପ୍ରାଣାୟାମ ଗୋଟିଏ ଗୋଟିଏ ଅସ୍ତ୍ର ହୋଇପାରିବେ। ପ୍ରତିଦିନ ସକାଳ ଓ ସଂଧ୍ୟାରେ କିଛି କିଛି ସମୟ ଯୋଗ ଓ ପ୍ରାଣାୟାମ କଲେ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହା ଆମକୁ ସୁସ୍ଥ ରଖିବାରେ ସହାୟ ହେବ। ପ୍ରତିଦିନ କପାଳଭାତୀ, ସୂର୍ଯ୍ୟ ନମସ୍କାର, ଅନୁଲୋମ୍‌ବିଲମ୍‌, ବୃକ୍ଷାସନ ଓ ତାଡ଼ାସନ ଆଦି କରିବା ଫଳରେ ବ୍ୟକ୍ତିର ସ୍ବାସ୍ଥ୍ୟକୁ ଲାଭ ମିଳିଥାଏ। ଏଥିସହ ଯୋଗ ଓ ପ୍ରାଣାୟାମ ବ୍ୟକ୍ତିର ମାନସିକ ଅବସାଦକୁ ଦୂର କରିବାରେ ସହାୟକ ହୋଇଥାଏ। ଲକ୍‌ଡାଉନ୍‌ ସମୟରେ ଗୃହବନ୍ଦୀ ହୋଇ ଅନେକ ମାନସିକ ସନ୍ତୁଳନ ହରାଉଥିବା ବେଳେ ଏଥିରୁ ଦୂରେଇ ରହିବାରେ ଯୋଗ ବେଶ୍‌ ସହାୟକ ହୋଇପାରିବ। ପ୍ରାଣାୟାମର ୩ପ୍ରକାର ଶ୍ବାସ ପ୍ରକ୍ରିୟା ସୁସ୍ଥ ଜୀବନୀର ପରିଚାୟକ ହୋଇପାରିବ।
ଗଣେଶ୍ବର ଗୋଚ୍ଛିକାର, ଯୋଗ ଗୁରୁ

ସମ୍ବନ୍ଧିତ ଖବର