ଆଜି ସର୍ବତ୍ର ‘ଆନ୍ତର୍ଜାତିକ ଯୁବ ଦିବସ’ ପାଳନ କରାଯାଉଛି। ଏହା ମିଳିତ ଜାତିସଂଘ ଦ୍ବାରା ପରିକଳ୍ପିତ ଏକ ସଚେତନତା ଦିବସ। ପର୍ତ୍ତୁଗାଲର ରାଜଧାନୀ ସହର ଲିସବନ୍‌ ଠାରେ ୧୯୯୮ ମସିହାରେ ‘ମିନିଷ୍ଟର୍‌ସ ରେସ୍‌ପନ୍‌ସିବଲ୍ ଫର୍ ୟୁଥ୍‌’ ନାମକ ବିଶ୍ବ ସମ୍ମିଳନୀ ଦେଇଥିବା ସୁପାରିସକୁ ଗ୍ରହଣ କରି ୧୯୯୯ ଡିସେମ୍ବର ୧୭ରେ ଜାତିସଂଘର ସାଧାରଣ ପରିଷଦ ଯୁବ ଦିବସ ପାଳନ କରିବା ପାଇଁ ସଂକଳ୍ପ ପାରିତ କରିଥିଲା ଏବଂ ୨୦୦୦ ମସିହାରୁ ପ୍ରତି ବର୍ଷ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇ ଆସୁଛି।

Advertisment

ସମଗ୍ର ବିଶ୍ବରେ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ବିଚାର ନେଇ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ସମ୍ପ୍ରଦାୟର ବିକାଶ, ପରିବେଶର ସୁରକ୍ଷା ଓ ବିଭିନ୍ନ ସାମାଜିକ ପ୍ରକଳ୍ପରେ ଯୁବକଯୁବତୀମାନେ ସ୍ବେଚ୍ଛାସେବୀ ପାଲଟି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଲାଗି ଏହା ଏକ ଉତ୍କୃଷ୍ଟ ଅବସର। ସେହିପରି ବିଶ୍ବରେ ମୌଳିକ ଶିକ୍ଷାରୁ ବଞ୍ଚିତ ଏବଂ ଭୋକ ଓ ଦାରିଦ୍ର୍ୟର ଶିକାର ହେଉଥିବା କୋଟି କୋଟି ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ନେବା ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ। ମିଳିତ ଜାତିସଂଘର ଏହି ପ୍ରୟାସରେ ଯୋଗଦେଇ ଏହାର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବାକୁ ଏହି ଦିବସ ସମସ୍ତଙ୍କୁ ଆହ୍ବାନ କରୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ‘ଯୁବା ପାଇଁ ସବୁଜ ଦକ୍ଷତା: ଏକ ସ୍ଥାୟୀ ବିଶ୍ବ ଆଡ଼କୁ ଗତି’।