ଆମ ଜୀବନରେ ଇଣ୍ଟର୍‌ନେଟ୍‌

ସୁରକ୍ଷିତ ଇଣ୍ଟରନେଟ୍‌ ଦିବସ ଅବସରରେ - ଡକ୍ଟର ଦେବୀଲାଲ୍‌ ମିଶ୍ର

ଆଜି ଆମ ଜୀବନରେ ଇଣ୍ଟରନେଟ୍‌ ଏକ ଅଭିନ୍ନ ଅଙ୍ଗ ପାଲଟିଛି। ବର୍ତ୍ତମାନ ସମୟରେ ଆମ ବ୍ୟକ୍ତିଗତ ଓ ସାମାଜିକ ଜୀବନ ଇଣ୍ଟରନେଟ୍‌ ଉପରେ ଅନେକାଶଂରେ ନିର୍ଭରଶୀଳ। ମାତ୍ର ପରିବର୍ତ୍ତିତ ସାମାଜିକ ପରିସ୍ଥିତିରେ ଇଣ୍ଟରନେଟ୍‌କୁ ନେଇ ଅନେକ ଆଶଙ୍କା ଓ ଭୟ ମଧ୍ୟ ସୃଷ୍ଟି ହେବାରେ ଲାଗିଛି। ମିଥ୍ୟା ସୂଚନାର ପ୍ରସାରଠାରୁ ଆରମ୍ଭ କରି ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହିତ ଇଣ୍ଟରନେଟ୍‌ ମଧ୍ୟ ଅନେକ ଅପରାଧ ଓ ଅଘଟଣର ମାଧ୍ୟମ ସାଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ନିଶ୍ଚିତ ଭାବେ ବଡ଼ ପ୍ରସଙ୍ଗ।

ଏକ ସର୍ବେକ୍ଷଣ ଅନୁସାରେ ୨୦୨୩ର ଆରମ୍ଭ ସୁଦ୍ଧା ସାରା ବିଶ୍ବରେ ପ୍ରାୟ ୫.୧୬ ବିଲିୟନ ଇଣ୍ଟରନେଟ୍‌ ବ୍ୟବହାରକାରୀ ଅଛନ୍ତି। ଯାହା ବିଶ୍ବ ଜନସଂଖ୍ୟାରେ ୬୪.୪ ପ୍ରତିଶତ ଅଟେ। ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ୪.୭୬ ବିଲିୟନ ହୋଇଥିବା ବେଳେ ଏହା ବିଶ୍ବଜନସଂଖ୍ୟାର ୫୯.୪ ପ୍ରତିଶତ ଅଟେ। ଏହି ତଥ୍ୟରୁ ଇଣ୍ଟରନେଟ୍‌ ବ୍ୟବହାର କିପରି ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି, ତାହା ଆମେ କଳନା କରିପାରିବା। ତେବେ ଇଣ୍ଟରନେଟ୍‌ର ବ୍ୟବହାର ସହିତ ଆମ ଭିତରେ ଇଣ୍ଟରନେଟ୍‌ ସାକ୍ଷରତାର ପ୍ରସାର ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ। ପ୍ରତ୍ୟେକ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ଭିତରେ ସମସ୍ତ ଆବଶ୍ୟକୀୟ ସଚେତନତା ଓ ସୂଚନା ରହିଲେ ଇଣ୍ଟରନେଟ୍‌ ସମସ୍ତଙ୍କ ପାଇଁ ସୁରକ୍ଷିତ ହୋଇପାରିବ।

ଅନେକ ବିଶେଷଜ୍ଞଙ୍କ ମତରେ, ଆମକୁ ଆମ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ସୁନିଶ୍ଚିତ କରିବାକୁ ପଡ଼ିବ। ଏଥିପାଇଁ ପ୍ରତ୍ୟେକ ପ୍ଳାଟଫର୍ମର ପ୍ରାଇଭେସି ସେଟିଂକୁ ଜାଣିବା ଗୁରୁତ୍ବପୂର୍ଣ୍ଣ। ସେମିତି ଆମ ପାଖକୁ ଆସୁଥିବା ସୂଚନାର ସତ୍ୟାସତ୍ୟକୁ ଯାଞ୍ଚ ନକରି ତାହାର ପୁନଃପ୍ରସାର କରିବା ଅନୁଚିତ। ‘Trust before sharing and verify before trusting’ ଆମର ଇଣ୍ଟରନେଟ୍‌ ବ୍ୟବହାରର ନୀତି ହେବା ଆବଶ୍ୟକ। ଏହା ସହ ଆମେ ଆମ ପ୍ଲାଟଫର୍ମ ବା ଡିଭାଇସ୍‌ର ସେପ୍ଟି ଫିଚରସ୍‌ ବିଷୟରେ ମଧ୍ୟ ଅବଗତ ହେବା ଜରୁରୀ। ପ୍ରତିବର୍ଷ ଫେବ୍ରୁଆରି ୭ ତାରିଖରେ ସୁରକ୍ଷିତ ଇଣ୍ଟରନେଟ୍‌ ଦିବସ ପାଳିତ ହୁଏ। ଇଣ୍ଟନେଟ୍‌ର ବ୍ୟବହାରକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିବା ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପ୍ରମୁଖ୍ୟ ଉଦ୍ଦେଶ୍ୟ। ଇଉରୋପିଆନ୍‌ ଇୟୁନିୟନ ସେଫବର୍ଡରସ୍‌ ପ୍ରୋଜେକ୍ଟ ଦ୍ବାରା ୨୦୦୪ ମସିହାରେ ଏହାର ଆରମ୍ଭ ହୋଇଥିଲା।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର