ଗତବର୍ଷ ୫୪ଟି ଦେଶର ବିଭିନ୍ନ ସରକାର ନିଜ ଦେଶରେ ରେକର୍ଡ ୨୯୬ ଥର ଇଣ୍ଟର୍‌ନେଟ୍‌ ସେବା ଉପରେ କଟକଣା ଲାଗୁ କରିଥିଲେ। ସେହିପରି ତହିଁ ପୂର୍ବ ବର୍ଷ ୨୦୨୩ରେ ଅନୁରୂପ କଟକଣା ଯୋଗୁଁ ସମଗ୍ର ବିଶ୍ବରେ ୩୯ଟି ଦେଶର ସରକାର ମୋଟ୍‌ ୨୮୩ ଥର ଏହି ସେବା ବନ୍ଦ କରିଥିଲେ ବୋଲି ଡିଜିଟାଲ୍‌ ଅଧିକାର ସଂସ୍ଥା ‘ଆକ୍ସେସ ନାଓ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି। 

Advertisment

ଲଗାତାର ୬ ବର୍ଷ ଧରି ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରି ଶୀର୍ଷରେ ଥିବା ଭାରତରେ ଗତବର୍ଷ ସରକାର ୮୪ ଥର ଏହି ସେବାରେ ପ୍ରତିବନ୍ଧକ ଲଗାଇଥିଲେ। ଅବଶ୍ୟ ମ୍ୟାନ୍‌ମାର୍‌ର ସାମରିକ ସରକାର ଗତବର୍ଷ ଭାରତକୁ ଟପି ସର୍ବାଧିକ ୮୫ ଥର ଇଣ୍ଟର୍‌ନେଟ୍‌ ସେବା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭାରତ ପଛକୁ ପାକିସ୍ତାନ ସରକାର ସାର୍ବଜନୀନ ଇଣ୍ଟର୍‌ନେଟ୍‌ ସେବାକୁ ୨୧ ଥର ନିଷେଧ କରିଥିଲେ, ଯାହା ସେହି ଦେଶ ଇତିହାସରେ ସର୍ବାଧିକ। ସେହିପରି ରୁଷିଆ ସରକାର ୧୯ ଥର ଇଣ୍ଟର୍‌ନେଟ୍ ପ୍ରତିବନ୍ଧକ ଲଗାଇଥିଲେ, ଯେଉଁଥିରେ ୟୁକ୍ରେନ୍‌ରେ ୭ ଥର ଇଣ୍ଟର୍‌ନେଟ୍‌ ବନ୍ଦ ନିଷ୍ପତ୍ତି ଅନ୍ତର୍ଭୁକ୍ତ। ଗତବର୍ଷ ବିଶ୍ବରେ ସଂଘର୍ଷ ହିଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦର ପ୍ରମୁଖ କାରଣ ସାଜିଥିଲା। ୧୧ଟି ଦେଶରେ ଯୁଦ୍ଧ ଓ ହିଂସା ପାଇଁ ୧୦୩ ଥର ଏହା ବନ୍ଦ କରାଯାଇଥିଲା। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ପ୍ରତିବାଦ ପାଇଁ ୭୪ ଥର, ପରୀକ୍ଷା ପାଇଁ ୧୬ ଥର ଓ ନିର୍ବାଚନ ପାଇଁ ୧୨ ଥର ଇଣ୍ଟର୍‌ନେଟ୍‌ ବନ୍ଦ ରହିଥିଲା। କିଛି ଦେଶର କର୍ତ୍ତୃପକ୍ଷ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରିବା ଓ ମାନବିକ ସହାୟତାକୁ ଅବରୋଧ କରିବା ଭଳି ମାନବାଧିକାର ଉଲ୍ଲଂଘନ ଲୁଚାଇବା ଲାଗି ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିଥିବା ଜଣାପଡ଼ିଛି। 
ଗାଣତନ୍ତ୍ରିକ ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ ଥର ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିବାର ଅପଯଶ ଭାରତ ମୁଣ୍ଡାଇଛି।

ସୁପ୍ରିମ୍‌ କୋର୍ଟ ଇଣ୍ଟର୍‌ନେଟ୍‌ ସେବାକୁ ନାଗରିକଙ୍କ ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ କରିଛନ୍ତି। ତଥାପି ଗତବର୍ଷ ଭାରତ ପୃଥିବୀର ଗଣତାନ୍ତ୍ରିକ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ଥର ଇଣ୍ଟର୍‌ନେଟ୍‌ ନିଷେଧାଦେଶ ଜାରି କରିଛି

ଦେଶରେ ହୋଇଥିବା ୮୪ଟି ବନ୍ଦ ନିର୍ଦ୍ଦେଶ ମଧ୍ୟରୁ ସରକାରଙ୍କ ବିରୋଧରେ ପ୍ରତିବାଦ ଯୋଗୁଁ ୪୧ ଥର ନିଷେଧାଦେଶ ଜାରି ହୋଇଥିବା ବେଳେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ୨୩ ଥର ବନ୍ଦ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ସରକାରୀ ନିଯୁକ୍ତି ପରୀକ୍ଷା ବେଳେ ୫ ଥର ଇଣ୍ଟର୍‌ନେଟ୍‌ ବନ୍ଦ ହୋଇଥିବା ଜଣାଯାଇଛି। ଅତି କମ୍‌ରେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସର୍ବନିମ୍ନ ଥରକ ପାଇଁ ଇଣ୍ଟର୍‌ନେଟ୍‌ ସେବାରୁ ବଞ୍ଚିତ ହୋଇଥିଲେ। ସେଥି ମଧ୍ୟରେ ମଣିପୁରରେ ଦେଶର ସର୍ବାଧିକ ୨୧ ଥର ଇଣ୍ଟର୍‌ନେଟ୍‌ ବନ୍ଦ ରହିଥିବା ବେଳେ ତାହା ପଛକୁ ହରିୟାଣା ଏବଂ ଜମ୍ମୁ ଓ କଶ୍ମୀରରେ ୧୨ ଥର ଲେଖାଏଁ ଏହି ସେବା ଉପଲବ୍‌ଧ ନଥିଲା। 

ଏପରି ବାରମ୍ବାର ଇଣ୍ଟର୍‌ନେଟ୍‌ ବନ୍ଦ ଘଟଣା ଭାରତର ଡିଜିଟାଲ୍‌ ଶାସନ ଓ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ବିଶ୍ବ ନେତୃତ୍ବ ନେବାର ଆକାଂକ୍ଷାକୁ ଦୁର୍ବଳ କରୁଛି ବୋଲି ବିଶେଷଜ୍ଞମାନେ ଟିପ୍ପଣୀ କରିଛନ୍ତି। ଇଣ୍ଟର୍‌ନେଟ୍‌ ପରି ସାର୍ବଜନୀନ ସେବାକୁ ବନ୍ଦ କରିବାର ସରକାରୀ ନିର୍ଦ୍ଦେଶକୁ ସମୀକ୍ଷା କରିବା ପାଇଁ ଆଇନରେ ସ୍ବାଧୀନ ତଦାରଖ ବ୍ୟବସ୍ଥାର ଅଭାବ ଥିବାରୁ ଏ ନିଷ୍ପତ୍ତିକୁ ସରକାରୀ ଅଧିକାରୀଙ୍କ ଉପରେ ଛାଡ଼ି ଦିଆଯାଉଛି ବୋଲି ସମାଲୋଚକମାନେ କହିଥାନ୍ତି।