ପ୍ରତିବର୍ଷ ଭଳି ଏ ବର୍ଷ ବି ଜୁଲାଇ ୨୬ରେ କାର୍ଗିଲ୍‌ ବିଜୟ ଦିବସ ପାଳନ ହେଉଛି? ତେବେ ଏହି ଯୁଦ୍ଧକୁ ଆପଣ ଅତି ନିକଟରୁ ପରଖିଛନ୍ତି। ସେ ସମୟର ଅନୁଭୂତି କିପରି ଥିଲା?
ସମୁଦ୍ର ପତ୍ତନଠାରୁ ସର୍ବାଧିକ ଉଚ୍ଚତାରେ ଥିବା ତୁଷାର ଆବୃତ ଯୁଦ୍ଧଭୂମି ହେଉଛି ସିଆଚେନ୍‌। ତା’ପଛକୁ ରହିଛି କାର୍ଗିଲ୍‌। କାର୍ଗିଲ୍‌ର ଟାଇଗର୍‌ ହିଲ୍‌ରେ ୧୯୯୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ହେଉଛି ପୃଥିବୀ ଯୁଦ୍ଧ ଇତିହାସରେ ସବୁଠାରୁ ଭୟଙ୍କର ମୁହାଁମୁହିଁ ଯୁଦ୍ଧ। ବିଶ୍ବର ପ୍ରତିଷ୍ଠିତ ସାମରିକ ବିଶେଷଜ୍ଞମାନେ ଏହା ସ୍ୱୀକାର କରିଛନ୍ତି। ଏଭଳି ଯୁଦ୍ଧରେ ବିଜୟ ହାସଲ କରିବାକୁ ହେଲେ ବହୁସଂଖ୍ୟକ ସୈନ୍ୟଙ୍କୁ ଆଗକୁ ଯାଇ ଆତ୍ମବଳି ଦେବାକୁ ପଡ଼ିଥାଏ। କାର୍ଗିଲ୍‌ ଯୁଦ୍ଧରେ ଅଦମ୍ୟ ସାହସ ଦେଖାଇ ବିରଳ ଉଦାହରଣ ସୃଷ୍ଟି କରିଥିବା ବୀର ହେଉଛନ୍ତି ଓଡ଼ିଆ ପୁଅ ସହିଦ ପଦ୍ମପାଣି ଆଚାର୍ଯ୍ୟ। ସେଦିନ ସେ ଏକାକୀ ପାକିସ୍ତାନୀ ସୈନ୍ୟଙ୍କ ଆଗକୁ ଯାଇ ପ୍ରଥମେ ଆକ୍ରମଣ କରି ନ ଥିଲେ ଯୁଦ୍ଧର ମୋଡ଼ ବଦଳି ଯାଇଥାନ୍ତା। ଏହାକୁ କହନ୍ତି ମୁହାଁମୁହିଁ ଯୁଦ୍ଧ। ଆଜି କାର୍ଗିଲ୍‌ ବିଜୟ ଦିବସ ପାଳନ ଅବସରରେ ମୁଁ ଆପଣଙ୍କ ମାଧ୍ୟମରେ ଭାରତୀୟ ସେନାର ସମସ୍ତ କାର୍ଗିଲ୍‌ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଉଛି ଓ ଯେଉଁମାନେ ଦେଶ ଲାଗି ପ୍ରାଣବଳି ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

Advertisment

ଆପଣଙ୍କ ବାପା ସରକାରୀ ଅଧିକାରୀ ଓ ମା’ ଓଡ଼ିଆ ଅଧ୍ୟାପିକା, ଆପଣ ସେନାରେ ଯୋଗଦେବା ପାଇଁ କାହିଁକି ନିଷ୍ପତ୍ତି ନେଲେ?
ମୋର ଜନ୍ମ ଜଗତସିଂହପୁରରେ। ବାପା ଜିତେନ୍ଦ୍ରକିଶୋର ମହାନ୍ତି ସବ୍‌ରେଜିଷ୍ଟ୍ରାର୍‌ ଥିଲେ। ବୋଉ ଡକ୍ଟର ଶାରଦାକିଶୋରୀ ମହାନ୍ତି ଓଡ଼ିଆ ଅଧ୍ୟାପିକା। ମୁଁ ଘରର ବଡ଼ପୁଅ। ବୋଉର ଇଚ୍ଛା ଥିଲା ବଡ଼ପୁଅ କିଛି ବଡ଼ କାମ କରି ସୁନାମ ଅର୍ଜନ କରୁ। ତେଣୁ ସେ ମୋତେ କଟକରେ ରଖି ପାଠ ପଢ଼ାଇଲା। କଟକରେ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପରେ ବାପାଙ୍କର ଯେଉଁ ଯେଉଁ ସ୍ଥାନକୁ ବଦଳି ହେଲା, ମୁଁ ସେଠାରେ ଶିକ୍ଷା ଗ୍ରହଣ କଲି। ମୁଁ ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ୧୯୭୧ ମସିହା ଯୁଦ୍ଧ ଆରମ୍ଭ ହୋଇଥାଏ। ବାପା ମଣିଜଙ୍ଗାରେ ଥା’ନ୍ତି। ଆଇଏନ୍ଏସ୍ ବିକ୍ରାନ୍ତ ଜାହାଜ ଦେଖିବାକୁ ବାପା ଓ ମୁଁ ପାରାଦୀପ ଯାଇଥିଲୁ। ବିକ୍ରାନ୍ତ ଜାହାଜ ଦେଖିବା ବେଳେ ହଠାତ୍ ବାପା ପଚାରିଲେ-ତୁ ଭାରତୀୟ ନୌସେନାରେ ଯୋଗଦେବୁ? ବିଶାଳକାୟ ବିକ୍ରାନ୍ତ ଜାହାଜ ଓ ଧଳାପୋଷାକ ପିନ୍ଧିଥିବା ନୌସେନା ଅଧିକାରୀଙ୍କୁ ଦେଖି ମୁଁ ମୋହିତ ହୋଇଯାଇଥିଲି। ତତ୍‌କ୍ଷଣାତ୍‌ ବାପାଙ୍କୁ ହଁ କରି ନୌସେନାରେ ଯୋଗଦେବି ବୋଲି ନିଷ୍ପତ୍ତି ନେଲି। ଏହାପରେ ସେ ମୋତେ ସୈନିକ ସ୍କୁଲ୍‌ରେ ପଢ଼ାଇବେ ନା ଉଚ୍ଚଶିକ୍ଷା ପରେ ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମି (ଏନ୍‌.ଡି.ଏ.)ରେ ପଢ଼ାଇବେ ସେଥିପାଇଁ ଅନ୍ୟମାନଙ୍କ ଠାରୁ ପରାମର୍ଶ ନେଲେ। ଦିନେ ବାପାଙ୍କ ପାଖକୁ ଜମି ରେଜିଷ୍ଟ୍ରେସନ୍ କରିବା ପାଇଁ ଜଣେ ଭଦ୍ରବ୍ୟକ୍ତି ଆସିଥିଲେ। ତାଙ୍କ ପୁଅ ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ମିଲିଟାରି ଇଣ୍ଡିଆନ୍ କଲେଜରେ ଭର୍ତ୍ତି ହୋଇଥିଲେ। ବାପା ତାଙ୍କ ପାଖରୁ ଆବଶ୍ୟକ ସୂଚନା ସଂଗ୍ରହ କଲେ। ସେ କଲେଜରେ ନାମଲେଖା ପାଇଁ କଟକରେ ପ୍ରବେଶିକା ପରୀକ୍ଷା ହେଉଥିଲା। ମୁଁ ପରୀକ୍ଷା ଦେଇ ସଫଳ ହେଲି ଓ ୧୯୭୩ ମସିହାରେ ରାଷ୍ଟ୍ରୀୟ ମିଲିଟାରି କଲେଜରେ ଯୋଗଦେଲି।

ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍‌ ଚଣ୍ଡୀପ୍ରସାଦ ମହାନ୍ତି ଭାରତୀୟ ସ୍ଥଳସେନାର ଜଣେ ସଫଳ, ସାହସୀ ତଥା ଦକ୍ଷ ସେନାପତି। ପୁଣି ସ୍ଥଳସେନାର ଭାଇସ୍‌ ଚିଫ୍‌ ଅଫ୍‌ ଦି ଆର୍ମି ଷ୍ଟାଫ୍‌ ଭଳି ଶୀର୍ଷ ପଦବୀରେ ଅଧିଷ୍ଠିତ ହେବାରେ ପ୍ରଥମ ଓଡ଼ିଆ। ଏକାଧିକ ଯୁଦ୍ଧ ଓ ସେନାର ଜଟିଳ ଅପରେସନ୍‌ର ନେତୃତ୍ବ ନେଇ ସେ ଭାରତୀୟ ସେନା ଲାଗି ଏକାଧିକବାର ଗୌରବ ଆଣିଦେଇଛନ୍ତି। ସେତିକି ନୁହେଁ, ଜାତିସଂଘର ଶାନ୍ତି ସେନାର ନେତୃତ୍ୱ ନେଇ ମଧ୍ୟ ସେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଅନ୍ୟ ସମ୍ମାନ-ସ୍ବୀକୃତି ସହ ପରମ ବିଶିଷ୍ଟ ସେବା ମେଡାଲ୍‌ ମଧ୍ୟ ପ୍ରଦାନ କରାଯାଇଛି। ‘କାର୍ଗିଲ୍ ବିଜୟ ଦିବସ’ ଅବସରରେ ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍‌ ଚଣ୍ଡୀପ୍ରସାଦଙ୍କୁ ଭେଟିଛି ‘ରବିବାର ସମ୍ବାଦ’

ପିଲାଦିନେ ଯୁଦ୍ଧଜାହାଜ ଦେଖି ନୌସେନାରେ ଯୋଗ ଦେବାପାଇଁ ବାପାଙ୍କୁ କଥା ଦେଇଥିଲେ, ହେଲେ ସ୍ଥଳସେନାକୁ କିପରି ଆସିଲେ?
ରାଷ୍ଟ୍ରୀୟ ମିଲିଟାରି ଏକାଡେମିରେ ୫ ବର୍ଷ ପଢ଼ିଲି। ଏନ୍‌.ଡି.ଏ.ରେ ପାଠ ପଢ଼ିବା ଲାଗି ଅନୁଷ୍ଠିତ ପ୍ରବେଶିକାରେ ମୁଁ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲି। ବାୟୁସେନାରେ ଯୋଗ ଦେଇ ଫାଇଟର୍ ପାଇଲଟ୍ ହେବାକୁ ଚାହୁଁଥିଲି। କିନ୍ତୁ ବୋଉ ରୋକ୍‌ଠୋକ୍‌ ମନା କରିଦେଲା। ମୋ ଆଶା ମଉଳି ଗଲା। ବାପାଙ୍କ କଥା ଅନୁଯାୟୀ ମୁଁ ନୌସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଲି। କିନ୍ତୁ କେତେକ କାରଣବଶତଃ ମୁଁ ସେଥିରେ ଯୋଗ୍ୟତା ହାସଲ କରିପାରିଲି ନାହିଁ। ମୋତେ ସ୍ଥଳସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଆସିଲା। ସେତେବେଳେ ଅନେକ ଆହ୍ବାନର ମୁକାବିଲା କରିଛି। ଅନୁମାନ କରନ୍ତୁ, ଓଡ଼ିଆ ମାଧ୍ୟମରେ ପାଠପଢ଼ି ଆସିଥିବା ଜଣେ ଛାତ୍ର ହଠାତ୍ ହିନ୍ଦୀ ଓ ଇଂରେଜୀରେ ପାଠପଢ଼‌ା ଆରମ୍ଭ କରି ଦୈନନ୍ଦିନ ଜୀବନରେ ତାକୁ ବ୍ୟବହାର କରିବା ଭଳି ଆହ୍ବାନକୁ କେତେ କଷ୍ଟରେ ମୁକାବିଲା କରିଥିବ। ପରୀକ୍ଷା ସମୟରେ ମିଷ୍ଟର୍ ମ୍ୟାଥୁସ୍ ମୋର ସାକ୍ଷାତ୍‌କାର ନେଉଥିଲେ। ତାଙ୍କ ଇଂରେଜୀ କଥା ବୁଝିବା ଏବଂ ତାଙ୍କ ପ୍ରଶ୍ନର ଉତ୍ତର ଖନେଇ ଖନେଇ ଇଂରେଜୀରେ ଦେଇ ଉତ୍ତୀର୍ଣ୍ଣ ହେବା ମୋର ଅଭୁଲା ଅନୁଭୂତି। କିନ୍ତୁ ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ବାପାବୋଉଙ୍କ ଆଶୀର୍ବାଦରୁ ଭାରତୀୟ ସେନାବାହିନୀରେ ଅନେକ ଅପରେସନ୍‌ ଦକ୍ଷତାର ସହ ପରିଚାଳନା କରି ପରିଶେଷରେ ଭାରତୀୟ ପଦାତିକ ବାହିନୀର ଭାଇସ୍-ଚିଫ୍ ଭଳି ପଦବୀରେ ନିଯୁକ୍ତି ପାଇ ଦେଶସେବା କଲି।

ସ୍ଥଳସେନାରେ ନିଯୁକ୍ତି ପାଇବା ପରେ ବିଭିନ୍ନ ଯୁଦ୍ଧ ସମୟରେ ଆପଣଙ୍କ ବାପା ଓ ବୋଉ କେବେ ଭୟଭୀତ ହୋଇ ନ ଥିଲେ?
ନା। ବାପା ମୋର ଆଦର୍ଶ ଥିଲେ କିନ୍ତୁ ବୋଉ ମୋ ଶକ୍ତି, ସାହସ ଓ ପ୍ରେରଣାର ଉତ୍ସ ଥିଲା। ମୋତେ ଯେତେବେଳେ ଟ୍ରେନ୍‌ରେ ବସାଇବାକୁ ସେ ଷ୍ଟେସନ୍ ଆସେ, ଖୁବ୍ ଦମ୍ଭରେ କହେ ଯା’ ଦେଶର ସୁରକ୍ଷା କର। ବହୁତ ଦିନ ପରେ ଥରେ ବାପା କହିଲେ, ତୁ ଯେମିତି ଯାଇସାରୁଛୁ ତୋ ବୋଉ ଭୋ ଭୋ ହୋଇ କାନ୍ଦୁଛି, କିନ୍ତୁ ମୋତେ ସେ ମୋଟେ ଦୁର୍ବଳମନା ହେବାକୁ ଦେଇନାହିଁ।

ଆପଣ କେବେ ଯୁଦ୍ଧଭୂମିରୁ ମୃତ୍ୟୁମୁହଁରୁ ଫେରି ଆସିଛନ୍ତି? ସେପରି ଅନୁଭୂତି ଆମ ପାଠକଙ୍କ ସହ ବାଣ୍ଟିବେ କି?
ଏକଦା ମୁଁ ପୁଂଚ୍‌ରେ ଅବସ୍ଥାପିତ ହୋଇଥିଲି। ଭାରତ-ପାକ୍ ସୀମାରେ ହଠାତ୍ ପାକିସ୍ତାନ ସେନାବାହିନୀ ଆମ ଉପରେ ଅତର୍କିତ ଆକ୍ରମଣ ଆରମ୍ଭ କଲେ। ସେ ସମୟରେ ଆମେ ଅପ୍ରସ୍ତୁତ ଥିଲୁ। ମୁଁ ମୋର ସହଯୋଗୀମାନଙ୍କୁ ବ୍ରିଫିଙ୍ଗ୍ କରୁଥିଲି। ମୁଁ ଯେଉଁଠାରେ ଛିଡ଼ା ହୋଇଥିଲି ତା’ର ଅତି ନିକଟରେ ପାକିସ୍ତାନର ଏକ ବୋମା ଆସି ପଡ଼ିଲା। କିନ୍ତୁ, ମୁଁ ଏବଂ ଅନେକ ସୈନ୍ୟ ମରଣ ମୁହଁରୁ ଅଳ୍ପ‌କେ ବଞ୍ଚି ଯାଇଥିଲୁ। ଅନ୍ୟ ଏକ ଘଟଣା କୁପୱାଡ଼ାରେ ଘଟିଥିଲା। ଏକ ଅପରେସନ୍‌ ସମୟରେ ଶତ୍ରୁପକ୍ଷର ଭୟଙ୍କର ଅତର୍କିତ ଆକ୍ରମଣରୁ ମୁଁ ମୋର ସହଯୋଗୀଙ୍କୁ ବଞ୍ଚାଇ ଦେଇଥିଲି। ଅଚାନକ ଶତ୍ରୁପକ୍ଷ ଗୁଳି ଚଳାଇଲେ। ମୋର ମୁଣ୍ଡର ଉଭୟ ପାର୍ଶ୍ବରେ ମାତ୍ର କିଛି ଇଞ୍ଚ ବ୍ୟବଧାନରେ ୫ଟି ଗୁଳି ସାଏଁସାଏଁ ହୋଇ ଚାଲିଗଲା, ଯାହାର ସୁ ସୁ ଶବ୍ଦ ମୁଁ ସ୍ପଷ୍ଟ ଶୁଣି ପାରିଥିଲି। ମହାପ୍ରଭୁ ଜଗନ୍ନାଥଙ୍କ ଦୟାରୁ ସେଦିନ ମୁଁ ନିଶ୍ଚିତ ମରଣ ମୁହଁରୁ ବଞ୍ଚି ଯାଇଥିଲି ଏବଂ ଅପରେସନ୍‌ ସଫଳ ହୋଇଥିଲା।

କୁହାଯାଏ, ପ୍ରତିଟି ସଫଳ ପୁରୁଷ ପଛରେ ଜଣେ ନାରୀର ଭୂମିକା ଥାଏ। ଆପଣଙ୍କ ସଫଳତା ପଛରେ ପତ୍ନୀଙ୍କ ଭୂମିକାକୁ ନେଇ କ’ଣ କହିବେ?
ଗୋଟିଏ ଧାଡ଼ିରେ କହିବାକୁ ଗଲେ ମୋର ପତ୍ନୀ ମାମୁନ୍‌ ବହୁତ ଭଲ ଭାବରେ ମୋର ବ୍ୟସ୍ତବହୁଳ ଜୀବନକୁ ବୁଝିପାରନ୍ତି। ଏକାକୀ ପରିବାରର ବୋଝକୁ ମୁଣ୍ଡାଇ ସେ ସଂସାର ଚଳାଇବା ସହ ଆମର ଏକମାତ୍ର ପୁଅକୁ ଭଲ ମଣିଷ କରିପାରିଛନ୍ତି। ହୁଏତ ତାଙ୍କ ବିନା ମୋ ଜୀବନର ଜୟଯାତ୍ରା ସମ୍ଭବ ହୋଇ ପାରି ନଥାନ୍ତା।