ଗତ ସପ୍ତାହରେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍‌ ଡକ୍ଟର ବିଦ୍ୟୁତ୍‌ରଞ୍ଜନ ଷଡ଼ଙ୍ଗୀ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଷଡ଼ଙ୍ଗୀ ୧୯୬୨ ଜୁଲାଇ ୨୦ରେ ନୟାଗଡ଼ ଜିଲ୍ଲା ପନ୍ତିଖାରି ଶାସନରେ ଜନ୍ମଗ୍ରହଣ କରିଥିଲେ। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ତତ୍କାଳୀନ ମହାବିଦ୍ୟାଳୟ)ରୁ ଆଇନ ଶିକ୍ଷା ସମାପ୍ତ କରି ଓଡ଼ିଶା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ‘ରବିବାର ସମ୍ବାଦ’କୁ ସାକ୍ଷାତ୍‌କାର ଦେଇ ବୃତ୍ତିଗତ, ଆଇନ ପଢ଼ିବାର ବାଧ୍ୟବାଧକତା ଓ ଅନ୍ୟାନ୍ୟ ଅନୁଭୂତି ବଖାଣିଛନ୍ତି ଜଷ୍ଟିସ୍‌ ଷଡ଼ଙ୍ଗୀ। ରାଞ୍ଚିରେ ତାଙ୍କୁ ସାକ୍ଷାତ୍‌ କରିଥିଲେ ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ପୁରୁଣା ହାଇକୋର୍ଟ କୋଠାକୁ ଐତିହ୍ୟ ଅଟ୍ଟାଳିକା ଭାବେ ଘୋଷଣା କରିବାକୁ ଝାଡ଼ଖଣ୍ଡର ଓକିଲ, କୋର୍ଟକଚେରିରେ କାର୍ଯ୍ୟରତ ସମସ୍ତ ପଦାଧିକାରୀ ଓ ବୁଦ୍ଧିଜୀବୀମାନେ ଦୀର୍ଘ ଦିନରୁ ଦାବି କରିଆସୁଥିଲେ। ମୁଁ ଦାୟିତ୍ବ ନେବା ପରେ ତାହା ଘୋଷଣା କଲି।

ଆପଣଙ୍କ ପିଲାଦିନ କିପରି ଥିଲା? ସେଦିନର ସ୍ମୃତିକୁ ପାଠକମାନଙ୍କ ସହ ବାଣ୍ଟିବାକୁ ଚାହିଁବେ?
ମୋ ବାପା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଥିଲେ। ଥରେ ତାଙ୍କ ଉପରିସ୍ଥ ଅଧିକାରୀ ଚିଫ୍‌ ଇଂଜିନିୟର୍‌ ଜନାର୍ଦ୍ଦନ ତ୍ରିପାଠୀଙ୍କ ଘରକୁ ବାପା, ବୋଉ ଓ ମୁଁ ଯାଇଥିଲୁ। କଥା ପ୍ରସଙ୍ଗରେ ତ୍ରିପାଠୀବାବୁ ମୋ’ ବାପା ବାଞ୍ଛାନିଧି ଷଡ଼ଙ୍ଗୀଙ୍କୁ କହିଲେ, ‘‘ଜାଣିଲ! ସରକାରୀ ବୃତ୍ତି ଓ ଶରୀରରେ ଜୀବନ ଏସବୁର ସ୍ଥାୟିତ୍ବ କ’ଣ? ଗାଁରେ ଜମିବାଡ଼ି ଭଲ ଅଛି। ସେସବୁକୁ ଏବେଠାରୁ ଦେଖାଶୁଣା କଲେ ପରେ ଭଲରେ ଓ ଶାନ୍ତିରେ ଗଣ୍ଡାଏ ଖାଇବାକୁ ମିଳିବ। ଆମେ ସେଥିପ୍ରତି ଏବେ ଠାରୁ ନିଘା ଦେବା ଦରକାର। ତମେ କ’ଣ ଭାବୁଛ?’’ ମୋର ମନେ ନାହିଁ ଉଭୟଙ୍କ ମଧ୍ୟରେ ହୋଇଥିବା ପରବର୍ତ୍ତୀ ଆଲୋଚନା। କିନ୍ତୁ ସେଦିନ ରାତିରେ ମୋ ବୋଉ ଶୈଳବାଳା ଷଡ଼ଙ୍ଗୀ ବାପାଙ୍କୁ କହି ମୋତେ ନେଇ ଗାଁକୁ ଆସି ଚାଷବାସ ଆରମ୍ଭ କରିଥିଲା। ଦେଖୁ ଦେଖୁ ବୋଉ ଜଣେ ପୋଖତ ଚାଷୀ ହୋଇଗଲା। ତା’ପରଠୁ ଆମର କେବେ ଚାଉଳ, ବିରି, ମୁଗ ଓ ପନିପରିବା କିଣା ହୁଏନାହିଁ। ମୋ ବାପା ଯେଉଁଠି ଥା’ନ୍ତି ବୋଉ ସେଠାକୁ ବର୍ଷକ ବାରମାସ ଚାଉଳ ଏବଂ ବିଭିନ୍ନ ସମୟରେ ପରିବା ପଠାଇଦିଏ। ବାପାଙ୍କୁ ସରକାରୀ ଗାଡ଼ି, ଫୋନ୍ ଓ ଘର କାର୍ଯ୍ୟ ପାଇଁ କର୍ମଚାରୀ ମିଳିଥିଲେ ମଧ୍ୟ ସେ ସବୁକୁ ସେ ବ୍ୟକ୍ତିଗତ କାମରେ ବ୍ୟବହାର କରନ୍ତି ନାହିଁ। ବଡ଼ହୋଇ ବାପାଙ୍କ ସହିତ କଟକର ସରକାରୀ ଘରେ ରହୁଥିଲା ‌େ‌ବଳେ ଆମେ ହାତରେ ରୋଷେଇ କରି ଖାଉଥିଲୁ।

ଆପଣ ଆଇନ ପଢିବାକୁ କାହିଁକି ମନ ବଳାଇଲେ?
ମୁଁ ବିଲ୍‌କୁଲ୍‌ ଆଇନ ପଢ଼ିବାକୁ ଆଗ୍ରହୀ ନଥିଲି। ମୋର ଏମ୍‌. କମ୍‌ରେ ନାଁ ଲେଖା ସରିଥିଲା। ମୁଁ ଚାହୁଁଥିଲି କକେଇ ପ୍ରଫେସର୍‌ ଚନ୍ଦ୍ରଶେଖର ଷଡ଼ଙ୍ଗୀଙ୍କ ପରି ଅଧ୍ୟାପକ ହେବାକୁ। ମୋ ବାପା ଓ କକେଇ ମିଶି ମୋଟ୍‌ ୭ ଭାଇ। ଆମ ପରିବାରରେ କେହି ଓକିଲାତି କିମ୍ବା ନ୍ୟାୟପାଳିକା ବୃତ୍ତିରେ ନଥିବାରୁ ବାପା ମୋତେ ଆଇନ ପଢ଼ିବାକୁ ବାଧ୍ୟକଲେ। ବାପା ନିଜେ ଏମ୍‌. କମ୍‌ରୁ ମୋ ନାଁ କାଟି ଏମ୍‌.ଏସ୍. ଲ’ କଲେଜରେ ଲେଖାଇଦେଲେ। ସେ ଯେତେବେଳେ ମୋତେ ଏକଥା କହିଲେ ମୁଁ ରୋକ୍‌ଠୋକ୍‌ ଶୁଣାଇଦେଲି ମୋର ଲ’ଫ’ ପଢ଼ିବାର ନାହିଁ। ବାପା ବୁଝିଥିଲେ ମୁଁ ଖୁବ୍‌ ରାଗିଯାଇଛି। ମୁଁ ମାସେ କ୍ଲାସ୍‌ କଲିନି। ତେଣୁ, ବାପା ତାଙ୍କର ବନ୍ଧୁ ପୁରୁଷୋତ୍ତମ ମିଶ୍ରଙ୍କୁ ମୋତେ ବୁଝାଇବା ଦାୟିତ୍ୱ ଦେଲେ। ସେ ମୋତେ ବୁଝାଇଥିଲେ। ୧୫ ଦିନ କ୍ଲାସ୍‌ କଲା ପରେ ମୋର ଆଇନ ପାଠ ପ୍ରତି ଆଗ୍ରହ ଆସିଥିଲା। ଏହି ସମୟରେ ବାପାଙ୍କର କଟକରୁ ଭୁବନେଶ୍ୱର ବଦଳି ହୋଇଗଲା। ମୁଁ ଦୈନିକ ସଟଲ୍‌ ଟ୍ରେନ୍‌ରେ କଟକ ଆସି କ୍ଲାସ୍ କରି ଘରକୁ ଫେରୁଥିଲି।

ଥରେ ତତ୍କାଳୀନ ମୁଖ୍ୟ ବିଚାରପତି ବିନୀତ ଶରଣ ମୋତେ ‘ବିଲ୍‌ଡିଙ୍ଗ୍ କମିଟି’ ଅଧ୍ୟକ୍ଷ ଦାୟିତ୍ୱ ଦେଲେ। ମୁଁ ବିଭିନ୍ନ ରେକର୍ଡ ଅନୁଧ୍ୟାନ କରି ଦେଖିଲି, ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଓଡ଼ିଶାର ଜିଲ୍ଲା କୋର୍ଟ ଓ କଚେରିଗୁଡ଼ିକର ନିଜସ୍ୱ ଜମି ଖଣ୍ଡେ ନାହିଁ।

ଆଇନ ପଢ଼ା ସାରିବା ପରେ ଓକିଲାତି ଆରମ୍ଭ କରିବାର କିଛି ସଂଘର୍ଷ ଘଟଣା ରହିଛି?
ଆଇନ ପଢ଼ିସାରିବା ପରେ ହିଁ ବାସ୍ତବ ସଂଘର୍ଷ ଆରମ୍ଭ ହୋଇଥାଏ। ଆଇନ ପଢ଼ିବା ବେଳେ ଟିକିଏ ଅବସର ପାଇଲେ କୋର୍ଟକଚେରିକୁ ଯାଇ ମାମଲା ପରିଚାଳନା ଏବଂ ସାକ୍ଷୀଙ୍କୁ ଜେରା କରାଯିବ‌ା ଦେଖୁଥିଲି। ଥରେ ବିଶିଷ୍ଟ ଆଡ୍‌ଭୋକେଟ୍‌ ସ୍ବର୍ଗତ ଗଙ୍ଗାଧର ରଥଙ୍କ କେସ୍‌ ପରିଚାଳନା ଦେଖିବା ସୁଯୋଗ ମିଳିଲା। ସେହିଦିନ ମୁଁ ତାଙ୍କୁ ମନେ ମନେ ଗୁରୁବୋଲି ମାନିନେଲି। ଆଇନ ଶିକ୍ଷା ସାରିବା ପରେ ପରେ ତାଙ୍କୁ ଭେଟିଲି। ସେ ମୋତେ ପଚାରିଲେ, ତମେ ଚଳିବ କିପରି? ମୁଁ କହିଲି ଘରୁ କିଛି ପଇସା ଆଣିବି। ସେ ବହୁତ ସ୍ୱାଭିମାନୀ। ସେ କହିଲେ ମୁଁ ତମକୁ କିଛି ପଇସା ଦେବି। ତମେ କିଛି ସମୟ ବାହାର କରି ଟିକିଏ କଷ୍ଟ କରି ଟିଉସନ୍‌ କରିପାରିବ? ଘରୁ ପଇସା ଆଣିବା ଚଳିବନି। ଏଇ ସ୍ଥିତିରେ ୧୯୮୯ ମସିହା ଡିସେମ୍ବର ୨୧ରେ ମୁଁ ଆଇନ ବ୍ୟବସ‌ାୟ ଆରମ୍ଭ କରିଥିଲି। ଏହାପରେ ସେ ମୋତେ ଚ୍ୟାମ୍ବର୍‌ରେ ଥିବା ଅନ୍ୟ ବରିଷ୍ଠ ଓକିଲଙ୍କ ମାଧ୍ୟମରେ କାମ ଦିଅନ୍ତି ଏବଂ ମୁଁ ସବୁ କାମ ଠିକ୍‌ଠାକ୍‌ କରିଦିଏ। କିନ୍ତୁ ବର୍ଷକ ପର୍ଯ୍ୟନ୍ତ ସେ ମୋ ସଙ୍ଗେ କେବେ ପଦୁଟିଏ କଥା ହେଲେନାହିଁ। ଏମିତି ପ୍ରାୟ ୧୦ ବର୍ଷ ବିତିଗଲା। ସେତେବେଳକୁ ସେ ମୋତେ ନିଜ ପୁଅ ପରି ଭଲ ପାଉଥିଲେ। ଦିନେ ମୁଁ ସାହସ କରି ପଚାରିଲି, ବର୍ଷକ ପର୍ଯ୍ୟନ୍ତ ଆପଣ ମୋ ସହିତ କାହିଁକି କଥା ହେଉ ନଥିଲେ? ସେ ଉତ୍ତର ଦେଇଥିଲେ- ମୁଁ ଆପଣଙ୍କ ଧୈର୍ଯ୍ୟ ପରୀକ୍ଷା କରୁଥିଲି। ଯଦି ଜଣେ ଓକିଲାତି କରିବାକୁ ଚାହିଁବ ତେବେ ଧୈର୍ଯ୍ୟ ହେଉଛି ସଫଳତାର ପ୍ରଥମ ମନ୍ତ୍ର। ସେହିପରି ଓକିଲ ସବୁବେଳେ ଯଦି ନିଜକୁ ମହକିଲ ସ୍ଥାନକୁ ନେଇ କେସ୍‌ ଲଢ଼ିବ ତେବେ ସେଥିରେ ସେ ନିଶ୍ଚିତ ସଫଳ ହେବ। ଏହାହିଁ ଥିଲା ମୋ ପାଇଁ ଗୁରୁମନ୍ତ୍ର। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେ ‘ଆପଣ’ ଛଡ଼ା କ୍ବଚିତ୍‌ କେବେ କାହାକୁ ‘ତମେ’ କହିଥି‌େବ।

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆପଣଙ୍କର ଗୋଟିଏ ଅଭୁଲା ଶୁଣାଣି?
ଏହା ଏକ ଜଟିଳ ପ୍ରଶ୍ନ। ତେବେ ଗୋଟିଏ ଘଟଣା ମୋ ମନରେ ଗଭୀର ରେଖାପାତ କରିଥିଲା। ମୁଁ, ଜଷ୍ଟିସ୍‌ ବିଶ୍ୱନାଥ ରଥ ଓ ଜଷ୍ଟିସ୍‌ ବିଶ୍ୱଜିତ ମହାନ୍ତି କଥାବାର୍ତ୍ତା ହୋଇ ନିଜ ନିଜ ବେଞ୍ଚ୍‌କୁ ମାମଲା ଶୁଣାଣି ପାଇଁ ଗଲୁ। ସେଦିନ ମୋ ବେଞ୍ଚ୍‌ରେ ଜଣେ ବୟସ୍କା ମହିଳାଙ୍କର ରାୟ ପ୍ରକାଶ ପାଇବାର ଥିଲା। ୧୪ ବର୍ଷ ଧରି ସେହି ମାମଲାର ଶୁଣାଣି ହେଉଥିଲା। ସେଥିରେ ମୁଁ ମଧ୍ୟ ତିନୋଟି ଶୁଣାଣି କରିଥିଲି। ରାଜ୍ୟ ସରକାରଙ୍କ ବିରୋଧରେ ସେ ମହିଳା ଦରମା ଓ ପେନସନ୍ ମାମଲା ଦାଏର କରିଥିଲେ। ରାୟ ପ୍ରକାଶ ପାଇବା ପରେ ମୁଁ ସ୍ପଷ୍ଟ ଦେଖିଲି ଓ ଶୁଣିଲି (ସମସ୍ତେ ଉପସ୍ଥିତ ଥିଲେ): ମହିଳାଜଣକ କୋର୍ଟଗୃହକୁ ମୁଣ୍ଡିଆ ମାରି ହାତ ଟେକି କହି କହି ଯାଉଥିଲେ- ନ୍ୟାୟ ବ୍ୟବସ୍ଥା ବଞ୍ଚିଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମୁଁ ସମାଧାନ କରିଥିବା ପ୍ରାୟ ୧ ଲକ୍ଷ ୧୫ ହଜାର ମାମଲା ମଧ୍ୟରୁ ଏ ଶୁଣାଣି ମୋ ମନକୁ ଖୁବ୍‌ ଆନ୍ଦୋଳିତ କରିଥିଲା।

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆପଣଙ୍କର କେଉଁ କାମ ଆପଣଙ୍କୁ ସବୁବେଳେ ସ୍ମରଣୀୟ କରି ରଖିବ?
ମୁଁ ଓଡ଼ିଶା ହାଇକୋର୍ଟର ୮ ନମ୍ବର ବିଚାରପତି ଦାୟିତ୍ୱରେ ଥିଲି। ଥରେ ତତ୍କାଳୀନ ମୁଖ୍ୟ ବିଚାରପତି ବିନୀତ ଶରଣ ମୋତେ ‘ବିଲ୍‌ଡିଙ୍ଗ୍ କମିଟି’ ଅଧ୍ୟକ୍ଷ ଦାୟିତ୍ୱ ଦେଲେ। ମୁଁ ବିଭିନ୍ନ ରେକର୍ଡ ଅନୁଧ୍ୟାନ କରି ଦେଖିଲି, ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଓଡ଼ିଶାର ଜିଲ୍ଲା କୋର୍ଟ ଓ କଚେରିଗୁଡ଼ିକର ନିଜସ୍ୱ ଜମି ଖଣ୍ଡେ ନାହିଁ। ଏ କଥା ମୁଁ ମୁଖ୍ୟ ବିଚାରପତି ଶରଣଙ୍କ ଦୃଷ୍ଟିକୁ ଆଣି କହିଲି, ଯଦି ଓଡ଼ିଶା ନ୍ୟାୟପାଳିକାର ବିକାଶ ଲୋଡ଼ା ତେବେ ପ୍ରଥମେ ଜିଲ୍ଲା କୋର୍ଟ ଓ ଏହାର ପାରିପାର୍ଶ୍ବିକ କୋଠାବାଡ଼ି ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ଆବଶ୍ୟକ। ତା’ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ, ରାଜସ୍ବ ସଚିବ ଓ ଆଇନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ବସିଲା। ମୁଖ୍ୟ ବିଚାରପତି ଶରଣ ମୋତେ ସବୁ ସମସ୍ୟା ଉପରେ କହିବାକୁ ଅନୁମତି ଦେଲେ ଏବଂ ତା’ର ସମାଧାନ କହିଲେ। ଏହାପରେ ସରକାର ପ୍ରତି ଜିଲ୍ଲା କୋର୍ଟକୁ ୩ ଏକର ଓ ପାରିପାର୍ଶ୍ବିକ କୋଠାବାଡି ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇଦେଲେ। ନୟାଗଡ଼ ଜିଲ୍ଲା କୋର୍ଟରୁ ନ୍ୟାୟପାଳିକାର ବିକାଶ ପ୍ରକ୍ରିୟାର ଆରମ୍ଭ ହୋଇଥିଲା।

ଆପଣ ସ୍ବଳ୍ପକାଳ ପାଇଁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି। ଏ ସମୟରେ କିଛି ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି କି?
ପୁରୁଣା ହାଇକୋର୍ଟ କୋଠାକୁ ଐତିହ୍ୟ ଅଟ୍ଟାଳିକା ଭାବେ ଘୋଷଣା କରିବାକୁ ଝାଡ଼ଖଣ୍ଡର ଓକିଲ, କୋର୍ଟକଚେରିରେ କାର୍ଯ୍ୟରତ ସମସ୍ତ ପଦାଧିକାରୀ ଓ ବୁଦ୍ଧିଜୀବୀମାନେ ଦୀର୍ଘ ଦିନରୁ ଦାବି କରିଆସୁଥିଲେ। ମୁଁ ଦାୟିତ୍ବ ନେବା ପରେ ତାହା ଘୋଷଣା କଲି। ଏହା ସହିତ ଆଡ୍‌ଭୋକେଟ୍‌ ଓ ମହକିଲଙ୍କ ସୁବିଧା ପାଇଁ କେସ୍‌ ଦାଏର କରିବାର ଏକ ସରଳ ଆଇନଗତ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ସମସ୍ତେ ସ୍ୱାଗତ କରୁଛନ୍ତି।