ଜଣେ ଆଇଏଏସ୍ ଅଧିକାରୀ ହୋଇ ବି ନିଜର ସଚ୍ଚୋଟପଣିଆ ଓ ସାଲିସବିହୀନ କାର୍ଯ୍ୟଧାରା ଲାଗି ୩୪ ବର୍ଷର ଚାକିରି ଜୀବନରେ ୫୭ ଥର ବଦଳି ହୋଇଛନ୍ତି ସେ। କୌଣସି ଚାପ ଆଗରେ ସେ କେବେ ମୁଣ୍ଡ ନୁଆଁଇନାହାନ୍ତି, ବିବେକାନୁମୋଦିତ ନିଷ୍ପତ୍ତି ନେଇ କ୍ଷମତାଶାଳୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସଂପ୍ରତି ଅବସର ଗ୍ରହଣ କରିଛନ୍ତି ବହୁଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ଅଶୋକ ଖେମ୍କା। ତାଙ୍କୁ ଚଣ୍ଡିଗଡ଼ସ୍ଥିତ ବାସଭବନରେ ଭେଟିଛନ୍ତି ଆମ ବରିଷ୍ଠ ପ୍ରତିନିଧି
ବିଭୂତି ପତି
ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ସକାଶେ ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ୧୯୯୧ ବ୍ୟାଚ୍ର ହରିୟାଣା କ୍ୟାଡର୍ ଆଇଏଏସ୍ ଅଧିକାରୀ ଅଶୋକ ଖେମ୍କା ଗତ ଏପ୍ରିଲ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି। ହରିୟାଣା ପରିବହନ ନିଗମର କମିସନର୍ ପଦବିରେ ଶେଷ ହୋଇଛି ତାଙ୍କର ବହୁଚର୍ଚ୍ଚିତ କାର୍ଯ୍ୟକାଳ। ସ୍ପଷ୍ଟବାଦିତା ଓ ବେସାଲିସ କାର୍ଯ୍ୟଧାରା ଯୋଗୁଁ ତାଙ୍କୁ ବାରମ୍ବାର ବଦଳି କରାଯିବା ସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଛି। ବିଶେଷକରି ଗୁରୁଗ୍ରାମ ଜିଲ୍ଲାରେ ପ୍ରଭାବଶାଳୀଙ୍କ ଜମି ଜାଲିଆତିର ପର୍ଦ୍ଦାଫାସ୍ କରିବା ପରେ ସେ ରାଜନୈତିକ ଆକ୍ରୋଶର ଶିକାର ହୋଇଥିଲେ। ସଚ୍ଚୋଟପଣିଆ ଓ ବେସାଲିସ ନୀତି ଯୋଗୁଁ ତାଙ୍କୁ କର୍ତ୍ତବ୍ୟ ସମ୍ପାଦନ ସମୟରେ ବିଭିନ୍ନ ମିଛ ମାମଲାରେ ମଧ୍ୟ ଛନ୍ଦାଯାଇଛି। ଭିତ୍ତିହୀନ ଅଭିଯୋଗ ଜରିଆରେ ତାଙ୍କର ପଦୋନ୍ନତିକୁ ରୋକାଯାଇଛି। କିନ୍ତୁ କ୍ରମାଗତ ଉତ୍ପୀଡ଼ନର ଶିକାର ହୋଇ ମଧ୍ୟ ହାରି ଯାଇନାହାନ୍ତି ସେ। ପରିସ୍ଥିତିର ମୁକାବିଲା କରି ନିଜର ସ୍ୱଚ୍ଛତା ଓ ସାଧୁତାର ଶକ୍ତିରେ ବିଜୟ ହାସଲ କରିଛନ୍ତି। ୨୦୧୨ ମସିହାରେ ହରିୟାଣାର ଭୂ-ବନ୍ଦୋବସ୍ତ ଓ ଭୂ-ଅଭିଲେଖାଗାରର ମହାନିର୍ଦ୍ଦେଶକ ଥିବାବେଳେ ଶ୍ରୀ ଖେମ୍କା ଗୁରୁଗ୍ରାମରେ ଏକ ଜମି କିସମ ପରିବର୍ତ୍ତନ ମାମଲାକୁ ବାତିଲ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ୨୦୦୮ ମସିହାରେ କଂଗ୍ରେସର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପତି ରବର୍ଟ ଭଦ୍ରାଙ୍କ ସଂପୃକ୍ତି ଥିବା ସ୍କାଇଲାଇଟ୍ ହସ୍ପିଟାଲିଟି ୩.୫ ଏକରର ଚାଷଜମିକୁ ୭.୫ କୋଟି ଟଙ୍କାରେ କିଣିଥିଲେ। ହରିୟାଣାରେ କଂଗ୍ରେସ ସରକାରକୁ ଆସିବା ପରେ ସ୍କାଇଲାଇଟ୍ ବ୍ୟାବସାୟିକ ଜମି ଲାଇସେନ୍ସ ପାଇଥିଲା। ଏହାପରେ ସେହି ଜମିକୁ ସ୍କାଇଲାଇଟ୍ ୫୮ କୋଟି ଟଙ୍କାରେ ଡି.ଏଲ୍.ଏଫ୍. କଂପାନିକୁ ବିକ୍ରି କରିଥିଲା। ଖେମ୍କା ଏହି କାରବାରକୁ ଜାଲିଆତି ବୋଲି ଅଭିହିତ କରିବା ସହ ରଦ୍ଦ କରିଦେଇଥିଲେ। ଏହି ପଦବିରେ ମାତ୍ର ୮୦ ଦିନର କାର୍ଯ୍ୟକାଳ ଭିତରେ ସେ ଶହ ଶହ କୋଟି ଟଙ୍କାର ଏକାଧିକ ଜମି ଜାଲିଆତି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଏହି ମାମଲାରେ ହରିୟାଣା ସରକାର ଅଶୋକ ଖେମ୍କାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ ପଦବି ଓ କ୍ଷମତା ବାହାରେ କାର୍ଯ୍ୟ କରିବା ସହ ପଦରୁ ବଦଳି ହେବା ପରେ ମଧ୍ୟ କ୍ଷମତା ପ୍ରୟୋଗ କରିଛନ୍ତି, ୨୫୦୦ ଦାଖଲ-ଖାରଜ ମୋକଦ୍ଦମା ମଧ୍ୟରୁ ଭଦ୍ରାଙ୍କ କାରବାରକୁ ଉଦ୍ଦେଶ୍ୟମୂଳକ ଭାବେ ଧରିଛନ୍ତି ଏବଂ ସର୍ଭିସ୍ ରୁଲ୍ର ଉଲ୍ଲଂଘନ କରିଥିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ୨୦୧୩ ମସିହାରେ ଦାଖଲ କରାଯାଇଥିଲା। ଏଥିରେ ସରକାରୀ ନୀତିକୁ ଗଣମାଧ୍ୟମରେ ସମାଲୋଚନା କରିବା ଏକ ସଙ୍ଗିନ ଅପରାଧ ବୋଲି ଦର୍ଶାଯାଇଥିଲା। ଏହାପରେ ଖେମ୍କାଙ୍କୁ ୨୦୧୩ ମସିହାରେ ଅଭିଲେଖାଗାରକୁ ବଦଳି କରିଦିଆ ଯାଇଥିଲା। ଜଣେ ଦକ୍ଷ ଅଧିକାରୀ ହୋଇଥିଲେ ହେଁ ଖେମ୍କାଙ୍କୁ ଗୁରୁତ୍ବ ନଥିବା ବିଭାଗକୁ ବାରମ୍ବାର ବଦଳି କରାଯାଇଛି। ଚାକିରିର ପ୍ରଥମ ୨୧ ବର୍ଷରେ ସେ ୪୦ ଥର ବଦଳି ହୋଇଛନ୍ତି। ଏହାପରେ ସେ ଗୋଟିଏ ପରେ ଗୋଟିଏ ବିଭାଗକୁ ମୋଟ୍ ୫୭ ଥର ବଦଳି ହୋଇଛନ୍ତି। କିନ୍ତୁ ସବୁଠାରେ ଦୁର୍ନୀତିକୁ ଲୋକଲୋଚନକୁ ଆଣି ଜନସାଧାରଣଙ୍କ ପ୍ରିୟ ପ୍ରଶାସକ ଭାବେ ଆଦରଲାଭ କରିଛନ୍ତି।
ପ୍ରଶାସନିକ ଅଧିକାରୀ ଭାବେ ଆପଣଙ୍କ ଜୀବନରେ ଆପଣ କ’ଣ ହରାଇଛନ୍ତି ଏବଂ କ’ଣ ପାଇଛନ୍ତି? ଅବସର ପରେ ଆପଣ କ’ଣ ରାଜନୀତିରେ ଯୋଗଦେବେ? ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଶୋକ ଖେମ୍କା କହନ୍ତି,‘‘ମୁଁ ଜାଣିନି ସମୟ ମୋତେ କେଉଁ ରାସ୍ତାରେ ନେଇଯିବ। ତେବେ ପ୍ରଶାସକ ହେବା ପରେ ବୈଜ୍ଞାନିକର ଅନୁସନ୍ଧିତ୍ସୁ ମନଟି ମୋର ହଜିଯାଇଛି। ରାଜନୀତିରେ ଯୋଗଦେବାର ଅଭିଳାଷ ମୋର ନାହିଁ। ଆବଶ୍ୟକ ପଡ଼ିଲେ ବୃହତ୍ତର ସାମାଜିକ ନ୍ୟାୟ ଓ ପରିବେଶ ସୁରକ୍ଷା ଲାଗି ଓକିଲାତି କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତେବେ ମୋ କାର୍ଯ୍ୟକାଳରେ ମୁଁ ସମାଜକୁ ଯେତିକି ନ୍ୟାୟ ଦେଇଛି, ସେଥିରୁ ବେଶ୍ ଆତ୍ମସନ୍ତୋଷ ପାଇଛି।’’
ଦୁର୍ନୀତି ସହ ମୁହଁାମୁହିଁ ହେବା ସକାଶେ ମୋତେ ବହୁମୂଲ୍ୟ ଦେବାକୁ ପଡ଼ିଲା
ଆପଣଙ୍କ ଛାତ୍ରଜୀବନ କିପରି କଟିଥିଲା?
ଗୋଟିଏ ସାଧାରଣ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ଆମ ପୂର୍ବପୁରୁଷ ୧୯୦୦ ମସିହାରେ ରାଜସ୍ଥାନର ଝୁନ୍ଝୁନୁ ଜିଲ୍ଲାରୁ କୋଲ୍କାତାକୁ ଚାଲିଆସିଥିଲେ। ଏଣୁ ମୋର ସୌଭାଗ୍ୟ ଯେ ମୁଁ ଉଭୟ ଶେଖାୱତି ଓ ବଙ୍ଗାଳୀ ସଂସ୍କୃତିର ଉତ୍ତମ ଗୁଣର ଅଧିକାରୀ ହୋଇପାରିଛି। ମୋର ସ୍କୁଲ୍ ଶିକ୍ଷା ଭାରତର ବୌଦ୍ଧିକ ରାଜଧାନୀ ରୂପେ ପରିଚିତ କୋଲ୍କାତାରେ ହୋଇଥିଲା। ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରୁ କମ୍ପ୍ୟୁଟର୍ ସାଇନ୍ସରେ ୯.୮୭/୧୦ ଗ୍ରେଡ୍ ପଏଣ୍ଟ୍ ପାଇ ସ୍ନାତକ ଡିଗ୍ରି ହାସଲ କରିଥିଲି। ଏପରି ଫଳାଫଳ ପରେ, ସେତେବେଳର ଧାରା ଅନୁଯାୟୀ ଆମେରିକା ଚାଲିଯିବାର ସମ୍ଭାବନା ରହିଥିଲା। କିନ୍ତୁ, ମୋର କର୍ତ୍ତବ୍ୟବୋଧ ଯୋଗୁଁ ମୁଁ ଭାରତରେ ହିଁ ରହିବାକୁ ନିଷ୍ପତ୍ତି ନେଲି। ପିଏଚ୍.ଡି କରିବା ସକାଶେ ମୁଁ ମୁମ୍ବାଇସ୍ଥିତ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ (ଟି.ଆଇ.ଏଫ୍.ଆର୍.)ରେ ଯୋଗଦେଲି।
ଗବେଷଣା କ୍ଷେତ୍ରରୁ ପ୍ରଶାସନକୁ ଆସିଲେ କେମିତି?
ଜଣେ ପ୍ରଶାସକ େହବା ସମ୍ଭବତଃ ନିୟତିର ନିର୍ଦ୍ଦେଶ ଥିଲା। ମୁମ୍ବାଇରେ ଅବସ୍ଥାନ କରୁଥିବାବେଳେ ମୁଁ ମୋର ଜଣେ ସଂପର୍କୀୟଙ୍କ ସଂସ୍ପର୍ଶରେ ଆସିଲି, ଯିଏକି ପ୍ରଶାସନିକ ସେବାରେ ଥିଲେ। ସେ ମୋତେ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇଲେ। ଛାତ୍ରାବସ୍ଥାରୁ ମୁଁ ବିଭିନ୍ନ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗଗୁଡ଼ିକ ସହିତ ସକ୍ରିୟ ଭାବେ ଜଡ଼ିତଥିଲି। ମୁଁ ବିଚାରକଲି ଯେ ସରକାରରେ ଯୋଗଦେଲେ ମୋର ସାମର୍ଥ୍ୟର ଉପଯୁକ୍ତ ବିନିଯୋଗ ହୋଇପାରିବ। ତେଣୁ ଗବେଷଣା ଛାଡ଼ି ମୁଁ ପ୍ରଶାସନିକ ସେବା ଆଡ଼କୁ ମୁହଁାଇଲି। ପ୍ରଶାସନିକ ସେବାରେ ସଚ୍ଚୋଟପଣିଆ ଓ ବେସାଲିସ୍ କାର୍ଯ୍ୟଧାରା ପାଇଁ ଆପଣ ବେଶ୍ ଜଣାଶୁଣା। ଏଥିପାଇଁ ପ୍ରେରଣା କେଉଁଠାରୁ ପାଇଲେ? ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ଯୋଗୁଁ ହିଁ ମୁଁ ପ୍ରଶାସନିକ ସେବାକୁ କ୍ୟାରିୟର୍ ଭାବେ ବାଛିଥିଲି। ଆଇଏଏସ୍ ଚାକିରିର ଦରମା ଓ ଅନ୍ୟ ସୁବିଧା ଆମର ଆବଶ୍ୟକତା ପୂରଣ ସକାଶେ ଯଥେଷ୍ଟ। ତେବେ ଆପଣଙ୍କ ଚାରିପାଖରେ ପ୍ରଲୋଭନ ସବୁବେଳେ ଉଙ୍କି ମାରିବ। ତେଣୁ ନିଜର ସଚ୍ଚୋଟପଣିଆ ବଜାୟ ରଖିବା ସକାଶେ ସନ୍ତୁଷ୍ଟ ରହିବା ଏବଂ କୃତଜ୍ଞ ରହିବା ଏକାନ୍ତ ଆବଶ୍ୟକ।
ଚାକିରି କାଳର କେଉଁ ଉପଲବ୍ଧି ସକାଶେ ଆପଣ ସବୁଠାରୁ ବେଶି ଗର୍ବିତ?
ସାର୍ବଜନୀନ ସେବାରେ ସର୍ବଦା ଦଳଗତ କାର୍ଯ୍ୟ ହିଁ ସଫଳ ହୋଇଥାଏ। କୌଣସି ଉପଲବ୍ଧି ବ୍ୟକ୍ତିଗତ ପ୍ରାପ୍ତି ନୁହେଁ। ତେବେ, ଜଣେ ସାଧାରଣ ବ୍ୟକ୍ତି ଜୀବନରେ ସାମାନ୍ୟ ପରିବର୍ତ୍ତନ ଆଣିବା ପାଇଁ କରାଯାଇଥିବା ଉଦ୍ୟମ ମୋତେ ଆତ୍ମସନ୍ତୋଷ ଦେଇଥାଏ। ପ୍ରତିବାଦର ସ୍ବର ଉତ୍ତୋଳନ କରିପାରୁ ନ ଥିବା ବ୍ୟକ୍ତିମାନଙ୍କ ପ୍ରତି କରାଯାଉଥିବା ଅନ୍ୟାୟର ପ୍ରତିକାର କରିବା ମୋ ପାଇଁ ସଦା ସ୍ମରଣୀୟ। ସରକାରୀ ବ୍ୟବସ୍ଥାରେ ଦୁର୍ନୀତି ଏପରି ଏକ ବ୍ୟାଧି, ଯାହା ଉଇ ପରି ଆମ ଦେଶକୁ ଚରିଯାଉଛି। ମୋତେ ଦେଶବାସୀ ଜଣେ ଦୁର୍ନୀତି ବିରୋଧୀ ଯୋଦ୍ଧା ରୂପରେ ଜାଣନ୍ତି। ମାତ୍ର ବିତ୍ତୀୟ ଓ ଆଇନ କ୍ଷେତ୍ରରେ ଥିବା ମୋର ଦକ୍ଷତା ମୋ ପାଇଁ ଅଧିକ ପ୍ରିୟ।
କର୍ତ୍ତବ୍ୟ ସଂପାଦନ କରିବା କ୍ଷେତ୍ରରେ ଆପଣ ସମ୍ମୁଖୀନ ହୋଇଥିବା ସବୁଠାରୁ ବଡ଼ ଆହ୍ବାନ କ’ଣ ଥିଲା?
ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କଠାରୁ ହିଁ ସବୁବେଳେ ବଡ଼ ଆହ୍ବାନ ଆସିଥାଏ। ସେମାନଙ୍କୁ ଛୁଇଁବା ଆଦୌ ସହଜ ନୁହେଁ। ଜଣେ ବୁଦ୍ଧିମାନ ତଥା ସାଲିସ କରୁ ନ ଥିବା ଅଧିକାରୀ ରୂପେ ପ୍ରସିଦ୍ଧି ଅର୍ଜନ କରିବା ପରେ, ମୋତେ ବାରମ୍ବାର ବଦଳି କରାଗଲା। ମୋର ବିଶ୍ବାସ ଯେ ବାରମ୍ବାର ବଦଳି କରାଯିବା ଏବଂ ମହତ୍ତ୍ବହୀନ ପଦବିରେ ଅବସ୍ଥାପିତ କରାଯିବା ଫଳରେ ମୋ ପୂର୍ଣ୍ଣ ସାମର୍ଥ୍ୟର ସର୍ବୋତ୍କୃଷ୍ଟ ବ୍ୟବହାର କରାଯାଇ ପାରିନାହିଁ। ସମ୍ଭବତଃ ଦୁର୍ନୀତି ସହ ମୁହଁାମୁହିଁ ହେବା ନେଇ ମୋର ଉତ୍ସାହ ସକାଶେ ମୋତେ କ୍ୟାରିୟର୍ରେ ବହୁମୂଲ୍ୟ ଦେବାକୁ ପଡ଼ିଲା।
ଭାରତୀୟ ପ୍ରଶାସନରେ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରମାଣକୁ କିପରି ବ୍ୟବହାର କରାଯାଉଛି?
ରାଜ୍ୟଗୁଡ଼ିକ ପ୍ରମାଣ-ଆଧାରିତ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ଆହୁରି ଅଗ୍ରଗତି କରିବାର ଆବଶ୍ୟକତା ରହିଛି। ତେବେ, ନିତି ଆୟୋଗ ଏବଂ ଜାତୀୟ ସ୍ତରର ବହୁ ନିୟାମକମାନେ ଯଥା ଟେଲିଫୋନ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ), କମ୍ପିଟିସନ୍ କମିସନ୍ ଅଫ୍ ଇଣ୍ଡିଆ (ସି.ସି.ଆଇ.), ଇନ୍ସ୍ୟୁରାନ୍ସ ରେଗୁଲେଟରି ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅଥରିଟି (ଆଇ.ଆର୍.ଡି.ଏ.ଆଇ.), ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ରେଗୁଲେସନ୍ କମିସନ୍ (ସି.ଇ.ଆର୍.ସି.), ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସେବି ଇତ୍ୟାଦି ସେମାନଙ୍କର ନିଷ୍ପତ୍ତି ଗ୍ରହଣ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରମାଣ ଉପରେ ଅଧିକ ଆସ୍ଥା ପ୍ରକଟ କରନ୍ତି।