ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଓ ପ୍ରାକ୍ତନ ପ୍ରଶାସକ ତଥା ବିଜେଡି ନେତା ଭି.କେ.ପାଣ୍ଡିଆନ୍‌ଙ୍କ ଅବଦାନକୁ ତୁଳନା କରି ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ତଥା ବିଜେଡି ନେତା ସଂତୃପ୍ତ ମିଶ୍ର ସଂପ୍ରତି ବିବାଦରେ ଛନ୍ଦି ହୋଇଛନ୍ତି। ଆଗରୁ ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ସୃଷ୍ଟି ହୋଇଥିବା ଆକ୍ଷେପ-ପ୍ରତିଆକ୍ଷେପ ଥମି ନଥିବା ବେଳେ ଏ ପ୍ରସଙ୍ଗ ଏବେ ରାଜ୍ୟର ରାଜନୈତିକ ବାତାବରଣକୁ ଉଷ୍ମ କରିଛି। ଏଥର ‘ରବିବାର’ ସାମ୍ନାସାମ୍ନି ସ୍ତମ୍ଭରେ ମୁହାଁମୁହିଁ ହୋଇଛନ୍ତି ସଂତୃପ୍ତ ମିଶ୍ର ଓ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ଉଭୟଙ୍କ ସହିତ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ଶାଳୀନ ଭାଷାରେ ବି ସମାଲୋଚନା କରାଯାଇପାରିବ: ସଂତୃପ୍ତ ମିଶ୍ର

ଓଡ଼ିଶାର ଭବିଷ୍ୟତ ବିକାଶକୁ ନେଇ ଆପଣଙ୍କ ସ୍ବପ୍ନ ଓ ଯୋଜନା କ’ଣ ରହିଛି?
ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ସ୍ବାବଲମ୍ବୀ କରିବା ସହିତ ରାଜ୍ୟ‌ରେ ତୃଣମୂଳ ସ୍ତରରେ ଆହୁରି ‌ଅନେକ କାମ କରିବାର ଆବଶ୍ୟକତା ରହିଛି। ବିଜେଡି ସରକାର ସମୟରେ ଅନେକ ପ୍ରଗତି ହୋଇଛି। ସେହି ପ୍ରଗତିର ଧାରାକୁ ‌ଆଗକୁ ନେବା ପାଇଁ ସମସ୍ତେ ବ୍ୟକ୍ତିକୈନ୍ଦ୍ରିକ ବିରୋଧର ଊର୍ଦ୍ଧ୍ବକୁ ଯାଇ କାର୍ଯ୍ୟ କରିବା ଉଚିତ। ଓଡ଼ିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ବିକାଶ ଦିଗରେ କାର୍ଯ୍ୟ କରିବା ମୋର ପ୍ରଥମ କର୍ତ୍ତବ୍ୟ ଓ ସ୍ବପ୍ନ ମଧ୍ୟ। ଏହି ଲକ୍ଷ୍ୟକୁ ଆଗେଇ ନେବା ମୋର ସଂକଳ୍ପ ଓ ଦାୟିତ୍ବ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ସହିତ ଆପଣ ବିଜେଡି ନେତା ଭି.କେ.ପାଣ୍ଡିଆନ୍‌ଙ୍କୁ ତୁଳନା କରିବା କେତେ ଯୁକ୍ତିଯୁକ୍ତ? 
ମୋର ଅନୁରୋଧ, ମୋ ଟିଭି ସାକ୍ଷାତ୍‌କାରଟି ଆମୂଳଚୂଳ ଦେଖନ୍ତୁ। ମୁଁ କେବେ କାହାକୁ କାହା ସହିତ ତୁଳନା କରେନାହିଁ। ସ୍ଥାନ, କାଳ, ପାତ୍ର, ଶକ୍ତି ଓ ସାମର୍ଥ୍ୟରେ ସର୍ବଦା ସମସ୍ତେ ଭିନ୍ନ ଅଟନ୍ତି। ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସ୍ବତନ୍ତ୍ର। ନିଜର ଦକ୍ଷତା ଅନୁସାରେ କର୍ମ କରିଥାନ୍ତି। ତେଣୁ ଦୁଇଜଣଙ୍କୁ କିପରି ତୁଳନା କରାଯିବ? ୧୯୬୪ରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କର ତିରୋଧାନ ହୋଇଥିଲା। ତା’ପରେ ମୋର ଜନ୍ମ ଏବଂ ଯେଉଁ ବ୍ୟକ୍ତିଙ୍କ ସହିତ ମୁଁ ତାଙ୍କୁ ତୁଳନା କରିଛି ବୋଲି କୁହାଯାଉଛି ସେ ମଧ୍ୟ ତା’ର ବହୁ ପରେ ଜନ୍ମ। ମଁୁ କହିଛି, ଯେମିତି ବିଗତ ୫୦/୬୦ ବର୍ଷଧରି ନେହେରୁଙ୍କ ଅବଦାନକୁ ଗୌଣ କରିବାକୁ ଚେଷ୍ଟା କରି ତାଙ୍କ ବ୍ୟକ୍ତିତ୍ବକୁ ସମାଲୋଚନା କରାଯାଉଛି ଠିକ୍ ସେମିତି ଗତ ୧୦ ମାସ ମଧ୍ୟରେ ପାଣ୍ଡିଆନ୍‌ଙ୍କୁ ନେଇ ସେପରି ଚାଲିଛି- ଆମେ ଏଥିରୁ ନିବୃତ୍ତ ହେବାର ସମୟ ଆସିଛି। ବ୍ୟକ୍ତିଗତ ନିନ୍ଦା ଓ ସମାଲୋଚନା ବନ୍ଦକରି ଆମେ ଦେଶ, ରାଜ୍ୟ ଓ ଜାତିର ସମସ୍ୟା ସମାଧାନ କରି ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ।

ନେହେରୁଙ୍କ ସହ ତୁଳନା ପ୍ରସଙ୍ଗରେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଓ ତାରାପ୍ରସାଦ ବାହିନୀପତିଙ୍କ ମନ୍ତବ୍ୟ ଉପରେ କ’ଣ କହିବେ?
ବୟସରେ ସେମାନେ ମୋଠାରୁ ବହୁତ ବଡ଼। ସେମାନଙ୍କର ରାଜନୈତିକ ପଦପଦବିରେ କାର୍ଯ୍ୟ କରିବାର ଦୀର୍ଘ ଅଭିଜ୍ଞତା ମଧ୍ୟ ରହିଛି। ସେମାନଙ୍କ ମନ୍ତବ୍ୟ ଉପରେ ମୁଁ ବିଶେଷ କିଛି କହିବାକୁ ଚାହେନି। ଗଣତନ୍ତ୍ରରେ ମନ୍ତବ୍ୟ ଦେବା, ସମାଲୋଚନା କରିବା ଓ ଆନ୍ଦୋଳନ କରିବା ଅଧିକାର ସମସ୍ତଙ୍କର ଅଛି। କିନ୍ତୁ, ପଦପଦବିରେ ଥିବା ବ୍ୟକ୍ତିବିଶେଷଙ୍କଠାରୁ ସମାଲୋଚନା ବେଳେ ଏଭଳି ଭାଷାର ପ୍ରୟୋଗ ଆଶା କରାଯାଏ ନାହିଁ। ଶାଳୀନ ଭାଷାରେ ସମାଲୋଚନା କରାଯାଇପାରିବ। ରାଜନୈତିକ କାର୍ଯ୍ୟକ୍ରମ ଓ ସମାଲୋଚନା ଗଠନମୂଳକ ହେବା ଦରକାର। ନବୀନ ନିବାସ ଘେରାଉ କରିବେ କି ଆନ୍ଦୋଳନ କରିବେ, ତାହା ସେମାନଙ୍କ ଦଳୀୟ କାର୍ଯ୍ୟକ୍ରମ। ମୁଁ ଏଥିରେ ମନ୍ତବ୍ୟ ଦେବା ଅନୁଚିତ।

ସଂସଦରେ ୱାକଫ୍ ବିଲ୍‌କୁ ନେଇ ବିଜେଡିର ଦଳର ଆଚରଣ ବାବଦରେ ଆପଣଙ୍କ ମତ କ’ଣ?
ଏ ପ୍ରସଙ୍ଗରେ ଆମ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ମତ ଦେଇସାରିଛନ୍ତି। ତେଣୁ ମୁଁ ଆଉ କୌଣସି ମନ୍ତବ୍ୟ ଦେବିନାହିଁ।

ଇଲେକ୍ଟୋରାଲ୍ ବଣ୍ଡ୍‌ ଜରିଆରେ ବିଜେଡି ସଂଗ୍ରହ କରିଥିବା କୋଟିକୋଟି ଟଙ୍କାର ପାଣ୍ଠି ନେଇ କ’ଣ କହିବେ?
ଏହା ପୁରୁଣା ପ୍ରସଙ୍ଗ। ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ବିଜେଡିକୁ ଯେଉଁ ଅର୍ଥ ମିଳିଛି ସେଥିରେ ମୋର ତିଳେମାତ୍ର ଭୂମିକା ନାହିଁ। ମୁଁ କାହିଁକି ନିର୍ଦ୍ଦିଷ୍ଟ ଭାବେ ଏହି ପ୍ରଶ୍ନର ଉତ୍ତର ଦେବି?

jgkgj

ଭକ୍ତ ଦାସ କହିଥିବା ‘ଗୁଲାମ୍‌’ ଶବ୍ଦକୁ କଦର୍ଥ କରନ୍ତୁ ନାହିଁ: ସପ୍ତଗିରି ଉଲାକା

ଆଗାମୀ ଦିନରେ କଂଗ୍ରେସର କାର୍ଯ୍ୟକ୍ରମ ଏବଂ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ରହିଛି?
ଓଡ଼ିଶା ସମସ୍ୟା ଘେରରେ ରହିଛି। ଖାଲି ଲୋକଙ୍କ ମନ ଭୁଲାଇବାକୁ କାର୍ଯ୍ୟ ହୋଇଛି ଓ ଚାଲିଛି। ବିଜେଡି ଶାସନ ସମୟରେ ଜନତାଙ୍କୁ ଭେଳିକି ଓ ପ୍ରଚାର ଭିତରେ ରଖାଗଲା। ଏବେ ବି ସେଥିରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ସ୍ପଷ୍ଟ ଭାବରେ କହିଛନ୍ତି, ଓଡ଼ିଶାରେ ମାନବିକ ଓ ପ୍ରାକୃତିକ ସମ୍ବଳର ବାସ୍ତବ ବିକାଶ ଆମର ମୂଳ ଲକ୍ଷ୍ୟ। ଆଜି ପର୍ଯ୍ୟନ୍ତ ଚାଷୀ, ଶ୍ରମିକ, ମହିଳା, ବିଦ୍ୟାର୍ଥୀଙ୍କ ଭଳି ସାଧାରଣ ବର୍ଗର ମୌଳିକ ସମସ୍ୟା ସୁଧାର ଦିଗରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇନାହିଁ। ପ୍ରାକୃତିକ ସଂପଦରୁ ଓଡ଼ିଶା ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣ ଓ ରାଜ୍ୟର ବିକାଶ ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ଆଧାରିତ ଲକ୍ଷ୍ୟଭିତ୍ତିକ ଯୋଜନା ହେଉନାହିଁ। ଏଣୁ କଂଗ୍ରେସ ଲୋକଙ୍କ ଘରେ ପହଞ୍ଚି ସେମାନଙ୍କୁ ନିଜ ଅଧିକାର ବିଷୟରେ ଅବଗତ କରାଇବ। ପ୍ର‌େତ୍ୟକ ଓଡ଼ିଆଙ୍କ ବିକାଶ ଆମ ଭବିଷ୍ୟତ ଯୋଜନା।

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଯେଭଳି ଶବ୍ଦ ପ୍ରୟୋଗ କରି ବିଜେଡି ନେତା ସଂତୃପ୍ତ ମିଶ୍ରଙ୍କୁ ସମାଲୋଚନା କଲେ ତାହା କେତେଦୂର ଯଥାର୍ଥ?
ଆମର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କ’ଣ କହିଛନ୍ତି ମୁଁ ଶୁଣିନାହିଁ। କିନ୍ତୁ, ଆପଣ ଭକ୍ତ ଚରଣ ଦାସଙ୍କ ‘ଗୁଲାମ୍‌’ ଶବ୍ଦକୁ କଦର୍ଥ କରନ୍ତୁନାହିଁ। ସଂତୃପ୍ତବାବୁ ନେହେରୁ-ବିଜୁଙ୍କ ସଂପର୍କ ବୁଝିଛନ୍ତି କି? ସ୍ବାଧୀନତା ସଂଗ୍ରାମରେ ଓ ସ୍ବାଧୀନୋତ୍ତର ଭାରତ ନିର୍ମାଣରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଭୂମିକାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏ ପରିପ୍ରେକ୍ଷୀରେ ସଂତୃପ୍ତବାବୁ କେମିତି ଏତେ ବଡ଼ କଥା କହିଦେଲେ? ଦେଶ ପ୍ରତି ନେହେରୁଙ୍କର ଅବଦାନ ସହିତ ଜଣେ ପ୍ରାକ୍ତନ ପ୍ରଶାସକ ତଥା ବିଜେଡି ନେତାଙ୍କ କାମକୁ ‌େସ ତୁଳନା କଲେ କିପରି? ଯଦି ସେ କରିନାହାନ୍ତି ତେବେ ସର୍ବସାଧାରଣରେ ସ୍ପଷ୍ଟ ମତ ରଖିଲେନି କାହିଁକି? ଭକ୍ତବାବୁଙ୍କ ପ୍ରତିକ୍ରିୟା ପରେ କାହିଁକି ସଫେଇ ଦେଲେ? ସେ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିବା ଉଚିତ।

ସଂସଦରେ ୱାକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ଭୂମିକାକୁ ଆପଣ କିପରି ଦେଖୁଛନ୍ତି?
ଏ ପ୍ରସଙ୍ଗରେ ଆମ ସଭାପତି ପ୍ରତିକ୍ରିୟା ରଖିସାରିଛନ୍ତି। ୱାକଫ୍ ବିଲ୍‌କୁ ପ୍ରଥମରୁ ବିଜେଡିର ବିରୋଧ କରୁଥିଲା। ବିଜେଡି ସଂସଦୀୟ ଦଳର ବୈଠକରେ ନବୀନବାବୁ ୱାକଫ୍ ବିଲ୍‌କୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ହଠାତ୍ ଦୁଇଘଣ୍ଟା ମଧ୍ୟରେ ବିଜେଡି ସାଂସଦମାନେ କାହିଁକି ନିଷ୍ପତ୍ତି ପରିବର୍ତ୍ତନ କଲେ ତାହା ଆଶ୍ଚର୍ଯ୍ୟର କଥା। ବିବେକାନୁମୋଦିତ ଭୋଟ୍‌ କହି ବିଜେଡି ବିଜେପିକୁ ସମର୍ଥନ କଲା। ବିଜେଡି ସାଂସଦମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ। କିଏ ସମର୍ଥନ କଲା ତ କିଏ ଗୃହତ୍ୟାଗ କଲା ଏବଂ ଆଉ ଜଣେ ବିରୋଧରେ ଭୋଟ୍‌ ଦେଲେ। ତେବେ ପ୍ରଶ୍ନ ହେଉଛି, ଦଳର ଯେଉଁ ବରିଷ୍ଠ ନେତାମାନେ ଏହାକୁ ନେଇ ବିଜେଡି ଭିତରେ ତୁମ୍ବିତୋଫାନ ସୃଷ୍ଟି କରୁଥିଲେ, ଆଜି ସେମାନେ ହଠାତ୍ ଚୁପ୍‌ ହୋଇଗଲେ କାହିଁକି? ଏ ପ୍ରସଙ୍ଗ ବିଶ୍ଳେଷଣ ନ କରିବାକୁ ‌ନବୀନବାବୁ ହଠାତ୍ ଯେଉଁ ନିର୍ଦ୍ଦେଶ ଦେଲେ ତାହା ସବୁଠୁ କୌତୂହଳପ୍ରଦ! 

ଦଳୀୟ ପାଣ୍ଠି ସଂଗ୍ରହ ଲାଗି ଇଲେକ୍ଟୋରାଲ୍‌ ବଣ୍ଡ୍‌ର ଭୂମିକାକୁ ନେଇ କ’ଣ କହିବେ?
ଇଲେକ୍ଟୋରାଲ୍ ବଣ୍ଡ୍ ଶାସନ କ୍ଷମତାରେ ଥିବା ଦଳକୁ ପ୍ରକାରାନ୍ତରେ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। କର୍ପୋରେଟ୍ ସେକ୍ଟର୍ ଶାସନ କ୍ଷମତା‌େ‌ର ଥିବା ଦଳ ବିରୋଧରେ ଯାଇପାରିବ ନାହିଁ। ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ କର୍ପୋରେଟ୍ ଜଗତରୁ ଶାସନ କ୍ଷମତାରେ ଥିବା ଦଳକୁ ପ୍ରଚୁର ଅର୍ଥ ମିଳୁଛି। ବିଜେଡି ଏକ ଆଞ୍ଚଳିକ ତଥା ଅପେକ୍ଷାକୃତ ନୂଆ ଦଳ ହୋଇଥିଲେ ବି ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ କୋଟି କୋଟି ଟଙ୍କା ଅାର୍ଥିକ ସହାୟତା ପାଇଛି। ଯେଉଁଭଳି ଭାବେ ଇଲେକ୍ଟୋରାଲ୍ ବଣ୍ଡ୍ ଦ୍ବାରା ସେ ଦଳକୁ ଏତେ ଅର୍ଥ ମିଳିଛି ତାହା ବିତର୍କର ପ୍ରସଙ୍ଗ।